ନୂଆଦିଲ୍ଲୀ, ୫ା୧୧ (ପି.ଟି.): ସେନାର ଅଗ୍ନିପଥ ନିଯୁକ୍ତି ଯୋଜନାରେ କେନ୍ଦ୍ର ସରକାର ବୁଧବାର ଏକ ବଡ଼ଧରଣର ପରିବର୍ତ୍ତନ ଘୋଷଣା କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ୪ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ସେନାରୁ ଅବସର ନେବାକୁ ଥିବା ଅଗ୍ନିବୀରମାନଙ୍କୁ ଆଉ ୨ ବର୍ଷର କାର୍ଯ୍ୟକାଳ ବୃଦ୍ଧି ସୁଯୋଗ ଦିଆଯିବ। ଏହି ବର୍ଦ୍ଧିତ ସମୟ ସୀମା ପରେ ନିର୍ଦ୍ଧାରିତ ଯୋଗ୍ୟତା ପୂରଣ କରୁଥିବା ଏବଂ ଇଚ୍ଛୁକ ଥିବା ଅଗ୍ନିବୀରମାନଙ୍କୁ ଭାରତୀୟ ସେନାରେ ସ୍ଥାୟୀ ନିଯୁକ୍ତି ଦିଆଯିବ। କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ପରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଏନ୍.ଏସ୍. ରାଜା ସୁବ୍ରମଣି ଏକ ଖବରଦାତା ସମ୍ମିଳନୀରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ୨୦୨୨ ଜୁନ୍ରେ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନାରେ ମାତ୍ର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାରେ ସ୍ଥାୟୀ ନିଯୁକ୍ତି ଏବଂ ବାକି ୭୫ ପ୍ରତିଶତଙ୍କୁ ୪ ବର୍ଷ ପରେ କାର୍ଯ୍ୟମୁକ୍ତ କରାଯିବାର ବ୍ୟବସ୍ଥା ଥିଲା। ତେବେ ପ୍ରଥମ ବ୍ୟାଚ୍ର ପ୍ରାୟ ୧୮,୦୦୦ ଅଗ୍ନିବୀରଙ୍କ କାର୍ଯ୍ୟକାଳ ଶେଷ ହେବାର ତିନି ସପ୍ତାହ ପୂର୍ୱରୁ ସରକାର ଏହି ବଡ଼ ସଂସ୍କାର କରିଛନ୍ତି। ଭାରତୀୟ ସେନାକୁ ‘ଅଧିକ ଯୁବ, ଶାରୀରିକ ସକ୍ଷମ, ବୈଷୟିକ ଜ୍ଞାନସମ୍ପନ୍ନ ଓ ଭବିଷ୍ୟତ-ପ୍ରସ୍ତୁତ’ କରିବା ଦିଗରେ ଏହା ଏକ ପ୍ରମୁଖ ସଂସ୍କାର ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିହିତ କରିଛନ୍ତି।
ପୂର୍ୱ ନିୟମ ଅନୁସାରେ ମେରିଟ ଆଧାରରେ ୨୫ ପ୍ରତିଶତ ଅଗ୍ନିବୀର ସେନାରେ ସ୍ଥାୟୀ ଭାବେ ସାମିଲ ହେବେ। ବାକି ୭୫ ପ୍ରତିଶତଙ୍କୁ ଅତିରିକ୍ତ ୨ ବର୍ଷ କାର୍ଯ୍ୟ କରିବାର ସୁଯୋଗ ଦିଆଯିବ। ୨ ବର୍ଷର ବର୍ଦ୍ଧିତ ସେବା ପରେ ଯୋଗ୍ୟତା ହାସଲ କରୁଥିବା ଏବଂ ଇଚ୍ଛୁକ ଥିବା ସମସ୍ତ ଅଗ୍ନିବୀରଙ୍କୁ ନିୟମିତ ସୈନିକ ଭାବେ ସେନାରେ ସ୍ଥାୟୀ ନିଯୁକ୍ତି ଦିଆଯିବ। ପ୍ରଥମ ୪ ବର୍ଷରେ ସ୍ଥାୟୀ ନିଯୁକ୍ତି ପାଉଥିବା ୨୫% ଅଗ୍ନିବୀରମାନେ ସିନିୟରିଟି କ୍ଷେତ୍ରରେ ୨ ବର୍ଷର ଅତିରିକ୍ତ କାର୍ଯ୍ୟକାଳ ପାଉଥିବା ଅଗ୍ନିବୀରଙ୍କଠାରୁ ଆଗରେ ରହିବେ। ସିଡିଏସ୍ ଜେନେରାଲ ସୁବ୍ରମଣି ସ୍ପଷ୍ଟ କରିଛନ୍ତି ଯେ ଅଗ୍ନିପଥ ଯୋଜନା ବନ୍ଦ ହେବ ନାହିଁ, ବରଂ ଏହା ଜାରି ରହିବ। ପ୍ରଥମ ୪ ବର୍ଷରେ ଚୟନ ହୋଇପାରି ନଥିବା ଅଗ୍ନିବୀରଙ୍କୁ ଏହି ନୂତନ ନିୟମ ଦୀର୍ଘସମୟ ସେବା କରିବାର ଦ୍ୱିତୀୟ ସୁଯୋଗ ଦେବ। ଏହି ନୂତନ ନିୟମ ଫଳରେ ପୂର୍ୱରୁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଗୁଡ଼ିକ ଦ୍ୱାରା ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଘୋଷଣା କରାଯାଇଥିବା ବିଭିନ୍ନ ପୁନରୁଦ୍ଧାର କିମ୍ୱା ନିଯୁକ୍ତି ଯୋଜନାର ଆଉ ବିଶେଷ ଆବଶ୍ୟକତା ପଡ଼ିବ ନାହିଁ ବୋଲି ସିଡିଏସ୍ ସୂଚନା ଦେଇଛନ୍ତି। ବର୍ତ୍ତମାନ ଭାରତୀୟ ସେନାରେ ୩ ଲକ୍ଷରୁ ଅଧିକ ଅଗ୍ନିବୀର କାର୍ଯ୍ୟରତ ଅଛନ୍ତି।

