ଭଞ୍ଜନଗର, ୨୭।୧୧ (ବାବୁଲା ପ୍ରଧାନ): ଭତ୍ତା ପାଇଁ ଆଉ ମାସ ମାସ କିମ୍ବା ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି। ଏଣିକି ଆବେଦନର ମାତ୍ର ୧୦ ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ‘ଏକୀକୃତ ପେନସନ ପରିଚାଳନା ପୋର୍ଟାଲ’ (UPMP) ଆରମ୍ଭ କରାଯାଇଛି।
ଏହି ପୋର୍ଟାଲର ଶୁଭାରମ୍ଭ ଅବସରରେ ଶୁକ୍ରବାର ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଭତ୍ତା ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ବ୍ଲକର ୧୭୧୮ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ।
ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ, ନୂତନ ପୋର୍ଟାଲ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ କରାଯାଇ ୧୦ ଦିନ ମଧ୍ୟରେ ଭତ୍ତା ପ୍ରଦାନ କରାଯିବ। କେବଳ ଯୋଗ୍ୟ ବ୍ୟକ୍ତି ନୁହଁନ୍ତି, ବରଂ ଅଯୋଗ୍ୟ ଆବେଦନକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯିବ। ଏଣିକି ଭତ୍ତା ବଣ୍ଟନରେ କୌଣସି ଲକ୍ଷ୍ୟଧାର୍ଯ୍ୟ ସୀମା ରହିବ ନାହିଁ। ଯେତିକି ଯୋଗ୍ୟ ବ୍ୟକ୍ତି ଆବେଦନ କରିବେ, ସେମାନଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ସରକାର ପଦକ୍ଷେପ ନେବେ।
ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ବିଡିଓ ଭାରତୀ ଦେବୀ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଜିଲ୍ଲା ପରିଷଦ ଏମ୍ପି ପ୍ରତିନିଧି ଶିବଶଙ୍କର ପ୍ରଧାନ ଏବଂ ବ୍ଲକ ଏମ୍ପି ପ୍ରତିନିଧି ଧୋବା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

