ନୂଆଦିଲ୍ଲୀ,୨।୧: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଉମର ଖାଲିଦ୍ଙ୍କୁ ଆମେରିକାରୁ ଆସିଛି ସମର୍ଥନର ଚିଠି। ୟୁଏପିଏ (UAPA) ଅଧିନରେ ତିହାର ଜେଲରେ ଥିବା ଖାଲିଦ୍ଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଓ ତ୍ୱରିତ ବିଚାର ପାଇଁ ୮ ଜଣ ଆମେରିକୀୟ ଡେମୋକ୍ରାଟିକ୍ ସାଂସଦ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଛନ୍ତି। ଏହା ସହିତ ନବନିର୍ବାଚିତ ନ୍ୟୁୟର୍କ ସିଟି ମେୟର ଜୋହ୍ରାନ୍ ମାମଦାନି ଖଲିଦଙ୍କ ପାଇଁ ଏକ ବ୍ୟକ୍ତିଗତ ଚିଠି ଲେଖିଥିବା ଜଣାପଡିଛି।
ଭାରତୀୟ ବଂଶୋଦ୍ଭବ ତଥା ନବନିର୍ବାଚିତ ମେୟର ଜୋହ୍ରାନ୍ ମାମଦାନିଙ୍କ ହସ୍ତଲିଖିତ ଚିଠିଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଚିଠିରେ ସେ ଖାଲିଦଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, “ପ୍ରିୟ ଉମର, ମୁଁ ତୁମର ତିକ୍ତତା ବିଷୟରେ କହିଥିବା କଥାକୁ ବାରମ୍ବାର ଭାବେ, ଏବଂ ନିଜକୁ ତିକ୍ତତାରେ ଗ୍ରାସିତ ନକରିବାର ଗୁରୁତ୍ୱକୁ ମନେ ପକାଏ। ତୁମର ପିତାମାତାଙ୍କୁ ଭେଟି ମୁଁ ଖୁସି ହେଲି। ଆମେ ସମସ୍ତେ ତୁମ ବିଷୟରେ ଭାବୁଛୁ।” ଗତ ଡିସେମ୍ବର ୨୦୨୫ ରେ ଖାଲିଦଙ୍କ ପିତାମାତା ଆମେରିକା ଗସ୍ତରେ ଥିବା ବେଳେ ମାମଦାନି ସେମାନଙ୍କୁ ଭେଟିଥିଲେ।
ସେହିପରି ଆମେରିକାର ୮ ଜଣ ଡେମୋକ୍ରାଟିକ୍ ସାଂସଦ, ଯେଉଁମାନଙ୍କ ମଧ୍ୟରେ ଜିମ୍ ମ୍ୟାକଗଭର୍ନ ଏବଂ ଜେମି ରାସ୍କିନ୍ ଅଛନ୍ତି, ସେମାନେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ଖାଲିଦଙ୍କୁ ଜାମିନ ଦେବା ଏବଂ ବିଳମ୍ବ ନକରି ତାଙ୍କର ବିଚାର ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ସେମାନେ ଏତେ ଲମ୍ବା ସମୟ ଧରି ବିନା ବିଚାରରେ କାରାଗାରରେ ରହିବା ଆନ୍ତର୍ଜାତୀୟ ଆଇନଗତ ମାନଦଣ୍ଡ ସହିତ କିପରି ସାଲିସ୍ ହେଉଛି ବୋଲି ପ୍ରଶ୍ନ କରିଛନ୍ତି।
ଖଲିଦଙ୍କୁ ଡିସେମ୍ବର ୧୬ ରୁ ୨୯ ପର୍ଯ୍ୟନ୍ତ ତାଙ୍କ ଭଉଣୀଙ୍କ ବିବାହରେ ଯୋଗ ଦେବା ପାଇଁ ଦିଲ୍ଲୀ କୋର୍ଟ ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା।


