ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ ଘଟଣାର ସତ। ଏମଭିଆଇଙ୍କ ଆଗରେ ସେଦିନ ଘଟିଥିବା ଘଟଣାର ପ୍ରକୃତ ସତ୍ୟ କହିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ବିକାଶ ପ୍ରଧାନ। ରୋଗୀଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରିବା ପରେ ଅକ୍ସିଜେନ ଚାଲିଥିଲା। ଏହି ସମୟରେ ସମ୍ପର୍କୀୟ ମାଗିଥିଲେ ଅକ୍ସିମିଟର। ଡ୍ରାଇଭର ବିକାଶ ପ୍ରଧାନ ଅକ୍ସିମିଟର ଦେଇଥିବା ବେଳେ ଅଚାନକ ଆମ୍ବୁଲାନ୍ସ ଭିତରେ ଥିବା ବେସିନ ତଳୁ ଏକ ତାରରୁ ନିଆଁ ବାହାରିଥିଲା। ନିଆଁ ବାହାରିବା ପରେ ଅକ୍ସିଜେନ ପାଇପ୍ରେ ଲାଗିଯାଇଥିଲା, ଯାହା ଫଳରେ ଅକ୍ସିଜେନ ଲିକ୍ ହୋଇଥିଲା। ଆଉ ଏହା ପରେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା। ଏହି ସମୟ ଭିତରେ ଜୀବନକୁ ବାଜି ଲଗାଇ ନିଆଁ ଭିତରୁ ଷ୍ଟ୍ରେଚର ଜରିଆରେ ରୋଗୀଙ୍କୁ ବାହାରକୁ ନେଇଥିଲେ ଏବଂ ୨୦ ମିନିଟ୍ ଭିତରେ ସମ୍ପୂର୍ଣ୍ଣ ଆମ୍ବୁଲାନ୍ସ ଜଳିଯାଇଥିଲା। ଆମ୍ବୁଲାନ୍ସ ଭିତରେ ଥିବା ୪ଟି ଟାଙ୍କି ମଧ୍ୟରୁ ଦୁଇଟି ଫାଙ୍କା ଟାଙ୍କି ଥିବା ବେଳେ ଗୋଟିଏ ଟାଙ୍କିରୁ ହିଁ ନିଆଁ ଲାଗିଥିଲା, ଯେଉଁ ଟାଙ୍କି ନିଆଁ ଲାଗିଥିଲା ତାହା ହିଁ ପରବର୍ତ୍ତୀ ସମୟରେ ବ୍ଲାଷ୍ଟ ହୋଇଥିବା କହିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର।

