ବିନିକା,୧୩ା୨(ରାମ ଗୋପାଳ ବାଘ); ସୁବର୍ଣ୍ଣପୁର ଜିଲା ବିନିକା ଥାନା ପୋଲିସ ବାରାକ୍ରେ ଜଣେ କନ୍ଷ୍ଟେବଲଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ହେଲେ ସୋନପୁର ରିଜର୍ଭ ପୋଲିସ କନ୍ଷ୍ଟେବଲ ଦିଲୀପ କୁମାର ମିଶ୍ର(୫୦)। ବିନିକା ଲୋକ ମହୋତ୍ସବ ପାଇଁ ସେ ଗତ ୧୧ତାରିଖରୁ ବିନିକା ପୋଲିସ ବାରାକ୍ରେ କର୍ମଚାରୀଙ୍କ ସହ ରହୁଥିଲେ। କୌଣସି କାରଣବଶତଃ ବୁଧବାର ରାତିରେ ସେ ମହୋତ୍ସବକୁ ଡ୍ୟୁଟି କରିବାକୁ ଯାଇ ନ ଥିଲେ।
ଗୁରୁବାର ସେ ଶଯ୍ୟାରୁ ଉଠି ନ ଥିଲେ। ସହ କର୍ମଚାରୀମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଶୁଣି ନ ଥିଲେ। ତାଙ୍କୁ ତୁରନ୍ତ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଦିଲୀପଙ୍କୁ ମୃତ ଘୋଷଣା କରିଥିବା ବିନିକା ଥାନା ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ କହିଛନ୍ତି।
ଖବର ପାଇ ସୋନପୁରରେ ରହୁଥିବା ଦିଲୀପଙ୍କ ସ୍ତ୍ରୀ ବିନିକା ଥାନାରେ ପହଞ୍ଚି ଥିଲେ। ଘଟଣା ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କିଛି କହି ନ ଥିଲେ। ଅପରପକ୍ଷରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୫/୨୫)ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଆଇଆଇସି ପାଣିଗ୍ରାହୀ କହିଛନ୍ତି l


