ମା’ବାପାମାନଙ୍କୁ ଚିଠିଟିଏ

ଅକ୍ଷୟ କୁମାର ମିଶ୍ର

 

ପ୍ରିୟ ମା’ବାପାମାନେ!
ଶୁଭେଚ୍ଛା ନେବେ। ଲେଖିବି କି ଲେଖିବିନି ଏଭଳି ଏକ ମାନସିକ ଦ୍ୱନ୍ଦ୍ୱ ଭିତରେ ବେଶ୍‌ କିଛି ଦିନ ଗଲା ପରେ ସ୍ଥିର କଲି ଏମିତି ଏକ ଚିଠି ଆପଣମାନଙ୍କ ଉଦ୍ଦେଶ୍ୟରେ ଲେଖିବି ବୋଲି। ମୋର ଉଦ୍ଦେଶ୍ୟ ନୁହେଁ ଆପଣମାନଙ୍କୁ ପରାମର୍ଶ ଦେବା ଅଥବା ଆପଣମାନଙ୍କର ଦୋଷ ଦୁର୍ବଳତା ବାଛିବା। ମୁଁ ଯାହା ଦେଖୁଛି ଏବଂ ଅନୁଭବ କରୁଛି, ସେହି ଅଭିଜ୍ଞତା ଭିତରୁ କିଛି କଥା ଆପଣମାନଙ୍କ ସହିତ କେବଳ ବିନିମୟ କରିବାକୁ ଚାହୁଁଛି। ଶ୍ରେଣୀକକ୍ଷରେ ମୁଁ ଜଣେ ଶିକ୍ଷକ ହେଲେ ବି ମୁଁ ଜଣେ ବାପା। ପୁଅ ଝିଅକୁ ନେଇ ଆପଣମାନଙ୍କର ଯେମିତି ସ୍ବପ୍ନ ଅଛି, ମୋର ମଧ୍ୟ ସେମିତି ଅଛି। କୌଣସି ମା’ବାପା ଚାହାନ୍ତି ନାହିଁ ତାଙ୍କ ପୁଅ ଝିଅମାନେ ବଡ଼ ମଣିଷ ନ ହୁଅନ୍ତୁ। ସମସ୍ତଙ୍କର ଇଚ୍ଛା ପିଲାମାନେ ଭଲ ପାଠ ପଢ଼ନ୍ତୁ। ଆଗକୁ ବଢ଼ନ୍ତୁ। ଦଶ ଜଣରେ ଜଣେ ହୁଅନ୍ତୁ। କିନ୍ତୁ ଆମ ଇଚ୍ଛାର ଘୋଡ଼ାଟା ଏତେ ଜୋରରେ ଧାବମାନ ଯେ ବାସ୍ତବତାଠାରୁ କେତେବେଳେ ଆମେ ବିଚ୍ଛିନ୍ନ ହୋଇଯାଉ ତାହା ନିଜେ ମଧ୍ୟ ଜାଣିପାରୁନା। ଅଜାଣତରେ ନିଜର ଇଚ୍ଛାକୁ ପିଲାମାନଙ୍କ ଉପରେ ଲଦି ଦେଉ। ସେମାନେ କ’ଣ ଚାହୁଁଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁନା। ଶାରୀରିକ ତଥା ମାନସିକ ବୋଝ ଦେଇ ସେମାନଙ୍କୁ ଭାରାକ୍ରାନ୍ତ କରିପକାଉ। ବିଶେଷକରି ଯେଉଁ ମା’ବାପାମାନେ ଅପାଠୁଆ, ସେମାନେ ପିଲାମାନଙ୍କ ପ୍ରତି ଯେତିକି ଯତ୍ନବାନ୍‌ ହେବା କଥା ତାହା ହୁଅନ୍ତି ନାହିଁ। ଅବହେଳା କାରଣରୁ ବହୁ ପ୍ରତିଭାର ଉନ୍ମେଷ ହୋଇପାରେ ନାହିଁ।
ପ୍ରଥମେ ସେହି ମା’ବାପାମାନଙ୍କୁ କହିବାକୁ ଚାହେଁ, ଯେଉଁମାନେ ନିଜ ପୁଅଝିଅଙ୍କ ସହିତ କିଛି ମୁହୂର୍ତ୍ତ ବିତାଇବାକୁ ସମୟ ପାଆନ୍ତି ନାହିଁ। ହଁ, ଏହା ସତ୍ୟ ଯେ ଆପଣମାନେ ଅର୍ଥନୈତିକ ଭାବେ ବହୁ ଦୁର୍ବଳ। ଏଣୁ ଗୁଜରାଣ ମେଣ୍ଟାଇବା ପାଇଁ ସକାଳୁ ସଞ୍ଜଯାଏ ବିଭିନ୍ନ କାର୍ଯ୍ୟ କରି ଅର୍ଥ ଉପାର୍ଜନ କରିବାକୁ ଆପଣମାନେ ବାଧ୍ୟ ହୁଅନ୍ତି। ଆପଣମାନଙ୍କର ଯୁକ୍ତି ହେଉଛି ”ହାତରେ ଅର୍ଥ ନ ଥିଲେ ଖାଇବୁ କ’ଣ, ପିନ୍ଧିବୁ କ’ଣ, ପିଲାଙ୍କ ପାଠପଢ଼ାରେ ଯାହା ଖର୍ଚ୍ଚ ହେବ ତାହା ଆସିବ କେଉଁଠୁ? ସମୟ କାହିଁ ପିଲାଙ୍କ ସହିତ ଦୁଃଖ ସୁଖ ହେବାକୁ? ଯେତେ ପର୍ଯ୍ୟନ୍ତ ପାରିବେ ପଢ଼ିବେ। ଓଳିଆରୁ ଗଜା ହୋଇପାରିଲେ ତ ଭଲ, ନ ହେଲେ ଘର କାମରେ ଲାଗିବେ। ଗୋବର ଗୋଟେଇ ଝିଅ ରାଜା ଘରର ବୋହୂ ହେବା ପାଇଁ ସ୍ବପ୍ନ ଦେଖିବା ଯାହା, ଆମ ପିଲା ହାକିମ ହେବ ବୋଲି ଭାବିବା ସେଇଆ।“
ଦ୍ୱିତୀୟ ଯୁକ୍ତିଟି ଆହୁରି କଠୋର। ପାଠ ପଢ଼ିଲେ ବଢ଼ିବେ ନା ଦୂରେଇ ଯିବେ? ଯେଉଁମାନେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି, ସେମାନେ ମା’ବାପାଙ୍କୁ ଭୁଲି ଯାଉଛନ୍ତି। ସହରରେ ରହିବାକୁ ପସନ୍ଦ କରୁଛନ୍ତି। ଗାଁକୁ ଫେରୁନାହାନ୍ତି। ମଲାବେଳେ ମୁହଁରେ ଟୋପାଏ ପାଣି ଦେବାକୁ ମଧ୍ୟ ନ ଥିବେ। ଗାଁ ଇସ୍କୁଲରେ ଯାହା ହେଲେ ସେତିକି ଯଥେଷ୍ଟ। ଏସବୁ ଯୁକ୍ତିକୁ ଖଣ୍ଡନ କରିବାକୁ ମୋ ପାଖରେ ଶବ୍ଦ ନାହିଁ। ଆପଣମାନେ ଯାହା ଦେଖୁଛନ୍ତି ତାହା କହୁଛନ୍ତି। ଅଙ୍ଗେଲିଭା କଥା। ତେବେ ସବୁ ଉଚ୍ଚ ଶିକ୍ଷିତ ମଣିଷ ଯେ ସ୍ବାର୍ଥପର କିମ୍ବା ସବୁ ସ୍ବାର୍ଥପର ମଣିଷ ଯେ ଉଚ୍ଚ ଶିକ୍ଷିତ ଏହା ଭାବିବା ଠିକ୍‌ ନୁହେଁ। କିନ୍ତୁ ସବୁ ପିଲା ହେଉଛନ୍ତି ଅମୂଲ୍ୟ ସମ୍ପଦ। ଆମେ ଜାଣିଛେ ଯତ୍ନ କଲେ ରତ୍ନ ମିଳେ, ଯେଉଁ ରତ୍ନ ପରିବାରଠାରୁ ଦେଶର ବିକାଶରେ ପ୍ରୟୋଜନ ହୋଇଥାଏ। ସବୁ କାମ ଧନ୍ଦା ଭିତରୁ କିଛି ସମୟ ବାହାର କରିବାକୁ ପଡ଼ିବ। ଏବେତ ସମସ୍ତ ବିଦ୍ୟାଳୟରେ ନିୟମିତ ବ୍ୟବଧାନରେ ମା’ବାପା, ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ରଙ୍କୁ ନେଇ ବୈଠକ ବସୁଛି। ପିଲାମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯାଉଛି। କିନ୍ତୁ ଆପଣମାନେ ସେହି ବୈଠକରେ ଉପସ୍ଥିତ ହେଉନାହାନ୍ତି। ଆପଣମାନଙ୍କ ଉପସ୍ଥିତି ହିଁ ପିଲାମାନଙ୍କ ମନୋବଳକୁ ଦ୍ୱିଗୁଣିତ କରିବ। ନିଶ୍ଚୟ ଅନୁରୋଧ କରିବି, ବିଦ୍ୟାଳୟକୁ ଆସନ୍ତୁ। ନିଜ ପିଲାମାନଙ୍କ ସମ୍ପର୍କରେ ଶିକ୍ଷକଙ୍କଠାରୁ ଜାଣନ୍ତୁ।
ଏବେ ସେହି ମା’ବାପାମାନଙ୍କୁ ଅନୁରୋଧ କରିବାକୁ ଚାହେଁ, ଯେଉଁମାନେ ଉଭୟ ଚାକିରି କରନ୍ତି। ସକାଳୁ ସଞ୍ଜଯାଏ ନିଜ ନିଜ ଅଫିସରେ କଟାନ୍ତି। ମୋର ମନେହୁଏ, ଆପଣମାନେ ଯେତିକି ସମୟ ଘରେ ରୁହନ୍ତି ମୋବାଇଲରେ ବ୍ୟସ୍ତ ରୁହନ୍ତି। ଅର୍ଥର ଅଭାବ ନ ଥିବା ହେତୁ ଝିଅପୁଅଙ୍କ ଦେଖାଶୁଣା ଚାକରାଣୀ ଚାକରଙ୍କ ଉପରେ ନ୍ୟସ୍ତ କରିଦିଅନ୍ତି। ପାଠପଢ଼ା ପାଇଁ ବିଷୟ ଭିତ୍ତିକ ଟ୍ୟୁଶନ ମାଷ୍ଟର, ସଙ୍ଗୀତ ଶିକ୍ଷା ପାଇଁ ସଙ୍ଗୀତ ମାଷ୍ଟର, ନୃତ୍ୟ ଶିକ୍ଷା ପାଇଁ ନୃତ୍ୟଗୁରୁ, ଯୋଗ ପାଇଁ ଯୋଗଗୁରୁ ନିଯୁକ୍ତି ଦିଅନ୍ତି। କିନ୍ତୁ କେବେ ଭାବନ୍ତି ନାହିଁ ସ୍ନେହ, ଶ୍ରଦ୍ଧା, ଆଦର, ମମତା ନ ପାଇବା ଦ୍ୱାରା ପିଲାମାନଙ୍କର କ’ଣ କ୍ଷତି ହୁଏ! ସବୁ ସୁବିଧା ସୁଯୋଗ ହାତପାହାନ୍ତାରେ ପାଇବା ଦ୍ୱାରା ଆପଣଙ୍କ ପିଲାମାନେ ହୁଏତ ବଡ଼ ମଣିଷ ହେବେ, କିନ୍ତୁ ଭଲ ମଣିଷ ହେବାରେ କେତେ ସଫଳ ହେବେ ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ଏଣୁ ଦାୟିତ୍ୱ ପାଳନ ନାମରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇ ପିଲାମାନଙ୍କୁ ଆପଣମାନେ ଏମିତି ଅଣଦେଖା କରିବା ଉଚିତ୍‌ ହେବ ନାହିଁ। ଥରେ ଭାବିଲେ ଦେଖି ଅର୍ଜିତ ଅମାପ ଧନ ସମ୍ପତ୍ତି କାହା ପାଇଁ, ଯଦି ପିଲାମାନେ ମଣିଷ ପରି ମଣିଷ ହୋଇ ନ ପାରିଲେ! ଯେତିକି ସମୟ ମୋବାଇଲ ସହିତ ବିତାଉଛନ୍ତି, ଯେତିକି ସମୟ କ୍ଲବ ପାର୍ଟିରେ କଟାଉଛନ୍ତି, ସେତିିକି ସମୟ ନିଜ ପିଲା ପାଖରେ ରହିଲେ ଯେଉଁ ଶୂନ୍ୟତା ସେମାନେ ଅନୁଭବ କରୁଛନ୍ତି ତାହା ହେବନାହିଁ।
ବହୁ ମାତାପିତା ଅଛନ୍ତି, ଯେଉଁମାନେ ନିଜ ପିଲାଙ୍କ ଭବିଷ୍ୟତ ପ୍ରତି ଅଧିକ ସଚେତନ। ଆବଶ୍ୟକତାଠାରୁ ମଧ୍ୟ ଅଧିକ। ସେମାନେ ପିଲାଙ୍କ ପ୍ରାକୃତିକ ବୃଦ୍ଧିକୁ ଅପେକ୍ଷା କରିପାରନ୍ତି ନାହିଁ। କଥା କହିବାକୁ ଆରମ୍ଭ କଲା ବେଳଠୁ ଚାଲେ ପାଠପଢ଼ା। ପିଲାଟିର ଦକ୍ଷତା କେତେ, ସେ କେତେ ଗ୍ରହଣ କରିପାରିବ, ସେ ଚାହୁଁଛି କ’ଣ ଏସବୁ ପ୍ରତି ଆଦୌ ଧ୍ୟନ ଦିଅନ୍ତି ନାହିଁ। ତା’ ଭିତରେ କେଉଁ ପ୍ରତିଭା ଅଛି, ତାକୁ ଅନ୍ବେଷଣ ନ କରି ସବୁଥିରେ ପାରଙ୍ଗମ କରିବାକୁ ଲାଗିପଡ଼ନ୍ତି। ଏଥିପାଇଁ ଯାହା ଯାହା ଦରକାର ଯୋଗାଇଦେବାକୁ ଲାଗିପଡ଼ନ୍ତି। ଏହି ଧରଣର ମାନସିକତା ଯୋଗୁ ଏକ ରୁଟିନବନ୍ଧା ଜୀବନ ଭିତରକୁ ଟାଣିନିଏ ପିଲାମାନଙ୍କୁ। କେବଳ ଏତିକି ନୁହେଁ, ଅସୁସ୍ଥ ପ୍ରତିଯୋଗିତା ପିଲାମାନଙ୍କୁ ଅଣନିଃଶ୍ୱାସୀ କରିପକାଏ। ଆଉ କିଛି ମା’ବାପା ଅଛନ୍ତି, ଯେଉଁମାନ ନିଜ ଝିଅପୁଅଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ଏକ ନୈରାଶ୍ୟଜନକ ସ୍ଥିତିକୁ ଟାଣିନିଅନ୍ତି। ଏମାନେ ସର୍ବଦା ଅନ୍ୟ ପିଲାଙ୍କ ସହିତ ନିଜ ପିଲାଙ୍କୁ ତୁଳନା କରିବା ଆରମ୍ଭ କରିଦିଅନ୍ତି। ଏହାଦ୍ୱାରା ପିଲାମାନେ ନିଜକୁ ଛୋଟ ମଣନ୍ତି। ନିରୁତ୍ସାହିତ ହୋଇପଡ଼ନ୍ତି। ଯେଉଁମାନଙ୍କ ଉଦାହରଣ ଦିଆଯାଏ, ସେମାନଙ୍କ ପ୍ରତି ଈର୍ଷାପରାୟଣ ହୁଅନ୍ତି।
ପିଲାମାନଙ୍କ ପିଲାଦିନ ଅତ୍ୟନ୍ତ ସମ୍ବେଦନଶୀଳ ସମୟ। ସହଜରେ ସବୁ କଥା ଗ୍ରହଣ କରିପାରନ୍ତି ନାହିଁ କି ପ୍ରତିବାଦ କରିବାର ସାହସ ଦେଖାଇ ପାରନ୍ତି ନାହିଁ। ନିଜର ଆବଶ୍ୟକତାକୁ ମୁହଁ ଖୋଲି କାହା ଆଗରେ ଖୋଲି କହିପାରନ୍ତି ନାହିଁ, କିନ୍ତୁ ଅଭାବ ରହିଲେ ଅଣଦେଖା କରାଯାଉଛି ବୋଲି ଧରିନିଅନ୍ତି। ଏଣୁ ମା’ବାପାମାନେ ବେଶ୍‌ ଯତ୍ନବାନ ହେବା ଜରୁରୀ। ମା’ବାପା ହେଉଛନ୍ତି ପ୍ରତ୍ୟେକ ପିଲାର ପ୍ରଥମ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ପରିବାର ହେଉଛି ପ୍ରଥମ ପାଠଶାଳା। ମା’ର କୋଳଠାରୁ ନିରାପଦ ସ୍ଥାନ ପୃଥିବୀରେ କେଉଁଠି ନାହିଁ କି ବାପାଠାରୁ ଅଧିକ ଭରସାଯୋଗ୍ୟ ବ୍ୟକ୍ତି କେହି ନାହାନ୍ତି। ଆପଣମାନଙ୍କ ସବୁଠୁ ବଡ଼ ଦାୟିତ୍ୱ ହେଲା ପିଲା ଭିତରେ ସତ୍‌ସାହସ ସଞ୍ଚାରିତ କରିବା। କୌଣସି କଥାକୁ ସେମାନେ ଯେପରି ଅନ୍ଧ ଭାବରେ ବିଶ୍ୱାସ କରିଯାଆନ୍ତି ନାହିଁ ସେ ଦିଗରେ ଉଦ୍ୟମ କରିବା। ପିଲା ଭିତରେ ଜିଜ୍ଞାସା ରହିଲେ ସେ କାରଣ ଖୋଜିବ। କାରଣ ଖୋଜିଲେ ସର୍ଜନଶୀଳତା ବୃଦ୍ଧି ପାଇବ। ଏଣୁ ମା’ବାପାମାନେ ପିଲାଙ୍କୁ ଭୀରୁ କରିଦିଅନ୍ତୁ ନାହିଁ କି ନିଜର ଇଚ୍ଛାକୁ ସେମାନଙ୍କ ଉପରେ ଲଦି ଦିଅନ୍ତୁ ନାହିଁ। ପ୍ରତ୍ୟେକ ପିଲା କୌଣସି ନା କୌଣସି ପ୍ରତିଭାର ଅଧିକାରୀ। ସେହି ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରି ସେହି ଦିଗରେ ପ୍ରୋତ୍ସାହିତ କଲେ ସେ ଭବିଷ୍ୟତରେ ଏକ ପ୍ରଭାବଶାଳୀ ବ୍ୟକ୍ତିରେ ପରିଗଣିତ ହେବ।
ସଭାପତି, ଓଷ୍ଟା, ନୟାସଡ଼କ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri