ନୂଆପଡ଼ା, ୧୪।୧ (ମକାରୁ ବେମାଲ): ଛତିଶଗଡ଼ର ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଏଚ୍ପିସିଏଲ୍ ଗ୍ୟାସ୍ ପାଇପ୍ ଲାଇନ ପ୍ରକଳ୍ପକୁ ନୂଆପଡ଼ା ବ୍ଲକରେ ବିରୋଧ କରାଯାଇଛି। ମଙ୍ଗଳବାର ନୂଆପଡା ମହକୁମା ସାହୁ ସମାଜ ଭବନଠାରେ ସଦର ବ୍ଲକର କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷମାନେ ଏକଜୁଟ ହୋଇ ପ୍ରକଳ୍ପକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଏହି ପ୍ରସ୍ତାବିତ ଗ୍ୟାସ୍ ପାଇପ ଲାଇନ ପ୍ରକଳ୍ପର ସର୍ଭେ କାର୍ଯ୍ୟ ଇତିମଧ୍ୟରେ କମ୍ପାନୀ ପକ୍ଷରୁ କରାଯାଇ ଭୂମି ମାଲିକଙ୍କୁ ନୋଟିସ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଦିବାସୀ ନେତା ଖାମସିଂ ମାଝିଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷୀମାନେ ଏକାଠି ହୋଇଥିଲେ। ସେମାନେ ଦର୍ଶାଇଥିଲେ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ଜମି ମାଲିକଙ୍କୁ ସାଙ୍ଗରେ ନେଇ କମ୍ପାନୀ ସର୍ଭେ କରିବା କଥା। କିନ୍ତୁ କାହାକୁ କିଛି ନ ଜଣାଇ କମ୍ପାନୀ ମନମୁଖି ସର୍ଭେ କରି ନୋଟିସ ଜାରି କରିଛି। ଅନେକ ଚାଷୀ ଏପର୍ଯ୍ୟନ୍ତ କିଛି ଜାଣି ନାହାନ୍ତି। କମ୍ପାନୀ କିଛି ଲୋକଙ୍କ ଅଭିଯୋଗକୁ ଜିଲା ପ୍ରଶାସନ ପାଖରେ ରଖି ତା’ର ସମାଧାନ କରିଦେବାକୁ ଭିତିରିଆ ଚାଲ ଖେଳୁଛି ବୋଲି ସଭାରେ ଖାମସିଂ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ପ୍ରଥମେ ଗ୍ରାମସଭା ହେଉ, ନ ହେଲେ ଆମେ ପକଳ୍ପକୁ ବିରୋଧ କରିବୁ। ସମାବେଶରେ ଗୋପାଳ ଚନ୍ଦ୍ର ସାହୁ, ଲଳିତ ସାହୁ, ଭୋଳାନାଥ ସାହୁ, ହୋମସିଂ ମାଝି, ନୀଳକଣ୍ଠ ସାହୁ, ଶୋଭାରାମ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।


