Posted inଜାତୀୟ

ଆର୍‌ଟିଆଇ: ଉଦାସୀନତାରୁ ଅଚଳାବସ୍ଥା

ନୂଆଦିଲ୍ଲୀ,୨୨ା୧୦: ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ପ୍ରଣୟନ ହେବାର ୧୫ ବର୍ଷ ବିତିଗଲାଣି। କିନ୍ତୁ ଏହା ଲୋକଙ୍କ କାମରେ କେତେ ଆସିପାରୁଛି। ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି ଯେ, କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନଗୁଡ଼ିକରେ କମିଶନର ପଦବୀ ଖାଲି ପଡ଼ିଥିଲେ ସୁଦ୍ଧା ସେଗୁଡ଼ିକୁ ପୂରଣ କରିବାରେ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଥିବା ଭଳି ମନେହେଉନାହିଁ। ପୂର୍ବରୁ ଦ୍ୱିତୀୟ ଅପିଲଗୁଡ଼ିକର ସମାଧାନ କ୍ଷେତ୍ରରେ ହେଉଥିବା ବିଳମ୍ବ ସୂଚନା ଅଧିକାର ଆଇନର ନୈତିକ ମନୋବଳକୁ ହତ୍ୟା କରିଥିଲା। ଏବେ କେନ୍ଦ୍ରରେ ମୁଖ୍ୟ ସୂଚନା କମିଶନର ଓ ଅନେକ ରାଜ୍ୟରେ ସୂଚନା କମିଶନରଙ୍କୁ ନିଯୁକ୍ତି ଦିଆଯାଉ ନ ଥିବାରୁ ଆର୍‌ଟିଆଇ ସଙ୍କଟ ଜଟିଳ ହୋଇଛି। ସିଆଇସିଙ୍କ ନିକଟରେ ପ୍ରାୟ ୪୦,୦୦୦ ଅପିଲ ଓ କମ୍ପ୍ଲେଣ୍ଟ ଗଡ଼ୁଥିବାବେଳେ ରାଜ୍ୟ ଆଇସିମାନଙ୍କ ପାଖରେ ଏପରି ୨ ଲକ୍ଷ ମାମଲା ପଡ଼ିରହିଥିବାରୁ ଆର୍‌ଟିଆଇର କାର୍ଯ୍ୟକାରିତା ନୈରାଶ୍ୟଜନକ ସ୍ଥିତିରେ ରହିଛି। କୌଣସି କାର୍ଯ୍ୟ ସମୟବଦ୍ଧ ଭାବେ ହେଉ ନ ଥିବାରୁ ଲୋକେ ମାସ ମାସ ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ସ୍ଥଳେ ନାଗରିକଙ୍କ ଆବେଦନର ଶୁଣାଣି ଲାଗି ବର୍ଷ ବର୍ଷ ଲାଗିଯାଉଛି।
ଆର୍‌ଟିଆଇ ଆଇନ ପାର୍ଲାମେଣ୍ଟରେ ୨୦୦୫ ଜୁନ ୧୫ରେ ଗୃହୀତ ହୋଇ ସେହିବର୍ଷ ଅକ୍ଟୋବର ୧୨ରୁ ଦେଶରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଥିଲା। ଦୁର୍ନୀତି ବିରୋଧରେ ଲୋକଙ୍କ ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ବୋଲି ବିବେଚନା କରାଯାଉଥିବା ଆର୍‌ଟିଆଇ ଆଇନକୁ ଇତିମଧ୍ୟରେ ୧୫ ବର୍ଷ ବିତିଗଲାଣି। ସରକାରଙ୍କ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ଲାଗି ପ୍ରତିଶ୍ରୁତି ଦେଇ ପ୍ରଣୟନ କରାଯାଇଥିବା ଏହି ଆଇନ କ୍ରମଶଃ ନିଷ୍କ୍ରିୟ ହୋଇ ପଙ୍ଗୁ ଅବସ୍ଥା ଆଡ଼କୁ ଅଗ୍ରସର ହେଉଛି।
ଇତିମଧ୍ୟରେ ଦ୍ୱିତୀୟ ଅପିଲ ଓ କମ୍ପ୍ଲେଣ୍ଟଗୁଡ଼ିକ ସୂଚନା କମିଶନଙ୍କ ଅଫିସ ଫାଇଲ ଭିତରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାନ୍ଧିହୋଇ ଯାଇଥିବାରୁ ସ୍ବଚ୍ଛତା ଓ ନ୍ୟାୟର ଆନ୍ଦୋଳନକୁ ଶକ୍ତ ଧକ୍କା ଲାଗିଛି। ପଦବୀ ଖାଲି ପାଇଁ କମିଶନଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅପିଲ୍‌ଗୁଡ଼ିକର ଫଇସଲା କରିପାରୁ ନାହାନ୍ତି।
୨୦୨୦ ଅଗଷ୍ଟ ୨୬ରେ ତତ୍କାଳୀନ ସିଆଇସି ବିମଲ ଜୁଲ୍‌କାଙ୍କ ଅବସର ପରଠୁ ଏହି ପଦବୀ ଖାଲି ପଡ଼ିଛି। ଏହା ସହ କେନ୍ଦ୍ରୀୟ ସୂଚନା କମିଶନ ୬ ବର୍ଷ ମଧ୍ୟରେ ପଞ୍ଚମ ଥର ପାଇଁ ମୁରବି ବିହୀନ ହୋଇଯାଇଛି। କେବଳ ସେତିକି ନୁହେଁ, ଅନ୍ୟ ୫ ସୂଚନା କମିଶନର ପଦବୀ ମଧ୍ୟ ଖାଲି ପଡ଼ିଛି। ୨୦୧୪ ମେ ପରଠାରୁ ସିଆଇସିରେ ଯେତିକି ଥର ଖାଲି ପଦବୀ ପୂରଣ କରାଯାଇଛି ତାହା କେବଳ ସୂଚନା ଅଧିକାର କର୍ମୀମାନେ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ସରକାରଙ୍କଠାରୁ ଭ୍ୟାକେନ୍ସି ସମ୍ପର୍କରେ ସ୍ପଷ୍ଟୀକରଣ ଦାବି କରିବା ପରେ ହିଁ ହୋଇଛି। ସିଆଇସିଙ୍କ ଅଫିସ ଯେମିତି ଖାଲି ନ ପଡ଼ିବ ତାହା ସୁନିଶ୍ଚିତ କରିବା ଲାଗି ଅତୀତରେ ମାତ୍ର ଦୁଇଥର ମୁଖ୍ୟ ସୂଚନା କମିଶନରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଉଭୟ ନିଯୁକ୍ତି ଉପା ସରକାର ଅମଳରେ ହୋଇଥିଲା, ଯେଉଁ ସରକାର କି ଏହି ଆଇନକୁ ପାର୍ଲାମେଣ୍ଟରେ ଗୃହୀତ କରାଇଥିଲା। କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର କ୍ଷମତାସୀନ ହେବା ପରେ ୨୦୧୪-୧୫ରେ ୧୦ ମାସ ଧରି ସିଆଇସି ପଦବୀ ଖାଲି ପଡ଼ିଥିଲା। ୨୦୧୪ ଅଗଷ୍ଟରେ ରାଜୀବ ମାଥୁରଙ୍କ ଅବସର ପରେ ହାଇପ୍ରୋଫାଇଲ ଅଫିସଗୁଡ଼ିକ ବିରୋଧରେ ଦ୍ୱିତୀୟ ଅପିଲ୍‌ରେ ଆବେଦନକାରୀଙ୍କ ଆର୍‌ଟିଆଇ ତଥ୍ୟ ଦିଆଯାଇ ନ ଥିଲା। ୨୦୧୫ ଜୁନ୍‌ରେ ବିଜୟ ଶର୍ମାଙ୍କୁ ସିଆଇସି ନିଯୁକ୍ତ କରାଯାଇଥିଲା।
ବେଳ ଥାଉ ଥାଉ ସିଆଇସି ନିଯୁକ୍ତି ନ ଦେବା ମୋଦି ସରକାରଙ୍କ ଏକ ବଡ଼ ବିଫଳତା ବୋଲି କୁହାଯାଉଛି। ଏହା ହେଉଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ଖୋଲାଖୋଲି ଉଲ୍ଲଂଘନ। କାରଣ ୨୦୧୯ ଫେବୃୟାରୀରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦିଷ୍ଟ ଭାବେ କହିଥିଲେ, ଯଦି ସିଆଇସିରେ ମୁଖ୍ୟ ସୂଚନା କମିଶନର ନାହାନ୍ତି ବା ଆବଶ୍ୟକ ପଦବୀ ପୂରଣ ହୋଇନାହିଁ ତେବେ ତାହା ଆର୍‌ଟିଆଇ ଆଇନର କାର୍ଯ୍ୟକାରିତା ଉପରେ ନକାରାମତ୍କ ପ୍ରଭାବ ପକାଇବ। ଏପରି କି ଏହି ଆଇନ ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଣୟନ କରାଯାଇଥିଲା ତାହାର ବିରୁଦ୍ଧାଚରଣ ହେବ। ତେଣୁ ପଦବୀ ଖାଲି ହେବାର ମାସେ କିମ୍ବା ଦୁଇମାସ ପୂର୍ବରୁ ଚୟନ ପ୍ରକ୍ରିୟା ଆରମ୍ଭ କରିବା ଉଚିତ ବୋଲି ସେତେବେଳେ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ୨୦୧୯ ଡିସେମ୍ବରରେ ସିଆଇସି ଏବଂ ଏସ୍‌ଆଇସିଗୁଡ଼ିକରେ ୩ ମାସ ମଧ୍ୟରେ ସୂଚନା କମିଶନର ନିଯୁକ୍ତ କରି ଖାଲି ପଦବୀ ପୂରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆର୍‌ଟିଆଇ ଆଇନକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ପାଇଁ ଏହି ନିର୍ଦ୍ଦେଶନାମା ଗୁରୁତ୍ୱପୂର୍ଣ୍ଣ ବୋଲି ଶୀର୍ଷ ଅଦାଲତ କହିଥିଲେ। କିନ୍ତୁ ସରକାରମାନେ ଅଦାଲତଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇନାହାନ୍ତି।
ବରିଷ୍ଠତମ କମିଶନରଙ୍କୁ ସିଆଇସି ଭାବେ ନିଯୁକ୍ତି ଦିଆଯିବ ବୋଲି ଆର୍‌ଟିଆଇ ଆଇନରେ ନିୟମ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ସିଆଇସି ଚୟନ କରିବା ପରେ ନିଯୁକ୍ତି ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥାନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରବର୍ତ୍ତୀ ସିଆଇସି ମୁଖ୍ୟଙ୍କ ନାମକୁ ନେଇ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସମେତ ସୁପ୍ରିମକୋର୍ଟ ଓ ଅନ୍ୟ ହାଇପ୍ରୋଫାଇଲ୍‌ ଦପ୍ତରରୁ ଦ୍ୱିତୀୟ ଅପିଲ୍‌ର ସୂଚନା ମିଳିବ ନାହିଁ। ଅର୍ଥାତ୍‌ ଏହି ଅଫିସଗୁଡ଼ିକରୁ ନାଗରିକଙ୍କ ସୂଚନା ପାଇବାର ଅଧିକାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ।

ସୁପ୍ରିମକୋର୍ଟରେ ପିଟିଶନ
କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଅଧା ଷ୍ଟାଫ୍‌ଙ୍କୁ ନେଇ କାମ କରୁଛି। ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ୧୧ ସୂଚନା କମିଶନର ରହିବା ବ୍ୟବସ୍ଥା ଥିବାବେଳେ ଏବେ ମାତ୍ର ୫ ଜଣ ୟଶବର୍ଦ୍ଧନ କୁମାର ସିହ୍ନା, ବନଜା ଏନ୍‌. ସର୍ନା, ନୀରଜ କୁମାର ଗୁପ୍ତା, ସୁରେଶ ଚନ୍ଦ୍ରା ଏବଂ ଡ. ଅମିତାଭ ପାଣ୍ଡୋଭ୍‌ ଆଇସି ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିବା ସିଆଇସିଙ୍କ ସୁନ୍ଦର ବିଲ୍ଡିଂ ଅଫିସରେ ୫୦%ରୁ ଅଧିକ ପଦବୀ ଖାଲି ପଡ଼ିଛି। ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର ହୋଇଛି। ଅଞ୍ଜଳି ଭରଦ୍ୱାଜ, ଲୋକେଶ କେ. ବାତ୍ରା ଓ ଅମ୍ରିତା ଜୋହରିଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ପୂର୍ବରୁ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ଏହା ବିଚାରାଧୀନ ଥିବାବେଳେ ୩ ଆବେଦନକାରୀ ଏହାର ତ୍ୱରିତ ଶୁଣାଣି ପାଇଁ ପୁଣି ଏକ ପିଟିଶନ ଦାଏର କରିଛନ୍ତି। ସିଆଇସି ଭଳି ସାମ୍ବିଧାନିକ ସଂସ୍ଥାରେ ୫ ଆଇସି ଏବଂ ମୁଖ୍ୟ ପଦବୀରେ ତୁରନ୍ତ ନିଯୁକ୍ତି ନିମନ୍ତେ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀମାନେ ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

ଭାଜପା କେବେବି ମଜଭୁତ ଭାରତ ଗଢି ପାରିବ ନାହିଁ, ସତରେ କ’ଣ ମୋଦି କହିଛନ୍ତି ଏମିତି? ଜାଣନ୍ତୁ ଭାଇରାଲ…

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନର ୨୦୨୪ର ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଭାଜପା...

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri