ଥୁଆମୂଳ ରାମପୁର, ୧୩ା୧ (ଦୁର୍ଗା କୀର୍ତ୍ତି): ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନିମନ୍ତେ ମଙ୍ଗଳବାର ଥୁଆମୂଳ ରାମପୁର ବ୍ଲକରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ବାହାରିଛି। ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଅତିଥିମାନେ ଯାତ୍ରାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବିଡିଓ ଧ୍ରୁବ ଚରଣ ମୁଦୁଲି, ବିଏସଏସଓ ସୁନାରାମ ସୋରେନ, ସାଂସଦ ପ୍ରତିନିଧି ପବିତ୍ର ନାଏକ ଏବଂ ପୂର୍ବତନ ଡବ୍ଲୁଓଡିସି ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ମଶାଲ ପ୍ରଜ୍ଜ୍ୱଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମଏମପିଏସ କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ଅଧ୍ୟାପକ ବିରଞ୍ଚି ନାଏକ, ଅଧ୍ୟାପକ ବଳଭଦ୍ର ହରିଜନ, ଏପିଓ ଭକ୍ତ ସେଠୀ, ଆର୍ ଏଚ ରାଜେନ୍ଦ୍ର ନାରାୟଣ ଦେବ, ପିଇଓ ଟଙ୍କଧର ସାହୁ,ଭାଜପା ଯୁବ ନେତା ରାଧା ନାଏକ ଏବଂ ଏନୱାଇକେ ସଦସ୍ୟ ବିକାଶ ନାଏକ ଓ ଲମ୍ବୋଦର ନାଏକ ପ୍ରମୁଖ ସାମିଲ ହୋଇଥିଲେ। ଏହି ମଶାଲଟି ଥୁଆମୂଳ ରାମପୁରରୁ ବାହାରି ଗୋପାଳପୁର, କାନିଗୁମା ଓ ଗୁଣପୁର ପରିକ୍ରମା କରି ସଗଡ଼ାଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୪ ତାରିଖ ବୁଧବାର ପୂର୍ବାହ୍ନ ୧୧ଟାରେ ମଶାଲଟି ଭବାନୀପାଟଣା ସହରରେ ପ୍ରବେଶ କରିବ। ପରେ ସେଠାରେ ଅନୁଷ୍ଠିତ ମୁଖ୍ୟ ଶୋଭାଯାତ୍ରାରେ ସାମିଲ ହୋଇ ଉତ୍ସବ ପଡ଼ିଆକୁ ନିଆଯିବ।ପରିକ୍ରମା ସମୟରେ ବ୍ଲକର ବିଭିନ୍ନ ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣଙ୍କ ଦ୍ୱାରା ମଶାଲକୁ ପାରମ୍ପରିକ ରୀତିରେ ଭବ୍ୟ ସ୍ୱାଗତ କରାଯିବାର ନିର୍ଦ୍ଦେଶ ରହିଛି। ଏହି ଅବସରରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଛି।


