ଦେଶର ବିଭିନ୍ନ ଜଙ୍ଗଲରେ ମାଂସ ଓ କାତି ପାଇଁ ବହୁ ସଂଖ୍ୟାରେ ବଜ୍ରକାପ୍ତା ଶିକାର କରାଯାଉଛି। ଫଳରେ ଏମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଏପରି କି ଏହି ଜୀବ ବିଲୁପ୍ତ ହେବାକୁ ବସିଲାଣି। ଏଣୁ ଏହାର ସଂରକ୍ଷଣ ଏବେ ଏକ ଆହ୍ବାନ ହୋଇଯାଇଛି। ଏହି କ୍ରମରେ ନାଗାଲାଣ୍ଡର ମେଲୁରି ଜିଲାରେ ଏକ ଅଭିନବ ଉପାୟ ଆପଣା ଯାଇଛି। ଏକ ଫୁଟବଲ ଟୁର୍ନାମେଣ୍ଟ ମାଧ୍ୟମରେ ବଜ୍ରକାପ୍ତା ସଂରକ୍ଷଣ ଉପରେ ଲୋକଙ୍କୁ ସଚେତନ କରାଯାଉଛି। ବଜ୍ରକାପ୍ତା ଶିକାର ରୋକିବା ଲାଗି ଏହି ଟୁର୍ନାମେଣ୍ଟ ୩୦ଟି ଗଁାକୁ ଏକାଠି କରିପାରିଛି। ଫଳରେ ଲୋକମାନେ ଏହି ପ୍ରଜାତିର ଜୀବର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ନିକଟରେ ଓ୍ବାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ୍ ଇଣ୍ଡିଆ(ଡବ୍ଲ୍ୟୁଟିଆଇ), ମେଲୁରି ରେଞ୍ଜ ସ୍ପୋଟର୍ସ ଆସୋସିଏଶନ ଓ ନାଗାଲାଣ୍ଡ ବନ ବିଭାଗ ସହଯୋଗରେ ମେଲୁରି ସହର ନିକଟବର୍ତ୍ତୀ ଗାଁଗୁଡ଼ିକର ୮ଟି କ୍ଲବ ଏକାଠି ପାନ୍ଗୋଲିନ( ବଜ୍ରକାପ୍ତା) କପ୍ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ। ଏହା ୬ ଦିନ ଧରି ଚାଲିଥିଲା ଏବଂ ପାଖାପାଖି ୧୦,୦୦୦ ଦର୍ଶକ ଏହି ଖେଳ ଦେଖିଥିଲେ। ଖେଳ ଚାଲିଥିବା ସମୟରେ ଲୋକଙ୍କୁ ବଜ୍ରକାପ୍ତା ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା।

