ଜଳୁଚି ଯିଏ ଜଳୁ

ରଞ୍ଜନ କୁମାର ଦାସ

ଏସଂସାରରେ ଅଜାତଶତ୍ରୁ କେହି ନାହିଁ। ଜଣେ ଲୋକ ଯେତେ ମିଷ୍ଟଭାଷୀ, ଯେତେ ପରୋପକାରୀ, ଯେତେ ନମ୍ର ହେଲେ ମଧ୍ୟ ତା’ ଅଜାଣତରେ କେଉଁଠି ନା କେଉଁଠି ଶତ୍ରୁ ସୃଷ୍ଟି ହୋଇଯାଆନ୍ତି। ଆମ ପ୍ରତିଦିନର କାର୍ଯ୍ୟ ଭିତରେ କିଛି ଲୋକ ଅନିଚ୍ଛାକୃତ ଭାବେ ମଧ୍ୟ ପ୍ରଭାବିତ ହୁଅନ୍ତି। ସେମାନଙ୍କ ଭିତରୁ ଯାହାର କିଛି ପାଇବାର ଆଶା ଥାଏ ହେଲେ ସେ ପାଇପାରେନା, ଶତ୍ରୁ ହୋଇଯାଏ। ସେଇଭଳି ଯଦି କେହି ଲୋକ କିଛି ହରେଇବାର ନାହିଁ ବୋଲି ମନେମନେ ଧରିନେଇଥାଏ ଅଥଚ ଆପଣଙ୍କ ନିୟମିତ କାର୍ଯ୍ୟପ୍ରଣାଳୀ ମଧ୍ୟରେ ସେ ଯଦି କିଛି ଆଇନତଃ ହରେଇବସେ, ସେ ବି ଶତ୍ରୁ ହୋଇଯାଏ। ବେଳେବେଳେ କିଛି ଅଚିହ୍ନା ଲୋକ ବି ବିନା କାରଣରେ ଶତ୍ରୁ ହୋଇଯାଆନ୍ତି। କିଛି ଲୋକ ଅନ୍ୟ କେହି ଭଲରେ ରହିବାଟା ସହିପାରନ୍ତିନି। ତେଣୁ ଆପଣ ଯଦି ଭଲରେ ରହିଲେ ସେମାନେ ସହିପାରିବେନି ଶତ୍ରୁ ହେଇଯିବେ। ଆପଣ ନୂଆ କାର୍‌ଟେ କିଣିଲେ ସେମାନେ ସହିପାରିବେନି, ଗାଡ଼ି ବାହାରେ ଥୁଆ ହୋଇଥିଲାବେଳେ ଗାଡ଼ିକୁ ରାମ୍ପିଦେବେ, ଚକାରେ କଣ୍ଟା ଫୁଟେଇଦେବେ। ଝରକାରେ ଆପଣ କାଚ ଲଗାଇଲେ ସେମାନେ ଟେକା ମାରି ତାକୁ ଭାଙ୍ଗିବେ। ଭଲ ବଗିଚାଟେ କଲେ ଷଣ୍ଢ ପୂରେଇଦେବେ। କିଛି ଲୋକ ଅଛନ୍ତି ସେମାନେ ନିଜେ କିଛି କରିପାରିବେନି ଅଥଚ ଆପଣ ଯଦି କିଛି କଲେ ବା ହାସଲ କଲେ ତାଙ୍କର ଗାତ୍ରଦାହ ହେବ। ସେମାନେ ନିଜକୁ ଅସୁରକ୍ଷିତ ବା ନୂ୍ୟନ ମଣିବେ ଓ ଭିତରେ ଭିତରେ ଶତ୍ରୁତା ଆରମ୍ଭ କରିବେ। ଆପଣ ଯଦି ଭଲ ଖାଇଲେ, ଭଲ ପିନ୍ଧିଲେ, ଭଲ ଦିଶିଲେ, ଭଲ ଭାଷଣ ଦେଲେ କି ଆଉ କିଛି କରି ଭଲ ନଁା କମାଇଲେ, ସେମାନଙ୍କର ପୋଡ଼ିବ। ଆଉ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଆପଣଙ୍କ ଧର୍ମ, ଜାତି, ଗୋତ୍ର, ଜନ୍ମସ୍ଥାନ, କୃତୀ, ପ୍ରକୃତି ବା ମୁହଁ ଭଲ ଲାଗିବନାହିଁ। ଆପଣ ତାଙ୍କର କିଛି କ୍ଷତି କରି ନ ଥିଲେ ବି ସେମାନେ ଆପଣଙ୍କ ସହ ଶତ୍ରୁତୁଲ୍ୟ ଆଚରଣ କରିବେ।
ଅସହିଷ୍ଣୁତା ଆମ ସମୟର ଏକ ବଡ଼ ବ୍ୟାଧି। ଏହି ବ୍ୟାଧିର କୌଣସି ଔଷଧ ନାହିଁ। ବେଳେବେଳେ ଗୋଟେ ଗୋଟେ ବହି ବା ଚଳଚ୍ଚିତ୍ର ଲୋକାର୍ପିତ ହେବା ଆଗରୁ ତା’ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଯାଏ। ତା’ ଭିତରେ କ’ଣ ଥାଏ କେହି ତ ଜାଣି ନ ଥା’ନ୍ତି। ତଥାପି ପ୍ରତିବାଦ ହୁଏ। ଏ ରୂଢ଼ବାଦୀ ଅନ୍ଧ ସମାଜ କୌଣସି ନୂତନ ମତ ବା ମତାନ୍ତରକୁ ଗ୍ରହଣ କରିପାରିନି। ଫଳସ୍ବରୂପ, କେବେ ଫତୱା ଜାରି ହୁଏ ତ କେବେ ପଥରମାଡ଼ ହୁଏ। ବିଚରା ଲେଖକ ବା ନିର୍ଦ୍ଦେଶକଙ୍କୁ ବର୍ଷବର୍ଷ ଧରି ଲୁଚିଲୁଚି ରହିବାକୁ ପଡ଼େ। ବାହାରକୁ ବାହାରିଲେ ଜୀବନକୁ ଭୟ। ନିକଟରେ ସଲମାନ ରସଡିଙ୍କ କ୍ଷେତ୍ରରେ ଯାହା ହେଲା ବା ତସଲିମା ନାସରିନଙ୍କ କ୍ଷେତ୍ରରେ ଯାହା ହୋଇଆସିଛି ତାହା ଦେଖିଲେ ବାସ୍ତବରେ ଦୁଃଖ ଲାଗେ। ଅତୀତରେ ଡା ଭିନସି କୋଡ୍‌ ଚଳଚ୍ଚିତ୍ର ହେଉ, ବ୍ୟାଣ୍ଡିଟ କୁଇନ ହେଉ ବା ବିଶ୍ୱରୂପମ୍‌ ବେଳେ ଯେଉଁଭଳି ବୌଦ୍ଧିକ ଅସହିଷ୍ଣୁତାର ପରିପ୍ରକାଶ ଦେଖାଯାଇଥିଲା ତାହା ମାତ୍ରାଧିକ ବୋଲି ଯେ କେହି ଅନାୟାସରେ ଅନୁଭବ କରିବ। ତେଣୁ ଅନେକତ୍ର ଏ ଅସହିଷ୍ଣୁତା ମଣିଷର ସୃଜନଶୀଳତା ବ୍ୟକ୍ତି ସ୍ବାଧୀନତା ଓ ବିକାଶର ଗତିରୋଧ କରେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ମାତ୍ର ବ୍ୟାଧି ତ ବ୍ୟାଧି। ତା’ର ନିରାକରଣ ହେବ କେମିତି? ମତେ କେହି ଜଣେ ଘୃଣା କରୁଛି, ଅସହିଷ୍ଣୁ ହଉଛି ବା ପରୋକ୍ଷରେ ଶତ୍ରୁତା କରୁଛି ଏକଥା ଜାଣିଲା ମାତ୍ରେ ହିଁ ମଣିଷର ମନଟା ତିକ୍ତ ହୋଇଉଠେ। ଏହି ବିଷକ୍ରିୟାର ପ୍ରଭାବରେ ଶରୀର ଓ ମନରେ ନାନାପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୁଏ, ଯାହା ଆମକୁ ଅନେକ ଅକଥନୀୟ ଦୁଃଖ ଓ କଷ୍ଟ ଦିଏ। ଏମିତି ଏକ ବିଷକ୍ରିୟାରେ ପୀଡ଼ିତ ହୋଇ ଥରେ ଜଣେ ବନ୍ଧୁ ସୁଦୂର ତୀର୍ଥରେ ଥିବା ଜଣେ ସଦ୍‌ଗୁରୁଙ୍କ ଶରଣାଗତ ହେଲେ। ଗଲାବେଳେ ମଁୁ ମଧ୍ୟ ତାଙ୍କ ସାଙ୍ଗରେ ଯାଇଥିଲି। ସଦ୍‌ଗୁରୁଙ୍କ ଆଗରେ ବନ୍ଧୁ ତାଙ୍କର ସମସ୍ୟା ସବୁ କହିଲେ। ସାଧୁ ହସିଲେ ଏବଂ କହିଲେ ଆପଣଙ୍କୁ ଘୃଣା କରୁଥିବା ବା ଈର୍ଷା କରୁଥିବା ଲୋକମାନେ ହିଁ ଆପଣଙ୍କର ସବୁଠୁ ବଡ଼ ଚିନ୍ତକ। ଆପଣ ଅହର୍ନିଶ ତାଙ୍କ ଚିନ୍ତା ଓ ଚେତନାରେ ଭରି ରହିଛନ୍ତି। ସେମାନେ ଆପଣଙ୍କୁ ଈର୍ଷା ବା ଘୃଣା କରନ୍ତି ଏଇଥିପାଇଁ ଯେ ଆପଣ ଯାହା ହୋଇପାରିଛନ୍ତି ସେମାନେ ତାହା ତାଙ୍କ ଜୀବନକାଳ ଭିତରେ ହୋଇପାରିଲେ ନାହିଁ। ଆପଣ ତାଙ୍କଠାରୁ ଢେର ଊର୍ଦ୍ଧ୍ୱରେ ବା ଆଗରେ ଅଛନ୍ତି ଏକଥା ସେମାନେ ସ୍ବୀକାର କରୁଛନ୍ତି ଅଥଚ ସହ୍ୟ କରିପାରୁ ନାହାନ୍ତି। ସେମାନେ ଭାବୁଛନ୍ତି ଆପଣ ତାଙ୍କ ଅସ୍ତିତ୍ୱ ପ୍ରତି ବିପଦ। ସେମାନେ ଆପଣଙ୍କୁ ଅତିକ୍ରମ କରିପାରିବେ ନାହିଁ। ତେଣୁ ସେମାନେ ଆପଣଙ୍କର ଗତିରୋଧ କରି ଆପଣଙ୍କୁ ତାଙ୍କ ସ୍ତରରେ ଅଟକେଇ ରଖିବାକୁ ଚାହାନ୍ତି। ତାଙ୍କୁ ଅତିକ୍ରମ କରି ଆପଣ ଆଗକୁ ବଢ଼ିଯିବେ ଏକଥା ସେମାନେ ସହିପାରୁନାହାନ୍ତି। ତଥାପି ଏସବୁ ସତ୍ତ୍ୱେ ଆପଣ ଆଶ୍ୱସ୍ତ ରୁହନ୍ତୁ ଯେ ଏଇମାନେ ଆପଣଙ୍କର ଗୁଣକୁ ଚିହ୍ନିସାରିଛନ୍ତି ଏବଂ ଆପଣଙ୍କୁ ଅନତିକ୍ରମ୍ୟ ବୋଲି ଭାବୁଛନ୍ତି। ସେମାନଙ୍କୁ ସମ୍ମାନ ଦିଅନ୍ତୁ। ଯେଉଁ ବହି ସମାଲୋଚିତ, ସମୀକ୍ଷିତ ହୁଏ ନାହିଁ ତାହା ଚର୍ଚ୍ଚାକୁ ଆସେନାହିଁ। ଆପଣ ବୋଧହୁଏ ସେଇଭଳି ଏକ ସମ୍ଭାବନାମୟ ବହି ଯାହାକୁ ସମାଲୋଚନା କରିବାକୁ ଲୋକେ ଅଣ୍ଟା ଭିଡ଼ୁଛନ୍ତି।
ବନ୍ଧୁ କ’ଣ କରିବେ ଚିନ୍ତା କରିପାରିଲେ ନାହିଁ। ଗୁରୁଦେବ ତହଁୁ କହିଲେ, ସେମାନେ ଚାହାନ୍ତି ଆପଣଙ୍କୁ ନିନ୍ଦା କରି, ଘୃଣା କରି, ଈର୍ଷା କରି ଆପଣଙ୍କ ବାବଦରେ ଏଠି ସେଠି ନାନା କଥା କହି ଓ ଲେଖି ଆପଣଙ୍କୁ ମାନସିକ ଭାବେ ବିବ୍ରତ କରି ଧ୍ୟାନଚ୍ୟୁତ କରେଇବେ। ଥରେ ଆପଣ ଧ୍ୟାନଚ୍ୟୁତ ହେଲେ ଆଉ ଆଗକୁ ବଢ଼ିପାରିବେ ନାହିଁ ଏବଂ ତାଙ୍କର ଲକ୍ଷ୍ୟ ସାଧନ ହୋଇଯିବ। ଯଦି ଆପଣ ତାଙ୍କ ସହ ଲଢ଼ିବେ ତେବେ ଆଗକୁ ବଢ଼ିବା କଥା ଭୁଲି ଜୀବନସାରା ତାଙ୍କ ସହ ନିଜକୁ ଲଢ଼େଇରେ ଲିପ୍ତ ରଖିବାକୁ ପଡ଼ିବ। ସେମାନେ ତ ସେତିକି ଚାହାନ୍ତି, ଆପଣ ଆଗକୁ ନ ବଢ଼ନ୍ତୁ। ସେମାନଙ୍କ ଭଳି ଆପଣ ବି ନୂ୍ୟନତର ସ୍ତରରେ ଧୂଳିଧୂସରିତ କର୍ଦ୍ଦମାକ୍ତ ହୋଇ ପଡ଼ିରହନ୍ତୁ। ତେଣୁ ଏଭଳି ନିନ୍ଦୁକ ଓ ଈର୍ଷାଳୁଙ୍କ କଥାରେ ଧ୍ୟାନ ନ ଦେଇ ଆଗକୁ ବଢ଼ିଚାଲନ୍ତୁ। ଆପଣଙ୍କ ଉନ୍ନତିରେ ଯଦି କେହି ଜଳୁଛି, ତାକୁ ଜଳିବାକୁ ଛାଡ଼ିଦେଇ ଆପଣ ଆଗକୁ ବଢ଼ନ୍ତୁ। ସେ ଅଗ୍ନିକୁ ନିର୍ବାପିତ କରିବାକୁ ତା’ ଉପରେ ପାଣି ଢାଳିବାର ପ୍ରୟାସ କରି ଲାଭନାହିଁ। ବରଂ ବାୟୁମଣ୍ଡଳକୁ ଅଧିକ ଅମ୍ଳଯାନରେ ଭରିଦିଅନ୍ତୁ ଯେମିତି ତାଙ୍କ ଜଳିବାର ପ୍ରକ୍ରିୟାଟି ଅଧିକ ତ୍ୱରାନ୍ବିତ ହୋଇପାରିବ। ତାଙ୍କୁ ଦେଖିଲେ କୃତଜ୍ଞତା ଜଣେଇ କୁହନ୍ତୁ ଆପଣଙ୍କ ଈର୍ଷା ଓ ଘୃଣା ମତେ ଆହୁରି ଉନ୍ନତ ହେବା ପାଇଁ ପ୍ରେରଣା ଯୋଗାଇଛି, ଆହୁରି ଦୁଃଖ ସହିବାର ସାମର୍ଥ୍ୟ ଯୋଗାଇ ମତେ କରିଛି ଅଦମ୍ୟ ଓ ସଶକ୍ତ। ନିଜ ଅପାରଗତା ଓ ବିଫଳତାର ଅନୁଶୋଚନାରେ ସେମାନେ ଆହୁରି ଜଳି ମରିବେ। ଆପଣ ତାଙ୍କ ସହ ନିଜେ ନ ଲଢ଼ି ଛାଡ଼ିଦିଅନ୍ତୁ ତାଙ୍କୁ ତାଙ୍କ ନିଜ ସହ ଲଢ଼ିବାକୁ। ଲୁହାକୁ କାଟିବାକୁ ଚେଷ୍ଟା ନ କରି ତାକୁ କଳଙ୍କିତ ହେବାକୁ ଛାଡ଼ିଦିଅନ୍ତୁ। ତା’ ନିଜର କଳଙ୍କ ତାକୁ ଖାଇଯିବ। ସେ ଗୁଣ୍ଡହୋଇ ମାଟିରେ ମିଶିଯିବ।
ନିର୍ଦ୍ଦେଶକ,
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?