ଭଙ୍ଗାହାଡ଼ର ଛବି

ଲୁହାଛଡ଼ର ଛାଞ୍ଚରେ ଇଟା-ବାଲି-ସିମେଣ୍ଟ ଲଗାଇ ବଡ଼ ବଡ଼ କୋଠାଘର ତିଆରି ହୁଏ। ଛାଞ୍ଚ ନ ରହିଲେ କୋଠାଘର ଛିଡ଼ା ହୋଇପାରିବ ନାହିଁ। ଠିକ୍‌ ସେମିତି, ଆମ ଶରୀରକୁ ତିଆରି କରିବା ପାଇଁ ମୂଳ ଛାଞ୍ଚ ହେଉଛି ହାଡ଼କଙ୍କାଳ (ସ୍କେଲିଟନ୍‌), ଯାହା ଉପରେ ମାଂସ ଓ ଚର୍ମ ଲାଗିଲେ ଶରୀର ଗଢ଼ା ହୁଏ। ଶରୀର ଭିତରେ କଙ୍କାଳ ନ ରହିଲେ ଆମେ ସିଧା ଛିଡ଼ାହୋଇ ପାରିବା ନାହିଁ। ପିଲାଟିଏ ଜନ୍ମ ହେବା ସମୟରେ ତା’ କଙ୍କାଳରେ ୩୦୬ ଖଣ୍ଡ ହାଡ଼ ଥାଏ। କିନ୍ତୁ ବଡ଼ ହେଲା ପରେ ସେଗୁଡ଼ିକ ଯୋଡ଼ିହୋଇ ୨୦୬ ଖଣ୍ଡ ହାଡ଼ରେ ପରିଣତ ହୁଏ। ତେଣୁ ମଣିଷ ଶରୀରରେ ୨୦୬ ଖଣ୍ଡ ହାଡ଼ ଅଛି ବୋଲି ଆମେ କହୁ। ଜଣେ ବୟସ୍କ ବ୍ୟକ୍ତିର ସେଇ ୨୦୬ ଖଣ୍ଡ ହାଡ଼କୁ ଓଜନ କଲେ ପାଖାପାଖି ୨୦ କିଗ୍ରା ହେବ। ହାଡ଼ଗୁଡ଼ିକ ଶକ୍ତ ଥାଏ ବୋଲି ଆମେ ସିଧା ଚାଲିପାରୁ ଓ କଷ୍ଟ କାମ କରିପାରୁ। କିନ୍ତୁ ଜୋର୍‌ ଆଘାତ ପାଇଲେ ଆମର ହାଡ଼ ବି ଭାଙ୍ଗି ଯାଇପାରେ। ଚମଡ଼ା ଭିତରେ ଥିବା ଭଙ୍ଗାହାଡ଼ର ଛବି ଦେଖିବା ପାଇଁ ‘ଏକ୍ସ-ରେ’ କରାଯାଏ।
କଥା, ଆମେ କହୁ, ହାଡ଼ ଭାଙ୍ଗିଥିଲା, ତେଣୁ ଏକ୍ସ-ରେ କଲୁ। ପ୍ରକୃତରେ ଏକ୍ସ-ରେ ହେଉଛି ଆଲୋକ ଭଳି ଏକ ବିକିରଣ, ଯାହାକୁ ବିଦ୍ୟୁତ୍‌-ଚୁମ୍ବକୀୟ ତରଙ୍ଗ ବୋଲି କୁହାଯାଏ। ହାଡ଼ ଭାଙ୍ଗିଥିଲେ ଆମେ କ’ଣ ସେଇ ବିକିରଣକୁ ତିଆରି କରୁ? ନା, ଆମେ କାହିଁକି ତାକୁ ତିଆରି କରିବୁ? ଠିକ୍‌ କଥାଟା ହେଉଛି, ସେହି ଏକ୍ସ-ରେ ବିକିରଣକୁ ବ୍ୟବହାର କରାଯାଇ ଚମଡ଼ା ଓ ମାଂସ ଭିତରେ ଲୁଚି ରହିଥିବା ହାଡ଼ର ଫଟୋ ଉଠାଯାଏ। ଏଇଠି ଗୋଟେ କଥା ମନେ ପକେଇବା। ଆମେ କ’ଣ କ୍ୟାମେରା ବା ମୋବାଇଲ ଦ୍ୱାରା ଫଟୋ ଉଠେଇବା ପାଇଁ ଏକ୍ସ-ରେ ବିକିରଣ ବ୍ୟବହାର କରୁ କି? ନା, ଆଦୌ ନୁହେଁ, ‘ଏକ୍ସ-ରେ’ ବିକିରଣ ବ୍ୟବହାର ହୁଏ ନାହିଁ। ବରଂ କ୍ୟାମେରାରେ ଆମେ ଫଟୋ ଉଠେଇବା ସକାଶେ ସାଧାରଣ ଆଲୋକର ସାହାଯ୍ୟ ନେଉ। ଏବେ ମନରେ ପ୍ରଶ୍ନ ଉଠୁଛି, ସାଧାରଣ ଆଲୋକ ବ୍ୟବହାର କରି ହାଡ଼ର ଫଟୋ ଉଠେଇବା ସମ୍ଭବ ନୁହେଁ କାହିଁକି?
ସାଧାରଣ କ୍ୟାମେରାରେ ଆମର ଫଟୋ କେମିତି ଉଠାଯାଏ, ସେକଥା ପ୍ରଥମେ ବୁଝିବା। ଆମ ଉପରେ ସାଧାରଣ ଆଲୋକ ପଡ଼ିଲେ, ଆମ ଶରୀରରୁ ମଧ୍ୟ ଆଲୋକ ବିକିରଣ ହୁଏ। କ୍ୟାମେରାର ଅତି ସରୁ କଣା ଦେଇ ସେହି ବିକିରଣ କ୍ୟାମେରା ଭିତରକୁ ଯାଇ ଝରକା ପରି କାମ କରୁଥିବା ଏକ ପରଦା ଉପରେ ଆମର ଅବିକଳ ଓଲଟା ଛବି ତିଆରି କରେ। ସେଇ ପରଦା ଓ ସରୁ କଣା ମଧ୍ୟରେ ଦୂରତାକୁ କମ୍‌-ବେଶି କରି ସେଇ ଛବିକୁ ଅଧିକ ସ୍ପଷ୍ଟ ଓ ପରିଷ୍କାର କରାଯାଏ। ତା’ ପରେ ବଟନ୍‌ରେ କ୍ଲିକ୍‌ କଲେ ନିମିଷକ ପାଇଁ ଝରକା ଖୋଲିଯାଏ ଓ ଛବିଟି ଯାଇ ଝରକା ପଛପଟେ ଥିବା ଅତି ସମ୍ବେଦନଶୀଳ (ସେନ୍‌ସିଟିଭ୍‌) ପରଦା ଉପରେ ପଡ଼େ। ସେହି ପରଦାରେ ରାସାୟନିକ ପଦାର୍ଥର ଲେପ ଥାଏ, ଯାହାକି ଆଲୋକ ସହିତ ପ୍ରତିକ୍ରିୟା କରେ। ଛବି ହେଉଛି ଆଲୋକ ଓ ଛାଇର ଏକ ସୁନ୍ଦର ସଜ୍ଜା। ଆମର ଓଲଟା ଛବିର ଯେଉଁ ଯେଉଁ ଜାଗାରେ ଆଲୋକ ଥାଏ, ପରଦାର ସେଇ ଅଞ୍ଚଳରେ ପ୍ରତିକ୍ରିୟା ହୁଏ ଓ ସେଠାରେ ଦାଗ ସୃଷ୍ଟି ହୁଏ। ଛବିରେ ଆଲୋକ ନଥିବା ଅଞ୍ଚଳରେ ପ୍ରତିକ୍ରିୟା ହୁଏ ନାହିଁ କି ଦାଗ ସୃଷ୍ଟି ହୁଏ ନାହିଁ। ତେଣୁ ପରଦା ଉପରେ ଦାଗର ଏକ ସୁନ୍ଦର ପରିପାଟୀ ତିଆରି ହେଇଯାଏ। ଏହିପରି ପରଦା ଉପରେ ଆମର ଅବିକଳ ଛବି ଆଙ୍କି ହୋଇଯାଏ।
ଛବି ଉଠିଲା ବେଳେ ଆହୁରି ଅଦ୍ଭୁତ ଘଟଣା ଘଟେ। ସାଧାରଣ ଆଲୋକ ଆମ ଉପରେ ପଡ଼ିଲେ, ସେଇଠି ଅଟକିଯାଏ। ହେଲେ ‘ଏକ୍ସ-ରେ’ ବିକିରଣ ଆମ ଶରୀର ଭିତରକୁ ପ୍ରବେଶ କରିପାରେ। କାରଣ ଏହି ବିକିରଣର ଆମ ଶରୀର ଭିତରେ ପଶିପାରିବା ସକାଶେ ଯଥେଷ୍ଟ ଶକ୍ତି ଅଛି। ଆଲୋକର ଶକ୍ତିକୁ ବୈଜ୍ଞାନିକମାନେ ‘ଇଭି’ ଏକକରେ ମାପ କରନ୍ତି, ଯେମିତି ସମୟକୁ ‘ମିନିଟ୍‌’ ଓ ଉଚ୍ଚତାକୁ ‘ମିଟର’ ଏକକରେ ମପାଯାଏ। ‘ଇଭି’ର ୧୦୦୦ ଗୁଣ ହେଉଛି ‘କେଇଭି’ ଏକକ। ଆମେ ଦେଖୁଥିବା ବିଭିନ୍ନ ରଙ୍ଗର ଆଲୋକ ଭିତରୁ ନୀଳ ଆଲୋକର ଶକ୍ତି ଅଧିକ, ଯାହାର ମୂଲ୍ୟ ପାଖାପାଖି ୨.୬୪ ଇଭି।
କିନ୍ତୁ ଏକ୍ସ-ରେ ବିକିରଣର ଶକ୍ତି ଖୁବ୍‌ ଅଧିକ, ୧୨୪ ଇଭିରୁ ୧୨୪ କେଇଭି।
ହାଡ଼ର ଫଟୋ ଉଠେଇବା ପାଇଁ ବ୍ୟବହୃତ ଏକ୍ସ-ରେ ବିକିରଣର ଶକ୍ତି ୧୦ କେଇଭିରୁ ଅଧିକ ଥାଏ। ତେଣୁ ସାଧାରଣ ଆଲୋକର ଶକ୍ତିକୁ ଦେଖିଲେ ସେହି ଏକ୍ସ-ରେ ବିକିରଣ ଅତି କମ୍‌ରେ ୪୦୦୦ ଗୁଣ ଶକ୍ତିଶାଳୀ। ଏତେ ଶକ୍ତିଶାଳୀ ବିକିରଣ ଆମ ଶରୀର ଭିତରେ ସହଜରେ ପ୍ରବେଶ କରିପାରିବ।
ଲୋକଟିର ପାପୁଲି ଭିତରେ ହାଡ଼ ଭାଙ୍ଗିଛି। ଭଙ୍ଗାହାଡ଼ର ଫଟୋ ଉଠେଇବା ପାଇଁ ଲୋକଟି ଏକ୍ସ-ରେ ମେଶିନ୍‌ ଆଗରେ ଟେବୁଲ ପାଖରେ ବସିବ ଓ ସେହି ହାତକୁ ଟେବୁଲ ଉପରେ ରଖିବ, ଯେପରି କହୁଣିଠାରୁ ହାତପାପୁଲି ପର୍ଯ୍ୟନ୍ତ ଅଂଶ ଟେବୁଲକୁ ସିଧା ଭାବରେ ଛୁଇଁବ। ‘ଏକ୍ସ-ରେ’ ମେଶିନ୍‌ ସହିତ ଲାଗିଥିବା ଏକ ଛୋଟ ବାକ୍‌ସକୁ ପାପୁଲିର ଠିକ୍‌ ଉପରେ ହାତେ କି ଦୁଇହାତ ଉଚ୍ଚତାରେ ରଖାଯିବ। ଟେକ୍ନିସିଆନ୍‌ ସୁଇଚ୍‌ ଅନ୍‌ କରିବେ ଓ ସଙ୍ଗେ ସଙ୍ଗେ ଅଫ୍‌ କରିବେ। ସେଇ କେଇଟା ମୁହୂର୍ତ୍ତ ଭିତରେ ବାକ୍‌ସରୁ ଅତି ଶକ୍ତିଶାଳୀ ଏକ୍ସ-ରେ ବିକିରଣ ବାହାରି ପାପୁଲି ଉପରେ ପଡ଼ିବ ଏବଂ ପାପୁଲିକୁ ଅତିକ୍ରମ କରି ଟେବୁଲ ତଳେ ଥିବା ଫଟୋ-ପ୍ଲେଟ୍‌କୁ ଛୁଇଁବ। ସେହି ପ୍ଲେଟ୍‌ ଉପରେ ସମ୍ବେଦନଶୀଳ ରାସାୟନିକ ପଦାର୍ଥର ପତଳା ଲେପ ଥାଏ। ପ୍ଲେଟ୍‌ର ଯେଉଁ ଅଞ୍ଚଳରେ ଏକ୍ସ-ରେ ପଡେ, ସେହି ଅଞ୍ଚଳରେ ରାସାୟନିକ ପଦାର୍ଥ ସହିତ ପ୍ରତିକ୍ରିୟା କରେ। ଫଳରେ ସେଇ ସ୍ଥାନରେ ଦାଗ ସୃଷ୍ଟି ହୁଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାପୁଲିର ଚର୍ମ ଓ ମାଂସକୁ ଏକ୍ସ-ରେ ଭେଦ କରିପାରେ, କିନ୍ତୁ ହାଡ଼କୁ ଅତିକ୍ରମ କରିପାରେ ନାହିଁ। ତେଣୁ ପାପୁଲିର ହାଡ଼ ତଳେ ରହିଥିବା ଜାଗାରେ ଏକ୍‌ସ୍‌-ରେ ପହଞ୍ଚତ୍ପାରେ ନାହିଁ କି ପ୍ଲେଟ୍‌ର ସେହି ଅଞ୍ଚଳରେ ଦାଗ ପଡେ ନାହିଁ। ଏହିପରି ପ୍ଲେଟ୍‌ ଉପରେ ପୂରା ପାପୁଲିର ଛବି ନୁହେଁ, କେବଳ ପାପୁଲି-ହାଡ଼ର ଛବି ଆଙ୍କି ହୋଇଯାଏ। ସେହି ଛବିକୁ ପ୍ଲେଟ୍‌ ଭିତରେ ସ୍ଥାୟୀ ଭାବରେ ରଖିବା ପାଇଁ ଟେକ୍‌ନିସିଆନ୍‌ ପ୍ଲେଟ୍‌କୁ ନେଇ ଡାର୍କରୁମ୍‌ ଭିତରେ ପ୍ରୋସେସିଙ୍ଗ୍‌ କରନ୍ତିି ଓ ତା’ ପରେ ଭଙ୍ଗାହାଡ଼ର ଛବି ଥିବା ସେହି ଏକ୍ସ-ରେ ପ୍ଲେଟ୍‌କୁ ଆମକୁ ଦିଅନ୍ତି। ଏମିତି ଦେଖିଲେ ପ୍ଲେଟ୍‌ ପୂରା କଳା ଦିଶେ। କିନ୍ତୁ ଏହାକୁ ଆଲୋକ ସାମ୍‌ନାରେ ଧରି ଭିତରକୁ ଅନେଇଲେ ପାପୁଲି ଭିତରର ହାଡ଼କୁ ସ୍ପଷ୍ଟ ଦେଖିହୁଏ। ହାଡ ଭାଙ୍ଗିଥିଲେ, ସେହି ଛବିରୁ ଜଣା ପଡ଼େ। କହିବା ବାହୁଲ୍ୟ, ଯଦି ‘ଏକ୍ସ-ରେ’ ବିକିରଣ ଆମର ହାଡ଼ ଭିତର ଦେଇ ଗଳିଯାଇପାରନ୍ତା, ତେବେ ହାଡ଼ର ଛବି ଉଠିପାରନ୍ତା ନାହିଁ।

କମଳାକାନ୍ତ ଜେନା
-ସଦସ୍ୟ, ଓଡ଼ିଶା ବିଜ୍ଞାନ ଏକାଡେମୀ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଭଦ୍ରକ, ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସୂର୍ଯ୍ୟକିରଣ ପ୍ରଭାବରେ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହା ଦୂରକରିବାକୁ ଅନେକେ ବ୍ୟୁଟି ପାର୍ଲର ଯିବାଠୁ ଆରମ୍ଭକରି ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର...

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି...

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri