ପରୋକ୍ଷ ଉକ୍ତି

ଅଲେଖ ଚନ୍ଦ୍ର ମିଶ୍ର

ପୁରୁଣା କଥାଟିଏ। ଜଣେ ରାଜା ଥିଲେ।ସେ ଜ୍ଞାନୀ, ଗୁଣୀ ଓ ପଣ୍ଡିତମାନଙ୍କୁ ଖୁବ୍‌ ଆଦର କରୁଥିଲେ। ତେଣୁ ତାଙ୍କ ସଭାରେ ଅନେକ ବିଜ୍ଞଲୋକ ଥିଲେ। ଥରେ ତାଙ୍କ ଦରବାରରେ ପହଞ୍ଚିଲେ ଜଣେ ଅପରିଚିତ ଲୋକ। ତାଙ୍କ ସହିତ କିଛି ସମୟ କଥାବାର୍ତ୍ତା ଭିତରେ ରାଜା ଜାଣିଗଲେ ଯେ ସେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ପୁରାଣଶାସ୍ତ୍ରବିତ୍‌। ରାଜା ତାଙ୍କୁ ତତକ୍ଷଣାତ୍‌ ସଭାପଣ୍ଡିତ ନିଯୁକ୍ତ କରିଦେଲେ। ଅଳ୍ପଦିନ ମଧ୍ୟରେ ତାଙ୍କ ଜ୍ଞାନ ଗରିମାର ବାର୍ତ୍ତା ସବୁଆଡେ ବ୍ୟାପିଗଲା ଏବଂ ତାଙ୍କ ପ୍ରତି ରାଜାଙ୍କର ସମ୍ମାନ ବଢ଼ିଗଲା। ଏହା ଦେଖି ଅନ୍ୟ ପଣ୍ଡିତମାନେ ଈର୍ଷାଳୁ ହୋଇଗଲେ ଏବଂ ନୂତନ ପଣ୍ଡିତଙ୍କୁ ରାଜାନୁଗ୍ରହରୁ ବଞ୍ଚିତ କରିବା ପାଇଁ ଚକ୍ରାନ୍ତ କଲେ। ସେମାନେ ଗୋଟିଏ ଉପାୟ ପାଞ୍ଚିଲେ। ଘରଦ୍ୱାର ସଫା ଓ ଅନ୍ୟାନ୍ୟ ବାସିକାମ କରିବା ପାଇଁ ଝାଡୁଦାରଟିଏ ପ୍ରତିଦିନ ଉଆସକୁ ଆସେ। ମହଲ ଭିତରକୁ ତା’ର ଅବାଧ ପ୍ରବେଶ ଥାଏ। ତାକୁ ପ୍ରଲୋଭିତ କରି ସମସ୍ୟାଟିର ସମାଧାନ ପାଇଁ ତା’ର ସାହାଯ୍ୟ ଲୋଡ଼ିଲେ। ପରଦିନ ସେବକଟି ଭିତର ଘର ସଫା କରୁଥିବା ବେଳେ ରାଜାଙ୍କୁ ଛାଇ ନିଦରେ ଶୋଇଥିବା ଦେଖି ଅଳ୍ପୋଚ୍ଚ ସ୍ବରରେ ମନକୁମନ କହିବାକୁ ଲାଗିଲା ”ଦେଖ ହୋ, ଯୁଗ କ’ଣ ହେଲାଣି! ରାଜା ଆମର କେତେ ଉଦାର। ବିଚରା ଅଜଣା ଅଶୁଣା ଲୋକଟାକୁ ମୁଣ୍ଡ ଉପରେ ବସାଇଦେଲେ। ଅଥଚ ସେ ବିଶ୍ୱାସରେ ବିଷ ମିଶେଇଲା! ଶେଷରେ ରାଣୀଙ୍କ ସହିତ ଛି… ଛି….।“ ହଠାତ୍‌ ରାଜା ଉଠିପଡ଼ି ସେବକଟିକୁ ପଚାରିଲେ, ”କ’ଣ ହେଲାକି? ପଣ୍ଡିତ କ’ଣ କଲେ? ଟିକେ ଖୋଲିକରି କହୁନୁ !“ ଲୋକଟି ଭୟଭୀତ ହୋଇ ପଡ଼ିବାର ଛଳନା କରି ରାଜାଙ୍କର ଗୋଡ଼ତଳେ ପଡ଼ିଗଲା। କହିଲା, ‘ମଣିମା, ମୁଁ ନିଶାଗ୍ରସ୍ତ ଅବସ୍ଥାରେ କ’ଣ କହିଦେଲି ନିଜେ ଜାଣିନି। ମତେ କ୍ଷମା କରନ୍ତୁ।’ ରାଜା ତାକୁ ଛାଡ଼ିଦେଲେ। କିନ୍ତୁ ତା’ର କଥା କେଇପଦ ମନ ଭିତରେ ତାଙ୍କର ଏମିତି ଛାପ ଛାଡ଼ି ଦେଇଗଲା ଯେ ତାକୁ ସେ ଆଦୌ ଭୁଲି ପାରିଲେନି। ହଠାତ୍‌ କାହାକୁ କିଛି ନ କହି ନୂତନ ପଣ୍ଡିତଙ୍କୁ ରାଜ୍ୟରୁ ବିତାଡ଼ିତ କରିଦେଲେ। ବିଚରା ପଣ୍ଡିତେ, ନିଜର ଭୁଲ କ’ଣ ଜାଣି ପାରିଲେନି କି ରାଜାଙ୍କ ସହିତ ପଦେ କଥା ହେବା ପାଇଁ ସୁଯୋଗ ପାଇଲେନି।
କାହାଣୀଟି ଏତେ ଦୀର୍ଘ ଯେ ଏହାର ଅବଶିଷ୍ଟାଂଶ ଏଠାରେ ଉପସ୍ଥାପନା କରିବା ସମ୍ଭବ ନୁହେଁ। ତେବେ ଏଥିରେ ନିହିତ ସନ୍ଦେଶ ଯୁଗେ ଯୁଗେ ସତ୍ୟ। ଅନୁରୂପ ଘଟଣା ସେତେବେଳେ ଘଟୁଥିଲା, ଏବେ ଘଟୁଛି, ଆଗକୁ ମଧ୍ୟ ଘଟିବ। ସେ ବ୍ୟକ୍ତିଗତ ସ୍ତରରେ ହେଉ ବା ସାମୂହିକ ସ୍ତରରେ, ଘରେ ହେଉ ବା ବାହାରେ, ସାଙ୍ଗସାଥି ମହଲରେ ବା କର୍ମକ୍ଷେତ୍ରରେ ଅଥବା ପ୍ରେମୀଯୁଗଳଙ୍କ ମଧ୍ୟରେ। ଏହି ସତ୍ୟଟି ହେଲା ପରୋକ୍ଷ ଉକ୍ତି, ପରଚର୍ଚ୍ଚା, ଜଣକର ଅବର୍ତ୍ତମାନରେ ତାଙ୍କ ବିଷୟରେ ଆଲୋଚନା, ସମାଲୋଚନା। ସମୟର ଅପଚୟ ପାଇଁ ଏହା ଏକ ମାଧ୍ୟମ। ମଣିଷର ସ୍ବଭାବ, ସେ ଭଲ କଥାଟିକୁ ଯେତେ ସହଜରେ ଗ୍ରହଣ କରିପାରେନା ମନ୍ଦ କଥାଟିକୁ ତା’ଠାରୁ ବହୁଗୁଣ ଆଗ୍ରହରେ ଶୁଣିଥାଏ। କୌଣସି ଲୋକ ବିରୋଧରେ କୁତ୍ସାରଟନା ତୁଣ୍ଡବାଇଦ ସହସ୍ର କୋଶ ନ୍ୟାୟରେ ସର୍ବତ୍ର ବ୍ୟାପିଯାଏ ଏବଂ ତା’ର ସତ୍ୟାସତ୍ୟ ନ ବୁଝି ଲୋକେ ସେଥିରେ ଭାସିଯାନ୍ତି। ଯଦି ଖଳ ଲୋକର କାନରେ ପଡ଼ିଯାଏ ତେବେ ତ ସେଥିରେ ଡେଣା ଲାଗିଯାଏ। ସେଥିପାଇଁ କୁହାଯାଏ, ‘ଜଳେ ତୈଳଂ, ଖଳେ ଗୁହ୍ୟଂ…ବିସ୍ତାରଂ ବସ୍ତୁଶକ୍ତିତଃ I’ ପରୋକ୍ଷ ଉକ୍ତି ଯେତେବେଳେ କାନକୁହା ବା ଚୁଗୁଲିର ଆକାର ଧାରଣ କରେ ସେତେବେଳେ ତାହା ଅଧିକ ନକାରାତ୍ମକ ହୋଇପଡ଼େ। ସୁନ୍ଦର ବୁଝାମଣା ଥିବା ପରିବାର ଭିତରେ ଫାଟ ସୃଷ୍ଟି ହୁଏ। ସାହିପଡ଼ିଶା, ବନ୍ଧୁବାନ୍ଧବ, ସାଙ୍ଗସାଥି ମହଲରେ ଏହାଦ୍ୱାରା ଅଯଥା ସନ୍ଦେହର ବାତାବରଣ ସୃଷ୍ଟି ହୋଇ ସମ୍ପର୍କରେ ଭଟ୍ଟା ପଡ଼ିଯାଏ। ପ୍ରେମିକା ପ୍ରେମିକ ମଧ୍ୟରେ ବିଚ୍ଛେଦର କାରଣ ହୁଏ। ବିପରୀତ କ୍ରମେ ଆପଣାର ଅଭିପ୍ରାୟକୁ ସମ୍ପୃକ୍ତ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଏହା ‘ଲବି’ର ରୂପ ନିଏ। ତିନି ତୁଣ୍ଡରେ ଉଚ୍ଚାରିତ ହେଲେ ଛେଳିଟିଏ କୁକୁରର ଭ୍ରମ ସୃଷ୍ଟିକରେ। ପାଞ୍ଚ ମୁହଁ ଏକ ସୁସ୍ଥ ସବଳ ଲୋକକୁ ପାଗଳ ବୋଲି କହିଦେଲେ ନିଜେ ଲୋକଟି ବି ଶେଷରେ ସନ୍ଦିହାନ ହୋଇପଡ଼େ। ସଜ ମାଛରେ ପୋକ ପଡ଼େ।
ପୁରାଣ ଯୁଗରେ ପ୍ରଭୁ ଶ୍ରୀରାମ ବି ଏହିଭଳି ଏକ ପରୋକ୍ଷ ଟିପ୍ପଣୀ ଯୋଗୁ ସୀତାଙ୍କୁ ବିସର୍ଜନ କରିଥିଲେ। ପୁତ୍ର ଅଶ୍ୱତ୍ଥମା ନିଧନ ହେବାର ଉଡ଼ା ଖବର ଶୁଣି ଯୁଧିଷ୍ଠିରଙ୍କର ପରୋକ୍ଷ ଉକ୍ତିକୁ ଗୁରୁଶ୍ରେଷ୍ଠ ଦ୍ରୋଣାଚାର୍ଯ୍ୟ ବିଶ୍ୱାସ କରିଥିଲେ। କାନକୁହା କଥା କେତେ ବିପଜ୍ଜନକ ଇତିହାସ ତା’ର ସାକ୍ଷୀ। ଲୁଣ୍ଠନକାରୀ ନାଦିର ଶାହାଙ୍କର ଲୋଲୁପ ଦୃଷ୍ଟିରୁ କୋହିନୂର ହୀରାକୁ ବଞ୍ଚେଇବା ପାଇଁ ମୋଗଲ ସମ୍ରାଟ ଶାହା ଆଲାମ୍‌ ତାକୁ ନିଜର ପଗଡ଼ି ଭିତରେ ଲୁଚାଇ ରଖିଥିଲେ। କିନ୍ତୁ ଜଣେ କାନକୁହା ଲୋକଠାରୁ ଖବର ପାଇ ଚତୁର ନାଦିର ଶାହା ବନ୍ଧୁତ୍ୱର ନିଦର୍ଶନ ଛଳରେ ପରସ୍ପରର ପଗଡ଼ି ବଦଳାଇବାକୁ ପ୍ରସ୍ତାବ ଦେଇ କୋହିନୂରକୁ କରାୟତ୍ତ କରିନେଲେ। ଓଡ଼ିଶାରେ ପାଇକ ବିଦ୍ରୋହର କର୍ଣ୍ଣଧାର ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ତାପଙ୍ଗ ଦଳବେହେରା (ମାଧବ ରାଉତରାୟ) ଚୁଗୁଲିର ଶିକାର ହୋଇ ଆତ୍ମୋତ୍ସର୍ଗ କରିଥିଲେ।
ଓଡ଼ିଆ ଉପନ୍ୟାସ ସାହିତ୍ୟରେ ବି ଏହାର ଝଲକ ଦେଖିବାକୁ ମିଳେ। ସେ ‘ଛ ମାଣ ଆଠଗୁଣ୍ଠ’ର ଚମ୍ପା ହେଉ କିମ୍ବା ‘ମାଟିର ମଣିଷ’ର ହରି ମିଶ୍ର ଅଥବା ‘ଶାସ୍ତି’ ର ପହରାଜେ ଏ ସମସ୍ତେ ପରୋକ୍ଷ ବାକ୍‌ଚାତୁରୀର ଏକ ଏକ ଉଦାହରଣ। ପରୋକ୍ଷ ଉକ୍ତିର ଅନ୍ୟ କେତେକ ବିଭାବ ହେଲା ଲୁଚାଛପାରେ, ଠରାଠରିରେ, ଆଖିଆଖିରେ, ଇସାରାରେ, ସଂକେତରେ, ନୀରବରେ, ଇଙ୍ଗିତରେ, ସ୍ବାଗତୋକ୍ତିରେ, ଦେଖେଇଶିଖେଇ, ବୁଲେଇବଙ୍କେଇ ଏବଂ ଦ୍ବିଅର୍ଥବୋଧକ ବା ଶ୍ଳେଷାତ୍ମକ ଭଙ୍ଗୀରେ ଭାବ ବିନିମୟର ପ୍ରକ୍ରିୟା। ଯେମିତି ଗୁହାଳ ପୋଛିବାକୁ ନ କହି ଲୋକପାଖରେ ଗୁହାଳ ପାଚିଆ ଥୋଇଦେବା I ଏ ବିଷୟରେ ଆଗେ ପାଲାଗାୟକମାନେ ବର୍ଣ୍ଣନା କରୁଥିବା ଏକ ଲୌକିକ ବଚନିକା ମନେ ପଡ଼େ। କୌଣସି କାରଣରୁ ଦିନେ ସକାଳୁ ଏକ ଦମ୍ପତିଙ୍କ ମଧ୍ୟରେ ମନାନ୍ତର ହେବାରୁ କେହି କାହା ସହିତ କଥାବାର୍ତ୍ତା କଲେ ନାହିଁ I ସଞ୍ଜରେ ଘରକୁ ଫେରି ସ୍ବାମୀ ଅଳ୍ପୋଚ୍ଚ ସ୍ବରରେ ସ୍ବାଗତୋକ୍ତି କଲେ, ‘ଆଜି ବଜାରରେ ଭଲ ମାଛ ମିଳୁଥିଲା ତ ଗୋଟିଏ ନେଇ ଆସିଛି। ଏଇଠି ରହିଲା।’ ରାତିରେ ସ୍ତ୍ରୀ ରୋଷେଇ ଘରେ ଥାଇ ବଡ଼ପାଟିରେ କହିଲେ, ‘ମାଛ ରନ୍ଧା ସରିଲାଣି I ଭାତ ବି ହେଲାଣି I
ଏଇଠି ଥୁଆହେଲା। ଯିଏ ଖାଇବା କଥା ଖାଅ।’ ସ୍ବାମୀ ତତ୍‌କ୍ଷଣାତ୍‌ ଆସି ଖାଇଦେଲେ ଏବଂ ଖାଇସାରି ଚୁପ୍‌ଚାପ୍‌ ଯାଇ ଶୋଇପଡ଼ିଲେ। ତା’ ପରେ ସ୍ତ୍ରୀ ଖାଇପିଇ ସବୁକାମ ସାରି ଶୋଇଲେ। ରାତି ପାହିଲା ପରେ ଦେଖାଗଲା ସବୁ ଠିକ୍‌ଠାକ୍‌।
ୟୁନିଟ-୪, ଭୁବନେଶ୍ୱର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Dillip Cherian

ଶୂନ୍ୟତାର ସ୍ମାରକ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ...

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri