ଦେବଗଡ଼, ୨୭।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଥିବା ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ। ତାଙ୍କ ସ୍ଥାନରେ ଅନ୍ୟ କୌଣସି ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ନଦେବା ପ୍ରତିବାଦରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ବଡ଼ଛାପଲ ଗ୍ରାମ ପଞ୍ଚାୟତର ମେଣ୍ଢିପାଲି ଗ୍ରାମସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ମୋଟ ୬ ଜଣ ଶିକ୍ଷକ ରହିଥିଲେ। ସେମାନଙ୍କ ମଧ୍ୟରେ ଜଣେ ମାତ୍ର ବିଜ୍ଞାନ ଶିକ୍ଷକ ଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଇତିମଧ୍ୟରେ ତାଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରିଦେଇଛନ୍ତି। ମାତ୍ର ତାଙ୍କ ବଦଳରେ ଅନ୍ୟ କୌଣସି ବିଜ୍ଞାନ ଶିକ୍ଷକଙ୍କୁ ଅବସ୍ଥାପିତ କରାଯାଇ ନଥିବାରୁ ବିଦ୍ୟାଳୟଟି ସମ୍ପୂର୍ଣ୍ଣ ଭାବେ ବିଜ୍ଞାନ ଶିକ୍ଷକ ଶୂନ୍ୟ ହୋଇପଡ଼ିଛି। ଫଳରେ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସହ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହାର ପ୍ରତିବାଦରେ ବିଦ୍ୟାଳୟ ପରିଚାଳନା କମିଟି (SMC) ସଭାପତି ବସନ୍ତ ଦେହୁରୀଙ୍କ ନେତୃତ୍ୱରେ ଗ୍ରାମବାସୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ମିଳିତ ଭାବେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ ପ୍ରଧାନ ଶିକ୍ଷକ ଗୋପରଞ୍ଜନ ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଭିତରକୁ ପଶିନପାରି ସ୍କୁଲ ବାହାରେ ଠିଆ ହୋଇ ରହିଥିଲେ। ଏହି କାରଣରୁ ବିଦ୍ୟାଳୟରେ ଶିକ୍ଷାଦାନ ସହ ମଧ୍ୟାହ୍ନ ଭୋଜନ (MDM) ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।
ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର କିମ୍ବା ନୂତନ ବିଜ୍ଞାନ ଶିକ୍ଷକଙ୍କ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଫାଟକରୁ ତାଲା ଖୋଲାଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନ ଶିକ୍ଷକ ଏନେଇ ସିଆରସିସି, ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଙ୍କୁ ଜଣାଇଥିଲେ ହେଁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। କୁଣ୍ଢେଇଗୋଳା ଥାନା ଅଧିକାରୀ ଆସି ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦ୍ରେ ଅଟଳ ରହିଥିଲେ। ଫଳରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ତାଲା ଖୋଲାଯାଇ ନଥିବା ବେଳେ ଆସନ୍ତାକାଲି ମଧ୍ୟ ସ୍କୁଲ ଖୋଲିବା ନେଇ ଆଶଙ୍କା ଦେଖାଦେଇଛି।

