ମଣିଷଠାରୁ ବୁଦ୍ଧିଆ ଡଲ୍‌ଫିନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଏଇ ନିକଟରେ ମୁଁ ୧୦୦ ଦୂରଦୃଷ୍ଟିସମ୍ପନ୍ନ ଜ୍ଞାନୀ, ଗବେଷକ ଓ ଉଦ୍ଭାବକମାନଙ୍କ ସମ୍ମିଳନୀରୁ ଫେରିଛି। ଡେଲ୍‌ଫି, ଗ୍ରୀସ୍‌ଠାରେ ଅନୁଷ୍ଠିତ ସମ୍ମିଳନୀକୁ ମୁଁ ଆଲେକ୍‌ଜାଣ୍ଡର ଓ ନିକୋଲ ଗ୍ରାଟୋଭସ୍କିଙ୍କ ଅନୁରୋଧରେ ଯାଇଥିଲି। ଗ୍ରାଟୋଭସ୍କିମାନେ ହେଉଛନ୍ତି ରୁଷିଆର ଆନ୍ଥ୍ରୋପୋଲୋଜିଷ୍ଟ, ଯେଉଁମାନେ ଚୈତନ୍ୟମୟ ବିଶ୍ୱକୁ ଆବିଷ୍କାର କରିବା ପାଇଁ ନିଜର ଧନ ଓ ଶ୍ରମ ବ୍ୟୟ କରିଆସୁଛନ୍ତି। ସେମାନେ ନିଜ ଗବେଷଣା ଭିତ୍ତିରେ ବିଶ୍ୱାସ କରନ୍ତି ଯେ, ଏ ପୃଥିବୀରେ ବଞ୍ଚିରହିବା ପାଇଁ ହେଲେ ତା’ର ଚାବିକାଠି ହେଉଛନ୍ତି ଡଲ୍‌ଫିନ୍‌ ଓ ତିମି। ଆମେ ସେମାନଙ୍କୁ ଯେତେ ଅଧିକ ସଂଖ୍ୟାରେ ମାରିବା ସେତେ ଶୀଘ୍ର ଏ ପୃଥିବୀର ଶେଷଦିନ ଆସିଯିବ।
ସେମାନଙ୍କ ଯୁକ୍ତିନିଷ୍ଠ ଭାଷଣ ଶୁଣିବା ପରେ ମୁଁ ବି ତାଙ୍କ କଥା ବିଶ୍ୱାସ କରୁଛି। ସେମାନେ ସ୍ବପ୍ନବିଳାସୀ ନୁହନ୍ତି ବରଂ ବାସ୍ତବ ବୈଜ୍ଞାନିକ। ସେମାନେ ସ୍ପେନୀୟ ଦ୍ୱୀପ ଟେନେରିଫ୍‌ରେ ବାସ କରନ୍ତି, ଯାହା ହେଉଛି ସିଟେଶନ (ତିମି, ଡଲ୍‌ଫିନ୍‌ ଜାତୀୟ ସାମୁଦ୍ରିକ ପ୍ରାଣୀ)ଙ୍କ ସଂଗମ ସ୍ଥଳ। ସେମାନେ ବିଶ୍ୱାସ କରନ୍ତି ଯେ ଡଲ୍‌ଫିନ ହେଉଛି ମଣିଷଠାରୁ ଅଧିକ ବୁଦ୍ଧିମାନ୍‌। ସେମାନେ ସାରା ବିଶ୍ୱରେ ଡଲ୍‌ଫିନ ଦୂତାବାସମାନ ଖୋଲିଛନ୍ତି। ସେମାନଙ୍କ ଓ୍ବେବ୍‌ସାଇଟ୍‌ ହେଉଛି www.dolphinembassy.org. ମୋର ବନ୍ଧୁ ଡ. ଅଶୋକ ଖୋସଲା, ଯିଏ କି ସଫଳ ଗ୍ରାମୀଣ ଅର୍ଥନୀତି ପାଇଁ ବାସ୍ତବ ସମାଧାନ ବାହାର କରିବାରେ ନିଜର ଜୀବନ ବିତାଇ ଦେଇଛନ୍ତି, ସେ ହେଉଛନ୍ତି ଭାରତର ଡଲ୍‌ଫିନ ଆମ୍ବାସାଡ଼ର। ମୁଁ ଏହି ଦୂତାବାସରେ କାମ କରିବାକୁ ଚାହୁଁଛି ଏବଂ ଆପଣ ବି ଏଥିପାଇଁ ଆବେଦନ କରିପାରନ୍ତି। ସେମାନେ ଏକ ଡଲ୍‌ଫିନିଟି ଓ୍ବାର୍ଲଡ ଫେଷ୍ଟିଭାଲ୍‌ର ଆୟୋଜନ କରନ୍ତି ଯେଉଁଥିରେ ସେମାନେ ସିଟେଶନ୍‌ମାନଙ୍କ ମନ ଓ ଭାଷା ବିଷୟରେ ଶିକ୍ଷା ଦିଅନ୍ତି ଓ ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ କରନ୍ତି। ମୁଁ ଏପରି ଏକ ଡକ୍ୟୁମେଣ୍ଟାରୀ ଦେଖିଛି।
ମୁଁ ଏଥିରୁ ଯାହା ଶିଖିଛି ତାହା ନିମ୍ନରେ ଉଲ୍ଲେଖ କରୁଛି। ୫୦ ନିୟୁତ ବର୍ଷ ତଳୁ ଏ ପୃଥିବୀର ଜଳଭାଗରେ ସିଟେଶନ୍‌ମାନେ ବାସ କରିଆସୁଛନ୍ତି। ତା’ର ଅନେକ ନିୟୁତ ବର୍ଷ ପରେ ହ୍ୟୁମ୍ୟାନଏଡ୍‌ (ମାନବସଦୃଶ ପ୍ରାଣୀ)ଙ୍କ ଆବିର୍ଭାବ ହେଲା। ମଣିଷ ଓ ଡଲ୍‌ଫିନମାନଙ୍କ ମଧ୍ୟରେ ଅନେକ ସାଦୃଶ୍ୟ ଅଛି। ଉଭୟେ ବାୟୁ ସାହାଯ୍ୟରେ ଶ୍ୱାସକ୍ରିୟା କରନ୍ତି। ଡଲ୍‌ଫିନମାନେ ପାଣିରୁ ଉପରକୁ ଉଠି ଶ୍ୱାସକ୍ରିୟା କରନ୍ତି। ଆମର ସବୁଠାରୁ ବଡ଼ ଓ ସୁସଙ୍ଗଠିତ ମସ୍ତିଷ୍କ ଅଛି, କିନ୍ତୁ ଡଲ୍‌ଫିନମାନଙ୍କର ତା’ଠାରୁ ବଡ଼। ଉଭୟଙ୍କ ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ୱ ଓ ସ୍ବତନ୍ତ୍ର ଗୁଣ ରହିଛି। ଆତ୍ମସଚେତନତାର ବୈଜ୍ଞାନିକ ମିରର ଟେଷ୍ଟରେ ଉଭୟ ମଣିଷ ଓ ଡଲ୍‌ଫିନ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଡଲ୍‌ଫିନମାନେ ଜନ୍ମ ପରେ ପରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି। କିନ୍ତୁ ମଣିଷମାନେ ପ୍ରାୟ ୧.୬ ବର୍ଷର ହେବା ପରେ ହିଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି। ଡଲ୍‌ଫିନମାନେ ଗୀତ ଗାଆନ୍ତି, ତାଙ୍କର କୌତୁକ ରସବୋଧ ଅଛି, ଅନୁସନ୍ଧିତ୍ସା ଅଛି, ବିସ୍ମୟ ପ୍ରକାଶ କରନ୍ତି, ସ୍ମୃତିଶକ୍ତି ଅଛି, ଏବଂ ଭାଷା ଶିକ୍ଷା କରିବାର କ୍ଷମତା ଅଛି । ମଣିଷ ଓ ଡଲ୍‌ଫିନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୁଦ୍ଧି ପରୀକ୍ଷାରେ ସଫଳ ହୋଇଛନ୍ତି। ଉଭୟେ ବାହ୍ୟ କାରଣ ଦ୍ୱାରା ନୁହେଁ, ବରଂ ବିବେକ ଦ୍ୱାରା ଚାଳିତ ହୋଇ ନିଷ୍ପତ୍ତି ନିଅନ୍ତି। ଉଭୟ ପ୍ରେମ, ବନ୍ଧୁତା, ସମବେଦନାରେ ବିଶ୍ୱାସ କରନ୍ତି, ଯାହା କ୍ଷଣିକ ଆତ୍ମସ୍ବାର୍ଥଠାରୁ ଦୂରରେ।
କିନ୍ତୁ ମଣିଷମାନେ ଆଶ୍ଚର୍ଯ୍ୟଜନକ ହାରରେ ବଂଶବୃଦ୍ଧି କଲେ। ସେତେବେଳେ ସେମାନଙ୍କ ଦ୍ୱାରା ପୃଥିବୀର କ୍ଷତି କରିବା ହାର ମନ୍ଥର ଥିଲା। ଗତ ଦୁଇ ଶତାବ୍ଦୀ ଭିତରେ ପ୍ରଯୁକ୍ତିବିଦ୍ୟାର ବିକାଶ ହେଲା, ଯାହାଦ୍ୱାରା ପରୋକ୍ଷରେ ପୃଥିବୀ ଧ୍ୱଂସଦିଗରେ ଚାଳିତ ହେଉଛି। ମଣିଷ ଚାହିଁଲା ପ୍ରକୃତିକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଓ ତା’ ଉପରେ ଶାସନ କରିବା ପାଇଁ, ଯାହା ବିନାଶର କାରଣ। କିନ୍ତୁ ଡଲ୍‌ଫିନମାନେ ପ୍ରକୃତିକୁ ଭଲ ପାଇଲେ ଓ ତା’ ସହ ସଦ୍‌ଭାବ ରଖିବାକୁ ଚାହିଁଲେ। ସେମାନେ କେବେ ଶୁଅନ୍ତି ନାହିଁ ଏବଂ ବିଶ୍ରାମ ନେଲାବେଳେ ବି ସଚେତନ ଥାନ୍ତି। ସେମାନଙ୍କର ତିନୋଟି ମୁଖ୍ୟ ଗୁଣ ରହିଛି: ଖେଳ ସେମାନଙ୍କ ସୂଚନାର ଆଦାନପ୍ରଦାନର ମାଧ୍ୟମ, ପ୍ରେaମ ବା ଭଲପାଇବା ସେମାନଙ୍କ ସମସ୍ତ କାର୍ଯ୍ୟର ନିୟାମକ ଏବଂ ପରିପାର୍ଶ୍ୱ ପ୍ରତି ସେମାନଙ୍କ ସମ୍ମାନ ଓ ଆଲିଙ୍ଗନ। ଆମେ ଯଦି ସେମାନଙ୍କ ପରି ହୋଇଥାନ୍ତେ କେତେ ଭଲ ହୋଇ ନ ଥାନ୍ତା! ମଣିଷ ଚାହିଦାଠାରୁ ଅଧିକ ଉତ୍ପାଦନ କରିବା ଓ ଉପଭୋଗ କରିବା ଚାହେଁ ଏବଂ ତାହାକୁ ନିଜର ସଫଳତା ବୋଲି ଭାବେ। କିନ୍ତୁ ଡଲ୍‌ଫିନ ସଂସ୍କୃତିରେ କୌଣସି କିଛିର ମାଲିକ ହେବା ନାହିଁ ବରଂ ପରସ୍ପର ସହ ଓ ପ୍ରକୃତି ସହ ଆନନ୍ଦ ଉପଭୋଗ କରିବା ଅଛି। ଡଲ୍‌ଫିନମାନଙ୍କ ସାମାଜିକ ଭାବବିନିମୟ ଅତ୍ୟନ୍ତ ଜଟିଳ ଏବଂ ଭାବ ପ୍ରକାଶ କରିବା ଓ ଗ୍ରହଣ କରିବା ଲାଗି ସେମାନେ ନିଜର ମସ୍ତିଷ୍କ, ହୃଦୟ ଓ ସୁବିକଶିତ ଜ୍ଞାନେନ୍ଦ୍ରିୟର ବ୍ୟବହାର କରନ୍ତି। ଆଉ ଏକ ବଡ଼ କଥା ହେଉଛି ସେମାନେ ନିଜର ଜ୍ଞାନକୁ ସନ୍ତାନସନ୍ତତିଙ୍କଠାରେ ସଂଚାରିତ କରିବା ସ୍ଥାୟୀ ପ୍ରକ୍ରିୟା, ଯାହା ମଣିଷଙ୍କଠାରୁ ଯଥେଷ୍ଟ ଉନ୍ନତ। ଜ୍ଞାନର ଆଉ ଏକ ଦିଗ ହେଲା ଭାଷା। ଆମର ଭାଷା ଅସ୍ଥିର, ସାଙ୍କେତିକ ଓ ମିଥ୍ୟା ପ୍ରବଞ୍ଚନାଯୁକ୍ତ ହୋଇଥିବା ବେଳେ ସେମାନଙ୍କ ଭାଷା ସେମାନଙ୍କ ମାନସିକ ଓ ଆବେଗିକ ଅବସ୍ଥାର ସିଧାସଳଖ ପରିପ୍ରକାଶ।
ଆମେ ପ୍ରକୃତିଠାରୁ ଦୂରେଇ ଯାଉଥିବା ବେଳେ ଡଲ୍‌ଫିନ ତାହାର ବିପରୀତ। ଆମେ ଆମ ଜନ୍ମର ଉଦ୍ଦେଶ୍ୟ ଭୁଲିଯାଇଛୁ ଏବଂ କେଉଁଥିରେ ଆମେ ଖୁସି ହେବୁ ତାହା ଆମକୁ ଜଣାନାହିଁ। ଆମେ ପ୍ରକୃତିର ଅଧା ପ୍ରାଣୀଙ୍କୁ୍‌ ଧ୍ୱଂସ କରିସାରିଲୁଣି ଏବଂ ପୃଥିବୀର ନବଦଶମାଂଶ ଆମ ଦ୍ୱାରା ପ୍ରଦୂଷିତ ହୋଇସାରିଲାଣି। ଅଧିକାଂଶ ନବୀକରଣ-ଅଯୋଗ୍ୟ ସମ୍ପଦକୁ ଆମେ ଶେଷ କରିସାରିଲୁଣି। ଆମେ ଆଜି ପ୍ରକୃତିର ସବୁଠାରୁ ଦୁଃଖୀ ପ୍ରାଣୀ। ସ୍ଥାନୀୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାନା ପ୍ରକାର ଯୁଦ୍ଧରେ ଆମେ ସଦା ବ୍ୟାପୃତ। ଏକଲାପଣ ଓ ରୋଗ ହେତୁ ପ୍ରତିବର୍ଷ ୨୦ ନିୟୁତ ଆତ୍ମହତ୍ୟା ବା ଆତ୍ମହତ୍ୟା ଉଦ୍ୟମ ଘଟଣା ଘଟୁଛି। ଏପରିସ୍ଥଳେ ଡଲ୍‌ଫିନ ଓ ତିମିମାନଙ୍କ ପ୍ରକୃତ ଆନନ୍ଦ ଦେଖି ମୋତେ ମଣିଷ ଜନ୍ମ ନେଇଥିବାରୁ ଦୁଃଖ ଲାଗୁଛି। ସେମାନେ ବି ମାନସିକ ଚାପଗ୍ରସ୍ତ ହୁଅନ୍ତି, କିନ୍ତୁ ତାହା ବାହ୍ୟ କାରଣରୁ ଯେମିତି ସାଥୀକୁ ହରାଇବା ବା ସ୍ବାଧୀନତାର ଅଭାବ। ଏବେ ଡଲ୍‌ଫିନମାନଙ୍କ ଭିତରେ ବି ଗଣଆତ୍ମହତ୍ୟା ଦେଖିବାକୁ ମିଳୁଛି, କିନ୍ତୁ ତାହା ଅସହ୍ୟ ଜଳପ୍ରଦୂଷଣ ଯୋଗୁ ଯାହା ମନୁଷ୍ୟ ଦ୍ୱାରା ସୃଷ୍ଟ। ସବୁଠାରୁ ବଡ଼କଥା ହେଲା ସେମାନେ ଏବେ ଜଳ ଓ ବାୟୁକୁ ପ୍ରଦୂଷଣମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସମୁଦ୍ର ଗର୍ଭରୁ ସେମାନେ ରାସାୟନିକ ଯୌଗିକଗୁଡ଼ିକୁ ବାହାରକୁ ଆଣୁଛନ୍ତି, ଯାହାଦ୍ୱାରା ବାୟୁମଣ୍ଡଳର ଦୁଇତୃତୀୟାଂଶ ଗଢ଼ା ହୋଇଛି। ଜୀବବିଜ୍ଞାନୀମାନେ ଏହାକୁ କହୁଛନ୍ତି ବାୟୋଲୋଜିକାଲ ପମ୍ପ। ତିମିମାନଙ୍କ ସଂଗୀତ ପ୍ରଦୂଷିତ ଜଳକୁ୍‌ ସ୍ବଚ୍ଛ କରିବାରେ ସାହାଯ୍ୟ କରୁଛି। ଡ. ମାସାରୁ ଇମୋଟା ପ୍ରଥମେ ଏ କଥାକୁ ହସି ଉଡ଼ାଇ ଦେଉଥିଲେ କିନ୍ତୁ ପରେ ସେ ଏହା ସତ ବୋଲି ପ୍ରମାଣ କରିଛନ୍ତି। ୟୁଟ୍ୟୁବ୍‌ରେ ଗ୍ରାଟୋଭସ୍କିଙ୍କ ଟେଡ୍‌ ଟକ୍‌ (TEDxSadovoeRing YouTube) ଦେଖନ୍ତୁ। ତାହା ଆପଣଙ୍କ ଦୃଷ୍ଟିଭଙ୍ଗୀ ବଦଳାଇଦେବ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri