ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ ୩ ଜଣ କଂଗ୍ରେସ ବିଧାୟକ କ୍ରସ୍‌ ଭୋଟିଂ କରିବା ଯୋଗୁ ଦଳରୁ ନିଲମ୍ବନ ହୋଇଛନ୍ତି। ସେମାନଙ୍କ ସଭ୍ୟପଦ ରଦ୍ଦକରିବା ଲାଗି ମଧ୍ୟ ଦଳ ତରଫରୁ ବାଚସ୍ପତିଙ୍କୁ ଲିଖିତ ଭାବେ ଦିଆଯାଇସାରିଛି। ଏବେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୧ରେ ପହଞ୍ଚିସାରିଛି ବୋଲି କୁହାଯାଇପାରେ। ଏହି ୧୧ ଜଣ ବିଧାୟକଙ୍କ ନେତୃତ୍ୱ କୋରାପୁଟ ଜିଲା ଅନ୍ତର୍ଗତ ପଟ୍ଟାଙ୍ଗୀ ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇ ଆସିଥିବା ରାମଚନ୍ଦ୍ର କାଡାମଙ୍କ ହାତରେ ନ୍ୟସ୍ତ କରାଯାଇଛି। କାଡାମ ବର୍ତ୍ତମାନ କଂଗ୍ରେସ ବିଧାୟକ ଦଳ ନେତା ଦାୟିତ୍ୱରେ ଅଛନ୍ତି। ଏତେସବୁ ଘଟଣା ଭିତରେ କଂଗ୍ରେସର ପ୍ରାୟ ୮ ଜଣ ବିଧାୟକ କୁଆଡ଼େ ବିଧାୟକ ଦଳ ନେତାଙ୍କୁ ପରିବର୍ତ୍ତନ କରାଇବା ଲାଗି ମଙ୍ଗଳବାରଠାରୁ ନୂଆଦିଲ୍ଲୀ ଗସ୍ତରେ ରହିଥିବା ଜଣାପଡ଼ିଛି। ମାତ୍ର ରାମଚନ୍ଦ୍ର କାଡାମ ଏବଂ ବାସୁଦେବପୁର ବିଧାୟକ ଅଶୋକ ଦାସ ଏହି ଗସ୍ତରେ ନିଜକୁ ସାମିଲକରି ନ ଥିବା ଜଣାପଡ଼ିଛି। ରାଜନୈତିକ ମହଲରୁ ଯାହା ଶୁଣିବାକୁ ମିଳୁଛି, ତାରାପ୍ରସାଦ ବାହିନୀପତି କଂଗ୍ରେସ ବିଧାୟକ ଦଳ ନେତା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କର ଏହି ଇଚ୍ଛା ସମ୍ପର୍କରେ ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କିଛି ଆଲୋଚନା ହୋଇଥିଲା। ତାଙ୍କୁ ଏନେଇ ରାଜ୍ୟ ନେତୃତ୍ୱଙ୍କ ତରଫରୁ ପ୍ରତିଶ୍ରୁତି ମିଳିଥିଲା ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଅପରପକ୍ଷରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ପୁତ୍ର ତଥା ଭବାନିପାଟଣା ବିଧାୟକ ସାଗର ଚରଣ ଦାସ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଛନ୍ତି। ଭକ୍ତଙ୍କ ବିନା ଇଙ୍ଗିତ ବା ପରାମର୍ଶରେ ସାଗର ହାଇକମାଣ୍ଡଙ୍କୁ ଭେଟିବା ଲାଗି ସ୍ଥିର ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିବେ ସେକଥାକୁ ତାଙ୍କ ଦଳ ଭିତରେ କେହି ବିଶ୍ୱାସ କରୁନାହାନ୍ତି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି, ବିଧାୟକମାନେ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି କି ହାଇକମାଣ୍ଡଙ୍କୁ ଭେଟିବେ ସେ ବିଷୟରେ କାଡାମଙ୍କୁ କିଛି ଜଣାଯାଇ ନାହିଁ। କଂଗ୍ରେସ ବିଧାୟକମାନଙ୍କ ନୂଆଦିଲ୍ଲୀ ଗସ୍ତ ନେଇ କାଡାମଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ହାଇକମାଣ୍ଡଙ୍କୁ ଭେଟିବା ଲାଗି ବିଧାୟକମାନେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ବିଭିନ୍ନ ରାଜ୍ୟର ବିଧାୟକମାନେ ଅନେକ ସମୟରେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟନ୍ତି। ବିଧାୟକ ଦଳ ନେତା ପଦରେ ପରିବର୍ତ୍ତନ ହେବା କଥା କେବଳ ଗଣମାଧ୍ୟମର ଏକ ଆକଳନ। ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ, ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏମ୍‌ପି ପ୍ରିୟଙ୍କା ଗାନ୍ଧୀ ସମସ୍ତେ ସବୁ ସମୟରେ ଦେଶରେ ଏସ୍‌ସି,ଏସ୍‌ଟି ଏବଂ ଓବିସି, ସଂଖ୍ୟାଲଘୁ ବର୍ଗର ଲୋକମାନେ କିପରି ଆଗକୁ ବଢ଼ିବେ ସେକଥା ଚେଷ୍ଟା କରୁଛନ୍ତି। ଓଡ଼ିଶାର ମୋଟ୍‌ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ଏସ୍‌ସି, ଏସ୍‌ଟି ବର୍ଗ। ସେମାନଙ୍କ ଭିତରୁ କିପରି ନେତୃତ୍ୱ ସୃଷ୍ଟି କରାଯାଇପାରିବ ସେଥିଲାଗି ହାଇକମାଣ୍ଡ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ତେଣୁ ଏହି ଦୃଷ୍ଟିକୋଣରୁ ଗଣମାଧ୍ୟମ ପକ୍ଷରୁ ବିଧାୟକ ଦଳ ନେତା ପରିବର୍ତ୍ତନ ନେଇ କରାଯାଉଥିବା ଆକଳନକୁ ବିଶ୍ୱାସ କରିପାରୁନାହାନ୍ତି ବୋଲି କାଡାମ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, କାଡାମଙ୍କୁ ତାଙ୍କ ପଦରୁ ହଟାଇବା ସକାଶେ ବିଧାୟକମାନଙ୍କ ଦସ୍ତଖତ ନିଆଯାଇଥିଲା। ସେଥିରେ ୯ ଜଣ ବିଧାୟକ ଦସ୍ତଖତ ଦେଇଥିଲେ। ସେମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ମଧ୍ୟ ରହିଥିଲେ। ମାତ୍ର ସାଉଁନ୍ତା ଦିଲ୍ଲୀ ଗସ୍ତରେ ସାମିଲ ହୋଇନାହାନ୍ତି। ଦିଲ୍ଲୀ ଗସ୍ତରେ ଥିବା ୮ ବିଧାୟକ ଗୁରୁବାର ମଲିକାର୍ଜୁନ ଖାର୍ଗେଙ୍କୁ ଭେଟିଥିବା ବେଳେ ଅନ୍ୟ କାହାକୁ ଭେଟି ନ ଥିବା ଜଣାପଡ଼ିଛି। ବର୍ତ୍ତମାନ ଆସାମ, ପଶ୍ଚିମବଙ୍ଗ ଆଦି ବିଭିନ୍ନ ରାଜ୍ୟରେ ଚାଲିଥିବା ନିର୍ବାଚନ ପ୍ରଚାର ଲାଗି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱମାନେ ଚାଲିଯାଇଥିବା କାରଣରୁ ଅନ୍ୟ କେନ୍ଦ୍ର ନେତୃତ୍ୱଙ୍କୁ ଓଡ଼ିଶାର ୮ ବିଧାୟକ ଭେଟିବାର ସୁଯୋଗ ପାଇ ନ ଥିବା ଯାହା ଶୁଣାଯାଉଛି। ନୂଆଦିଲ୍ଲୀ ଗସ୍ତ କରିଥିବା ବିଧାୟକମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?