ହିଟିଏର ଭଲ-ମନ୍ଦ ପାଠକଙ୍କ ଦୃଷ୍ଟିକୋଣ ଉପରେ ନିର୍ଭର କରେ। ଲେଖକର ଭାବନା ଓ ପାଠକର ଚିନ୍ତାଧାରା ବହିଟିକୁ ଗ୍ରହଣୀୟ ବା ପରିତ୍ୟଜ୍ୟ କରିଥାଏ। ସାମ୍ପ୍ରତିକ କେତୋଟି ଘଟଣାବଳୀ ଏ ସମ୍ପର୍କିତ ଆଲୋଚନାର ପ୍ରାସଙ୍ଗିକତା ରଖେ। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ପୁସ୍ତକକୁ କେନ୍ଦ୍ର କରି ଉଠିଥିବା ବାଦ-ବିବାଦ ପରିପ୍ରେକ୍ଷୀରେ ଅନେକ ଆଲୋଚନା ହେଲାଣି। ଆମେ ତା’ଭିତରକୁ ଯାଉନାହୁଁ। କିନ୍ତୁ ମହାରାଷ୍ଟ୍ରରେ ଶିବସେନା ନେତାମାନେ ସଭାମଞ୍ଚରେ ଏହି ପୁସ୍ତକକୁ ଚିରିବା ଏକ ଭିନ୍ନ ବିବାଦ ସୃଷ୍ଟିକରିଛି। ଏକ ରାଜନୈତିକ ମଞ୍ଚରେ କୌଣସି ସାହିତ୍ୟକୃତିକୁ ଚିରିବା ଆଦୌ ସୁସ୍ଥ ପରମ୍ପରା ନୁହେଁ କିମ୍ବା ଏହାକୁ ପୁସ୍ତକର ଅନୁଶୀଳନ ବା ସମୀକ୍ଷାଜନିତ ପ୍ରତିକ୍ରିୟା ବୋଲି କୁହାଯାଇପାରିବ ନାହିଁ। କୌଣସି ବହିକୁ ନ ପଢ଼ି ଅଯଥା ପ୍ରତିକ୍ରିୟା ଆଦୌ ଗ୍ରହଣୀୟ ହୋଇ ନ ପାରେ। ବହିକୁ ନଷ୍ଟ କରିବା ଦ୍ବାରା ଇତିହାସ ବଦଳିଯାଏ ନାହିଁ କିମ୍ବା ବହିର ବିଷୟବସ୍ତୁ ସଂସାର ପୃଷ୍ଠାରୁ ଲିଭିଯାଏ ନାହିଁ।
ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ଏକ ମାମଲାରେ କେନ୍ଦ୍ର ସରକାରଙ୍କୁ ‘ପୁସ୍ତକ ପ୍ରତି କିଛିଟା ବି ସମ୍ମାନ ଦିଅ’ ବୋଲି ଆକ୍ଷେପ କରିବା ଅନ୍ୟ ଏକ ବିବାଦ ଉପରୁ ପରଦା ହଟାଇଛି। ସେଇଟି ହେଉଛି, କେନ୍ଦ୍ରୀୟ ସଚିବାଳୟର ଏକ ଅଂଶ ଥିବା ୧୯୬୯ରେ ନିର୍ମିତ ଶାସ୍ତ୍ରୀ ଭବନକୁ ଭାଙ୍ଗିବା ସହ ଏଠାରେ ଥିବା ୧୩୫ ବର୍ଷର ପୁରାତନ କେନ୍ଦ୍ରୀୟ ସଚିବାଳୟ ପାଠାଗାରକୁ ଏକ କ୍ଷୁଦ୍ର କୋଠରିକୁ ସ୍ଥାନାନ୍ତର ପାଇଁ ସରକାର ନିର୍ଦ୍ଦେଶ ଦେବା। ଏହି ପାଠାଗାରରେ ୮ଲକ୍ଷ ୫୦ହଜାରରୁ ଅଧିକ ପୁସ୍ତକ ରହିଛି। ଏତେଗୁଡ଼ିଏ ପୁସ୍ତକକୁ ସରକାର ତରବରିଆ ଭାବେ ମାତ୍ର ୪୦୦ ବର୍ଗଫୁଟ କୋଠରିକୁ ସ୍ଥାନାନ୍ତର କରିବା ଯୋଜନାରେ ଥିଲେ। ଏହା କିପରି ସମ୍ଭବ ହୋଇପାରିବ ଭାବି କିଛି ପାଠକ ଚିନ୍ତା ପ୍ରକଟ କରିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ଏଥିରେ ହସ୍ତକ୍ଷେପ କରିବା ସହ ପୁସ୍ତକଗୁଡ଼ିକୁ ସସମ୍ମାନେ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାଠାଗାରକୁ ସ୍ଥାନାନ୍ତର ନ କରିବା ପାଇଁ ପ୍ରଧାନ ବିଚାରପତି ସରକାରଙ୍କୁ କହିଛନ୍ତି। ଏଥିରୁ ମାମଲାର ଗମ୍ଭୀରତା ତଥା ପାଠାଗାର ଓ ପୁସ୍ତକଗୁଡ଼ିକର ମହତ୍ତ୍ବ ଅନୁଭବ କରାଯାଇପାରେ। ନୂଆ ଗଢ଼ିବା ପାଇଁ ପୁରୁଣାକୁ ଧ୍ବଂସ କରିଦେବା ଏକ ଭୟଙ୍କର ମାନସିକତା ବୋଲି ଏହି ଘଟଣାରେ କୁହାଯାଇପାରେ। ଅହଂକାରୀ ଶାସକମାନେ ନିଜର ବଡ଼ିମା ଜାହିର କରିବାକୁ ଯାଇ ବହୁ ସ୍ମୃତି ବିଜଡ଼ିତ କୀର୍ତ୍ତିରାଜିକୁ ଧ୍ବଂସ କରିବା ସହ ଇତିହାସକୁ ବିକୃତ କରିବା ଓ ନିଜ ଅନୁସାରେ ଏହାର ପରିବର୍ତ୍ତନ କରିବା ଭଳି ଘୃଣ୍ୟ ପଦକ୍ଷେପ ଗ୍ରହଣ କରିଥାନ୍ତି। ଏ କ୍ଷେତ୍ରରେ ପୁସ୍ତକ ହିଁ ପ୍ରଥମେ ଶିକାର ହୋଇଥାଏ। ଇତିହାସ ପୃଷ୍ଠାରେ ଏହାର ଅନେକ ଉଦାହରଣ ରହିଛି।
ଭାରତର ପ୍ରସିଦ୍ଧ ନାଳନ୍ଦା ବିଶ୍ବବିଦ୍ୟାଳୟକୁ ତୁର୍କୀର ଇସ୍ଲାମିକ୍ ଶାସକ ବକ୍ତିଆର ଖିଲିଜ ୧୧୯୩ ଖ୍ରୀଷ୍ଟାବ୍ଦରେ ଆକ୍ରମଣକରି ପୋଡ଼ିଦେବା ଦ୍ବାରା ଏଠାରେ ଥିବା ଲକ୍ଷ ଲକ୍ଷ ଶାସ୍ତ୍ରାଦି ପାଣ୍ଡୁଲିପି ପୋଡ଼ି ପାଉଁଶ ହୋଇଯାଇଥିଲା। ଏହାଦ୍ବାରା ଯେ ଗୋଟିଏ ଜାତିର ଜ୍ଞାନପିପାସାରେ ଅନ୍ତ ଘଟିଲା ବା ଶିକ୍ଷାର ଦ୍ବାର ବନ୍ଦ ହୋଇଗଲା ତାହାନୁହେଁ; କିନ୍ତୁ ଭବିଷ୍ୟତ ପିଢ଼ିର ବିକାଶ କିଛି କାଳ ମନ୍ଥର ହୋଇଯାଇଥିଲା। ସେହିପରି ଖ୍ରୀଷ୍ଟପୂର୍ବ ୨୧୩ରେ ଚାଇନାର ସମ୍ରାଟ କିନ୍ ସି ହୁଆଙ୍ଗଙ୍କ ନିର୍ଦ୍ଦେଶକ୍ରମେ ଦେଶରେ ଥିବା ସମସ୍ତ ଦର୍ଶନ ଶାସ୍ତ୍ର ଓ ଇତିହାସ ଆଧାରିତ ପୁସ୍ତକ ଏବଂ ପାଠାଗାର ପୋଡ଼ି ଦିଆଯାଇଥିଲା। ଏହା ମାଧ୍ୟମରେ ଦେଶର ବୌଦ୍ଧିକ ପରମ୍ପରାକୁ ନିଃଶେଷ କରି ରାଜକୀୟ କ୍ଷମତା ଜାହିର କରିବାକୁ ସେ ଚାହୁଁଥିଲେ। ସେହିଭଳି ଲାଇବ୍ରେରି ଅଫ୍ ଆଲେକଜାଣ୍ଡ୍ରିଆକୁ ବାରମ୍ବାର ଯୋଜନାବଦ୍ଧ ଭାବେ ଧ୍ବଂସ କରାଯିବା ଘଟଣାକୁ ପ୍ରାଚୀନ ବିଶ୍ବର ବୌଦ୍ଧିକ ସମୁଦାୟ ପାଇଁ ସର୍ବାଧିକ ଯନ୍ତ୍ରଣାଦାୟକ ବୋଲି ଅଭିହିତ କରାଯାଏ। ୧୨୫୮ରେ ଇରାକର ବାଗଦାଦସ୍ଥିତ ବୃହତ ଶିକ୍ଷାକେନ୍ଦ୍ରକୁ ମଙ୍ଗୋଲୀୟମାନେ ଧ୍ବଂସ କରିଦେଇଥିଲେ। ୧୫୫୯ରେ କାଥଲିକ ଚର୍ଚ୍ଚ ଦ୍ବାରା ପରିଚାଳିତ ଇଣ୍ଡେକ୍ସ ଲିବ୍ରୋରମ୍ ପ୍ରୋହିବିଟୋରମ୍ ଦ୍ବାରା ୟୁରୋପରେ ଧାର୍ମିକ ନୀତି ପରିପନ୍ଥୀ ଓ ନୈତିକ ଶିକ୍ଷା ଆଧାରିତ ପୁସ୍ତକ ପ୍ରକାଶନ ଉପରେ ନିଷେଧାଦେଶ ଜାରି କରିଥିଲା। ଇସ୍ଲାମିକ୍ ଶାସକମାନେ କୋରାନ ବ୍ୟତୀତ ପୃଥିବୀରେ ଅନ୍ୟ କୌଣସି ପୁସ୍ତକ ପ୍ରଚଳିତ ହେବା ଅନୁଚିତ ଭାବି ନିଜ ରାସ୍ତାରେ ଯେତେ ପାଠାଗାର, ଶିକ୍ଷାକେନ୍ଦ୍ର ବା ବିଶ୍ବିଦ୍ୟାଳୟ ଥିଲା ସବୁଗୁଡ଼ିକୁ ଯୁଗଯୁଗ ଧରି ଧ୍ବଂସ କରିଚାଲିଥିଲେ। ୧୯୩୩ରେ ଜର୍ମାନୀର ଏକଚ୍ଛତ୍ରବାଦୀ ନାଜି ଶାସକ ହିଟ୍ଲରଙ୍କ ବିଚାର ବିରୋଧରେ ଇହୁଦି ଓ ମାର୍କ୍ସବାଦୀ ଲେଖକଙ୍କ ଦ୍ବାରା ଲିଖିତ ଅନେକ ହଜାର ପୁସ୍ତକ ପୋଡ଼ି ଦେଇଥିଲେ। ଚାଇନାର ସାଂସ୍କୃତିକ ଜାଗରଣ ସମୟରେ ମଧ୍ୟ ମାଓବାଦକୁ ବିରୋଧ କରୁଥିବା ବିପୁଳ ପୁସ୍ତକ ଓ ଚିତ୍ରପଟକୁ ନଷ୍ଟ କରିଦିଆଯାଇଥିଲା। ୧୯୮୧ରେ ଶ୍ରୀଲଙ୍କାରେ ସିଂହଳୀମାନେ ପ୍ରସିଦ୍ଧ ଜାଫ୍ନା ପବ୍ଲିକ ଲାଇବ୍ରେରିକୁ ପୋଡ଼ି ଦେଇଥିଲେ; ଯେଉଁଠାରେ ତାମିଲମାନଙ୍କ ସମ୍ପର୍କିତ ୧ଲକ୍ଷରୁ ଅଧିକ ପୁସ୍ତକ, ପାଣ୍ଡୁଲିପି ଓ ଐତିହାସିକ ଦସ୍ତାବିଜ ପୋଡ଼ି ପାଉଁଶ ହୋଇଯାଇଥିଲା। ସେହିଭଳି ୨୦୧୨-୧୩ରେ ମାଲିଠାରେ ଥିବା ବୃହତ ପାଠାଗାରକୁ ଇସ୍ଲାମିକ୍ ଆତଙ୍କବାଦୀମାନେ ପୋଡ଼ି ଦେଇଥିଲେ। ଜ୍ଞାନର ପୀଠଗୁଡ଼ିକୁ ଏମିତି ଅବିଚାରିତ ଭାବେ ଧ୍ବଂସ କରାଯିବାର ନଜିର ଅନେକ ରହିଛି ବିଶ୍ବ ଇତିହାସରେ। ଏହାବାଦ୍ ଧର୍ମୀୟ ଚିନ୍ତାଧାରା ଓ ରାଜନୈତିକ କାରଣରୁ ଅନେକ ପୁସ୍ତକ ଉପରେ ବିଭିନ୍ନ ସମୟରେ ସରକାରୀ ନିଷେଧାଦେଶ ଜାରି କରାଯାଇଛି; କିନ୍ତୁ ଏହାଦ୍ବାରା ଜ୍ଞାନର ମୃତ୍ୟୁ ହୋଇନାହିଁ କିମ୍ବା ଏହା ପାଠକଙ୍କଠାରୁ ଅପହଞ୍ଚ ରହିନାହିଁ; ବରଂ ଧ୍ବଂସକାରୀମାନେ ଯୁଗଯୁଗ ଧରି ନିନ୍ଦିତ ହୋଇଆସିଛନ୍ତି। ବର୍ତ୍ତମାନର ପୁସ୍ତକ ଓ ପାଠାଗାର ବିରୋଧୀମାନେ ଅନ୍ତତଃ ଏତିକି ବୁଝିବା ଆବଶ୍ୟକ।
ରାଜନେତା ଓ ପୁସ୍ତକ ସମ୍ପର୍କିତ ଆଉ ଏକ ବିବାଦ କିଛି ଦିନ ପୂର୍ବେ ଚର୍ଚ୍ଚାକୁ ଆସିଥିଲା; ଯାହା ଥିଲା ତାମିଲନାଡୁର। ରାଜ୍ୟର ପୂର୍ବତନ ଡିଏମ୍କେ ସରକାର ବିଭିନ୍ନ ପାଠାଗାର ପାଇଁ ପୁସ୍ତକ କିଣିବାକୁ ସ୍ବତନ୍ତ୍ର ଅର୍ଥ ମଞ୍ଜୁର କରିଥିଲେ। ପାଠାଗାର କର୍ତ୍ତୃପକ୍ଷ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଯେମିତି ପୁସ୍ତକ କିଣା ହେଲା ସେ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଅନେକ ମହଲରେ ବିସ୍ମୟ ପ୍ରକାଶ କରିଛି। କୌତୂହଳର ବିଷୟ ହେଉଛି, କର୍ତ୍ତୃପକ୍ଷ ସରକାରୀ ଅର୍ଥରେ ହଜାର ହଜାର ନକଲି ପୁସ୍ତକ କିଣିଛନ୍ତି। ସରକାରୀ ଅଧିକାରୀଙ୍କ ଦ୍ବାରା କ୍ରୟ କରାଯାଇଥିବା ବିପୁଳ ପୁସ୍ତକର ପ୍ରକାଶକ, ଲେଖକ, ତଥ୍ୟାବଳୀ, ଆଇଏସ୍ବିଏନ୍ ନମ୍ବର ଇତ୍ୟାଦି ସବୁକିଛି ଜାଲ୍। ଏହାର ଟ୍ରେଡମାର୍କ ମଧ୍ୟ ଜାଲ୍ ହୋଇଥିବାବେଳେ କେତେଗୁଡ଼ିଏ ଏଆଇ ସାହାଯ୍ୟରେ ପ୍ରସ୍ତୁତ ବୋଲି ଜଣାପଡ଼ିଛି। ଏମିତି ହୋଇଛି ଯେ ତାମିଲନାଡୁର ପ୍ରଥମ ମୁଖ୍ୟମନ୍ତ୍ରୀ ମୁଥୁବେଲ ସୁବେୟା ଆୟାଙ୍ଗାରଙ୍କ ଦ୍ବାରା ଲିଖିତ ଏକ ପୁସ୍ତକ କିଣାଯାଇଥିବା ଦର୍ଶାଯାଇଛି; ଯାହାକୁ ଆୟାଙ୍ଗାର ଆଦୌ ଲେଖିନଥିବା ଜଣାପଡ଼ିଛି। ଏହି ମହାଦୁର୍ନୀତିର ମାଷ୍ଟରମାଇଣ୍ଡ ହେଉଛନ୍ତି କିଛି ପୁସ୍ତକ ପ୍ରକାଶକ। ସେମାନଙ୍କ ପଛରେ କିଛି ରାଜନେତାଙ୍କର ପ୍ରୋତ୍ସାହନ ଥିବା ସୂଚନା ମିଳିବା ପରେ ସରକାର ଏହାର ତଦନ୍ତ ଆରମ୍ଭ କରିଛନ୍ତି। ସତରେ ରାଜକୋଷରୁ ଅର୍ଥ ଆତ୍ମସାତ କରିବା ପାଇଁ ଅଧିକାରୀମାନେ କ’ଣ ଏପରି ସ୍ତରକୁ ଯାଇପାରନ୍ତି ?
ବାସ୍ତବରେ ଜଣକର ବ୍ୟକ୍ତିଗତ ଲେଖକୀୟ ଅଭିବ୍ୟକ୍ତି ବା ଭାବନା ରାଜ୍ୟରେ ଯେ କେହି ପ୍ରବେଶ କରି ଏହାକୁ ହନନ କରିବା ପରିବର୍ତ୍ତେ ପୁସ୍ତକର ନିରପେକ୍ଷ ବିଚାରବିମର୍ଶ କରାଗଲେ ସାହିତ୍ୟ ଓ ସଭ୍ୟତା ଋଦ୍ଦିମନ୍ତ ହେବ। ଏହା ଅଳ୍ପଶିକ୍ଷିତ ରାଜନେତାମାନେ ବୁଝନ୍ତି ନାହିଁ କିମ୍ବା ତଥାକଥିତ ଉଚ୍ଚଶିକ୍ଷିତ ବାବୁମାନେ ମଧ୍ୟ ଅନୁଭବ କରନ୍ତି ନାହିଁ। ବହି ଚିରୁଥିବା ଓ ପାଠାଗାରକୁ ଧ୍ବଂସ କରୁଥିବା ଅପଶକ୍ତିମାନେ ବହିଟିଏ କେବଳ କାଗଜ-କଲମରେ ସୀମିତ ବସ୍ତୁଟିଏ ନୁହେଁ ତାହା ହୃଦୟଙ୍ଗମ କରିବା ଭଲ ହେବ।
ମୋ:୯୪୩୭୩୧୧୮୧୫

