ଭୁବନେଶ୍ୱର,୨୩।୬: ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି। ତେଣୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଟ୍ରଫ ଲାଇନ ସହ କାଳବୈଶାଖୀ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୪ଦିନ ଅର୍ଥାତ ୨୬ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏପରିକି ବର୍ଷା ଓ ପବନ, ଘଡ଼ଘଡି ପାଇଁ ମଙ୍ଗଳବାର ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବାଲେଶ୍ବର ଜିଲାର ଉଦୟପୁର, ତାଳସାରି, ରଣସିଂହପୁର, କୀର୍ତ୍ତିନିଆରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣ କରାଯାଇଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ରାଜ୍ୟରେ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ବର୍ଷା ସମୟରେ ଘଣ୍ଟାପ୍ରତି ୩୦ରୁ ୫୦ କି.ମି. ପର୍ଯ୍ୟନ୍ତ ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି।
ଅପରପକ୍ଷେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗିରହିବ। ସେହିପରି ବର୍ଷା ପ୍ରଭାବରେ ଆଗାମୀ ୨ଦିନ ମଧ୍ୟରେ ଦିନ ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବ।

