ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍ ବୋର୍ଡର କ୍ରିକେଟ୍ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ ସଚିବଙ୍କ ପରି କର୍ମକର୍ତ୍ତାମାନେ ନେଉଥିଲେ, କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଆସିବାକୁ ଯାଉଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଶୀଘ୍ର ଏକ ନୂତନ ପଦବୀ ସୃଷ୍ଟି କରିବାକୁ ଯାଉଛି, ଯାହାର ଦାୟିତ୍ୱ ଭାରତୀୟ କ୍ରିକେଟ୍ର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ସମ୍ଭାଳିପାରନ୍ତି। ଏହି ନୂତନ ପଦବୀଟି ହେଉଛି— ‘ଡାଇରେକ୍ଟର୍ ଅଫ୍ କ୍ରିକେଟ୍’।
ମିଳିଥିବା ସୂଚନା ଅନୁଯାୟୀ, ବିସିସିଆଇ ପ୍ରଥମଥର ପାଇଁ ବୋର୍ଡରେ ଡାଇରେକ୍ଟର୍ ଅଫ୍ କ୍ରିକେଟ୍ (DoC) ଭୂମିକା ଆରମ୍ଭ କରୁଛି ଏବଂ ସର୍ବପ୍ରଥମ ଡାଇରେକ୍ଟର୍ ଭାବେ ଭିଭିଏସ୍ ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦିଆଯାଇପାରେ। ଏହି ଭୂମିକାରେ ଲକ୍ଷ୍ମଣ ଭାରତୀୟ କ୍ରିକେଟ୍ ଦଳ (ପୁରୁଷ ଏବଂ ମହିଳା ଉଭୟ) ପାଇଁ କ୍ରିକେଟ୍ ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଏଥିରେ ବିଭିନ୍ନ ନିଯୁକ୍ତିଠାରୁ ଆରମ୍ଭ କରି ପ୍ରଦର୍ଶନର ଆକଳନ, ବିଶ୍ଳେଷଣ ଏବଂ ଭବିଷ୍ୟତ ଯୋଜନା ସାମିଲ ରହିଛି। ଏହାବ୍ୟତୀତ ଇଣ୍ଡିଆ-ଏ ଠାରୁ ଆରମ୍ଭ କରି ଅଣ୍ଡର-୧୯ କ୍ରିକେଟ୍ ଦଳ ମଧ୍ୟ ଏହାର ପରିସରଭୁକ୍ତ ହେବ। ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ, କିନ୍ତୁ ଆଗାମୀ ବାର୍ଷିକ ସାଧାରଣ ସଭା (AGM)ରେ ଏଥିପାଇଁ ମୋହର ବାଜିପାରେ ବୋଲି ଆଶା କରାଯାଉଛି।
ଯଦି ଏପରି ହୁଏ, ତେବେ ଲକ୍ଷ୍ମଣ ବିସିସିଆଇ କର୍ମକର୍ତ୍ତାଙ୍କ ପରେ ବୋର୍ଡର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ହୋଇଯିବେ। କାରଣ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ଠାରୁ ଆରମ୍ଭ କରି ଚୟନ କମିଟି ପର୍ଯ୍ୟନ୍ତ ସମସ୍ତେ ସିଧାସଳଖ ଡାଇରେକ୍ଟର୍ ଅଫ୍ କ୍ରିକେଟ୍ଙ୍କ ଅଧୀନରେ ରହିବେ। ଅର୍ଥାତ୍ ଲକ୍ଷ୍ମଣ ବର୍ତ୍ତମାନର ପୁରୁଷ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ମହିଳା ମୁଖ୍ୟ ପ୍ରଶିକ୍ଷକ ଅମୋଲ ମଜୁମଦାର, ପୁରୁଷ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ମହିଳା ମୁଖ୍ୟ ଚୟନକର୍ତ୍ତା ଅମିତା ଶର୍ମାଙ୍କର ବସ୍ ବା ମୁଖ୍ୟ ହେବେ। ଆଗାମୀ ଦିନରେ ମଧ୍ୟ କେବଳ ଲକ୍ଷ୍ମଣ କିମ୍ବା ପରବର୍ତ୍ତୀ ଡାଇରେକ୍ଟର୍ ହିଁ ମୁଖ୍ୟ ପ୍ରଶିକ୍ଷକ ଏବଂ ଚୟନକର୍ତ୍ତାମାନଙ୍କୁ ନିଯୁକ୍ତି ଦେବେ।
ବର୍ତ୍ତମାନ ଭିଭିଏସ୍ ଲକ୍ଷ୍ମଣ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE)ର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଖବର ଅନୁଯାୟୀ ତାଙ୍କ କାର୍ଯ୍ୟକାଳ ଆହୁରି ୨ ବର୍ଷ ବୃଦ୍ଧି କରାଯାଇପାରେ। ଏହି ସମୟ ମଧ୍ୟରେ ସେ ‘ଡାଇରେକ୍ଟର୍ ଅଫ୍ କ୍ରିକେଟ୍’ ସହିତ CoE ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ। ଏହି ଭୂମିକା ମାଧ୍ୟମରେ ଲକ୍ଷ୍ମଣ ନୂତନ ଖେଳାଳିଙ୍କ ବିକାଶ ସହିତ ବର୍ତ୍ତମାନର ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ସମାନ ଭାବେ ନଜର ରଖି ସମୀକ୍ଷା କରିପାରିବେ। ଏହାସହ ପ୍ରଶିକ୍ଷଣ କର୍ମଚାରୀଙ୍କ ପ୍ରଦର୍ଶନର ମଧ୍ୟ ଆକଳନ କରି ସେମାନଙ୍କ କାର୍ଯ୍ୟକାଳ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ।

