ମହାଜାଗତିକ ଆହ୍ବାନ

ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ

ପ୍ରଫେସର ଡ. ଅଜୟ କୁମାର ପାତ୍ର

ଯାହାର ଭୂଗୋଳ ଯେତେ ସୁନ୍ଦର, ତାହାର ଇତିହାସ ସେତେ କଳଙ୍କିତ। ପୃଥିବୀ ଓ ଦ୍ୱିତୀୟ ପୃଥିବୀ ମହାସମରର ଭୟାବହତା, ନାଗାସାକି ଓ ହିରୋଶିମାର ବୀଭତ୍ସ ରୂପ ଏବଂ ବିଗତ ବର୍ଷର ଖାଡ଼ିଯୁଦ୍ଧ ପର୍ଯ୍ୟନ୍ତ ଯେତେ ଛୋଟବଡ଼ ଯୁଦ୍ଧ ଓ ପ୍ରାକୃତିକ ଦୁର୍ଯୋଗ ଘଟିଛି, ତାହାର ମୂକସାକ୍ଷୀ ଆମର ଏ ପୃଥିବୀ। ସବୁ ଦେଖିଛି, ସବୁ ସହିଛି। ତଥାପି ଏ ପୃଥିବୀ ବଞ୍ଚଛି, ବଞ୍ଚାଇ ଚାଲିଛି ଅସୁମାରୀ କୀଟପତଙ୍ଗଠାରୁ ଆରମ୍ଭ କରି ସ୍ତନ୍ୟପାୟୀ ମଣିଷ ପର୍ଯ୍ୟନ୍ତ। ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇ ସମସ୍ତଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବାରେ ସତତ ଚେଷ୍ଟିତ। ଅସରନ୍ତି ଏହାର ପ୍ରାକୃତିକ ସମ୍ପଦ, ମହାଶୂନ୍ୟରେ, ମହାକାଶରେ ଏକ ଗତିଶୀଳ ବସ୍ତୁ। ଅନ୍ୟ ଗ୍ରହ ଓ ଉପଗ୍ରହ ଏବଂ କୋଟି କୋଟି ନକ୍ଷତ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏ ପୃଥିବୀ ଆଜି ଭୀତତ୍ରସ୍ତ । ବିଜ୍ଞାନୀ ମଣିଷର ଅପରିଣାମଦର୍ଶିତା, ଅବିବେକ ପଣିଆ ଏହି ପୃଥିବୀକୁ ଏକ ବିରାଟ ସଙ୍କଟ ଆଡ଼କୁ ଟାଣିନେଉଛି।
ସୁପ୍ରସିଦ୍ଧ ବୈଜ୍ଞାନିକ ନୋବେଲ ବିଜେତା ସି.ଭି. ରମଣଙ୍କ ବିଜ୍ଞାନ ପ୍ରତି ଅତୁଳନୀୟ ଅବଦାନ ରମଣ ରଶ୍ମିକୁ ମନେପକାଇବା ଲାଗି ପ୍ରତିବର୍ଷ ଫେବୃୟାରୀ ୨୮ରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଆସୁଛି। ଏହି ଦିନ ସେ ରମଣ ରଶ୍ମି ଆବିଷ୍କାର କରଥିତ୍ଲେ, ଯେଉଁଥିତ୍ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଥିତ୍ତ୍ଲା। ବିଜ୍ଞାନର କଲ୍ୟାଣକାରୀ ଦିଗ ଉପରେ ଗୁରୁତ୍ୱ ଦେଇ ବିଶ୍ୱକୁ ସରସ ସୁନ୍ଦର କରି ଗଢ଼ିବା ଲାଗି ଏହି ଦିବସ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇଆସୁଛି। ହେଲେ ଏବେ ବିଜ୍ଞାନର ସଦ୍‌ ଉପଯୋଗ ଯେତିକି ହେଉଛି, ତା’ଠାରୁ ଏହାର ଦୁରୁପଯୋଗ ଅଧିକ ହେଉଛି। ଏହାଦ୍ୱାରା ପୃଥିବୀ ଧ୍ୱଂସମୁଖକୁ ଠେଲି ହୋଇଯାଉଛି। ତେବେ ପୃଥିବୀକୁ ଧ୍ୱଂସମୁଖରୁ ବଞ୍ଚାଇବା ଲାଗି ଆଜି ଭଳି ଦିନରେ ଆମକୁ ଶପଥ ନେବାକୁ ପଡ଼ିବ।
ଆଜି ଆମେ ଏଭଳି ଏକ ବିଶ୍ୱମଞ୍ଚ ଉପରେ ଦଣ୍ଡାୟମାନ; ଯେଉଁଠାରେ ଅନୂ୍ୟନ ଅଶୀ ହଜାରରୁ ବେଶି ପରମାଣୁ ଅସ୍ତ୍ର ମହଜୁଦ ଅଛି। ଅର୍ଥାତ୍‌ ଆମେ ପ୍ରତ୍ୟେକ ମଣିଷ ଗୋଟିଏ ପାଞ୍ଚ ଟନ୍‌ ଓଜନର ଡିନାମାଇଟ ସ୍ତୂପ ଉପରେ ଛିଡ଼ାହୋଇଛୁ। ଏ ସବୁର ଯଦି ବିସ୍ଫୋରଣ ଘଟେ ତା’ହେଲେ ପୃଥିବୀ ପୃଷ୍ଠରେ ଯେତେ ଉଦ୍ଭିଦ ଓ ପ୍ରାଣୀ ଅଛନ୍ତି, ସମସ୍ତେ ନିମିଷକ ମଧ୍ୟରେ ନିଶ୍ଚିହ୍ନ ହୋଇଯିବେ। ପରମାଣୁ ବିସ୍ଫୋରଣର ଭୟାବହତା ବିଷୟରେ ଏହା ଯଥେଷ୍ଟ ନୁହେଁ। ପୃଥିବୀ ପୃଷ୍ଠର ଜୀବଜନ୍ତୁ ସଂଖ୍ୟାର ବାରଗୁଣ ଜୀବସଂଖ୍ୟାକୁ ଏହି ପରମାଣୁ ଦୈତ୍ୟ ନିଶ୍ଚିହ୍ନ କରିବାକୁ ସମର୍ଥ ହେବ। ବିଗତ ଷାଠିଏ ବର୍ଷ ଧରି ଏହି ପରମାଣୁ ଶକ୍ତି ଯେଭଳି ନିଜ କଳେବର ବିସ୍ତାର କରିଚାଲିଛି ଏଥିରୁ ସହଜରେ ଅନୁମେୟ ହୁଏ ଯେ, ଏ ଦୁର୍ଲଭ ପୃଥିବୀର ଅକାଳ ମୃତ୍ୟୁ କ୍ରମଶଃ ଘନେଇ ଆସିଲାଣି। ବିଜ୍ଞାନର ଭୁଲ ଉପଯୋଗ ଏହାର ମୁଖ୍ୟ କାରଣ। ବିଶ୍ୱ ସଭ୍ୟତା ଉପରେ ଶାଣିତ ଖଡ୍‌ଗ ଝୁଲୁଛି। ଟିକିଏ ଏପଟସେପଟ ହେଲେ ମହାବିସ୍ଫୋରଣ ଘଟି ସମସ୍ତ ଜୀବସତ୍ତାର ବିଲୟ ଘଟିପାରେ।
ଯୁକ୍ତରାଷ୍ଟ୍ର ଆମେରିକା ଏକଦା ୧୦ଟି ନିମିଜ ପରମାଣୁବାହୀ ଜାହାଜ ନିର୍ମାଣ ନିମନ୍ତେ ଯେତିକି ଖର୍ଚ୍ଚ କରିଥିଲା ସେଥିରେ ୧ଶହ କୋଟି ଲୋକଙ୍କୁ ମ୍ୟାଲେରିଆ ଆକ୍ରାନ୍ତରୁ ସମ୍ପୂର୍ଣ୍ଣ ଆରୋଗ୍ୟ କରାଯାଇ ପାରିଥାନ୍ତା। କେବଳ ଆଫ୍ରିକା ମହାଦେଶରେ ହିଁ ୧୪ ନିୟୁତ ଶିଶୁଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ସମ୍ଭବ ହୋଇଥାଆନ୍ତା। ‘ଫାଓ’ ଦେଇଥିବା ତଥ୍ୟ ଅନୁସାରେ ଏକଦା ପୃଥିବୀରେ ୫୨୫ ନିୟୁତ ଲୋକ ଦୁର୍ଭିକ୍ଷ କବଳରେ ପଡ଼ିଥିଲେ। ସେମାନଙ୍କୁ ବଞ୍ଚାଇବା ପାଇଁ ଯେତେ ପରିମାଣ କ୍ୟାଲୋରୀ ଖାଦ୍ୟ ଆବଶ୍ୟକ ଥିଲା ତାହାର ଯାହା ମୂଲ୍ୟ ତା’ ତୁଳନାରେ ଅଧିକ ଅର୍ଥ କେବଳ ୧୪୯ଟି ଏମ୍‌.ଏକ୍‌ସ. କ୍ଷେପଣାସ୍ତ୍ର ତିଆରିରେ ବ୍ୟୟ ହୋଇଥିଲା। ପଶ୍ଚିମ ୟୁରୋପ ଏକଦା ୨୨୩ଟି ଏମ.ଏକ୍‌ସ. କ୍ଷେପଣାସ୍ତ୍ର ତିଆରି କରିଥିଲା। ଏଥିରୁ ମାତ୍ର ୨୨ଟି କ୍ଷେପଣାସ୍ତ୍ରରେ ଯାହା ଖର୍ଚ୍ଚ ହୋଇଥିଲା, ତାହାଦ୍ୱାରା ଗରିବ ଦେଶଗୁଡ଼ିକ ପାଇଁ କୃଷି ସରଞ୍ଜାମ ସଂଗ୍ରହ କରାଗଲେ ସେମାନେ କାର୍ଯ୍ୟ କ୍ଷେତ୍ରରେ ସ୍ବାବଲମ୍ବନଶୀଳ ହୋଇପାରିଥାନ୍ତେ।
ଯେତେବେଳେ ମଣିଷ ଦୁଇଓଳି ଗଣ୍ଡାଏ ଖାଇବାକୁ ପାଉନି , ଦାଦନ ଶ୍ରମିକ ସାଜି ଦେଶାନ୍ତର ଗମନ କରୁ୍‌ଛି, ପେଟର କ୍ଷୁଧା ମେଣ୍ଟାଇବା ପାଇଁ ଭୋକିଲା ଶିଶୁଟି ଅଳିଆ ଗଦାରେ କୁକୁର ସହିତ ଲଢ଼େଇ କରୁଛି, ଟୋପାଏ କ୍ଷୀର ପାଇଁ ମାଆ କୋଳରେ ଶିଶୁ ମୃତ୍ୟୁବରଣ କରୁଛି, ପଇସା ଅଭାବରୁ ଗରିବ ପିଲାଟି ମେଧାବୀ ହୋଇ ବି ପଢ଼ାରୁ ବଞ୍ଚିତ ହେଉଛି; ସେତେବେଳେ ଉନ୍ନତ ଦେଶର ଯୁଦ୍ଧଖୋର ସରକାର ସାମରିକ ଖର୍ଚ୍ଚ ବଢ଼ାଇ, ମଣିଷକୁ ବଞ୍ଚିବାର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରୁଛନ୍ତି।
ହିରୋଶିମାରୁ ଖାଡ଼ିଯୁଦ୍ଧ, ଖାଡ଼ିଯୁଦ୍ଧରୁ ତାରକାଯୁଦ୍ଧ ଆଦି ପ୍ରଗତିଶୀଳ ଦେଶର ସରକାରଙ୍କୁ ଘାରିଛି। ସମୂହ ଧ୍ୱଂସ ପାଇଁ ଏହା ଏକ ଅତି ସହଜ ଓ ସୁଗମ ପଥ। ଏହା କ’ଣ ବିଜ୍ଞାନର ଉଦ୍ଦେଶ୍ୟ। ୧୯୪୫ ମସିହାରୁ ୨୦୨୧, ୭୬ବର୍ଷ କାଳ ମଣିଷ ସେହି ଘୋର ଭୟାବହ ବିଷର ଜ୍ୱାଳାରେ ଘାରି ହୋଇ ମରଣ ଯନ୍ତ୍ରଣା ଭୋଗ କରୁଛି। ଏକଦା ଆମେରିକା ସରକାର ୨୫ଟି ପରମାଣବିକ ସବ୍‌ମେରିନ୍‌ ତିଆରି କରିଥିଲା। ଅନ୍ୟ ଦିଗରେ ପ୍ରତିକ୍ରିୟାଶୀଳ ହୋଇ ରୁଷ୍‌ ସରକାର ମଧ୍ୟ ଅନୁରୂପ ଶକ୍ତିସମ୍ପନ୍ନ ଟାଇଫୁନ ସବ୍‌ମେରିନ ତିଆରି କରିଥିଲା। ଅଥଚ ଏଥିରୁ ମାତ୍ର ୨ଟିରେ ଯାହା ବ୍ୟୟ ହୋଇଥିଲା ତାହା ଦ୍ୱାରା ହିଁ ସମଗ୍ର ପୃଥିବୀରେ ନିରକ୍ଷରତା ଦୂରୀକରଣ ସମ୍ଭବ ହୋଇପାରିଥାନ୍ତା।
ସୁପ୍ରସିଦ୍ଧ ବୈଜ୍ଞାନିକ ଜୋସେଫ ଏଲ ମାୟାଲାର କହିଥିଲେ, ‘ଆମେ, ମଣିଷ ବାସ୍ତବିକ ଏକ କଦର୍ଯ୍ୟ ପଶୁ ଅଟୁ ଏବଂ ଆମ୍ଭେମାନେ ଏକ କଦର୍ଯ୍ୟ ପୃଥିବୀରେ ବାସ କରୁଛୁ।’ ମଣିଷ ମନର ଦୟା, କ୍ଷମା ଓ ଧର୍ମ ଧୀରେ ଧୀରେ ଦୂରେଇ ଯାଉଛି। ମଣିଷ କ୍ରୋଧ ଓ ନିଷ୍ଠୁରତାର ନିକଟବର୍ତ୍ତୀ ହେଉଛି। ଭାରତ ଭଳି ଶାନ୍ତିକାମୀ, ଧର୍ମନିରପେକ୍ଷ ଦେଶ ବି ତାହାର ସୁରକ୍ଷା ନିମନ୍ତେ ଆଣବିକ ସମ୍ପନ୍ନ ଅସ୍ତ୍ର ମହଜୁଦ କରିବାରେ ଲାଗି ପଡ଼ିଛି ଓ ପ୍ରତିଯୋଗିତାରେ ସାମିଲ ହୋଇଛି। ଗୋଟିଏ ଆଣବିକ ବୋମା ତିଆରି କରିବାରେ ଯେତେ ଅର୍ଥ ଖର୍ଚ୍ଚ ହେଉଛି, ସେହି ଅର୍ଥରେ ଗୋଟିଏ ପଞ୍ଚବାର୍ଷିକ ଯୋଜନା ସୁନ୍ଦର ଭାବରେ ସଫଳ ହୋଇପାରନ୍ତା।
ପ୍ରକୃତିର ସମସ୍ତ ଚିର ଶକ୍ତି ଆଜି ଧୀରେ ଧୀରେ ନଷ୍ଟ ହେବାକୁ ବସିଛି। ଏହି ଜୀବଧାରୀ ପୃଥିବୀରେ ଯେଉଁଦିନ ପ୍ରଥମ ଜୀବନର ସ୍ମରଣ ଘଟିଥିଲା, ତା’ପରେ ମଧ୍ୟ ଗୋଟିଏ ପ୍ରଜାପତିକୁ ଡେଣା ମେଲି ଉଡ଼ି ଶିଖିବା ପାଇଁ ୩୮୦ ନିୟୁତ ବର୍ଷ ଲାଗିଥିଲା। ଗୋଟିଏ ପଦ୍ମଫୁଲକୁ ସୁନ୍ଦର ଭାବେ ଫୁଟି ଉଠିବା ପାଇଁ ପ୍ରାୟ ୧୮୦ ନିୟୁତ ବର୍ଷ ଲାଗିଥିଲା। ପ୍ରକୃତିକୁ ଦୁଇ ଇଞ୍ଚ ମୃତ୍ତିକା ଗଢ଼ିବା ପାଇଁ ପ୍ରାୟ ଦୁଇଶହ ବର୍ଷ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼େ। ମାତ୍ର ଅବିବେକୀ ମଣିଷ ଆଜି ପ୍ରକୃତିର ଅନବଦ୍ୟ ଦାନକୁ ନିମିଷକେ ଧ୍ୱଂସ କରି ଦେଉଛି। ଏବେ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରନାୟକଙ୍କ ପାଦତଳେ ଗୋଟିଏ ବୋତାମ ଟିପିଲେ ନିମିଷକ ମଧ୍ୟରେ ସବୁ ଶେଷ ହୋଇଯିବ। ଭାବନ୍ତୁ ତ ଦେଖି, ପ୍ରକୃତି ଯାହାକୁ ଗଢ଼ିତୋଳିବା ପାଇଁ, ଯାହାର ସୁନ୍ଦର ରୂପାୟନ କରିବା ଲାଗି ନିୟୁତବର୍ଷ ଅକ୍ଳାନ୍ତ ପରିଶ୍ରମ କଲା, ମଣିଷକୁ ଶ୍ରେଷ୍ଠ ଆସନରେ ବସାଇ ସବୁକିଛି ବହୁମୂଲ୍ୟ ସମ୍ପଦ ଭରିଦେଲା, ସେହି ମଣିଷ ି ଗୋଟିଏ ସେକେଣ୍ଡ ବା ତା’ଠୁ କମ୍‌ ସମୟରେ ସୃଷ୍ଟିକୁ ଧ୍ୱଂସ କରିବାକୁ ବସିଛି। ସୌରମଣ୍ଡଳ ଭିତରେ ଏକମାତ୍ର ଏହି ଜୀବଧାରୀ ଗ୍ରହରେ ଏପରି ଏକ ଦାନବୀୟ ଅଭିଯାନ ଚାଲିଛି, ଯାହା ଆମର ସକଳ ବୋଧଶକ୍ତିର ବିଲୋପ ସାଧନ ପାଇଁ ସର୍ବଦା ଉଦ୍ୟତ।
ବିଜ୍ଞାନର ବିଜୟବାନା ଆଜି ପୃଥିବୀର କୋଣେ କୋଣେ ଉପଲବ୍ଧି ହୋଇପାରୁଛି। ସବୁଜ ବିପ୍ଳବ, ନୀଳ ବପ୍ଳବ, ଦୁଗ୍ଧ ବିପ୍ଳବକୁ ସାର୍ଥକ କରିବାରେ ବିଜ୍ଞାନର ଦାନ ଅତୁଳନୀୟ। କରୋନାଜନିତ ବିଶ୍ୱ ମହାମାରୀ ସମୟରେ ବିଦ୍ୟାର୍ଥୀମାନେ ଘରେ ରହି ମଧ୍ୟ ଶିକ୍ଷାଦାନରୁ ବଞ୍ଚିତ ହୋଇନାହାନ୍ତି; ଚାକିରିଆମାନେ ଯେ ଯାହାର ଚାକିରି ବଞ୍ଚାଇପାରିଛନ୍ତି କେବଳ କମ୍ପ୍ୟୁଟର ଯୁଗର ଅତୁଳନୀୟ ଉତ୍ଥାନ ଯୋଗୁ। ସ୍ବାସ୍ଥ୍ୟ କ୍ଷେତ୍ରରେ ସ୍ବାସ୍ଥ୍ୟର ଉନ୍ନତି ଘଟିଛି, କରୋନା ଭଳି ମାରାତ୍ମକ ମହାମାରୀକୁ ସାହସର ସହିତ ମୁକାବିଲା କରିବାରେ ସକ୍ଷମ ହୋଇପାରିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ଉନ୍ନତ ବିଜ୍ଞାନ ଚିନ୍ତା ଓ ଜ୍ଞାନ ବଳରେ ‘କୋଭାକ୍ସିନ୍‌’ ଓ ‘କୋଭିଶିଲ୍ଡ୍‌’ ଭଳି ବିଶ୍ୱଲ୍ୟକରଣୀ ଟିକା ଉଦ୍ଭାବନ କରି ଓ ଅପୂର୍ବ ସଫଳତା ଲାଭକରି ବିଶ୍ୱ ଦରବାରରେ ଭାରତ ନିଜସ୍ବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ‘ଆତ୍ମନିର୍ଭର ପନ୍ଥା’ ଆପଣେଇ କୋଟି କୋଟି ବେକାର ଯୁବତୀ ଓ ଯୁବକ ସ୍ବାବଲମ୍ବନଶୀଳ ହୋଇପାରୁଛନ୍ତି। ଏଥିରେ ଅନ୍ତର୍ଭୁକ୍ତ ରହିଛି, ‘ପରିବେଶ ଅର୍ଥନୀତି’, ‘ଜଙ୍ଗଲ ଅର୍ଥନୀତି’, ‘ମତ୍ସ୍ୟ ପ୍ରଜନନ ଅର୍ଥନୀତି’, ‘ବାଡ଼ି ପନିପରିବା ଅର୍ଥନୀତି’, ‘ସୂର୍ଯ୍ୟକିରଣ ଅର୍ଥନୀତି’ ଆଦି ବହୁମୁଖୀ ଅର୍ଥ ଉଜାଗରର ପନ୍ଥା। ‘ଜୟ ଜବାନ,ଜୟ କିଷାନ’ ସ୍ଲୋଗାନ୍‌ ସହ ଏବେ ଘରେ ଘରେ ପହଞ୍ଚିପାରିଛି ‘ଜୟ ବିଜ୍ଞାନ’ । ଜାଣିରଖ, ଏ ସୁନ୍ଦର ପୃଥିବୀ କେବଳ ତୁମର ନୁହେଁ, ସମଗ୍ର ଜୀବଜନ୍ତୁ, କୀଟପତଙ୍ଗ ଓ ଉଦ୍ଭିଦ ଆଦିଙ୍କର ଜନ୍ମଭୂମି ମଧ୍ୟ। ତେଣୁ ପ୍ରତ୍ୟେକ ପରସ୍ପର ସହିତ ସହାବସ୍ଥାନ କରି ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବାକୁ ପଡ଼ିବ। ବିଜ୍ଞାନର କଲ୍ୟାଣକାରୀ ଦିଗ ଉପରେ ଅଧିକ ଗୁରୁତ୍ୱ ଦେବା ହିଁ ଆମମାନଙ୍କର ଲକ୍ଷ୍ୟ ହେବା ଉଚିତ। ଏହା ହିଁ ଜାତୀୟ ବିଜ୍ଞାନ ଦିବସର ବାର୍ତ୍ତା ହେଉ।
ମୋ- ୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri