ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟ୍ର ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ କ୍ରିକେଟ ମଇଦାନରେ ଲଢ଼େଇ ଦେଖିବାକୁ ମିଳିଛି। ବିନୁ ମାଙ୍କଡ଼ ଟ୍ରଫିର ଅଣ୍ଡର-୧୯ ଏଲିଟ ଗ୍ରୁପ୍ରେ ଅକ୍ଟୋବର ୧୨ ତାରିଖରେ କର୍ନାଟକ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜ ବ୍ୟାଟିଂରେ ଚମକ ଦେଖାଇଥିବାବେଳେ ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗଙ୍କ ବ୍ୟାଟ ଶାନ୍ତ ରହିଥିଲା। ଏହି ମ୍ୟାଚ୍ରେ କର୍ନାଟକ ୧୯୮ ରନ୍ରେ ଦିଲ୍ଲୀକୁ ପରାସ୍ତ କରିଛି।
କର୍ନାଟକ ଅଣ୍ଡର-୧୯ ଦଳ ପକ୍ଷରୁ ଖେଳୁଥିବା ଅନୱୟ ଦ୍ରାବିଡ଼ ମାତ୍ର ୪୧ ବଲ୍ରେ ଅପରାଜିତ ୮୫ ରନ ସଂଗ୍ରହ କରିଥିଲେ। ତାଙ୍କ ଇନିଂସ୍ରେ ୭ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ପ୍ରାୟ ୨୦୭ ଷ୍ଟ୍ରାଇକ ରେଟ୍ରେ ବ୍ୟାଟିଂ କରି ସେ ଦଳର ବଡ଼ ସ୍କୋରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଅନୱୟଙ୍କ ବ୍ୟତୀତ ନିତିନ ଆର୍ଯ୍ୟ ଓ ଧ୍ରୁବ କୃଷ୍ଣନ ମଧ୍ୟ ଶତକ ହାସଲ କରିଥିଲେ। ଏହି ତିନି ବ୍ୟାଟରଙ୍କ ଦମ୍ଦାର ପ୍ରଦର୍ଶନ ବଳରେ କର୍ନାଟକ ୪୯ ଓଭରରେ ୪ ଉଇକେଟ ହରାଇ ୪୧୮ ରନ କରିଥିଲା। ଫଳରେ ଦିଲ୍ଲୀ ସମ୍ମୁଖରେ ୪୧୯ ରନ୍ର ବିଶାଳ ଲକ୍ଷ୍ୟ ରହିଥିଲା।
୪୧୯ ରନ୍ର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଦିଲ୍ଲୀ ଦଳର ଓପନିଂ କରିଥିଲେ ଅଧିନାୟକ ଆର୍ଯ୍ୟବୀର ସେହ୍ବାଗ। ତେବେ ସେ ୩୫ ବଲ୍ରେ ମାତ୍ର ୩୨ ରନ କରି ଆଉଟ ହୋଇଥିଲେ। ତାଙ୍କ ଇନିଂସ୍ରେ ୫ଟି ଚୌକା ରହିଥିଲା, କିନ୍ତୁ ଗୋଟିଏ ବି ଛକା ନ ଥିଲା। ଅନ୍ୟପଟେ କର୍ନାଟକ ଦଳ ସମଗ୍ର ଇନିଂସ୍ରେ ୨୨ଟି ଛକା ମାରିଥିବା ବେଳେ ଦିଲ୍ଲୀ ଦଳ ମିଳିତ ଭାବେ ମାତ୍ର ୫ଟି ଛକା ମାରିପାରିଥିଲା। ଏହି ପାର୍ଥକ୍ୟ ଦୁଇ ଦଳର ବ୍ୟାଟିଂ ଶୈଳୀକୁ ସ୍ପଷ୍ଟ କରିଥିଲା।
କର୍ନାଟକ ଦେଇଥିବା ୪୧୯ ରନ୍ର ଲକ୍ଷ୍ୟର ଜବାବରେ ଦିଲ୍ଲୀ ଦଳ ୪୧.୧ ଓଭରରେ ମାତ୍ର ୨୨୦ ରନ କରି ଅଲଆଉଟ ହୋଇଯାଇଥିଲା। ଏହା ସହ କର୍ନାଟକ ୧୯୮ ରନ୍ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ରେ ଅନୱୟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆର୍ଯ୍ୟବୀର ସେହୱାଗଙ୍କ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତେବେ ଉଭୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଆଗାମୀ ମ୍ୟାଚ୍ଗୁଡ଼ିକରେ କିପରି ରହୁଛି, ତାହା ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିବ।
Dharitri – Odisha’s No.1 Odia Daily

