ମୁମ୍ୱାଇ,୧୦।୬: ଝିଅର ନିର୍ବନ୍ଧକୁ ଥିଲା ଆଉ ମାତ୍ର ୫ ଦିନ। ପ୍ରସ୍ତୁତିରେ ଲାଗିପଡ଼ିଥିଲା ପୂରା ପରିବାର। ନିର୍ବନ୍ଧ ପାଇଁ ସମ୍ପର୍କୀୟମାନେ ବି ଘରକୁ ଆସୁଥାନ୍ତି। ସେପଟେ ଚାଲିଥାଏ ସାଜସଜା। ଘରେ ଥାଏ ପୂରା ଖୁସିର ମାହୋଲ। ହେଲେ ଏହାରି ଭିତରେ ଘଟିଗଲା ଏକ ଅଭାବନୀୟ ଘଟଣା। ଯାହା ପୂରା ପରିବାରକୁ ଚିନ୍ତାରେ ପକାଇଦେଇଥିଲା । କାରଣ ହଠାତ ଖବର ଆସିଥିଲା ଝିଅର ମାଆ ନିଖୋଜ ହୋଇଯାଇଛନ୍ତି।
ରିପୋର୍ଟ ଅନୁସାରେ, ଏହି ଘଟଣା ମହାରାଷ୍ଟ୍ରର ଜଲଗାଓଁ ଜିଲାର ଜାମନେର ଟାଉନରେ ଘଟିଛି। ତେବେ ଘଟଣା ଜଣାପଡ଼ିବା ପରେ ପରିବାରରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ପରିବାର ଲୋକେ ମହିଳାଙ୍କୁ ସବୁଆଡ଼େ ଖୋଜିଥିଲେ। ଏମିତିକି ତାଙ୍କର ସବୁ ବନ୍ଧୁ ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ। ହେଲେ ପ୍ରାୟ ୨ ଦିନ ଧରି ଏଭଳି ଖୋଜିବା ପରେ ବି ମହିଳାଙ୍କର କେଣସି ସନ୍ଧାନ ମିଳିନଥିଲା।
ହେଲେ ଦୁଇ ଦିନ ପରେ ଘଟଣାରେ ଆସିଲା ଟ୍ୱିଷ୍ଟ। ପରିବାରର ଜଣେ ସମ୍ପର୍କୀୟ ଦେଇଥିଲେ ଏକ ଚାଞ୍ଚଲ୍ୟକର ତଥ୍ୟ। ସେ କହିଥିଲେ ଝିଅର ମାଆ ଅନ୍ୟତ୍ର ବିବାହ କରିଛନ୍ତି। ଏମିତିକି ସେ ଏହାର ହ୍ୱାଟ୍ପଆପ ଷ୍ଟାଟସ ମଧ୍ୟ ଦେଖାଇଥିଲେ। ଯାହାକୁ ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଜଣାପଡ଼ିଥିଲା ଯେ, ମହିଳା ଜଣକ ଏକ ମନ୍ଦିରରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଆଉ ଉକ୍ତ ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ।
ରିପୋର୍ଟ ଅନୁସାରେ, ଏହାପରେ ପରିବାର ଜାମନେର ପୋଲିସରେ ଅଭିଯୋଗ କରିଥିଲେ । ଆଗକୁ ଝିଅର ର୍ନିବନ୍ଧ ହେବାକୁ ଥିବାରୁ ଲୋକଲଜ୍ଜା ଏବଂ ମାନସମ୍ମାନ ତଳେ ପଡ଼ିବା ଭୟରେ ପରିବାର ପୋଲିସକୁ ଏହି ଫଟୋକୁ ସୋସିଆଲ ମିଡିଆରେ ଯେପରି ଅଧିକ ସେୟାର ନହେବ ସେଥିପାଇଁ ଅନୁରୋଧ କରିଥିଲେ। ତେବେ ଏହି ଘଟଣା ଜଲଗାଁଓ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।

