ସ୍ବାଭିମାନର ପ୍ରତୀକ ଖଦି

ଡ. ପ୍ରଫୁଲ୍ଲ କୁମାର ସାହୁ

 

ଭାରତୀୟ ସମ୍ଭ୍ରାନ୍ତପଣର ପ୍ରତୀକ ଖଦି। ସ୍ବଦେଶୀ, ସ୍ବରାଜ, ସ୍ବାଭିମାନ ଓ ସ୍ବାବଲମ୍ବନର ପ୍ରେରଣା। ଗାନ୍ଧିଜୀଙ୍କ ଦୃଷ୍ଟିରେ ଏହା କେବଳ ଏକ ବସ୍ତ୍ର ନ ଥିଲା, ବରଂ ଥିଲା ଅହିଂସା ଆନ୍ଦୋଳନର ଏକ ଅସ୍ତ୍ର। ସ୍ବାଧୀନତା ଓ ଅର୍ଥନୈତିକ ସମୃଦ୍ଧି ପାଇଁ ଖଦିବସ୍ତ୍ରକୁ ଗାନ୍ଧିଜୀ ବ୍ୟବହାର କରିଥିଲେ ରାଜନୈତିକ, ସାଂସ୍କୃତିକ ଓ ଅର୍ଥନୈତିକ ଆୟୁଧ ଭାବରେ। ସ୍ବାଧୀନତା ସଂଗ୍ରାମକୁ ଅଧିକ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ବିଦେଶୀ ବସ୍ତ୍ର ପରିବର୍ତ୍ତେ ଖଦିବସ୍ତ୍ର ପରିଧାନ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇ ସେ କହିଥିଲେ, ”ଚୁଲି ପରି ଚରଖା ସର୍ବବ୍ୟାପୀ ହେବା ଦରକାର। ତା’ ନ ହେଲେ ସହଜରେ ସ୍ବରାଜ ମିଳିବ ନାହିଁ କି ସୁଧୁରିପାରିବ ନାହିଁ ଦେଶର ଅର୍ଥନୀତି।“ ଗାନ୍ଧିଜୀଙ୍କର ଆହ୍ବାନକ୍ରମେ ଖଦିକୁ ପ୍ରତ୍ୟକ୍ଷ ଭାବରେ ସ୍ବାଧୀନତା ଆନ୍ଦୋଳନ ସହିତ ଯୋଡ଼ିବା ପାଇଁ କଂଗ୍ରେସ ମଞ୍ଚରୁ ଗଠନ ହେଲା (୧୯୨୨) ଖଦି କାର୍ଯ୍ୟ ସମିତି। ଏଥିରେ ସଯନ୍ତ୍ର, ଉତ୍ପାଦନ ଓ ବିକ୍ରୟ ନାମରେ ତିନୋଟି ଉପବିଭାଗ ସୃଷ୍ଟି କରାଗଲା, ଯା’ର ଦାୟିତ୍ୱରେ ରହିଲେ ଯଥାକ୍ରମେ ମଗନଲାଲ ଗାନ୍ଧୀ, ଲକ୍ଷ୍ମୀଦାସ ପୁରୁଷୋତ୍ତମଜୀ ଓ ବିଠଲଦାସ ଜେରାଜାଣି।
ଖଦି ଆନ୍ଦୋଳନକୁ ଦେଶବ୍ୟାପୀ ପହଞ୍ଚେଇବା ଉଦ୍ଦେଶ୍ୟରେ ସାବରମତୀ ଆଶ୍ରମରେ ପ୍ରତିଷ୍ଠା ହେଲା (୧୯୨୪) ଅଖିଳ ଭାରତ ଖଦି ବୋର୍ଡ। ଗାନ୍ଧିଜୀ ତା’ର ସଭାପତି ରହିଲେ ଏବଂ ଶଙ୍କରଲାଲ ବ୍ୟାଙ୍କର ଓ ଜମୁନାଲାଲ ବଜାଜ୍‌ଙ୍କୁ ଦିଆଗଲା ଯଥାକ୍ରମେ ସମ୍ପାଦକ ଓ କୋଷାଧକ୍ଷ ଦାୟିତ୍ୱ। କେବଳ ରଚନାତ୍ମକ କାର୍ଯ୍ୟ ଭିତରେ ସୀମିତ ନ ରଖି ଏହାକୁ ସ୍ବାଧୀନତା ସଂଗ୍ରାମର ପ୍ରମୁଖ ଅସ୍ତ୍ର ଭାବରେ ଗ୍ରହଣ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଲା ଏବଂ ରାଜନୈତିକ କର୍ମୀ ଓ ରଚନାତ୍ମକ କର୍ମୀ ଭେଦରେ ଦୁଇ ପ୍ରକାର ସଦସ୍ୟଙ୍କୁ ନେଇ ଗଢ଼ିଉଠିଲା (୧୯୨୫) ଅଖିଳ ଭାରତ ଚରଖା ସଂଘ। ଗାନ୍ଧିଜୀଙ୍କ ସଭାପତିତ୍ୱରେ ପରିଚାଳିତ ଏହି ସଂଘରେ ରାଜନୈତିକ କର୍ମୀ ଭାବରେ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ରାଜ ଗୋପାଳଚାରୀ ସଦସ୍ୟ ରହିଲେ ଏବଂ ରଚନାତ୍ମକ କର୍ମୀ ଭାବରେ ସ୍ଥାନ ପାଇଲେ ଯମୁଲାଲାଲ ବଜାଜ, ଗଙ୍ଗାଧର ରାଓ ଦେଶପାଣ୍ଡେ, ସତୀଶଚନ୍ଦ୍ର ଦାସଗୁପ୍ତା, ଶଙ୍କରଲାଲ ବ୍ୟାଙ୍କର, ମଣିଲାଲ କୋଠାର, କୋଣ୍ଡା ଭେଙ୍କଟୟାପ୍ପା ଓ ଶ୍ରୀକୃଷ୍ଣଦାସ କାଜୁ ପ୍ରମୁଖ ବିଶିଷ୍ଟ ଗାନ୍ଧିବାଦୀ ନେତା।
ଗାନ୍ଧିଜୀଙ୍କ ଦୃଷ୍ଟିରେ ଖଦି ବସ୍ତ୍ର କେବଳ ଏକ ରାଜନୈତିକ ଅସ୍ତ୍ର ନ ଥିଲା, ଅଧିକନ୍ତୁ ଏହା ଥିଲା ଏକ ସାଂସ୍କୃତିକ ବିଚାର ଓ ସ୍ବାବଲମ୍ବନର ସୂତ୍ର। ଗାନ୍ଧିଜୀ ଜାଣିଥିଲେ ଖଦିବସ୍ତ୍ରର ପ୍ରସାର ବା ଚରଖା ଆନ୍ଦୋଳନର ମୂଳଭିତ୍ତି ହେଉଛି କପାଚାଷ। ଭାରତର ମୃତ୍ତିକା କପାଚାଷ ପାଇଁ ଅନୁକୂଳ। ବିଶେଷକରି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଆଦି ରାଜ୍ୟରେ କପାଚାଷ ଉପରେ ନିର୍ଭର କରି ବଞ୍ଚନ୍ତି ଲକ୍ଷ ଲକ୍ଷ ଚାଷୀ। ଖଦିର ଚାହିଦା ବଢ଼ିଲେ ସେମାନେ ନିଜକୁ ଅଧିକ ସୁରକ୍ଷିତ ମଣିବେ ଏବଂ ସୁଦୃଢ଼ ହେବ ଦେଶର ଅର୍ଥନୀତି। ଅର୍ଥାତ୍‌ ଅରଟ କିଛି ସାଧାରଣ ସାମଗ୍ରୀ ନୁହେଁ, ଏହା ଦାରିଦ୍ର୍ୟ ଦୂରୀକରଣର ଏକ ଅମୋଘ ଅସ୍ତ୍ର।
ଗାନ୍ଧିଜୀ କହୁଥିଲେ ମଣିଷର କର୍ମଶୂନ୍ୟ ସମୟକୁ ସର୍ଜନାପୂର୍ଣ୍ଣ ଓ ସଙ୍ଗୀତମୟ କରିଦେବା ନିମନ୍ତେ ଅରଟର ଶକ୍ତି ଅକଳ୍ପନୀୟ। ତେଣୁ ବିଦେଶୀ ବସ୍ତ୍ର ପରିବର୍ତ୍ତେ ହାତବୁଣା ଲୁଗା ପିନ୍ଧିବା ଦ୍ବାରା ଦେଶର ଷାଠିଏ କୋଟି ଟଙ୍କା ରହିଯିବ, ଯାହା ଆମକୁ କର୍ମଚଞ୍ଚଳ କରିବା ସହିତ ଅର୍ଥନୀତି କ୍ଷେତ୍ରରେ ଆଣିବ ଆଶାନୁରୂପ ସୁଧାର। ଗାନ୍ଧିଜୀ କହୁଥିଲେ, ଖଦି କେବଳ ସ୍ବଦେଶୀ ନିର୍ଭରଶୀଳତାର ପ୍ରତୀକ ନୁହେଁ, ଏହା ସତ୍ୟ, ଅହିଂସା ଓ ଶୁଦ୍ଧତାର ପ୍ରତୀକ। କୋଟିଏ ଲୋକ ଯଦି ଏକାସାଙ୍ଗରେ ଓ ଏକା ସମୟରେ ସୂତା କାଟିବେ, ତତ୍କାଳ ବଦଳିଯିବ ଭାରତର ଭାଗ୍ୟ। ଲବଣ ସତ୍ୟାଗ୍ରହ ବେଳେ ଗାନ୍ଧିଜୀ ସାବରମତୀ ଆଶ୍ରମ ଛାଡ଼ି ସେବାଗ୍ରାମ ଆଶ୍ରମରେ ଆସି ରହିଲେ ଏବଂ ସେବାଗ୍ରାମ ଆଶ୍ରମରୁ ଆରମ୍ଭ ହେଲା ଚରଖା ସଂଘର ନବ ସଂସ୍କରଣ। ଦ୍ରୁତ ଗତିରେ ବଢ଼ିଲା ଖଦି ବସ୍ତ୍ରର ବ୍ୟବହାର। ଓଡ଼ିଶାରେ ମଧ୍ୟ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଗଠନ ହେଲା ‘ଉତ୍କଳ ଖଦିମଣ୍ଡଳ’।
ଅସହଯୋଗ ଆନ୍ଦୋଳନ କାଳରୁ ଖଦି ଓ ଖଦଡ଼ ପ୍ରତି ଓଡ଼ିଶାରେ ବଢ଼ୁଥିବା ଆଦରକୁ ଦେଖି ଚିର ଦୁର୍ଭିକ୍ଷ ପ୍ରପୀଡ଼ିତ ଓଡ଼ିଶା ଦେଶର ଖଦି ଭଣ୍ଡାର ହେଉ ବୋଲି ଚାହିଁଥିଲେ ଗାନ୍ଧିଜୀ। ଓଡ଼ିଶାବାସୀଙ୍କୁ ଏହି ବାର୍ତ୍ତା ଦେବାପାଇଁ ୧୯୨୭ ମସିହା ଡିସେମ୍ବରରେ ସେ ତୃତୀୟ ଥର ପାଇଁ ଓଡ଼ିଶା ଆସିଥିଲେ, ଯାହା ତାଙ୍କର ଖଦିଗସ୍ତ ନାମରେ ଖ୍ୟାତ। ସତର ଦିନର ଏହି ଗସ୍ତ (୫ରୁ ୨୧ ତାରିଖ) ଅବସରରେ ସେ ଖଦିର ଉପାଦେୟତା ଓ ଆବଶ୍ୟକତା ସମ୍ପର୍କରେ ଭାବଗର୍ଭକ ବକ୍ତବ୍ୟ ରଖିଥିଲେ ବ୍ରହ୍ମପୁର, ଛତ୍ରପୁର, ରସୁଲକୋଣ୍ଡା, ବେଲଗୁଣ୍ଠା, ଆସ୍କା, ଗୋବରା, ବଇରାଣି, ପୋଲସରା, ପୁରୁଷୋତ୍ତମପୁର, ଖଲ୍ଲିକୋଟ, କୋଦଳା, ରମ୍ଭା, ବାଣପୁର, ବୋଲଗଡ଼, ଖୋର୍ଦ୍ଧା, ଜଟଣୀ, ସାକ୍ଷୀଗୋପାଳ, ପୁରୀ, ବାଲେଶ୍ବର, ଭଦ୍ରକ, ଚାରିବାଟିଆ ଓ କଟକ ଆଦି ଅନେକ ସ୍ଥାନରେ। ଗାନ୍ଧିଜୀଙ୍କ ବକ୍ତବ୍ୟରେ ପ୍ରଭାବିତ ହୋଇ ଓଡ଼ିଆମାନେ ଆଦରି ନେଇଥିଲେ ‘କୁଟି ଖାଅ କାଟି ପିନ୍ଧ’ ନୀତି। ତେଣୁ ଘରେ ଘରେ ଶୁଭୁଥିଲା ଅରଟର ଘର୍‌ଘର୍‌ ଶବ୍ଦ। ସେତେବେଳେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶିଳ୍ପ ସାଧନା ଥିଲା ଚରଖା ଆନ୍ଦୋଳନର ଏକ ଗବେଷଣାଗାର। ଏହା ବ୍ୟତୀତ ଖଦିର ପ୍ରାସଙ୍ଗିକତା ଓ ମହିମାକୁ ନେଇ ଓଡ଼ିଆ ସାହିତ୍ୟରେ ପ୍ରକାଶ ପାଇଥିଲା କେତେ କେତେ ବଚନ ଓ ବଖାଣ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ବାଞ୍ଛାନିଧି ମହାନ୍ତି ଓ ବୀରକିଶୋର ଦାସ ପ୍ରମୁଖ କବିମାନେ ଥିଲେ ଏହି ପ୍ରୟାସର ଅଗ୍ରସାରଥି।
କାନ୍ତକବି ଲକ୍ଷ୍ମୀକାନ୍ତ ଲେଖିଥିଲେ ଏକା ଅରଟ ହିଁ ମୁକ୍ତିର ବାଟ। ବାସ୍ତବରେ ସେହି ଅରଟକୁ ଅସ୍ତ୍ର କରି ସ୍ବାଧୀନ ହେଲା ଦେଶ। ବିଶ୍ବ ଦେଖିଲା ମୁଠାଏ ଲୁଣ ଓ କେରାଏ ସୂତାରୁ ମିଳିଲା ଭାରତର ସ୍ବାଧୀନତା। ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ବି ସ୍ବଦେଶୀ ନିର୍ଭରଶୀଳତାର ମହାନ୍‌ ବାର୍ତ୍ତା ପ୍ରଚାର ପାଇଁ ସେବାଗ୍ରାମ ଆଶ୍ରମରେ ଜାରି ରହିଛି ଚରଖାରେ ସୂତାକଟା ଓ ଖଦି କାର୍ଯ୍ୟକ୍ରମ। ଆମର ଜାତୀୟ ପତାକାଠାରୁ ଆରମ୍ଭ କରି ନଥିପତ୍ରର ଆଚ୍ଛାଦନ ପର୍ଯ୍ୟନ୍ତ ଖଦିର ବ୍ୟବହାର କହୁଛି ସେ ଏଯାଏ ହରେଇ ନାହିଁ ତାର ପ୍ରାସଙ୍ଗିକତା। କେବଳ ସ୍ବଦେଶୀ ଓ ସ୍ବାଧୀନତାର କଥା ନୁହେଁ, ଏକ ପରିବେଶ ଅନୁକୂଳ ପୋଷାକ ଭାବରେ ଏହା ସବୁକାଳ ପାଇଁ ସ୍ବାସ୍ଥ୍ୟପକ୍ଷରେ ଅନୁକୂଳ। ବିଶେଷକରି ଆଜିର ଜଳବାୟୁ ପରିବର୍ତ୍ତନ ତଥା ବିଶ୍ବ ଉତ୍ତାପନ ବୃଦ୍ଧି ପରିପ୍ରେକ୍ଷୀରେ ଅନ୍ୟ ଯେକୌଣସି ସିନ୍ଥେଟିକ୍‌ ବସ୍ତ୍ରଠାରୁ ଏହା ସର୍ବାଧିକ ଉପଯୋଗୀ। ପରିବେଶ ବିଜ୍ଞାନୀଙ୍କ ମତରେ ଭାରତର ସବୁ ଶିଳ୍ପଠାରୁ କପଡ଼ା ଶିଳ୍ପ ଅଧିକ ପ୍ରଦୂଷିତ ଏବଂ ବିଶ୍ବସ୍ତରରେ ତେଲ ପରେ କପଡ଼ା ଶିଳ୍ପ ହେଉଛି ଦ୍ବିତୀୟ ପ୍ରଦୂଷିତ ଉତ୍ସ। ତେଣୁ ବିକଳ୍ପ ଆଧୁନିକତା ଭାବରେ ଖଦିବସ୍ତ୍ରର ଚାହିଦା ବଢ଼ିବା ସ୍ବାଭାବିକ। ଦିନକୁ ଦିନ କମୁଛି ସରକାରଙ୍କ ପକ୍ଷରୁ ଖଦିକୁ ମିଳୁଥିବା ସହାୟତା ରାଶି। ତେଣୁ ବର୍ଷର କିଛି ନିର୍ଦ୍ଦିଷ୍ଟ ସମୟକୁ ବାଦ୍‌ ଦେଲେ ଖଦିବୋର୍ଡ ଗ୍ରାହକକୁ ଦେଇପାରୁନି ଆକର୍ଷଣୀୟ ରିହାତି। ବିଶେଷକରି ଦିଲ୍ଲୀ ଓ ମୁମ୍ବାଇ ଭଳି ସହରକୁ ଛାଡ଼ିଦେଲେ ପ୍ରାୟ ଅନ୍ୟତ୍ର ଉପଲବ୍ଧ ହୋଇପାରୁନି ଖାଣ୍ଟି ଖଦଡ଼ ଲୁଗା।
ଖଦି ଯେ କେବଳ ରାଜନେତାଙ୍କ ପୋଷାକ, ଏଭଳି ଧାରଣା ବଦଳିବା ଦରକାର। କାରଣ ବର୍ତ୍ତମାନର ଯୁବପିଢ଼ି ପାଇଁ ଖଦିରେ ବି ତିଆରି ହୋଇପାରିବ ବିଭିନ୍ନ ଡିଜାଇନର ପୋଷାକ। ଏହି ବାର୍ତ୍ତା ନେଇ ଆରମ୍ଭ ହୋଇଥିଲା ଖଦି ଫେଶନ ସୋ। ମାତ୍ର ଏହାକୁ ବ୍ୟାପକ କରିବା ପାଇଁ ଆବଶ୍ୟକ ବ୍ୟବସାୟିକ ସଂସ୍ଥାଗୁଡ଼ିକର ଆଗ୍ରହ ଓ ଆନ୍ତରିକତା। ସେମାନେ ଚାହିଁଲେ ଅନ୍ୟ ପୋଷାକ ଭଳି ଖଦିକୁ ନେଇ ନୂତନ ପ୍ରୟୋଗ ହୋଇପାରିବ ଏବଂ ବଜାରକୁ ଆସିପାରିବ ଯୁବପିଢ଼ିଙ୍କୁ ଆକୃଷ୍ଟ କଲାଭଳି ନୂଆ ଡିଜାଇନର ପୋଷାକ। ଅନ୍ୟଥା ଆମ ଉତ୍ତର ପିଢ଼ି ପାଇଁ ଖଦି ଆଉ ରହିବନି ସ୍ବାଭିମାନର ପ୍ରତୀକ ହୋଇ।
ଅବସରପ୍ରାପ୍ତ ଅଧ୍ୟକ୍ଷ, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?