ନୂଆଦିଲ୍ଲୀ୧୮ା୪: ଜାତୀୟ ରେକର୍ଡଧାରୀ ୩୦୦୦ ମିଟର ଷ୍ଟିପଲଚେଜର ଅବିନାଶ ସାବ୍ଲେ ଏପ୍ରିଲ ୨୬ରେ ଚାଇନାର ଜିଆମେନ୍ଠାରେ ହେବାକୁଥିବା ସିଜନ ଓପନିଂ ଡାଇମଣ୍ଡ ଲିଗ୍ ମିଟିଂରେ ଅଂଶଗ୍ରହଣ କରିବେ। ଏଥିରେ ବିଶ୍ୱର ଆଗଧାଡ଼ି ଆଥ୍ଲେଟମାନେ ଭାଗ ନେବେ। ସେମାନଙ୍କ ମଧ୍ୟରେ ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ମରକ୍କୋର ସୋଫିଆନେ ଏଲ୍ ବାକାଲି ରହିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ଓ ଓ୍ବାଲର୍ଡ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା କେନିଆର ଆବ୍ରାହମ କିବିଓତ୍ ମଧ୍ୟ ଏଥିରେ ଭାଗନେବେ। ଏହି ଷ୍ଟିପଲଚେଜର ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାବ୍ଲେଙ୍କୁ ହରାଇ ସ୍ବର୍ଣ୍ଣ ଜିତିଥିଲେ।
ଗତବର୍ଷ ସେପ୍ଟେମ୍ବରରେ ଡାଇମଣ୍ଡ ଲିଗ୍ ଫାଇନାଲ ପରେ ସାବ୍ଲେ ପ୍ରଥମ ଥର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଗତଥର ସେ ୮ ମିନିଟ ଓ ୧୭.୦୯ ସେକେଣ୍ଡ ଟାଇମିଂରେ ୯ମ ସ୍ଥାନରେ ରହିଥିଲେ। ୮:୦୯.୯୧ ଟାଇମିଂ ସହ ଜାତୀୟ ରେକର୍ଡ କରିଥିବା ୩୦ ବର୍ଷୀୟ ସାବ୍ଲେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ୮:୧୪.୧୮ ଟାଇମିଂ ସହ ୧୧ଶ ସ୍ଥାନରେ ରହିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ ଟାଇମିଂକୁ ଭିତ୍ତିକରି ସାବ୍ଲେ ସେପ୍ଟେମ୍ବରରେ ବିଶ୍ୱ ଚାମ୍ପିୟନଶିପ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।
ସେ ଏପ୍ରିଲ ୨୧ରୁ ୨୪ ପର୍ଯ୍ୟନ୍ତ କୋଚିରେ ହେବାକୁଥିବା ଫେଡେରେଶନ କପ୍ ନ୍ୟାଶନାଲ ଚାମ୍ପିୟନଶିପ୍ରେ ଭାଗ ନେଇପାରିବେ ନାହିଁ, ଯାହାକି ଆସନ୍ତା ମାସରେ କୋରିଆରେ ହେବାକୁଥିବା ଏସିଆନ ଚାମ୍ପିୟନଶିପ୍ ପାଇଁ ଫାଇନାଲ ସିଲେକ୍ସନ ଇଭେଣ୍ଟ। ସୂଚନାଯୋଗ୍ୟ, ଆଥ୍ଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ଏସିଆନ ଚାମ୍ପିୟନଶିପ୍ରେ ଭାଗ ନେବାଲାଗି ମନୋନୀତ ହେବାକୁ ଚାହୁଁଥିବା ଆଥ୍ଲେଟମାନଙ୍କ ଲାଗି ଫେଡେରେଶନ କପ୍ରେ ଅଂଶଗ୍ରହଣ ବାଧ୍ୟତାମୂଳକ କରିଛି। ତେବେ ଯେଉଁମାନେ ଅନୁମତି ନେଇ ବିଦେଶରେ ଟ୍ରେନିଂ ନେଉଥିବେ କିମ୍ବା କୌଣସି ପ୍ରତିଯୋଗିତାରେ ଭାଗ ନେଉଥିବେ ସେମାନଙ୍କ ଲାଗି ଏହି ନିୟମ କୋହଳ କରାଯାଇଛି।


