ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା ବେଳେ ନବବଧୂ ଜଣକ ୭ ମାସର ଗର୍ଭବତୀ ଥିବା ସୂଚନା ମିଳିଛି। ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକ ମହିଳାଙ୍କ ପରିବାର ଲୋକେ।
ଅଭିଯୋଗ ମୁତାବକ, ନାମନଗଡ ନିକଟ ଆମ୍ବଲୁଡି ଗ୍ରାମର ୨୧ ବର୍ଷର ଅସ୍ପିନା ଗମାଙ୍ଗ ନାମନଗଡ ଖେତ୍ରୀ ସାହିର ଯଶୋବନ୍ତ ଗମାଙ୍ଗକୁ ୯ ମାସ ତଳେ ବିବାହ କରିଥିଲେ। ବିବାହର ପରଠାରୁ ସ୍ବାମୀ ଯଶୋବନ୍ତ ମଦ୍ୟପାନ କରି ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ।
ଶନିବାର ଯଶୋବନ୍ତ ମଦ୍ୟପାନ କରି କୌଣସି କାରଣକୁ ନେଇ ସ୍ତ୍ରୀ ଅସ୍ପିନାଙ୍କୁ ମାଡ଼ ମାରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପରେ ଆତ୍ମହତ୍ୟା ରୂପ ଦେଇଥିବା ବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପାଇଁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।
ଅଭିଯୋଗକୁ ଭର୍ତ୍ତି କରି ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ପ୍ରମୋଦ ଖଣ୍ଡୁଆଳ ସୂଚନା ଦେଇଛନ୍ତି।


