ଇସ୍ଲାମାବାଦ,୨୯।୧: ଦରବୃଦ୍ଧି ସାଙ୍ଗକୁ ଖାଦ୍ୟ ସଙ୍କଟ ମଧ୍ୟରେ ଗତି କରୁଛି ପାକିସ୍ତାନ। ଏଭଳି ସ୍ଥିତିରେ ଶେହବାଜ ସରିଫ ସରକାର ରବିବାର ପେଟ୍ରୋଲିୟମର ନୂତନ ମୂଲ୍ୟ ଘୋଷଣା କରିଛନ୍ତି। ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ଟଙ୍କା ବୃଦ୍ଧି କରିଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।
ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଦାର୍ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୩୫ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ୩୫ ଟଙ୍କା ବୃଦ୍ଧି ପରେ ପାକିସ୍ତାନରେ ହାଇସ୍ପିଡ୍ ଡିଜେଲ ଲିଟର ପିଛା ୨୬୨ ଟଙ୍କା ୮୦ ପଇସାରେ ପହଞ୍ଚି ଥିବାବେଳେ ପେଟ୍ରୋଲ ୨୪୯ ଟଙ୍କା ୮୦ ପଇସାରେ ପହଞ୍ଚିଛି। ସେହିପରି କିରୋସିନ ଲିଟର ପିଛା ୧୮୯ ଟଙ୍କା ୮୩ ପଇସାରେ ପହଞ୍ଚିଛି। ପାକିସ୍ତାନ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ତୈଳ ଏବଂ ଗ୍ୟାସ ନିୟାମକ ପ୍ରାଧିକରଣ ବିଭାଗ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ତୁରନ୍ତ ପେଟ୍ରୋଲ ଅଭାବକୁ ନେଇ ଅସ୍ଥାୟୀ ହୋର୍ଡିଂକୁ ରୋକିବା ପାଇଁ ମୂଲ୍ୟ ବଢାଇବାକୁ ଅନୁରୋଧ କରିଥିଲେ। ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି ।


