ନୂଆଦିଲ୍ଲୀ,୨୭।୧୧(ପି.ଟି.): ନେଟ୍ଫ୍ଲିକ୍ସର ପ୍ରଥମ ପାକିସ୍ତାନୀ ଶୋ’ ‘ଜୋ ବଚେ ହୈଁ ସଙ୍ଗ ସମେଟ୍ ଲୋ’ ଭାରତରେ ରିଲିଜ୍୍ ହେବା ସମ୍ଭାବନାକୁ ନେଇ ଏକାଧିକ ଅଭିଯୋଗ ମିଳିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପାକିସ୍ତାନରେ ନିର୍ମିିତ କୌଣସି ବିଷୟବସ୍ତୁ ଯେପରି ଭାରତରେ ଷ୍ଟ୍ରିମିଂ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ନେଟ୍ଫ୍ଲିକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଏହି ୱେବ୍ସିରିଜ୍ର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଡିସେମ୍ବର ୪ରେ ହେବାକୁ ଥିବା ଏହାର ରିଲିଜ୍ ତାଲିକାରେ ଭାରତ ଅନ୍ତର୍ଭୁକ୍ତ ଅଛି କି କେବଳ ପାକିସ୍ତାନ ଓ ଅନ୍ୟ ଦେଶଗୁଡ଼ିକ ପାଇଁ ଏହା ଉଦ୍ଦିଷ୍ଟ, ସେନେଇ ନେଟ୍ଫ୍ଲିକ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପକ୍ଷରେ, ଭାରତର ଦୁଇଟି ସିନେ କର୍ମଚାରୀ ସଂଗଠନ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି।
ମନ୍ତ୍ରଣାଳୟ ୨୦୨୫ ମେ ୮ରେ ଜାରି କରିଥିବା ପରାମର୍ଶବଳୀକୁ କଡ଼ାକଡ଼ି ପାଳନ କରିବା ସହ ପାକିସ୍ତାନୀ ବିଷୟବସ୍ତୁ ଭାରତରେ ଉପଲବ୍ଧ ନ କରାଇବାକୁ ନେଟ୍ଫ୍ଲିକ୍ସକୁ କହିଛି। ଏହାବ୍ୟତୀତ ଗତ ଜୁନ୍ରେ ନେଟ୍ଫ୍ଲିକ୍ସ ସରକାରଙ୍କୁ ଦେଇଥିବା ପ୍ରତିଶ୍ରୁତି ବଜାୟ ରଖିବାକୁ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
‘ଅଲ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏଶନ’ (ଏଆଇସିଡବ୍ଲ୍ୟୁଏ) ଏବଂ ‘ଫେଡେରେଶନ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ’ (ଏଫ୍ଡବ୍ଲ୍ୟୁଆଇସିଇ) କହିଛି, ଗତ ବର୍ଷ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଓଟିଟି ପ୍ଲାଟଫର୍ମଗୁଡ଼ିକୁ ପାକିସ୍ତାନୀ ବିଷୟବସ୍ତୁ ବନ୍ଦ କରିବାକୁ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶାବଳୀର ଏହା ଉଲ୍ଲଂଘନ ହେବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ନେଟ୍ଫ୍ଲିକ୍ସ ଇଣ୍ଡିଆକୁ ପଠାଯାଇଥିବା ପତ୍ରରେ ଏଆଇସିଡବ୍ଲ୍ୟୁଏ ସଭାପତି ସୁରେଶ ଶ୍ୟାମଲାଲ ଗୁପ୍ତା ଉଲ୍ଲେଖ କରିଛନ୍ତି, ପୁଲୱାମା ଓ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ କାମ କରିବାକୁ ନିଷିଦ୍ଧ କରାଯାଇଥିଲା ।

