ଭିନ୍ନ ଏକ କରୋନା ଯୋଦ୍ଧା

ପ୍ର. ରମେଶ ଚନ୍ଦ୍ର ପରିଡ଼ା

କୋଭିଡ୍‌-୧୯ ମହାମାରୀ ଏବେ ବି ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। ଅଦ୍ୟାବଧି ଏହାର ପ୍ରତିଷେଧକ ଟିକା କିମ୍ବା ବିଧିବଦ୍ଧ ଔଷଧଟିଏ ହସ୍ତଗତ ହୋଇପାରିନାହିଁ। ତଥାପି ସାଧାରଣ ମଣିଷକୁ ସାବଧାନତା ଅବଲମ୍ବନ ତଥା ଚିକିତ୍ସା ମାଧ୍ୟମରେ ଏହାର ପ୍ରକୋପରୁ ରକ୍ଷାକରିବା ଲାଗି ଯେଉଁମାନେ ନିଜ ପ୍ରତି ଆସୁଥିବା ବିପଦକୁ ଭ୍ରୂକ୍ଷେପ ନ କରି କର୍ତ୍ତବ୍ୟ କରିଚାଲିଛନ୍ତି ସେମାନଙ୍କୁ କୁହାଯାଉଛି ‘କରୋନା ଯୋଦ୍ଧା’। ଏମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଉଛନ୍ତି ଡାକ୍ତର, ନର୍ସ ଏବଂ ବିବିଧ ସ୍ବାସ୍ଥ୍ୟକର୍ମୀ। ସମ୍ଭବତଃ ଏହି ତାଲିକାରେ ଏବେ କୁକୁରଙ୍କୁ ଯୋଗକରିବାକୁ ପଡିବ। କାରଣ, ସେମାନେ କୌଣସି ବ୍ୟକ୍ତିଠାରେ ଏ ସଂକ୍ରମଣ ଥିଲେ ତାହାର ଲକ୍ଷଣ ପ୍ରକାଶ ପାଇବା ଆଗରୁ ସେଥି ସମ୍ପର୍କରେ ସୂଚନା ଦେବାକୁ ସମର୍ଥ। ସେଥିପାଇଁ ନିକଟରେ ତହିଁରୁ କେତେକଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଏଥିରେ ନିୟୋଜିତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ବୁଦ୍ଧିମାନ ଜୀବ ହିସାବରେ ସମ୍ଭବତଃ ମଣିଷ ଏବଂ ସିମ୍ପାଞ୍ଜି ତଥା ସେହି ଶ୍ରେଣୀର ଜୀବଙ୍କୁ ବାଦ ଦେଲେ ପରବର୍ତ୍ତୀ ସ୍ଥାନ ହେଲା କୁକୁରର। ଏହାର ବୁଦ୍ଧିମତ୍ତାକୁ ଜଣେ ୧ ବର୍ଷ ବୟସର ମଣିଷ ଶିଶୁ ସହିତ ତୁଳନା କରାଯାଇପାରିବ। ଏହାବ୍ୟତୀତ ଏହି ଜୀବଟିର ଆମ କାନ ଶୁଣିପାରୁ ନ ଥିବା ପାରସ୍ବନିକ ଧ୍ୱନି ଚିହ୍ନଟ କରିବାରେ ଏକ ବିଶେଷ ଦକ୍ଷତା ରହିଛି। ସେଥିପାଇଁ ସେ ଭୂମିକମ୍ପ ଭଳି ଘଟଣାକୁ ତାହା ଘଟିବାର ଅନେକ ଘଣ୍ଟା ଆଗରୁ ଜାଣିପାରେ। କାରଣ, ଏହାର କେନ୍ଦ୍ର (ଏପିସେଣ୍ଟର୍‌)ରୁ ପ୍ରଥମ ଅବସ୍ଥାରେ ନିର୍ଗତ ଏହି ଧ୍ୱନି ତାକୁ ଶୁଭିଥାଏ। ପ୍ରକୃତି ମଧ୍ୟ ଏହାକୁ ଅସାଧାରଣ ଘ୍ରାଣଶକ୍ତି ଦେଇଛି। ତାହାର ଏହି ବିଶେଷତାକୁ ଆମେ ଚୋର ଚିହ୍ନଟଠାରୁ ଆରମ୍ଭ କରି ଭୂମିତଳେ ଥିବା ଲ୍ୟାଣ୍ଡମାଇନ୍‌ ,ବିସ୍ଫୋରକ ଏବଂ ସେ ପ୍ରକାର ଅନ୍ୟାନ୍ୟ ପଦାର୍ଥ ସମ୍ପର୍କରେ ସୂଚନା ଦେବା ଲଗି ବ୍ୟବହାର କରିଆସୁଛୁ। ଏବେ ବିବିଧ ରୋଗ ଚିହ୍ନଟ କରିବାରେ ମଧ୍ୟ ତାହାର ସହାୟତା ଆରମ୍ଭ ହେଲାଣି।
ମଣିଷର ନାକରେ ଥାଏ କେବଳ ୬ ନିୟୁତ ଘ୍ରାଣଗ୍ରାହୀ କିନ୍ତୁ କୁକୁରଠାରେ ତାହା ପ୍ରାୟ ୩୦୦ ନିୟୁତ। ଅନ୍ୟପକ୍ଷରେ, ସେହି ଅନୁସାରେ ତା’ ମସ୍ତିଷ୍କର ଏକ ବୃହତ୍ତର ଅଂଶ ଗନ୍ଧବାରିବାରେ ନିୟୋଜିତ ହୋଇଥାଏ। ତେଣୁ ପ୍ରାୟ ୪୦ ଫୁଟ ଦୂରରେ ପୋତା ହୋଇଥିବା କୌଣସି ପଦାର୍ଥ ଏବଂ ତାହାର ଘନତ୍ୱ ବାୟୁ ବା ଜଳରେ ହଜାର-ନିୟୁତ (ବିଲିୟନ) ଭାଗରୁ ଭାଗେ ହୋଇଥିଲେ ମଧ୍ୟ ତାହା ଜାଣିପାରେ। ବିଭିନ୍ନ ଗନ୍ଧକୁ ଅଲଗା ଅଲଗା ରୂପେ ଚିହ୍ନଟ କରିପାରେ। ଏହାଛଡା କୁକୁରର ବିସ୍ମୟକର ଘ୍ରାଣଶକ୍ତି ତାକୁ ଆମ ଭୟ, ଦୁଶ୍ଚିନ୍ତା, ଦୁଃଖ, ଆନନ୍ଦ ଆଦି ମାନସିକ ଅବସ୍ଥା ବୁଝିବାକୁ ସକ୍ଷମ କରିଥାଏ। ଉଦାହରଣସ୍ବରୂପ, ଭୟ ଓ ଦୁଶ୍ଚିନ୍ତା ଆମଠାରେ ‘ଲଢ଼େଇ କିମ୍ବା ପଳାୟନ’ (ଫାଇଟ୍‌ ଅର୍‌ ଫ୍ଲାଇଟ୍‌) ମାନସିକତା ସୃଷ୍ଟି କରେ। ଫଳରେ ଆମ ହୃଦ୍‌ସ୍ପନ୍ଦନ ଓ ରକ୍ତଚାପ ସମେତ ନାନାଦି ଚୟାପୟନ କ୍ରିୟାକଳାପ କ୍ଷୀପ୍ର ହୁଏ। ତାହା ଶରୀର ମଧ୍ୟରେ ଆଡ୍ରେନାଲିନ୍‌ ହର୍‌ମୋନ୍‌ ତଥା ଅନ୍ୟାନ୍ୟ ରସାୟନର କ୍ଷରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ। କୁକୁରର ଶକ୍ତିଶାଳୀ ଘ୍ରାଣଶକ୍ତି ତାହା ବାରିପାରେ। ସେହିପରି ବିଭିନ୍ନ ରୋଗର ମଧ୍ୟ ଭିନ୍ନ ଭିନ୍ନ ରାସାୟନିକ ସ୍ବାକ୍ଷର ରହିଛି। କୁକୁର ସେଥିପ୍ରତି ତଦନୁସାରେ ପ୍ରତିକ୍ରିୟା ପ୍ରକାଶ କରିପାରେ। ଆଜି ପର୍ଯ୍ୟନ୍ତ ତା’ର ଏହି ଅସାଧାରଣ ଗୁଣକୁ କର୍କଟରୋଗ, ମଧୁମେହ, ଯକ୍ଷ୍ମା, ପାରବିନସନସ୍‌ ରୋଗ ଏବଂ ମୁଣ୍ଡବ୍ୟଥା ଆଦି ଚିହ୍ନଟ କରିବାରେ ଅଳ୍ପ ବହୁତ ବ୍ୟବହାର କରାଗଲାଣି। ବର୍ତ୍ତମାନ ମଣିଷ ଜାତିର ଇତିହାସରେ ସର୍ବାଧିକ ଘାତକ ରୂପେ ବିଚାର କରାଯାଉଥିବା ମହାମାରୀ କୋଭିଡ୍‌-୧୯ ବା ନୂତନ କରୋନା କ୍ଷେତ୍ରରେ ଏହାର ଏପ୍ରକାର ଉପଯୋଗ ଆରମ୍ଭ ହୋଇଛି।
କୁକୁରର ଅତି ଉଚ୍ଚକୋଟୀର ସମ୍ବେଦନଶୀଳ ଘ୍ରାଣଶକ୍ତିକୁ ବିଭିନ୍ନ ପ୍ରକାର କର୍କଟରୋଗ ଚିହ୍ନଟ ପ୍ରକ୍ରିୟାରେ ପ୍ରୟୋଗ କରିବା ଆରମ୍ଭ ହୋଇଥିଲା ୨୦୦୬ ମସିହାରେ। ସେତେବେଳେ ଏ ଜୀବଟି ୯୯ ଶତାଂଶ ନିର୍ଦ୍ଦିଷ୍ଟତା ସହିତ ସ୍ତନ୍ୟ ଏବଂ ଫୁସ୍‌ଫୁସ୍‌ କର୍କଟରୋଗ ଚିହ୍ନଟ କରିପାରିବ ବୋଲି କାଲିପର୍ନିଆସ୍ଥିତ ପାଇନ୍‌ ଷ୍ଟିଟ୍‌ ଫାଉଣ୍ଡେସନ୍‌ର ଗବେଷକ ମାଇକେଲ୍‌ ମ୍ୟାକ୍‌ କୁଲୋଚ ଏବଂ ତାଙ୍କ ସହଯୋଗୀମାନଙ୍କ ଗବେଷଣାରୁ ଜଣାପଡିଥିଲା। ତାଙ୍କ ପରୀକ୍ଷାରେ ସେମାନେ ୫ଟି କୁକୁର ନେଇ ସେମାନଙ୍କୁ ୩ ସପ୍ତାହ ଧରି ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ୮୬ ଜଣ ସ୍ତନ କର୍କଟରୋଗୀ ଏବଂ ୮୩ ଜଣ ସୁସ୍ଥ ଲୋକଙ୍କ ନିଃଶ୍ୱାସରୁ ନିର୍ଗତ ବାୟୁର ନମୁନା ନେଇ ପ୍ରତ୍ୟେକଙ୍କୁ ଥର ଥର କରି ଆଘ୍ରାଣ କରିବାକୁ ଦିଆଯାଇଥିଲା। ରୋଗୀଙ୍କଠାରୁ ସଂଗୃହୀତ ନମୁନା ଘ୍ରାଣ କରିବା ସଙ୍ଗେ ସଙ୍ଗେ ଏବଂ ସୁସ୍ଥ ଲୋକଙ୍କଠାରୁ ସଂଗୃହୀତ ନମୁନା ପ୍ରତି ଧ୍ୟାନ ନ ଦେବାକୁ ଶିକ୍ଷା ଦିଆଗଲା। ଫଳରେ କିଛିଦିନ ମଧ୍ୟରେ ସେମାନେ ଗନ୍ଧଗୁଡିକୁ ମନେ ରଖିପାରିଲେ ଏବଂ ନୂଆ ନମୁନା ପ୍ରତି ଯଥା ଆଚରଣ ପ୍ରଦର୍ଶନ କଲେ। ପୁନଶ୍ଚ ୨୦୧୫ରେ ଇଟାଲିର ଏକ ଗବେଷକ ଦଳ ୨ଟି କୁକୁରଙ୍କୁ ପୌରୁଷ ଗ୍ରନ୍ଥି (ପ୍ରୋଷ୍ଟେଟ୍‌) କର୍କଟରୋଗୀର ପରିସ୍ରାରେ ଥିବା ଏହି ରୋଗ ସହିତ ସମ୍ପୃକ୍ତ ରସାୟନର ଗନ୍ଧ ବାରିବାକୁ ଶିକ୍ଷା ଦେଇଥିଲେ। ବର୍ତ୍ତମାନ ଆମେରିକାର ବଙ୍କିଙ୍ଗ୍‌ହାମସାୟାର୍‌ ହେଲ୍‌ଥ କେୟାର ଏନ୍‌ଏଚ୍‌ଏସ୍‌ ଟ୍ରଷ୍ଟ ବହୁ ସଂଖ୍ୟକ କୁକୁରଙ୍କୁ ସ୍ତନ୍ୟ ଓ ଫୁସ୍‌ଫୁସ୍‌ କର୍କଟ ରୋଗ ଚିହ୍ନଟ ଲାଗି ପ୍ରଶିକ୍ଷଣ ଦେଉଛି ଏବଂ ତହିଁରୁ କେତେକଙ୍କୁ ଏ କାର୍ଯ୍ୟରେ ବିନଯୋଗ କରାଗଲାଣି।
ମହାମାରୀ କୋଭିଡ୍‌-୧୯ ଭୂତାଣୁଙ୍କୁ ଚିହ୍ନଟ କରିବାରେ କୁକୁରଙ୍କ ସାହାଯ୍ୟ ନେବା ଲଗି ପ୍ରଥମେ ଉଦ୍ୟମ ଆରମ୍ଭ ହୋଇଥିଲା ଇଂଲଣ୍ଡ ସରକାରଙ୍କ ଦ୍ୱାରା। ଏଥିରେ ସଂକ୍ରମିତ ମଣିଷଠାରେ ରୋଗର ଲକ୍ଷଣ ପ୍ରକଟିତ ହେବା ଆଗରୁ ତାହା ଚିହ୍ନଟ କରିବା ଲାଗି ଏହି ଜୀବମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦେବାକୁ ଏହା ମେ (୨୦୨୦) ୧୬ ତାରିଖ ଦିନ ୫,୦୦,୦୦୦ ପାଉଣ୍ଡ ଅନୁଦାନ ଘୋଷଣା କରିଥିଲା। ଏଣୁ ଡର୍‌ହାମ୍‌ ବିଶ୍ୱବିଦ୍ୟାଳୟ ଏବଂ ଚ୍ୟାରିଟି ମେଡିକାଲ୍‌ ଡିଟେକ୍‌ସନ୍‌ ଡଗସ୍‌ ସଂସ୍ଥାର ସହଯୋଗରେ ‘ଲଣ୍ଡନ ସ୍କୁଲ ଅଫ୍‌ ହାଇଜିନ୍‌ ଏଣ୍ଡ ଟ୍ରପିକାଲ୍‌ ମେଡିସିନ୍‌ସ’ର ଗବେଷକମାନେ ଏ କାର୍ଯ୍ୟ ଆରମ୍ଭ କରିଦେଲେ। ଆଗରୁ ଏହି ପ୍ରତିଷ୍ଠାନର ଗନ୍ଧ ମାଧ୍ୟମରେ ରୋଗ ଚିହ୍ନଟ ପାଇଁ କୁକୁରଙ୍କୁ ପ୍ରଶିକ୍ଷଣ ଦେବାର ଅନୁଭୂତି ରହିଛି।
ପ୍ରାଥମିକ ଅବସ୍ଥାରେ ଲଣ୍ଡନର ‘ନ୍ୟାଶନାଲ ହେଲ୍‌ଥ ସର୍ଭିସ’ର କର୍ମୀମାନଙ୍କୁ ନିୟୋଜିତ କରାଗଲା କିଛି ରୋଗୀ ଏବଂ କିଛି ନୀରୋଗଙ୍କଠାରୁ ନିଃଶ୍ୱାସ ବାୟୁର ନମୁନା ସଂଗ୍ରହ କରିବାରେ। ତପତ୍ରେ କୋଭିଡ୍‌-୧୯ ଭୂତାଣୁ ଚିହ୍ନଟ ଲାଗି ଛ’ଟି କୁକୁରଙ୍କୁ ପ୍ରଶିକ୍ଷଣ ଦେବା ଲାଗି ବଛାଗଲା। ବର୍ତ୍ତମାନ ସେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇସାରିଛି। ତେଣୁ କେତେ ସ୍ଥାନରେ ସେମାନଙ୍କୁ ପରୀକ୍ଷାମୂଳକ ଭାବେ ଏ କାର୍ଯ୍ୟରେ ନିୟୋଜିତ କରାଗଲାଣି। ଉଦାହରଣସ୍ବରୂପ, ୟୁନାଇଟେଡ୍‌ ଆରବ ଏମିରେଟ୍‌ର ଦୁବାଇ ଏବଂ ଫିନଲ୍ୟାଣ୍ଡର ନୋରଡିକ ବିମାନବନ୍ଦରଠାରେ କିଛି ପ୍ରଶିକ୍ଷିତ କୁକୁରଙ୍କୁ ଏ ରୋଗ ଚିହ୍ନଟ ପାଇଁ କାର୍ଯ୍ୟରେ ଲଗାଯାଉଛି। ପୁନଶ୍ଚ ହେଲସିଙ୍କଠାରେ ଏହାକୁ ଆହୁରି ବ୍ୟାପକ କରିବାକୁ ପ୍ରସ୍ତୁତି ଚାଲିଛି।
ବର୍ତ୍ତମାନ ଏସବୁ ସ୍ଥାନରେ ଯାତ୍ରୀମାନଙ୍କୁ ଉଭୟ କୁକୁର ସହାୟତାରେ ଏବଂ ପାରମ୍ପରିକ ପଦ୍ଧତିରେ ପରୀକ୍ଷା କରାଯାଉଛି। ଏ ପ୍ରକ୍ରିୟା ଆହୁରି ୪/୬ ମାସ ଚାଲିବ। ଯଦି ଉଭୟର ଫଳାଫଳ ଏକାପ୍ରକାର ହୁଏ, ତେବେ ତା’ ପରେ କେବଳ କୁକୁରଙ୍କ ଦ୍ୱାରା ଏହା ସମ୍ପାଦିତ କରାଯିବ। ଏ ପ୍ରକ୍ରିୟା ହେବ ସହଜ, ଶସ୍ତା ଏବଂ କ୍ଷିପ୍ର। ଇତିମଧ୍ୟରେ ଅଷ୍ଟ୍ରେଲିଆ, ଫ୍ରାନ୍‌ସ, ଜର୍ମାନୀ ଏବଂ ଆମେରିକା ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି। ଯଦି ଫିନ୍‌ଲ୍ୟାଣ୍ଡଠାରେ ଚାଲିଥିବା ପରୀକ୍ଷା ସଫଳ ହୁଏ ତେବେ ଏ ଦେଶଗୁଡିକ ତାହା ଯଥାଶୀଘ୍ର ଆରମ୍ଭ କରିଦେବେ। ଅତଏବ କୁକୁରଙ୍କର ଏ କ୍ଷେତ୍ରରେ ବିନିଯୋଗ ବ୍ୟାପକ ଏବଂ ବିଶ୍ୱବ୍ୟାପୀ ହେବାର ପଥ ଉନ୍ମୁକ୍ତ ହେବ।
ଉଷାନିବାସ, ଖଣ୍ଡଗିରିବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

ପ୍ରତିବାଦରେ ଉପହାସ

ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri