କାମକୁ ନୁହେଁ ଆଣ୍ଟି ରାଗିଂ ସେଲ୍‌

ଭୁବନେଶ୍ୱର, ୬ା୧୨ (ବ୍ୟୁରୋ): ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ବର୍ତ୍ତମାନ ଏକ ଗୁରୁତର ସମସ୍ୟା ହୋଇ ଛିଡ଼ା ହୋଇଛି। ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ କ୍ୟାମ୍ପସ୍‌ ଧୀରେ ଧୀରେ ଅପରାଧପ୍ରବଣ ହୋଇପଡୁଛି। ରାଗିଂ ରୋକିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ୨୦୦୯ରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଣ୍ଟି ରାଗିଂ ସେଲ୍‌ ଗଠନକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ରାଜ୍ୟ ସରକାର, ଶିକ୍ଷା ବିଭାଗ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁ ତାହା ଫଳପ୍ରସୂ ହୋଇପାରୁ ନାହିଁ। ରାଗିଂମୁକ୍ତ କ୍ୟାମ୍ପସ ପାଇଁ ସରକାର ନିର୍ଦ୍ଦେଶ ଦେଇ ଚୁପ୍‌ ବସିଥିବାବେଳେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ତାହାକୁ କେବଳ କାଗଜ, କଲମରେ ସୀମିତ ରଖୁଥିବା ଦେଖିବାକୁ ମିଳୁଛି। ଅଧିକାଂଶ ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ ସେଲ୍‌ ଗଠନ ହୋଇ ନାହିଁ। ଯେଉଁଠି ରହିଛି, ତାହା କେଉଁଠି ଠିକ୍‌ରେ କାମ କରୁ ନାହିଁ, ତ ଆଉ କେଉଁଠି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ଫଳରେ ରାଗିଂ ଭଳି ସ୍ପର୍ଶକାତର ଘଟଣା ବଢ଼ି ଚାଲିଛି। ବହୁ ଘଟଣା ଲୁଚି ଯାଉଥିବାବେଳେ କିଛି ଚର୍ଚ୍ଚାକୁ ଆସୁଛି। ତେବେ ଖୁମ୍‌ କମ୍‌ ରାଗିଂ ଅଭିଯୋଗ ଉଚ୍ଚ କର୍ତ୍ତୃପକ୍ଷ ବା ୟୁଜିସି ନିକଟରେ ପହଞ୍ଚୁଛି।
୨୦୨୧ରୁ ୨୦୨୨ ମଧ୍ୟରେ ୟୁଜିସିରେ ରାଗିଂ ସଂକ୍ରାନ୍ତ ୬୦ଟି ମାମଲା ପଞ୍ଜୀକରଣ ହୋଇଛି। ବିଜେବି କଲେଜ ରାଗିଂ ଘଟଣା ପରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ତତ୍ପରତା ଦେଖାଇଥିଲା। ସମସ୍ତ କଲେଜରେ ଆଣ୍ଟି ରାଗିଂ ସେଲ୍‌ ଗଠନ ଓ ରାଗିଂ ନଜରକୁ ଆସିଲେ ଦୃଢ଼ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପୁରୀ ଜିଲାର ନିମାପଡ଼ା ଓ ଗଞ୍ଜାମ ଜିଲାର ଏକାଧିକ ଶିକ୍ଷାନୁଷ୍ଠାନରେ ରାଗିଂ ଘଟଣା ରାଜ୍ୟ ସରକାରଙ୍କ ପ୍ରକୃତ ଆଭିମୁଖ୍ୟକୁ ପଦାରେ ପକାଇଥିଲା। ଏଯାଏ ରାଜ୍ୟରେ ରାଗିଂକୁ ନେଇ ଯେଉଁସବୁ ଅଭିଯୋଗ ହୋଇଛି, ସମସ୍ତ ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କିଛି ଘଟଣାରେ କଲେଜ କର୍ତ୍ତୃପକ୍ଷ ଦୋଷଛଡ଼ା ହେବା ପାଇଁ ପଦକ୍ଷେପ ନେଉଥିଲେ ମଧ୍ୟ ନିଜକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ଉଠୁଛି। ଅଭିଯୋଗ ଆଣୁଥିବା ଛାତ୍ରୀଛାତ୍ରଙ୍କୁ ହଇରାଣ କରାଯିବା ସହ ସେମାନଙ୍କ ଜୀବନ ପ୍ରତି ବିପଦ ପହଞ୍ଚାଇବା ଭଳି ପରିସ୍ଥିତି ସୃଷ୍ଟି କରାଯାଉଛି। ସେମାନଙ୍କ ପାଠପଢ଼ାରେ କ୍ଷତି ପହଞ୍ଚାଯାଉଛି। ଫଳରେ ରାଗିଂ କରୁଥିବା ଛାତ୍ରୀଛାତ୍ରଙ୍କୁ ସାହସ ମିଳିଯାଉଛି। ସବୁଆଡୁ ଅସହାୟ ହୋଇପଡିବା ପରେ ରାଗିଂର ଶିକାର ଛାତ୍ରୀଛାତ୍ର ଶେଷରେ ଆତ୍ମହତ୍ୟା ପନ୍ଥାକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି। ପୂର୍ବରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ରାଗିଂ ହେଉଥିଲା, ହେଲେ ଏବେ ସ୍କୁଲରେ ବି ରାଗିଂ ପଶିଲାଣି। ତେଣୁ ସରକାର ରାଗିଂମୁକ୍ତ କ୍ୟାମ୍ପସ ପାଇଁ କଠୋର ଆଇନ ପ୍ରଣୟନ କରିବା ସହ ଦୃଢ଼ ଆଭିମୁଖ୍ୟ ରଖିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।
ରାଗିଂ ଯୋଗୁ ଗତ ଜୁଲାଇରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ପକାଇଦେଇଥିଲା। ତାଙ୍କ ରୁମ୍‌ରୁ ମିଳିଥିବା ହାତଲେଖା ନୋଟ୍‌ ଏବଂ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କେତେଜଣ ସିନିୟର ଛାତ୍ରୀ ରାଗିଂ ଓ ସେମାନଙ୍କ ପୁରୁଷ ବନ୍ଧୁଙ୍କ ନିର୍ଯାତନା ସହି ନ ପାରି ରୁଚିକା ଆତ୍ମହତ୍ୟା କରିଥିଲେ। ଏହା ଜଣାପଡ଼ିବା ପରେ ଛାତ୍ର ସଙ୍ଗଠନଠାରୁ ଆରମ୍ଭ କରି ରାଜନୈତିକ ଦଳଗୁଡ଼ିକ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରିକି ରୁଚିକାଙ୍କ ପରିବାର ଲୋକ ନ୍ୟାୟ ପାଇଁ କଲେଜ ସମ୍ମୁଖରେ ଦୀର୍ଘଦିନ ଧରି ଧାରଣାରେ ବସିଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ଶେଷରେ ପୋଲିସ ଲଗାଇ ଉଠାଇ ନିଆଗଲା। ନିକଟରେ ବୁଧବାର ବିଧାନସଭା ଶୀତ ଅଧିବେଶନ ଚାଲିଥିବା ସମୟରେ ଝିଅକୁ ନ୍ୟାୟ ଦାବିରେ ରୁଚିକାଙ୍କ ମା’ ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ, ସୁରକ୍ଷାକର୍ମୀ ତାଙ୍କୁ ଉଠାଇ ନେଇଥିଲେ। ଉକ୍ତ ଘଟଣାରେ ସମ୍ପୃକ୍ତ ଦୋଷୀ ଛାତ୍ରୀଛାତ୍ର ବଡ଼ ବଡ଼ିଆଙ୍କ ସମ୍ପର୍କୀୟ ହୋଇଥିବାରୁ ଓ ରାଜ୍ୟର ପ୍ରମୁଖ କଲେଜକୁ ବଦନାମରୁ ରକ୍ଷା କରିବା ପାଇଁ ପୂରା ଯୋଜନାବଦ୍ଧ ଭାବେ ଘଟଣାକୁ ଚପାଇ ଦିଆଗଲା। ଏହି ଘଟଣାରେ ପୋଲିସର କାର୍ଯ୍ୟଧାରା ଓ କଲେଜ କର୍ତ୍ତୃପକ୍ଷ, ରାଜ୍ୟ ସରକାର ଏବଂ ଶିକ୍ଷା ବିଭାଗର ନିଷ୍କ୍ରିୟତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଆହୁରି ମଧ୍ୟ ସେହି ମାସରେ ବିଜେବି କଲେଜରେ ଆଉଏକ ରାଗିଂ ଅଭିଯୋଗକୁ ମଧ୍ୟ ଚପାଇ ଦିଆଗଲା। ଯୁକ୍ତ୨ ବାଣିଜ୍ୟ ଛାତ୍ର ରୁଦ୍ର ନାରାୟଣ ରାଗିଂ ଅଭିଯୋଗ ଆଣିଥିଲେ ମଧ୍ୟ ତାହାକୁ କେହି ଶୁଣି ନ ଥିଲେ। ସେହିଭଳି ଭୁବନେଶ୍ୱରର ବେସିକ ସାଇନ୍ସ କଲେଜର ଯୁକ୍ତ୩ ଦ୍ୱିତୀୟ ବର୍ଷର ଛାତ୍ର ସୋମନାଥ ସେଠୀ ମଧ୍ୟ ରାଗିଂର ଶିକାର ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ସେପଟେ ଗତମାସରେ ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଦ୍ୱିତୀୟ ବର୍ଷ ଛାତ୍ରୀ ରୋଜାଲିନ ବିଶ୍ୱାଳ ରାଗିଂ ଅଭିଯୋଗ କରିଥିବାରୁ ଏବେ ତାଙ୍କୁ ପାଠପଢ଼ାରୁ ବଞ୍ଚତ୍ତ ହେବାକୁ ପଡିଛି। ତାଙ୍କ ଅଭିଯୋଗ ଅନୁସାରେ, ହଷ୍ଟେଲରେ ତାଙ୍କୁ ଦୀର୍ଘ ତିନିମାସ ଧରି ରାଗିଂ କରାଯାଇଥିଲା। ତାହା ଅସହ୍ୟ ହେବାରୁ ଗତ ଏକ୍ଟୋବର ୩୦ରେ ଘରେ ଜଣାଇବା ସହିତ ପରିବାର ସଦସ୍ୟଙ୍କ ସହ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ଏପରିକି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଘଟଣାକୁ ଚାପିବାକୁ ଉଦ୍ୟମ କରାଗଲା। ପୋଲିସ ଜୋର ଜବରଦସ୍ତ ହଷ୍ଟେଲରେ ଥିବା ଜିନିଷ ପତ୍ର ଦେଇ ତାଙ୍କୁ ବିଦା କରିଦେଲା। କଲେଜ କର୍ତ୍ତୃପକ୍ଷ, ପୋଲିସ ଏବଂ ଗଣଶିକ୍ଷା ମନ୍ତ୍ରୀ ମିଳିତ ଭାବରେ ଷଡ଼ଯନ୍ତ୍ର କରୁଥିବା ସେ ଓ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ସବୁଠାରୁ ସମ୍ବେଦନଶୀଳ କଥା ହେଲା, ପୀଡିତା ଛାତ୍ରୀ ନ୍ୟାୟ ପାଇଁ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇଛନ୍ତି। ‘ମୋତେ ପାଠ ପଢ଼ିବାକୁ ଦିଅ’ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ନିକଟରେ ବ୍ରହ୍ମପୁରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଷଷ୍ଠ ଶ୍ରେଣୀର ଛାତ୍ର ରାଗିଂ ଶିକାର ହୋଇଥିଲେ। ସିନିୟର ଛାତ୍ରମାନେ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିବା ପରେ ୮ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହିପରି ବ୍ରହ୍ମପୁରର ଏକ ପୁରାତନ ମହାବିଦ୍ୟାଳୟରେ ଜଣେ ଯୁକ୍ତ୨ ଛାତ୍ରୀଙ୍କୁ ସିନିୟର ଛାତ୍ରୀଛାତ୍ର ରାଗିଂ କରିବା ସହ ଅସଦାଚରଣ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ସବୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ନିଜ ଆଡୁ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଥିଲା। ଏହାପରେ ରାଗିଂ ସୁଯୋଗ ଦେଇ ଆସୁଥିବା କଲେଜ କର୍ତ୍ତୃପକ୍ଷ ଦୋଷଛଡ଼ା ହେବାକୁ ସମ୍ପୃକ୍ତ ୧୨ଜଣ ଛାତ୍ରୀଛାତ୍ରଙ୍କୁ କଲେଜରୁ ବିଦା କରିଛନ୍ତି। ଏପରି କି ଶନିବାର ଗଞ୍ଜାମ ଜିଲା ଖଲ୍ଲିକୋଟର ଏକ ଘରୋଇ କଲେଜରେ ଚାନ୍ଦା ଆଦାୟକୁ କେନ୍ଦ୍ରକରି ଜଣେ ଜୁନିୟର ଛାତ୍ରକୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ କଲେଜରେ ଶୃଙ୍ଖଳା କମିଟି ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ନ ବାହାରି ପାରି ନ ଥିଲା।
ଏ ସମ୍ପର୍କରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏଶନ ଅଧ୍ୟକ୍ଷ ସୌମ୍ୟରଞ୍ଜନ ସାମଲ କହିଛନ୍ତି, ରାଗିଂମୁକ୍ତ କ୍ୟାମ୍ପସ କେବଳ ସରକାରଙ୍କ ଏକ ନାରା। ପ୍ରକୃତପକ୍ଷେ ଏହା କାର୍ଯ୍ୟକାରୀ ହେଉନାହିଁ। ରାଗିଂ ରୋକିବାକୁ ଯେଉଁ ଟଙ୍କା ଆସୁଛି ତାହା ଅନ୍ୟତ୍ର ଖର୍ଚ୍ଚ ହେଉଛି। କୌଣସି ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉ ନାହିଁ। ଯେଉଁ କମିଟି ହେଉଛି ସେଥିରେ କାହାକୁ ରଖାଯାଉଛି, ତାହା ସମସ୍ତେ ଜାଣିବା ଉଚିତ। ଅଧିକାଂଶ କ୍ଷେତ୍ରରେ ଦେଖାଯାଇଛି ଯେଉଁ ଛାତ୍ରୀଛାତ୍ରମାନେ କଲେଜରେ ଦବ୍‌ଦବା ଦେଖାଇଥାନ୍ତି, ସେମାନେ ହିଁ ରାଗିଂରେ ସମ୍ପୃକ୍ତ ରହୁଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ରାଗିଂ ବିରୋଧରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ନିର୍ଦ୍ଦିିଷ୍ଟ ଆଇନ ପ୍ରଣୟନ କରିବା ପାଇଁ ଗତ ଜୁଲାଇରେ ଆମେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା କରିଛୁ। କିନ୍ତୁ ଏଯାଏ ତା’ର କିଛି ଶୁଣାଣି ହୋଇନାହିଁ। ଡିସେମ୍ବରରେ ଏହାର ସ୍ବତନ୍ତ୍ର ଶୁଣାଣି କରିବା ପାଇଁ ଆମେ ଅପିଲ କରିବୁ। ତେବେ ବ୍ରହ୍ମପୁର ଘଟଣାରେ ଦୋଷୀ ଛାତ୍ରୀଛାତ୍ରଙ୍କ ବିରୋଧରେ ଯେଉଁଭଳି ଭାବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ସ୍ବାଗତଯୋଗ୍ୟ। ଏହିଭଳି କାର୍ଯ୍ୟାନୁଷ୍ଠାନ କରାଗଲେ ଅନ୍ୟ ଛାତ୍ରୀଛାତ୍ରଙ୍କ ମନରେ ଭୟ ରହିବ ବୋଲି ବାସୁଦେବ କହିଛନ୍ତି। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର କହିଛନ୍ତି, ରୁଚିକା ଆତ୍ମହତ୍ୟା ମାମଲାରେ କମିଶନରେଟ ପୋଲିସ ତଦନ୍ତ କରୁଛି। ଏହି ତଦନ୍ତରେ କଲେଜ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିଲା। ଅନ୍ୟପକ୍ଷରେ କଲେଜରେ ଆଣ୍ଟି ରାଗିଂ ସେଲ୍‌ ମଧ୍ୟ ଠିକ ଭାବେ କାର୍ଯ୍ୟ କରୁଛି। ମଝିରେ ମଝିରେ ୱାର୍କଶପ୍‌ କରାଯାଇ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଉଛି। ନିକଟରେ ପରାମର୍ଶ ଦେବା ପାଇଁ ପୋଲିସ କମିଶନରଙ୍କୁ ମଧ୍ୟ ଡକାଯାଇଥିଲା। ପିଲାମାନେ ରାଗିଂ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ସଚେତନ ଥିବା ଅଧ୍ୟକ୍ଷ ନିରଞ୍ଜନ କହିଛନ୍ତି। ତେବେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?