ନିକଟରେ ନ୍ୟୁୟର୍କରେ ବିଚାରାଧୀନ କଏଦୀମାନଙ୍କୁ ରଖାଯାଉଥିବା ଜେଲ ବନ୍ଦ କରିଦିଆଯିବ ବୋଲି ଏକ ଖବର ଆସିଛି। ଏହି ଜେଲର ନାମ ରାଇକର୍ସ ଆଇଲାଣ୍ଡ। ଏହା ନ୍ୟୁୟର୍କର ବ୍ରୋଙ୍କ୍ସ ଅଞ୍ଚଳରେ ଅବସ୍ଥିତ। ଏହି ଜେଲ ଏକ ନିର୍ଜନ ଅଞ୍ଚଳରେ ଥିବାରୁ ଅଭିଯୁକ୍ତମାନେ ସେମାନଙ୍କ ଓକିଲ ଓ ପରିବାର ସଦସ୍ୟଙ୍କୁ ଭେଟିବା କଷ୍ଟକର ହୋଇଥାଏ। ଏବେ ଏହା ବଦଳରେ ସହରର ପାଞ୍ଚଟି ପ୍ରମୁଖ ଅଞ୍ଚଳରେ ଛୋଟ ଛୋଟ ଜେଲ ନିର୍ମାଣ କରାଯିବ। ଏହା ଏକ ଉତ୍ତମ ନିଷ୍ପତ୍ତି। ବିଶେଷକରି ଏହି ପଦକ୍ଷେପ ବିଚାରାଧୀନ ବନ୍ଦୀଙ୍କ ପ୍ରତି ଦାୟିତ୍ୱବୋଧକୁ ଦର୍ଶାଉଛି। ନ୍ୟୁୟର୍କ ମେୟର ଜୋହରାନ ମମଦାନୀ ମଧ୍ୟ ସହରର ବିଚାରାଧୀନ କଏଦୀଙ୍କ ସଂଖ୍ୟା ୬,୭୦୦ରୁ କମାଇ ସର୍ବାଧିକ ୪,୧୦୦ ମଧ୍ୟରେ ରଖିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଜେଲର ବିକଳ୍ପ ବ୍ୟବସ୍ଥାକୁ ବ୍ୟାପକ କରିବା, ପୁନର୍ବାର ଅନ୍ଲାଇନରେ ଜାମିନ ଅର୍ଥ ପଇଠ ବ୍ୟବସ୍ଥା କରିବା, ଅପରାଧର ପୁନରାବୃତ୍ତିକୁ ରୋକିବା ଏବଂ ଅଦାଲତରେ ବିଚାର ପ୍ରକ୍ରିୟାର ବିଳମ୍ବକୁ କମାଇବା ଭଳି ପଦକ୍ଷେପ ନେବାକୁ ଚାହୁଁଛନ୍ତି। ସେ କହିଛନ୍ତି, ବିଚାର ପ୍ରକ୍ରିୟାର ବିଳମ୍ବ ଯୋଗୁ ଲୋକଙ୍କୁ ଅନେକ ବର୍ଷ ଏଭଳି ଅବସ୍ଥାରେ ଜେଲରେ ରହିବାକୁ ପଡ଼ୁଛି, ଯାହା ଏକ ‘ଆଇନଗତ ନର୍କ’ ସଦୃଶ। ମମଦାନୀଙ୍କ ମନ୍ତବ୍ୟ ପ୍ରଶଂସନୀୟ। ବିଶେଷକରି ଆମ ଦେଶରେ ଏଭଳି ଚିନ୍ତାଧାରା ଦେଖାଯାଏ ନାହିଁ। ଆମ ସମୟର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ, ସରକାର ଦଣ୍ଡବିଧାନକାରୀର ଭୂମିକା ଗ୍ରହଣ କରନ୍ତି।
ନ୍ୟାୟ ପ୍ରଦାନ ପାଇଁ ସରକାର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ଅଭିଯୁକ୍ତଙ୍କୁ ଆପରାଧିକ ନ୍ୟାୟ ବ୍ୟବସ୍ଥାର ପ୍ରକ୍ରିୟା ଦେଇ ଯିବାକୁ ପଡ଼େ। କିନ୍ତୁ ଏହି ବ୍ୟବସ୍ଥା ଯେଉଁ ନିୟମ ଅଧୀନରେ ପରିଚାଳିତ ହୁଏ, ତାହା ସରକାରଙ୍କ ନିୟନ୍ତ୍ରଣରେ ଥାଏ। ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ପାଇଁ ସରକାର ଆଇନ ପ୍ରଣୟନ କରନ୍ତି। ଅଭିଯୋଗ ଆଣିବା, ଗିରଫ କରିବା ଏବଂ ତଦନ୍ତ କରୁଥିବା ପୋଲିସ ବାହିନୀକୁ ସରକାର ନିଯୁକ୍ତି ଦିଅନ୍ତି, ଦରମା ଦିଅନ୍ତି ଏବଂ ପରିଚାଳନା କରନ୍ତି। ଅଭିଯୁକ୍ତଙ୍କ ବିରୋଧରେ ମାମଲା ଲଢ଼ିବା ପାଇଁ ସରକାରୀ ଓକିଲମାନଙ୍କୁ ମଧ୍ୟ ସରକାର ନିଯୁକ୍ତି ଦେଇଥାନ୍ତି। ଏପରି କି ଦୋଷୀ ଓ ନିର୍ଦ୍ଦୋଷ ନିର୍ଣ୍ଣୟ କରୁଥିବା ବିଚାରପତିଙ୍କୁ ମଧ୍ୟ ସରକାର ଦରମା ଓ ପଦୋନ୍ନତି ଦିଅନ୍ତି।
ସମସ୍ତ କ୍ଷମତା ସରକାରଙ୍କ ହାତରେ ରହିଥାଏ। ଅଭିଯୁକ୍ତଙ୍କ ପାଖରେ କୌଣସି କ୍ଷମତା ନ ଥାଏ। ଭାରତରେ ଅଧିକାଂଶ ଅଭିଯୁକ୍ତଙ୍କ ପାଖରେ ଉପଯୁକ୍ତ ଆଇନଗତ ସହାୟତା ପାଇବା ଏବଂ ସରକାର ବିରୋଧରେ ନିଜ ପକ୍ଷ ରଖିବା ପାଇଁ ମଧ୍ୟ ଆର୍ଥିକ ସମ୍ବଳ ନ ଥାଏ।
ଆମ ନ୍ୟାୟ ବ୍ୟବସ୍ଥାରେ ‘ଦୋଷ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ନିର୍ଦ୍ଦୋଷ’ ବୋଲି ଏକ ସିଦ୍ଧାନ୍ତ ରହିଛି। ଅର୍ଥାତ୍ କୌଣସି ଆପରାଧିକ ମାମଲାରେ ସରକାରଙ୍କ ପାଖରେ ଅତ୍ୟଧିକ କ୍ଷମତା ଥାଏ। ଏପରି କି ଏକ ସାମାନ୍ୟ ଅପରାଧ ପାଇଁ ମଧ୍ୟ ଦୋଷୀ ସାବ୍ୟସ୍ତ ହେବା ଜଣକ ଜୀବନକୁ ସବୁଦିନ ପାଇଁ ନଷ୍ଟ କରିବାର କ୍ଷମତା ରଖେ। ଆଖିରେ ପଟି ବାନ୍ଧିଥିବା ଏବଂ ସମାନ ନିକିତି ଧରିଥିବା ଜଣେ ମହିଳାଙ୍କ ରୂପରେ ନ୍ୟାୟକୁ ଦର୍ଶାଗଲେ ମଧ୍ୟ ବାସ୍ତବରେ ସେହି ନିକିତି ସମାନ ନୁହେଁ। ସରକାର ଚାହିଁଲେ ଗୋଟିଏ ପଟେ ଯେତେ ଇଚ୍ଛା ସେତେ ଓଜନ ଲଦି ଦେଇପାରିବେ। ସ୍ବାଧୀନତା ପରବର୍ତ୍ତୀ ଭାରତରେ ସରକାର ନିଜ କ୍ଷମତାରେ କେବେ ସନ୍ତୁଷ୍ଟ ହୋଇନାହାନ୍ତି, ସବୁବେଳେ ଅଧିକ କ୍ଷମତା ଦରକାର ପଡ଼ିଛି।
ତେବେ ଅଧିକ କ୍ଷମତା ସୃଷ୍ଟି କରିବାରୁ ସରକାରଙ୍କୁ କେବଳ ଭୋଟରମାନେ ହିଁ ରୋକି ପାରିବେ। ହେଲେ ଭାରତର ଭୋଟରଙ୍କର ଆପରାଧିକ ନ୍ୟାୟ ବ୍ୟବସ୍ଥା ପ୍ରତି ବିଶେଷ ଆଗ୍ରହ ନାହିଁ। ସେଥିପାଇଁ ମମଦାନୀ ଏହି ପ୍ରସଙ୍ଗ ଉଠାଇବା ଏକ ବିରଳ ତଥା ଗୁରୁତ୍ୱପୂର୍ଣ୍ଣ ଘଟଣା। ଆମ ଭିତରୁ ଅଧିକାଂଶ ସମ୍ଭ୍ରାନ୍ତ ବର୍ଗ (ତଥାକଥିତ ମଧ୍ୟବିତ୍ତ ଶ୍ରେଣୀ) ଭାବନ୍ତି ଯେ ଆପରାଧିକ ନ୍ୟାୟ ବ୍ୟବସ୍ଥା ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତେଣୁ ସରକାର ନିଜ ପାଇଁ ବ୍ୟାପକ କ୍ଷମତା ସୃଷ୍ଟି କରିପାରିବେ। ସରକାର ଚାହଁିଲେ ନ୍ୟାୟ ବ୍ୟବସ୍ଥାର ମୌଳିକ ସିଦ୍ଧାନ୍ତ ବି ବଦଳି ଯାଉଛି। ଅର୍ଥାତ୍ ‘ଦୋଷ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ନିର୍ଦ୍ଦୋଷ’ ପରିବର୍ତ୍ତେ ‘ନିର୍ଦ୍ଦୋଷ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ଦୋଷୀ’ ବୋଲି ଏକ ବ୍ୟବସ୍ଥା ସୃଷ୍ଟି କରାଯାଉଛି। ବ୍ରିଟିଶ ଶାସନରେ ଯେଉଁ ଆଇନଗୁଡ଼ିକ ପ୍ରଣୟନ ହେବାବେଳେ ଭାରତୀୟମାନେ ବିରୋଧ କରୁଥିଲେ, ଏବେ ସେହି ସମାନ ଆଇନ ଲାଗୁ କରାଯାଇ ପାରୁଛି। ଏହି କ୍ଷମତା ଅଧୀନରେ ସରକାର ଭବିଷ୍ୟତରେ କୌଣସି ଅପରାଧ କରିବାର ଆଶଙ୍କା କରି ବିନା ଅପରାଧରେ ମଧ୍ୟ ବ୍ୟକ୍ତିଙ୍କୁ ଗିରଫ କରିପାରୁଛନ୍ତି। ଏହା ହିଁ ହେଉଛି ‘ନିର୍ଦ୍ଦୋଷ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ଦୋଷୀ।’
ଭାରତର ପ୍ରିଭେଣ୍ଟିଭ ଡିଟେନସନ ଲ’ ବା ପ୍ରତିଷେଧମୂଳକ ଅଟକ ଆଇନରେ ବ୍ୟକ୍ତିଙ୍କୁ ଜେଲରେ ରଖିବା ପାଇଁ ଯଥେଷ୍ଟ କାରଣ ଅଛି କି ନାହିଁ ତାହା ଯାଞ୍ଚ କରିବା ସକାଶେ ଏକ ପରାମର୍ଶଦାତା ବୋର୍ଡର ବ୍ୟବସ୍ଥା ରହିଛି। କିନ୍ତୁ ଏହି ବୋର୍ଡଗୁଡ଼ିକ ଠିକ ଭାବରେ କାର୍ଯ୍ୟ କରୁନାହାନ୍ତି। ଏପରି କି ଅଟକ ବ୍ୟକ୍ତିଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାରଙ୍କର ମଧ୍ୟ ବିଶେଷ ଆଗ୍ରହ ନାହିଁ। ଯେଉଁମାନେ ନିଜ ପାଇଁ ଓକିଲ ରଖିବାକୁ ଅକ୍ଷମ ଏବଂ ଯେଉଁମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ଆଇନଗତ ସହାୟତା ମିଳିବା କଥା, ସେମାନଙ୍କ ଅଧିକାର କ୍ଷେତ୍ରରେ ଉଦାସୀନତା ଦେଖିବାକୁ ମିଳେ। ଅନ୍ୟ ଯେକୌଣସି ବିକଶିତ ଗଣତାନ୍ତ୍ରିକ ରାଷ୍ଟ୍ର ତୁଳନାରେ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଧିକ କ୍ଷମତା ଥାଇ ମଧ୍ୟ ଭାରତରେ ରାଜ୍ୟ ସରକାରଗୁଡ଼ିକ ଆହୁରି ଅଧିକ କ୍ଷମତା ଚାହୁଁଛନ୍ତି। ଉତ୍ତର ପ୍ରଦେଶ ଏପରି ଏକ ପୋଲିସ ବାହିନୀ ଗଠନ କରିଛି, ଯାହା ବିନା ୱାରେଣ୍ଟରେ ଏବଂ ମାଜିଷ୍ଟ୍ରେଟଙ୍କ ଆଦେଶ ବିନା ଗିରଫ କରିପାରିବ। ଗବେଷକ ଉମର ଖାଲିଦ ଛଅବର୍ଷ ଧରି ବିଚାରାଧୀନ କଏଦୀ ଭାବରେ ଜେଲରେ ଅଛନ୍ତି ଏବଂ ଆହୁରି ଅନେକ ବର୍ଷ ତାଙ୍କର ବିଚାର ଶେଷ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। କିନ୍ତୁ ସରକାର ତାଙ୍କୁ ଜଣେ ବିରୋଧୀ ଭାବରେ ଦେଖୁଥିବାରୁ ତାଙ୍କ ଜାମିନକୁ ଲଗାତର ବିରୋଧ କରିଆସୁଛନ୍ତି ଏବଂ ଅଦାଲତଗୁଡ଼ିକ ମଧ୍ୟ ସରକାରଙ୍କ କଥାରେ ଚାଲିଛନ୍ତି। ଏହି ସବୁ କାରଣରୁ ନ୍ୟୁୟର୍କରେ ଯାହା ଘଟୁଛି, ତାହା ଆମ ଭବିଷ୍ୟତ ପାଇଁ ଏକ ଆଶାଜନକ ଓ ସକାରାତ୍ମକ ଦିଗକୁ ଦର୍ଶାଉଛି। ପ୍ରତ୍ୟେକ ରାଷ୍ଟ୍ରର ମୌଳିକ ବୁଝାମଣା ଉପରେ ଆଧାରିତ ଆପରାଧିକ ନ୍ୟାୟ ବ୍ୟବସ୍ଥା କିପରି ହେବା ଉଚିତ, ତାହା ଏଥିରୁ ଶିକ୍ଷା ନେବା ଦରକାର।

