ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ ପ୍ରାୟ ୨୦ ଫୁଟ ରାସ୍ତା ଧୋଇ ଯାଇଛି। ସେହିଭଳି ନଦୀ ନିକଟରେ ଥିବା ଗଛଗୁଡିକ ମୂଳରୁ ଉପାଡ଼ି ହୋଇଯାଇଛି। ସେହିପରି କାର୍ଲାମାଲଠାରୁ କେବିଡ଼ି ଓ କେବିଡ଼ିଠାରୁ ବରପାଣି ଗ୍ରାମ ଯିବା ରାସ୍ତାରେ ଥିବା ନାଳ ନିକଟରେ ମଧ୍ୟ ପ୍ରାୟ ୧୦ ଫୁଟର ରାସ୍ତା ବର୍ଷା ପାଣିରେ ଧୋଇ ଯିବା ଫଳରେ ରେଖାମାଲ ଗ୍ରାମ ସହ ଢେପଗୁଡ଼ା କୁର୍ଲୁ ଭଟ୍ଟା, ଧୁମାମ, କେବିଡ଼ି, ଗଇଁଚଚରା, କରାଡଙ୍ଗରି, ବରପାଣି, କାଳିଆପାଣି ଗ୍ରାମର ଲୋକମାନଙ୍କ ପାଇଁ ଯାତାୟାତରେ ସମସ୍ୟା ଦେଖାଦେଇଛି।
ସେହିଭଳି ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତାର ରାମସା ଗ୍ରାମ ନିକଟରେ ଥିବା ନଦୀର ଆପ୍ରୋଜ ରାସ୍ତା ବର୍ଷାପାଣିରେ ଧୋଇହୋଇଛି। ଫୁପୁଗାଁ ପୋଲ ଉପର ଦେଇ ବର୍ଷା ପାଣି ପ୍ରଭାବିତ ହେଉଥିବା ଯୋଗୁ ଝରିଗାଁ-ଡାବୁଗାଁ ରାସ୍ତାରେ ଯାତାୟାତ ସମ୍ପର୍ଣ୍ଣ ବନ୍ଦ ହୋଇଯାଇଛି। ସେହିଭଳି ବଡନୀ ଗ୍ରାମଠାରୁ ରାମସା ଗ୍ରାମ ରାସ୍ତା ଆଣ୍ଠୁଏ ଉପରେ ବର୍ଷା ପାଣି ବହୁଥିବା ଯୋଗୁ ଯାତାୟାତ ସମସ୍ୟା ଦେଖାଦେଇଥିଲା। ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଳକର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇ ପଡ଼ିଥିବାବେଳେ ବିଭିନ୍ନ ନଦୀ ପାର୍ଶ୍ୱରେ ହୋଉଥିବା ଧାନଚାଷ ନଷ୍ଟ ହେବା ଚାଷୀ ଆଶଙ୍କା କରୁଛନ୍ତି।

