ବରଗଡ଼,୨୭।୧୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ ବ୍ୟାପୀ ଜାନୁଆରୀ ମାସ ୨୨ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ଆଜି(ଶୁକ୍ରବାର) କଂସ ଚୟନ ପ୍ରକିୟା ଚାଲିଛି। ଏଥିରେ ଭାଗ ନେବା ପାଇଁ ୪୪ଜଣ କଂସ ଅଭିନେତା ଆବେଦନ କରିଛନ୍ତି। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍ ହଲରେ ଚୟନ ପ୍ରକିୟା ଚାଲିଛି । ଆବେଦନକାରୀମାନେ ଜଣେ ପରେ ଏଠାକୁ ପହଞ୍ଚିବାରେ ଲାଗିଛନ୍ତି। ୭ଜଣ ବିଚାରକମାନେ ମଧ୍ୟ ପହଞ୍ଚି ସାରିଛନ୍ତି। ଆବେଦନ କରିଥିବା କଳାକାରମାନେ ବିଚାରକଙ୍କ ସମ୍ମୁଖରେ ନିଜ ଅଡିଶନ ଉପସ୍ଥାପନ କରୁଛନ୍ତି । ଉପସ୍ଥିତ ସମସ୍ତ ଆବେଦନକାରୀ ଅଡିଶନ ଉପସ୍ଥାପନ ପରେ ବିଚାରକଙ୍କ ମୂଲ୍ୟାଙ୍କନ ଭିତ୍ତିରେ ସର୍ବାଧିକ ନମ୍ବର ପାଇଥିବା କଳାକାରଙ୍କୁ ଆଗାମୀ ୨ବର୍ଷ ପାଇଁ ବରଗଡ଼ ଧନୁଯାତ୍ରା ମସୋତ୍ସବର କଂସ ଅଭିନେତା ଭାବେ ଘୋଷଣା କରାଯିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ସୂଚନା ଦେଇଛନ୍ତି।

