ନୂଆଦିଲ୍ଲୀ,୧୩।୧: ଇରାନ ଉପରେ ଖୁବଶୀଘ୍ର ଆକ୍ରମଣ କରିପାରେ ଆମେରିକା। ମଙ୍ଗଳବାର ଏକ ପ୍ରକାର ଏହା ନିଶ୍ଚିତ ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏକ ପୋଷ୍ଟ କରି ଏହା କହିଛନ୍ତି।
ଇରାନରେ ସରକାର ବିରୋଧୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ଏକ ପୋଷ୍ଟ କରି ସେ ଇରାନବାସୀଙ୍କୁ ଆନ୍ଦୋଳନ ଜାରି ରଖିବା ସହ ସରକାରୀ ଅନୁଷ୍ଠାନଗୁଡ଼ିକୁ ନିଜ ଦଖଲକୁ ନେବାକୁ ଆହ୍ୱାନ ଦେଇଛନ୍ତି।
ଟ୍ରମ୍ପ ଲେଖିଛନ୍ତି, “ଇରାନର ଦେଶପ୍ରେମୀମାନେ, ଆନ୍ଦୋଳନ ଜାରି ରଖ – ନିଜର ସରକାରୀ ଅନୁଷ୍ଠାନଗୁଡ଼ିକୁ ଦଖଲ କର!!! ହତ୍ୟାକାରୀ ଓ ଅତ୍ୟାଚାରୀମାନଙ୍କ ନାମ ମନେ ରଖ, ସେମାନଙ୍କୁ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିବ। ଯେପର୍ଯ୍ୟନ୍ତ ନିରୀହ ଆନ୍ଦୋଳନକାରୀଙ୍କ ହତ୍ୟାକାଣ୍ଡ ବନ୍ଦ ହୋଇନାହିଁ, ମୁଁ ଇରାନୀୟ ଅଧିକାରୀଙ୍କ ସହ ସମସ୍ତ ବୈଠକ ବାତିଲ କରିଛି। ସାହାଯ୍ୟ ପହଞ୍ଚିବାକୁ ଯାଉଛି।”
ଟ୍ରମ୍ପ କହିଛନ୍ତି ଯେ “ସାହାଯ୍ୟ ପହଞ୍ଚିବାକୁ ଯାଉଛି”, କିନ୍ତୁ ଏହି ସାହାଯ୍ୟ କିଭଳି ହେବ (ସାମରିକ କିମ୍ବା ଆର୍ଥିକ), ସେ ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ତେବେ ହ୍ୱାଇଟ୍ ହାଉସ୍ ପକ୍ଷରୁ ସଂକେତ ମିଳିଛି ଯେ ଇରାନ ବିରୋଧରେ ଆମେରିକା ପାଖରେ ସାମରିକ ଆକ୍ରମଣ ସମେତ ଅନେକ ବିକଳ୍ପ ରହିଛି।
ନିଜର ପ୍ରସିଦ୍ଧ ସ୍ଲୋଗାନ ‘MAGA’ (Make America Great Again) ଭଳି ଇରାନ ପାଇଁ ସେ ‘MIGA’ (Make Iran Great Again) ସ୍ଲୋଗାନ ଦେଇଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଇରାନରେ ଆର୍ଥିକ ସଙ୍କଟ ଓ ସରକାରୀ ଦମନ ଯୋଗୁଁ ପ୍ରାୟ ୨,୦୦୦ ଲୋକ ପ୍ରାଣ ହରାଇଥିବା ବେଳେ ୧୦,୦୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଟ୍ରମ୍ପଙ୍କ ଏହି ବାର୍ତ୍ତା ପରେ ଇରାନ ସରକାର ଓ ଆମେରିକା ମଧ୍ୟରେ ତିକ୍ତତା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।


