Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି ଆସୁଛି ମୋ ପିଲାଦିନ, ଶିକ୍ଷା ଓ କର୍ମସଂସ୍ଥାନ ତଥା ରୋଜଗାର ପାଇଁ ଉଦ୍ୟମ। ଜନ୍ମ ମୋର ପୁରୀରେ। କିନ୍ତୁ ବାପାଙ୍କ ସରକାରୀ ଚାକିରି ଓ ବିଭିନ୍ନ ସ୍ଥାନକୁ ବଦଳି ଯୋଗୁଁ ଅବିଭକ୍ତ ପୁରୀ ଜିଲାର ଓଡ଼ଗାଁ, ବେଗୁନିଆ ଓ ବାଣପୁରରେ ମୋର ସ୍କୁଲ ଜୀବନ ବିତିଥିଲା। ପିଲାବେଳୁ ମୋର ସ୍ବାସ୍ଥ୍ୟ ଦୁର୍ବଳ ଥିଲା, କିନ୍ତୁ ପାଠପଢ଼ାରେ ଥିଲି ବେଶ୍‌ ମେଧାବୀ। ଉଭୟ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇବା ସହ ସପ୍ତମ ଶ୍ରେଣୀରେ ଏନ.ଆର୍‌.ଟି.ଏସ. ପରୀକ୍ଷାରେ ବି କୃତିତ୍ୱ ଅର୍ଜନ କରିଥିଲି। ମାଟ୍ରିକ ପରୀକ୍ଷାରେ ଛଅ ଶହରୁ ଅଧିକ ମାର୍କ ରଖି ବିଜେବି କଲେଜରେ ଯୁକ୍ତ ୨ ବିଜ୍ଞାନ ପଢିବା ସମୟରେ ମେରିଟ୍‌ ସ୍କଲାରଶିପ ବି ପାଉଥିଲି। ମା’, ବାପା, ଶିକ୍ଷକ ତଥା ବନ୍ଧୁବାନ୍ଧବମାନେ ମୋଠାରୁ ଆଶା ରଖିଥିଲେ ଅନେକ। କିନ୍ତୁ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଗତ କାରଣ ଓ ଅମନଯୋଗିତା କାରଣରୁ ମୋ ପ୍ରଦର୍ଶନରେ ଆସିଥିଲା ଅସ୍ଥିରତା। ୧୯୯୬ ମସିହାରେ ବାପା ଅବସର ନେଇ ନିଜ ବାସସ୍ଥାନ ପୁରୀ ମାର୍କଣ୍ଡେଶ୍ୱର ସାହିକୁ ଫେରିଲା ବେଳକୁ ମୁଁ ଇଞ୍ଜିନିୟରିଂ ପଢ଼ା ସାରିଥିଲେ ବି ଭଲ ରୋଜଗାର ହେଉଥିବା ଚାକିରିଟିଏ ଯୋଗାଡ଼ କରିପାରି ନ ଥିଲି। ଯଦିଓ ବାପାଙ୍କ ଚାକିରି କାଳ ଭିତରେ ଭଉଣୀମାନେ ବାହା ହୋଇ ସାରିଥିଲେ ଓ ବଡ଼ଭାଇ ଚାକିରି କରି ସାରିଥିଲେ କିମ୍ବା ସେ ମୋ ଉପରେ ଆର୍ଥିକ ଭାବରେ ନିର୍ଭରଶୀଳ ନ ଥିଲେ, ତଥାପି ତାଙ୍କୁ କିଛି ସାହାଯ୍ୟ କରିପାରୁ ନ ଥିବାର ଗ୍ଳାନି ମୋ ଭିତରେ ଜମାଟ ବାନ୍ଧୁଥିଲା। କିଛିଦିନ ପରେ ଯାଜପୁରସ୍ଥିତ ନୀଳାଚଳ ଇସ୍ପାତ ନିଗମରେ ଚାକିରିରେ ଯୋଗଦାନ କଲି। ପ୍ରଥମ ଦୁଇ ବର୍ଷ ଥିଲା ଟ୍ରେନିଂ ପିରିୟଡ଼ ଆଉ ଦରମା ଥିଲା କମ୍‌।
କୁହାଯାଏ, ସ୍ବପ୍ନଠାରୁ ବାସ୍ତବତାର ବ୍ୟବଧାନ ଯେତେବେଳେ ଢେର୍‌ ଅଧିକ ହୋଇଯାଏ ମଣିଷ ଖୁସି ଥାଇ ବି ଖୁସି ଜାହିର କରି ପାରେନା। ସତ କହିବାକୁ ଗଲେ, ମୋ ଜୀବନର ପହିଲି ରୋଜଗାର ଏତେ ଆଶାନୁରୂପ ନ ଥିଲା ଯେ, ସେଥିରେ ମୁଁ ପୁଲକିତ ହୋଇ ପାରିଥାନ୍ତି। ସେ ସମୟ ସବୁରେ ବାପାଙ୍କୁ କିମ୍ବା ବୋଉର ହାତକୁ କିଛି ଅର୍ଥ ବଢାଇ ଦେବାର ସତ୍‌ ସାହସ ମୋର ନ ଥିଲା। ତେବେ ପ୍ରତିଥର ଘରକୁ ଆସିଲେ ମଟନ୍‌ ଆଣିବା, ବାପା ବୋଉଙ୍କ ପାଇଁ ଔଷଧ କିଣିବା, ବାପାଙ୍କ ପାଇଁ ଶାର୍ଟ କି ଚପଲ କିଣିବା, ବୋଉ ପାଇଁ ସାଲ କି ଶାଢ଼ି କିଣିବା ଇତ୍ୟାଦି କାମ କରୁଥିଲି। ସେଥିରେ ବାପା କେତେ ଖୁସି ହେଉଥିଲେ ଜାଣେନା। ଆଖିଦୃଶିଆ ଦରମା ପାଇଲା ବେଳକୁ ୨୦୦୧। ସେତେବେଳକୁ ବୋଉଠୁ ଶୁଣିଲି, ଘର ତିଆରି କାମ ପାଇଁ ବାପା କରିଥିବା ପଚାଶ ହଜାର ଟଙ୍କାର ଗୋଟେ ଲୋନ୍‌ ଅଛି। କିଛି ମାସ ପରେ ବାପାଙ୍କ ସହିତ ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ୍‌ ଯାଇ ମୋ ପଇସାରେ ସେ ଲୋନ୍‌ କ୍ଲିଅର କରିଥିଲି। ସେଦିନ ଘରକୁ ଫେରିଲା ପରେ ବାପାଙ୍କ ମୁହଁର ଖୁସିର ଚମକ ମୋତେ ପୁଲକିତ କରିଥିଲା ନିଶ୍ଚୟ।
ଉଭୟ ଓଡ଼ିଆ ଇଂଲିଶ ଭାଷାରେ ପ୍ରବଳ ଦକ୍ଷତା ରଖିଥିବା ମୋ ବାପା ସୁନ୍ଦର ଜଣାଣ, ଭଜନ ଓ କବିତା ଲେଖୁଥିଲେ। ହୁଏତ ସେଇ ସୂତ୍ରରୁ କଲେଜ ପଢିବାବେଳୁ ମୋ ଭିତରେ କବି ସତ୍ତାଟିଏ ଅଙ୍କୁରିତ ହୋଇ ସାରିଥିଲା। ବିନା କିଛି ଆଶା ରଖି କବିତା ଲେଖୁଥିବା ବିଚରା କବିଟିଏ ପାଇଁ ପ୍ରକାଶିତ ଲେଖାଟିଏ ସାହିତି୍ୟକ ଜୀବନର ରୋଜଗାର ବୋଲି ମୁଁ କହିପାରେ। ସେ ଦୃଷ୍ଟିରୁ ୧୯୯୪ ମସିହାରେ ଏକ ଦୈନିକ ଖବରକାଗଜରେ ମୋର ପ୍ରଥମ କବିତା ପ୍ରକାଶିତ ହେବାର ଘଟଣା ଏବେ ବି ମୋତେ ପୁଲକିତ କରେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?