ଚିତା ଆସିଲା, ସବୁ ଦୁଃଖ ହଟିଲା

ଡ. ସନ୍ତୋଷ କୁମାର ମହାପାତ୍ର

ଗତ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତାବାଘ ଛାଡ଼ିଛନ୍ତି। ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟାରୁ ଭାରତକୁ ଚିତା ବାଘଗୁଡ଼ିକୁ ଅଣାଯାଇଛି। ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ୍‌ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ। ନାମିବ୍ୟାରୁ ଆସୁଥିବା ୮ଟି ଚିତା ମଧ୍ୟରେ ଅଛନ୍ତି ୩ଟି ବାଘ ଓ ୫ଟି ବାଘୁଣୀ। ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ରହିଥିବା ବେଳେ ବାଘୁଣୀଙ୍କ ବୟସ ସାଢ଼େ ୪ ବର୍ଷରୁ ସାଢ଼େ ୫ ବର୍ଷ ଭିତରେ ରହିଛି। ପ୍ରାୟ ସାତ ଦଶନ୍ଧି ପରେ ଭାରତ ଜଙ୍ଗଲରେ ଦୌଡ଼ିବ ଚିତା ବାଘ। ଯଦିଓ ୧୯୫୨ରେ ଭାରତରେ ବିଲୁପ୍ତ ହୋଇଥିବା ଏସିଆ ଚିତା ଓ ନାମିବ୍ୟା ଚିତା ବାଘ ସମାନ ନୁହେଁ ତଥାପି ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ। କିନ୍ତୁ ଏହି ପ୍ରସଙ୍ଗକୁ ଗଣମାଧ୍ୟମରେ ବାରମ୍ବାର ଦେଖାଇ ପୂର୍ବ ସରକାରଙ୍କୁ ଦୋଷାରୋପ କରିବା ନିନ୍ଦନୀୟ। ଉପା ସରକାର ଅମଳରେ ୨୦୦୯ ବେଳେ ଏହି ପ୍ରଜାତିକୁ ବିଦେଶରୁ ଆଣିବା ପାଇଁ ଯୋଜନା ହୋଇଥିଲା। କିନ୍ତୁ କାର୍ଯ୍ୟକାରୀ ହୋଇପାରି ନ ଥିଲା। କିନ୍ତୁ ନରେନ୍ଦ୍ର ମୋଦି ସରକାର ଏଥିରେ ସଫଳ ହୋଇଛନ୍ତି।
ବାସ୍ତବତା ହେଉଛି ୨୦୧୪ରେ କ୍ଷମତାକୁ ଆସିବା ପରେ ଏନ୍‌ଡିଏ ସରକାର ପରିବେଶର ଯତ୍ନ ନେବାରେ ଖରାପ ରେକର୍ଡ ରହିଛି। ବାୟୁ ପ୍ରଦୂଷଣ ହେଉଛି ଭାରତର ମୃତ୍ୟୁର ପ୍ରମୁଖ କାରଣ। ନୂଆଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇ ବିଶ୍ୱର ୨୦ଟି ପ୍ରଦୂଷିତ ସହର ମଧ୍ୟରେ ସ୍ଥାନ ପାଇଛି। ସହରଗୁଡ଼ିକର ବାୟୁ ଗୁଣବତ୍ତା ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧରେ ସର୍ବଶେଷ ଷ୍ଟେଟ ଅଫ ଗ୍ଲୋବାଲ ଏୟାର ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀ ଏବଂ କୋଲକାତା ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମୁମ୍ବାଇ ଏହି ତାଲିକାରେ ୧୪ତମ ସର୍ବାଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି। ଏକ ନୂତନ ଲାନ୍‌ସେଟ ଅଧ୍ୟୟନ ଅନୁଯାୟୀ, ୨୦୧୯ରେ ଭାରତରେ ୨୩ ଲକ୍ଷ ଅକାଳ ମୃତ୍ୟୁ ଘଟିଛି। କେବଳ ବାୟୁ ପ୍ରଦୂଷଣ ହେତୁ ପ୍ରାୟ ୧୬ ଲକ୍ଷ ମୃତ୍ୟୁ ଘଟିଥିଲାବେଳେ ଜଳ ପ୍ରଦୂଷଣ ହେତୁ ୭ ଲକ୍ଷ ହୋଇଥିଲା। ୨୦୧୯ରେ ବାୟୁ ପ୍ରଦୂଷଣଜନିତ ମୃତ୍ୟୁ ଏବଂ ଅକ୍ଷମତା ଯୋଗୁ ଭାରତର ଜିଡିପି ୧.୩୬% ବା ୩୬.୮ ବିଲିୟନ ଡଲାର ହ୍ରାସ ଘଟିଛି।
କେବଳ ପୂର୍ବ ସରକାରଙ୍କୁ ଦୋଷାରୋପ କରୁନାହାନ୍ତି, ଏହି ପ୍ରସଙ୍ଗ ଏପରି ଗଣମାଧ୍ୟମରେ ଆଲୋଚନା ହେଉଛି ଏବଂ ପ୍ରଧାନମନ୍ତ୍ରୀ ଏପରି ମନ୍ତବ୍ୟ ଦେଉଛନ୍ତି ଯେ ଯେପରି ଚିତା ଆସିବା ଯୋଗୁ ଭାରତରୁ ଦାରିଦ୍ର୍ୟ, କ୍ଷୁଧା, ବେକାରି ଓ ବୈଷମ୍ୟ ଆଦି ସମସ୍ୟାର ଅନ୍ତ ଘଟିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚିତା ପ୍ରକଳ୍ପ ପରିବେଶ ତଥା ବନ୍ୟଜନ୍ତୁ ସଂରକ୍ଷଣ ଦିଗରେ ଭାରତ ସରକାରଙ୍କ ଉଦ୍ୟମ ଏବଂ ନିରନ୍ତର ବିକାଶ ପାଇଁ ପ୍ରତିବଦ୍ଧତା ଏବଂ ଏହାର ସହଭାଗିତାର ମନ୍ତ୍ର ଦର୍ଶାଉଛି। ସେ ମଧ୍ୟ କହିଛନ୍ତି ଯେ, ଚିତା ପ୍ରକଳ୍ପ ସୂଚାଉଛି ପ୍ରକୃତି ଓ ପରିବେଶ ଏବଂ ଅର୍ଥନୀତି ପରସ୍ପର ବିରୋଧୀ ନୁହେଁ। ଏଠାରେ ପ୍ରଶ୍ନ ଉଠେ, ସତରେ କ’ଣ ଭାରତର ନିରନ୍ତର ବିକାଶ ହେଉଛି। କିନ୍ତୁ ମିଳିତ ଜାତିସଂଘର ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ କେଉଁ ଦେଶ କେତେ ଆଗେଇଛି ତାହା ପ୍ରତିଫଳନ କରୁଥିବା ନିରନ୍ତର ବିକାଶ ସୂଚକାଙ୍କ ୨୦୨୨ରେ ୧୬୩ଟି ଦେଶ ମଧ୍ୟରେ ଭାରତ ୧୨୧ ସ୍ଥାନରେ ରହିଛି ଅର୍ଥାତ୍‌ ୧୨୦ଟି ଦେଶ ତଳେ।
ସେହିପରି ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ଦ୍ୱାରା ସଦ୍ୟ ପ୍ରକାଶିତ ୨୦୨୨ ରିପୋର୍ଟ ଅନୁସାରେ ୨୦୨୧ର ମାନବ ବିକାଶ ସୂଚକାଙ୍କ (HDP)ରେ ୧୯୧ ଦେଶଙ୍କ ମଧ୍ୟରୁ ଭାରତ ୧୩୨ ସ୍ଥାନରେ ରହିଛି। ଅର୍ଥାତ୍‌ ମାନବ ବିକାଶ ଦୃଷ୍ଟିରୁ ଭାରତ ୧୩୧ଟି ଦେଶ ତଳେ। ପୁନଶ୍ଚ ବିଶ୍ୱର ସର୍ବାଧିକ ଭୋକିଲା, ଗରିବ, ବାସହୀନ ଏବଂ ଆଧୁନିକ କ୍ରୀତଦାସ ଭାରତରେ ଅଛନ୍ତି। ପ୍ରାୟ ୨୭.୯% ଭାରତୀୟ ବହୁମୁଖୀ ଦାରିଦ୍ର୍ୟ ଦ୍ୱାରା କବଳିତ। ପୁଷ୍ଟିହୀନତା ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ୨୦୨୧ରେ ୨୨.୪୩ କୋଟି ହୋଇଥିଲାବେଳେ ୯୭.୩୩ କୋଟି ବା ୭୦.୫% ଭାରତୀୟ ସ୍ବାସ୍ଥ୍ୟକର ଖାଦ୍ୟ ପାଇବାରୁ ବଞ୍ଚିତ। ୨୦୧୧ଜନଗଣନା ଅନୁଯାୟୀ ଭାରତରେ ପ୍ରାୟ ୧.୭୭ ନିୟୁତ ବାସହୀନ ଅଛନ୍ତି, ସେଥିମଧ୍ୟରୁ ପ୍ରାୟ ୫୨% ଦେଶର ସହରାଞ୍ଚଳରେ ବାସ କରନ୍ତି। ଭାରତରେ ବିଶ୍ୱର ସର୍ବାଧିକ ଆଧୁନିକ କ୍ରୀତଦାସ ଅଛନ୍ତି, ଯାହାର ସଂଖ୍ୟା ୧.୪ କୋଟିରୁ ୧.୮ କୋଟି। ବେକାରି, ମୁଦ୍ରାସ୍ଫୀତି ସମସ୍ୟା ନିୟନ୍ତ୍ରଣ ବାହାରେ। ପରିସ୍ଥିତି ଏତେ ଗମ୍ଭୀର ଯେ ୨୦୨୧ରେ ଦେଶରେ ଦିନକୁ ପ୍ରାୟ ୪୫୦ ଏବଂ ପ୍ରତି ଘଣ୍ଟାରେ ପ୍ରାୟ ୧୮ ଜଣ ଆତ୍ମହତ୍ୟା କରିଛନ୍ତି। ଆଠଟି ଚିତା ଯୋଗୁ କ’ଣ ଏସବୁ ସମସ୍ୟା ସମାଧାନ ହୋଇଯିବ ?
ପୁନଶ୍ଚ ଆର୍ଥିକ ଅଭିବୃଦ୍ଧି ସର୍ବଦା ପ୍ରାକୃତିକ, ଖଣିଜ ସମ୍ପଦର ଦ୍ରୁତ ବିନିଯୋଗ ଓ ଆର୍ଥିକ କାର୍ଯ୍ୟକଳାପ ସହିତ ଜଡ଼ିତ। ଆଜି ଚିତା ବାଘ ହେଉ ବା ଅନେକ ପ୍ରାଣୀ ଧ୍ୱଂସ ପାଇବାର କାରଣ ମଧ୍ୟରୁ ଏକ କାରଣ ହେଲା ପରିବେଶର ଦ୍ରୁତ ଅବକ୍ଷୟ। ବର୍ଦ୍ଧିଷ୍ଣୁ ସହରୀକରଣ, ଶିଳ୍ପାୟନ, ଜଙ୍ଗଲ ଧ୍ୱଂସ ପାଇବା, ଖଣିଜ ସମ୍ପଦ ଅଧିକ ଉତ୍ତୋଳନ ହେବା, କଳକାରଖାନାରୁ ଅଙ୍ଗାରକାମ୍ଳ ନିର୍ଗତ ହେବା ଯୋଗୁ ପରିବେଶର ଦ୍ରୁତ ଅବକ୍ଷୟ ହେଉଛି। ଭୂମଣ୍ଡଳୀୟ ପରିବେଶ ପ୍ରତି ଗଭୀର ସଙ୍କଟ ସୃଷ୍ଟି କରୁଛି। ଜଟିଳ ପରିବେଶୀୟ ସମସ୍ୟା ଯଥା ସବୁଜ ଗୃହ ପ୍ରଭାବ ଓ ବିଶ୍ୱ ତାପନ ବା ଗ୍ଲୋବାଲ ୱାର୍ମିଂ, ଜୈବବିବିଧତା ନଷ୍ଟ, ମରୁଭୂମୀକରଣ, ଓଜୋନ ସ୍ତରର କ୍ଷୟ, ଅମ୍ଳ ବର୍ଷା ଆଦି ଅନେକ ପଶୁପକ୍ଷୀ, ବୃକ୍ଷଲତାର ବିଲୁପ୍ତ କାରଣ ହେବା ସହିତ ମାନବ ସଭ୍ୟତାର ଅସ୍ତିତ୍ୱ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି। ଆଠଟି ଚିତା ଆଣିବା ଦ୍ୱାରା କ’ଣ ପରିବେଶ ସୁରକ୍ଷିତ ହୋଇଯିବ; ବିଲୁପ୍ତ ହୋଇଥିବା ପ୍ରାଣୀ, ବୃକ୍ଷ ଜୀବନ୍ତ ହୋଇଉଠିବେ; ନଷ୍ଟ ହୋଇଥିବା ଜଙ୍ଗଲ ସୃଷ୍ଟି ହୋଇଯିବ ବା ଆଉ ଜଙ୍ଗଲ ଧ୍ବଂସ ହେବନି ? ଏପରି କି ଯଦି ପରିବେଶରେ ଉନ୍ନତି ନ ଆସେ, ତେବେ ନାମିବ୍ୟା ଚିତା ମଧ୍ୟ ବଞ୍ଚି ରହିପାରିବେ ନାହିଁ ।
ଡିଭାଇନ ନଗର, ଚାଉଳିଆଗଞ୍ଜ, କଟକ
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri