Posted inUncategorized

ପିଲାଙ୍କ ଜୀବନ ହେଉ ସରସ

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

 

ଜନ୍ମ ହେଲା ଦିନଠୁ ମଣିଷଟିଏ ତା’ ଜୀବନ ପଥରେ ଅବିଶ୍ରାନ୍ତ ଭାବେ ଧାଇଁଚାଲିଛି କେବଳ। ମାନସମ୍ମାନ, ଧନସମ୍ପତ୍ତି, ସୁଖସମୃଦ୍ଧି ପଛରେ ଧାଉଁଧାଉଁ ସରିଯାଉଛି ତା’ର ମହାର୍ଘ ସମୟ। ଏହା ଅବଶ୍ୟ ଆମେ ସମସ୍ତେ ଜାଣୁ ଯେ ଆମେ ଜିଉଥିବା ଏଇ ସମୟ ହେଉଛି ତୀବ୍ର ପ୍ରତିଯୋଗିତାର। ଘରେ ବାହାରେ, ଦେଶ ଦୁନିଆରେ ସବୁଠି ଚାଲିଛି ଏବେ ପ୍ରତିଯୋଗିତା। କମର୍‌ ତୋଡ୍‌ ପ୍ରତିଯୋଗିତା। ଛାତିଥରା ପ୍ରତିଯୋଗିତା। ଯିଏ ଜିତିଲା ସିଏ ସିକନ୍ଦର୍‌। ଏଣୁ ଭାଇବନ୍ଧୁ, ସାଙ୍ଗସାଥୀ କେହି ବି ବାଦ୍‌ ପଡ଼ୁନାହାନ୍ତି ଏଇ ପ୍ରତିଯୋଗିତାର ଗଣଦୌଡ଼ରୁ। ସ୍ବାର୍ଥ ପାଇଁ ସବୁ ଖେଳ। ଆପଣାର ସ୍ବାର୍ଥସିଦ୍ଧି ପାଇଁ ଏଠି ସମସ୍ତେ ଜଣେ ଜଣେ ପୋଖତ ପ୍ରତିଯୋଗୀ। ଯେଉଁଠି ପ୍ରତିଯୋଗିତା, ସେଇଠି ନ ଥାଏ କୌଣସି ସମ୍ପର୍କର ମୂଲ୍ୟ। ସେଥିପାଇଁ ଯେତେ ନିକଟ ସମ୍ପର୍କୀୟ କି ଘନିଷ୍ଠ ହୋଇଥିଲେ ହେଁ ଜଣେ ଆଉ ଜଣକୁ ଟପିଯିବା ପାଇଁ ହେଉଛି ସଦାସର୍ବଦା ବ୍ୟାକୁଳ। କିଏ କାହାକୁ କେତେ ପଛରେ ପକେଇ ପାରିଲା, ସେଇଠୁ ନିର୍ଦ୍ଧାରିତ ହେଉଛି ମଣିଷଟିର ସଫଳତା ଆଉ ପାରିବାପଣ। ଅନେକଙ୍କ ମୁଣ୍ଡ ଉପରେ ପାଦଥାପି ହେଉପଛେ, ଯିଏ ଯେତେ ଉଚ୍ଚକୁ ଉଠିପାରିଲା, ସିଏ ସେତେ ବଡ଼ଲୋକ ହେଲା, ମହାନ୍‌ ବୋଲାଇଲା।
ଚୋରି ହେଉ କି ଡକାୟତି, ରାହାଜାନି ହେଉ କି ଦୁର୍ନୀତି, ନ୍ୟାୟ ହେଉ କି ଅନ୍ୟାୟ, ଯେମିତି ପନ୍ଥାରେ ହେଉପଛେ, ଯିଏ ଯେତେ ଅଧିକ ଧନ ଉପାର୍ଜନ କରିପାରିଲା, ସିଏ ସେତେ ଅଧିକ ମାନ୍ୟତା ପାଇଲା, ସେତିକି ସମ୍ମାନର ଅଧିକାରୀ ହୋଇପାରିଲା ଆଜିକାର ଦେଶ ଦୁନିଆରେ, ଜାତି ସମାଜରେ। ଜ୍ଞାନ କି ଆଦର୍ଶ ନୁହେଁ, ଏଇ ଧନ ହିଁ ହେଉଛି ଆଜିକାର ସମୟରେ ବଡ଼ଲୋକ ବା ମହାନ୍‌ ବ୍ୟକ୍ତିତ୍ୱ ହେବାର ମାପକାଠି। ଠନ୍‌ଠନ୍‌ ଗୋପାଲା ହିଁ ସବୁକିଛି। ଯାହା ହାତରେ ଏଇ ମହାପ୍ରଭୁ ନାହାନ୍ତି, ସେ ଜଣକ ଯେତେ ଜ୍ଞାନୀଗୁଣି ହୋଇଥିଲେ ହେଁ ପଇସାଟାକର ମାନ୍ୟବେଭାର ପାଇ ପାରୁନାହିଁ କେଉଁଠି ହେଲେ। ଏହାକୁ ଦୃଷ୍ଟିରେ ରଖି ପ୍ରତିଯୋଗିତାରେ ମାତିଛନ୍ତି ସମସ୍ତେ। ତା’ସହିତ ଅନେକଙ୍କୁ ପଛରେ ପକାଇ ଅଧିକରୁ ଅଧିକ ମାତ୍ରାରେ ଧନ ଉପାର୍ଜନ କରିବା ପାଇଁ ହେଉ କି କ୍ଷମତା ହାସଲ କରିବା ଲାଗି ହେଉ, ସମସ୍ତେ ହେଉଛନ୍ତି ଅତ୍ୟନ୍ତ ବିକଳ। ଏଥି ସକାଶେ ଆପଣା ଆପଣାର ବୁଦ୍ଧି ବିବେକକୁ ଜଳାଞ୍ଜଳି ଦେବାକୁ ମଧ୍ୟ ପଶ୍ଚାତ୍‌ପଦ ହେଉନାହାନ୍ତି। ଯେହେତୁ ଆମ ସମସ୍ତଙ୍କ ଅଜ୍ଞାତ ସାରରେ କେବେଠୁ ଗୋଟେ ସୁସ୍ଥ ପ୍ରତିଯୋଗିତା ରୂପାନ୍ତରିତ ହୋଇଗଲାଣି କଠୋର ପ୍ରତିଦ୍ୱନ୍ଦ୍ୱିତାରେ। ତେଣୁ କାହାକୁ ହତ୍ୟା କରିବା ପାଇଁ କି ମଉକା ଦେଖି ଅପଦସ୍ଥ କରିବା ପାଇଁ ମଧ୍ୟ ପଶ୍ଚାତ୍‌ପଦ ହେଉନାହାନ୍ତି ଆଜିକାର ତଥାକଥିତ ସଭ୍ୟ ଶିକ୍ଷିତ ମଣିଷମାନେ।
ଆମ ଜାଣତରେ ହେଉ କି ଅଜାଣତରେ, ଏଇ ପ୍ରତିଯୋଗିତାର ଶତରଞ୍ଜ ଖେଳର ମୋହରା ହୋଇଯାଉଛନ୍ତି ଆମ ପିଲାମାନେ। ସତ କହିବାକୁ ଗଲେ ଏହାର ପ୍ରମୁଖ ତଥା ପ୍ରଥମ କାର୍ପଟଦାର୍‌ ହେଉଛନ୍ତି ସେଇ ହତଭାଗ୍ୟ ପିଲାମାନଙ୍କର ଉଚ୍ଚାଭିଳାଷୀ ମା’ବାପାମାନେ। ସେମାନେ କେବେହେଲେ ଦୃଷ୍ଟିପାତ କରୁନାହାନ୍ତି ପିଲାଙ୍କ ଶକ୍ତି କି ସାମର୍ଥ୍ୟ ଉପରେ। ବରଂ ସେମାନଙ୍କୁ ନେଇ ବହୁତ ବଡ଼ବଡ଼ ସ୍ବପ୍ନ ଦେଖିବାକୁ ଆରମ୍ଭ କରି ଦେଉଛନ୍ତି ପିଲାଟିର ଜନ୍ମ ପରକ୍ଷଣଠାରୁ। ଏପରି ସ୍ବପ୍ନ, ଯାହାକୁ ସାକାର କରିବା ଅତ୍ୟନ୍ତ କଠିନ ବ୍ୟାପାର। ତାଙ୍କ ପିଲାଟା ଯଦି ଜନ୍ମହେବା କ୍ଷଣି ଏକାଥରକେ ଖୁବ୍‌ ଧନୀ ହୋଇଯାଆନ୍ତା କି ବହୁତ ବଡ଼ ବିଦ୍ୱାନ୍‌ ହୋଇଯାଆନ୍ତା, ନତୁବା ଡାକ୍ତର ଇଞ୍ଜିନିୟର କି ଆଇଏଏସ୍‌ ଅଫିସର ହୋଇ ପୁଳାପୁଳା ଅର୍ଥ ଉପାର୍ଜନ କରିପାରନ୍ତା, ତେବେ ଖୁବ୍‌ଭଲ ହୁଅନ୍ତା ବୋଧହୁଏ! କିନ୍ତୁ ଏହା କ’ଣ ସମ୍ଭବ? ମଞ୍ଜିରୁ ଅଙ୍କୁରିତ ହେଉଁ ହେଉଁ କେବେ କ’ଣ ଫୁଲ କି ଫଳ ଦେଲାଣି କେଉଁ ଗଛ ଯେ ଏହା ସମ୍ଭବ ହେବ? ଏ ପ୍ରକାର ସ୍ବପ୍ନ ସମ୍ପୂର୍ଣ୍ଣ ଅବାସ୍ତବ। ଏ କଥା ପିଲାଟିର ଭାଇବନ୍ଧୁ, ମା’ବାପା, ଗୁରୁ ଗୁରୁଜନ ସମସ୍ତେ ଜାଣନ୍ତି। ତଥାପି ସେମାନଙ୍କ ଅହେତୁକ ସ୍ବପ୍ନକୁ ସାକାର କରିବା ପାଇଁ ଆରମ୍ଭ ହୋଇଯାଉଛି କାମନାର ଯଜ୍ଞ, ଯହିଁରେ ବଳିର ବୋଦା ହେବାକୁ ପଡୁଛି ବିଚରା ଛୁଆମାନଙ୍କୁ। ଫଳରେ ଆଜିକାଲି ମୂଳରୁ ନଷ୍ଟ ହୋଇଯାଉଛି ସେମାନଙ୍କର ଶୈଶବ ତଥା ବାଲ୍ୟ ଚପଳତା।
ଆଜିକାର ପିଲାମାନଙ୍କର ଆପଣାର ରୁଚି କି ପସନ୍ଦ ବୋଲି କିଛି ନାହିଁ। ସବୁକିଛି ନିୟନ୍ତ୍ରିତ ହେଉଛି ସେମାନଙ୍କ ଅଭିଭାବକମାନଙ୍କ ଦ୍ୱାରା। ଗଧପିଠିରେ ବୋଝ ଲଦିଲା ପରି ପିଲାଙ୍କ ଉପରେ ଲଦି ଦିଆଯାଉଛି ମା’ବାପାଙ୍କ ଇଚ୍ଛା ଏବଂ ସ୍ବପ୍ନର ବୋଝ। ତେଣୁ ବଗିଚାର ଫୁଲଗଛଟିଏ ପଲ୍ଲବିତ ହେଲା ପରି ପୂର୍ଣ୍ଣ ବିକଶିତ ହୋଇପାରୁ ନାହଁି ସେମାନଙ୍କ ପ୍ରତିଭା, ସୁଜ୍ଞାନ ଆଉ ସୁଗୁଣ। ଯେହେତୁ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ପ୍ରାପ୍ତି ହେଉଛି ପିଲାଟିର ସଫଳତାର ପରିମାପକ। ତେଣୁକରି ପିଲାଙ୍କ ମାନସିକ ତଥା ବୌଦ୍ଧିକ ଶକ୍ତିର ଯଥୋଚିତ ବିକାଶ ପାଇଁ ମାତା ପିତାମାନେ ଅତ୍ୟନ୍ତ ଯତ୍ନଶୀଳ ହେବା ଛାଡ଼ି କେବଳ ସ୍କୁଲପାଠ ଭିତରେ ଆବଦ୍ଧ କରିରଖୁଛନ୍ତି ସେମାନଙ୍କୁ। ସାଙ୍ଗସାଥୀ ମେଳ କି ଜାତିଜାତିକା ଖେଳ, କିଛି ବି ଜୁଟୁନି ସେମାନଙ୍କ ଭାଗ୍ୟରେ। ଯେତେବେଳେ ଦେଖିବ ଖାଲି ପାଠ ଆଉ ପାଠ। ସ୍କୁଲବହିକୁ ଛାଡ଼ିଦେଲେ, ଆଉ ଅନ୍ୟ କେଉଁ ସ୍ଥାନରୁ କି ଅନ୍ୟ କାହା ପାଖରୁ, କ’ଣ କିଛି ବି ଶିଖିବାକୁ ମିଳିବ ନାହିଁ ଆମ ପିଲାମାନଙ୍କୁ? ହେଲେ ସେଥିପ୍ରତି ଦୃଷ୍ଟି ଦେଉଛି କିଏ?
ଏବେ ଗାମଲାରେ ବନ୍‌ସାଇ ଗଛ ଲଗେଇବା ହେଉଛି ଆଧୁନିକ ସଭ୍ୟ ମଣିଷଙ୍କ ଏକ ସଉକ। ଏମିତି ବାମନ ଗଛଟିରେ ଫୁଲ ଫୁଟିଲେ କେତେ ଅବା ଫୁଟିବ? ଫଳିବ ଅବା କେତେ? ଯେଉଁ ଗଛଟି ମାଟି ପାଇଲେ ବିଶାଳ ହୋଇ ବଢ଼ିପାରେ, ଅନେକଙ୍କ ସେବାରେ ଲାଗିପାରେ, ସେଇ ଗଛଟିକୁ ଗାମଲାରେ ରଖି ଯେତେ ଯତ୍ନକଲେ କି ଖତସାର ଦେଇ ବଢ଼ାଇଲେ, ବଢ଼ି ପାରିବ କେତେ? ଏମିତି ଗଛଟିଏ କେଉଁ ପକ୍ଷୀକୁ ବାସ ଦେଇପାରିବ ନା ଗ୍ରାସ ଦେଇପାରିବ କାହାକୁ? ବନ୍‌ସାଇ ଗଛର ଦୟନୀୟ ଅବସ୍ଥା ଭଳି ଆଜିକାଲି ଅତ୍ୟନ୍ତ ଦୟନୀୟ ହୋଇଯାଉଛି ଆମ ପିଲାଙ୍କର ଅମୂଲ୍ୟ ଜୀବନ। କେବଳ ଘର ଭିତରେ ସୀମିତ କରି ରଖାଯାଉଛି ସେମାନଙ୍କୁ। ଏହା ହିଁ ସବୁଠାରୁ ବଡ଼ ଚିନ୍ତାର ବିଷୟ। ତଥାପି କେହି ସଚେତନ ହେଉନାହାନ୍ତି କି ଦୃଷ୍ଟି ଦେଉନାହାନ୍ତି ଏଥିପ୍ରତି। ଘର ସଜେଇବା ପାଇଁ ହୁଏତ ଖୁବ୍‌ ମନଲୋଭା ଦେଖାଯାଇପାରେ ବନ୍‌ସାଇ ଗଛ, ବଜାରରେ ଉଚ୍ଚ ମୂଲ୍ୟଯୁକ୍ତ ମଧ୍ୟ ହୋଇପାରେ, ହେଲେ ପରିବେଶ ପାଇଁ ଏହା କେତେ ଉପଯୋଗୀ? ଧୀରମନ ସ୍ଥିର ଚିତ୍ତରେ ଏହା କେହି କେବେ ବିଚାର କରିଛନ୍ତି କି? ବନ୍‌ସାଇ ଗଛର ଛାଇ କୌଣସି କାମକୁ ନୁହେଁ। ଏତକ ବୁଝୁଛନ୍ତି କି ସଭ୍ୟ ମଣିଷମାନେ। ପିଲାଙ୍କ ଜୀବନ ହେଉ ସରସ ସୁନ୍ଦର। ସେମାନଙ୍କୁ ସମ୍ବେଦନଶୀଳ ସୁନାଗରିକ କରି ଗଢ଼ିତୋଳିବା ହେଉ ଆମ ସମସ୍ତଙ୍କ ଧ୍ୟେୟ।
ଭାରତୀ କୁଟୀର, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର
ମୋ-୮୨୪୯୮୦୭୨୬୨


Enter your email to get our daily news in your inbox.

All Right Reserved By Dharitri.Com

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?