ଶାରଜା,୨୮।୯: ଶାରଜା ଗ୍ରାଉଣ୍ଡରେ ମଙ୍ଗଳବାର ଅପରାହ୍ନରେ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍ରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ମ୍ୟାଚ୍ର ଚତୁର୍ଥ ଓଭରରେ ଟିମ୍ ସୌଦିଙ୍କ ପଞ୍ଚମ ବଲ ଦିଲ୍ଲୀ ଓପନର ଶିଖର ଧାଓ୍ବନଙ୍କ ପ୍ୟାଡ୍ରେ ବାଜିଥିଲା। ଏଲ୍ବିଡବ୍ଲ୍ୟୁ ଅପିଲକୁ ଫିଲ୍ଡ ଅମ୍ପାୟାର ପ୍ରତ୍ୟାଖ୍ୟାନ କରିବା ପରେ କେକେଆର୍ ଅଧିନାୟକ ଇଆନ ମୋର୍ଗାନ ରିଭ୍ୟୁ ନେଇଥିଲେ। କିନ୍ତୁ ବିଳମ୍ବରେ ଆଉଟ୍ କି ନଟଆଉଟ୍ ପ୍ରକ୍ରିୟା ଆରମ୍ଭ କରିଥିଲେ ଟିଭି ଅମ୍ପାୟର। ଏପରି କି ଅଲଟ୍ରା ଏଜ୍ ଓ ବଲ ଟ୍ରାକିଂରେ ସାଢ଼େ ୩ ମିନିଟ୍ ଖର୍ଚ୍ଚ ହୋଇଥିଲା। ସାଧାରଣତଃ କ୍ରିକେଟ ମ୍ୟାଚ୍ରେ ରିଭ୍ୟୁ ପାଇଁ ଅଧିକରୁ ଅଧିକ ଦେଢ଼ରୁ ଦୁଇ ମିନିଟ୍ ଲାଗିଥାଏ। ପରେ ତୃତୀୟ ଅମ୍ପାୟର ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ନ କରିବାକୁ ଫିଲ୍ଡ ଅମ୍ପାୟରଙ୍କୁ ପରାମର୍ଶ ଦେଇଥିଲେ।


