ନୂଆଦିଲ୍ଲୀ,୨୦ା୮: ଦେଶରେ ଚିନି ଦର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ମାତ୍ର ୧୭ ଦିନ ମଧ୍ୟରେ ଚିନି କିଲୋପ୍ରତି ପ୍ରାୟ ୧୯ ଟଙ୍କା ମହଙ୍ଗା ହୋଇଛି । ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି । ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଚିନି ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
କେଜ୍ରିୱାଲ ଏକ ପୋଷ୍ଟରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ତେଲ ଆମଦାନିରେ ଖର୍ଚ୍ଚ ହେଉଥିବା ବିଦେଶୀ ମୁଦ୍ରା ବଞ୍ଚାଇବା ପାଇଁ ଆଖୁରୁ ଇଥାନଲ ଉତ୍ପାଦନ ଆରମ୍ଭ କରାଯାଇଥିଲା। ଏହାର ପରିଣାମରେ ଚିନିର ଅଭାବ ଦେଖାଦେଇଛି। ଏବେ ସେହି ବିଦେଶୀ ମୁଦ୍ରା ଖର୍ଚ୍ଚ କରି ଚିନି ଆମଦାନି କରିବାକୁ ପଡ଼ିବ ବୋଲି ସେ ଦାବି କରିଛନ୍ତି । ରିପୋର୍ଟ ଅନୁସାରେ, ଜୁଲାଇ ୩୧ରେ ଚିନିର ଦର ପ୍ରାୟ ୪୪ ଟଙ୍କା ପ୍ରତି କିଲୋ ଥିଲା। ଅଗଷ୍ଟ ୧ରେ ଏହା ୪୬ ଟଙ୍କା, ଅଗଷ୍ଟ ୨ରେ ୪୯ ଟଙ୍କା ଏବଂ ଅଗଷ୍ଟ ୬ରେ ୫୪ ଟଙ୍କାରେ ପହଞ୍ଚିଥିଲା। ଅଗଷ୍ଟ ୨୦ ସୁଦ୍ଧା ଦର ୬୦ ଟଙ୍କା ଏବଂ ଖୁଚୁରା ଦର ପ୍ରାୟ ୬୫ ଟଙ୍କା ପ୍ରତି କିଲୋରେ ପହଞ୍ଚିଥିବା କୁହାଯାଉଛି ।
ଦେଶରେ ପ୍ରତିବର୍ଷ ପ୍ରାୟ ୨୮୦ ଲକ୍ଷ ଟନ୍ ଚିନି ଉତ୍ପାଦନ କରିଥାଏ । ଏହି ସମୟରେ ଦେଶର ହାରାହାରି ମିଲ୍ ଦର ପ୍ରତି କ୍ୱିଣ୍ଟାଲ ୫,୪୦୦-୫,୫୦୦ ଟଙ୍କାରେ ପହଞ୍ଚିଛି, ଯାହା ଏକ ରେକର୍ଡ ସ୍ତର ବୋଲି କୁହାଯାଉଛି। ଏକ ବର୍ଷ ପୂର୍ବେ ଚିନିର ମିଲ୍ ଦର ପ୍ରାୟ ୩,୯୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଥିଲା। ଅର୍ଥାତ୍ ଏକ ବର୍ଷ ମଧ୍ୟରେ ଦରରେ ବଡ଼ ବୃଦ୍ଧି ଘଟିଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଅଗଷ୍ଟ ୧୮ରେ ଚିନିର ହାରାହାରି ଖୁଚୁରା ଦର ୫୨.୩ ଟଙ୍କା ପ୍ରତି କିଲୋ ହୋଇଥିଲା, ଯାହା ଗତବର୍ଷ ୪୬.୩୪ ଟଙ୍କା ଥିଲା। ଅର୍ଥାତ୍ ଖୁଚୁରା ଦରରେ ପ୍ରାୟ ୧୩ ପ୍ରତିଶତ ବୃଦ୍ଧି ହୋଇଛି।

