ଆମ ଶିଶୁ୍‌: ନା ଭାଗ୍ୟବାନ୍‌ ନା ଆୟୁଷ୍ମାନ୍‌

ଡ. ରମେଶ ଚନ୍ଦ୍ର ପରିଡ଼ା
୨୦୨୪ ମସିହା ବେଳକୁ ଭାରତ ଏକ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ଆମ ପ୍ରଧାନମନ୍ତ୍ରୀ ଆଶା ବାନ୍ଧିଛନ୍ତି। ଫଳରେ ୨୦୩୦ରେ ଏହା ହୁଏତ ୮ କିମ୍ବା ୧୦ ଟ୍ରିଲିୟନକୁ ଟପିଯାଇପାରେ। ଏହା ମନରେ ସ୍ବପ୍ନଟିଏ ଜାଗରୁକ କରୁଛି- ଆମ ଦେଶରେ ଏହା ପରେ କେହି ଗରିବ ରହିବେ ନାହିଁ। ଆମର ଭବିଷ୍ୟତ ବଂଶଧର, ଅର୍ଥାତ୍‌ ବର୍ତ୍ତମାନର ଶିଶୁମାନଙ୍କ ଜୀବନଶୈଳୀ ସେମାନେ ବଡ଼ ହେଲା ବେଳକୁ ବଦଳିଯିବ ଏବଂ ତାହା ହେବ ଯେକୌଣସି ଉନ୍ନତ ଦେଶର ସମକକ୍ଷ। କିନ୍ତୁ ବିଗତ ଦଶକଗୁଡ଼ିକରେ ଘଟିଥିବା ଆମ ଅର୍ଥନୈତିକ ପ୍ରଗତି ଯେଉଁ ଦିଗାଭିମୁଖୀ ହୋଇଛି, ତାହାକୁ ଅନୁଧ୍ୟାନ କରିବସିଲେ ସେ ସ୍ବପ୍ନ ମିଳେଇଯାଉଛି ନିମିଷକରେ। କାରଣ ଏହି ସମୟ ମଧ୍ୟରେ ଆମ ବୃଦ୍ଧିପ୍ରାପ୍ତ ସମୁଦାୟ ଘରୋଇ ଉତ୍ପାଦ ବା ‘ଜିଡିପି’ର ମୁଖ୍ୟ ଅଂଶଟି ଗଡ଼ିଚାଲିଛି ଧନିକ ସମ୍ପ୍ରଦାୟଙ୍କ ଆଡକୁ। ସେଥିପାଇଁ ଏହି ଶ୍ରେଣୀର ପ୍ରଥମ ୧ ଶତାଂଶ ଲୋକଙ୍କ ହାତରେ ଜାତୀୟ ସମ୍ପତ୍ତିର ଭାଗ ୨୦୧୦ ବେଳକୁ ୪୦% ଥିଲାବେଳେ ଏବେ ତାହା ୬୦% ଟପିଯାଇଛି। ପୁନଶ୍ଚ ୧୦% ଧନିକଙ୍କର ସମୁଦାୟ ସମ୍ପତ୍ତି ହେଉଛି ଅବଶିଷ୍ଟ ୯୦ ପ୍ରତିଶତଙ୍କଠାରୁ ୪ ଗୁଣ ଅଧିକ। ଏହାର ପ୍ରତିଫଳନ ଅତୀବ ସ୍ପଷ୍ଟ ହେଉଛି ଆମ ଶିଶୁ ସମାଜ ଉପରେ, ଯାହାକୁ ଆମେ ଦେଶର ଭବିଷ୍ୟତର ପ୍ରମୁଖ ପୁଞ୍ଜି ମାନବ ସମ୍ବଳ ରୂପେ ଉପସ୍ଥାପିତ କରୁଛୁ।
୨୦୧୮ର ‘ଆନୁଆଲ ଷ୍ଟାଟସ ଅଫ୍‌ ଏଜୁକେଶନ ରିପୋର୍ଟ’ ଅନୁସାରେ ଆମ ଦେଶର ୭୦-୭୪ ଶତାଂଶ ଶିଶୁ (୬ରୁ ୧୪ ବର୍ଷ ବୟସ୍କ) ପ୍ରାଥମିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥାନ୍ତି। କିନ୍ତୁ ମାଧ୍ୟମିକ ଶିକ୍ଷା ବେଳକୁ ତାଙ୍କ ସଂଖ୍ୟା ବେଶ୍‌ ହ୍ରାସ ପାଇଯାଏ (ପ୍ରାୟ ୫୫ରୁ ୬୦ ଶତାଂଶକୁ) ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଳଶ୍ରମିକ ପାଲଟି ଯାଆନ୍ତି। ତହିଁରୁ ୭୧% କୃଷି କ୍ଷେତ୍ରରେ ଏବଂ ୬୯% ଏଥିସହିତ ବିନା ପାରିଶ୍ରମିକରେ ପରିବାର ମଧ୍ୟରେ କିମ୍ବା ଅନ୍ୟତ୍ର କାର୍ଯ୍ୟ କରିଥାନ୍ତି। ଏବେ ବି ପ୍ରାୟ ୧.୫ ନିୟୁତ ଶିଶୁଶ୍ରମିକ ସେମାନଙ୍କ ପାଇଁ ବାରଣ କରାଯାଇଥିବା ବିପଜ୍ଜନକ କିମ୍ବା ଆଂଶିକ ବିପଜ୍ଜନକ ବୃତ୍ତି ଆଦରି ନେଇଥିବାର ଅନୁମାନ କରାଯାଏ। ଅନ୍ୟପକ୍ଷରେ ସେମାନଙ୍କ ସ୍ବାସ୍ଥ୍ୟ ଓ ଅପପୁଷ୍ଟି ସମସ୍ୟା ମଧ୍ୟ ବେଶ୍‌ ଉଦ୍‌ବେଗଜନକ ହୋଇ ରହିଛି।
ଏହା ମନକୁ ଆଣିଥାଏ କିଛି ବର୍ଷ ତଳେ ଆମ ପିଲାଙ୍କ ପାଠ୍ୟପୁସ୍ତକରେ ଥିବା କବିତାଟିଏ-‘ଆମେ ତ ଭାଗ୍ୟବାନ୍‌ ପିଲାରେ…’। ଉଡାଜାହାଜରେ ଦେଶବିଦେଶକୁ ଯାତ୍ରା କରି ନୂତନ ଜ୍ଞାନ ଆହରଣ କରିବା ଓ ବିଜ୍ଞାନର ନାନାଦି ନୂତନ ଉଦ୍ଭାବନ ଓ ଆବିଷ୍କାରକୁ ଉପଭୋଗ କରିବା ଇତ୍ୟାଦିର ସୁଯୋଗକୁ ଏହାର କାରଣରୂପେ ତହିଁରେ ଦର୍ଶାଯାଇଛି। ତେବେ ଇତିମଧ୍ୟରେ ଅନେକ ସମୟ ବିତିଯାଇଥିଲେ ହେଁ ଅଧିକାଂଶ ପିଲାଙ୍କ ଭାଗ୍ୟରେ ତାହା ଯୁଟିବାର ସମ୍ଭାବନା ବି ସୃଷ୍ଟି ହୋଇପାରି ନାହିଁ। ବରଂ ସେମାନଙ୍କ ଶିକ୍ଷା, ପୁଷ୍ଟି, ସ୍ବାସ୍ଥ୍ୟ ଆଦି କଥା ବିଚାରକୁ ନେଲେ ଆମେ ଆମଠାରୁ କମ୍‌ ଅର୍ଥନୈତିକ ସମୃଦ୍ଧ ଅନେକ ଦେଶଠାରୁ ପଛରେ ପଡ଼ିରହିଛୁ। ସେଥିପାଇଁ ଆମ ଦେଶର ଶିଶୁମାନଙ୍କ ମଧ୍ୟରୁ ୩ ଲକ୍ଷରୁ ଊର୍ଦ୍ଧ୍ୱଙ୍କ ଭାଗ୍ୟରେ ମୃତ୍ୟୁ ଆସୁଛି ଜନ୍ମ ହେବାର ପ୍ରଥମ ଦିନରେ। ସଂଖ୍ୟା ଦୃଷ୍ଟିରୁ ଆମେ ଏ କ୍ଷେତ୍ରରେ ସାରା ବିଶ୍ୱରେ ପ୍ରଥମ (୨୯%)। ଏହାର ମୁଖ୍ୟ କାରଣ ହେଲା ଗର୍ଭବତୀ ମା’ମାନଙ୍କର ଅପପୁଷ୍ଟି (୫୧.୪%) ହେତୁ ରୁଗ୍‌ଣ ତଥା କମ୍‌ ଓଜନ ବିଶିଷ୍ଟ ଶିଶୁ ଜନ୍ମ (୪୭.୯%)। ନିକଟରେ ପୃଥିବୀର ୧୯୫ଟି ଦେଶରେ ହୋଇଥିବା ସର୍ଭେ ଅନୁସାରେ ସ୍ବାସ୍ଥ୍ୟ ଯତ୍ନ ସୂଚକାଙ୍କ ମାପରେ ଭାରତର ସ୍ଥାନ ୧୫୪ତମ। ଶ୍ରୀଲଙ୍କା ଏଥିରେ ୭୨.୮ ପଏଣ୍ଟ ପାଇଲା ବେଳେ ବାଂଲାଦେଶ, ଭୁଟାନ ଓ ନେପାଳ ଯଥାକ୍ରମେ ୫୧.୭, ୫୨.୭ ଓ ୫୦.୮ ଏବଂ ଭାରତ ୪୪.୮ ଲାଭ କରିଛି।
ଉପଯୁକ୍ତ ପ୍ରଶିକ୍ଷଣ ଲାଭ କରିଥିବା ଧାଈ ବା ଡାକ୍ତରଙ୍କ ପ୍ରସବକାଳୀନ ସହଯୋଗ ଏବଂ ଶିଶୁ ଓ ଜନନୀକୁ ପ୍ରସବ ପରବର୍ତ୍ତୀ ସ୍ବାସ୍ଥ୍ୟଯତ୍ନ ସୁବିଧାର ଅଭାବକୁ ଏଥିପାଇଁ ଦାୟୀ କରାଯାଏ। କିନ୍ତୁ ଉପରୋକ୍ତ ଦେଶଗୁଡ଼ିକ ତୁଳନାରେ ଆମ ଦେଶରେ ଡାକ୍ତରଖାନାରେ ହେଉଥିବା ପ୍ରସବ ସଂଖ୍ୟା ବେଶ୍‌ ଅଧିକ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଓଡ଼ିିଶାରେ ଏ ପ୍ରକାର ପ୍ରସବ ଯଥେଷ୍ଟ ବେଶି ହୋଇଥିଲେ ହେଁ ଶିଶୁମୃତ୍ୟୁ (୦ରୁ ୭ ଦିନରେ) ହାର ମଧ୍ୟ ଅଧିକ। ଗର୍ଭବତୀ ମା’ ଏବଂ ଗର୍ଭସ୍ଥ ଶିଶୁ ଉପଯୁକ୍ତ ପରିମାଣରେ ପୁଷ୍ଟିପ୍ରାପ୍ତ ନ ହେବା ସମ୍ଭବତଃ ଏହାର ଅନ୍ୟତମ ମୁଖ୍ୟ କାରଣ।
ସେହିପରି ନିକଟରେ (୨୦୧୮) ହୋଇଥିବା ଏକ ଆକଳନ ଅନୁସାରେ ଆମ ଦେଶରେ ପ୍ରତିବର୍ଷ ୧.୦୪ ନିୟୁତ ୫ ବର୍ଷରୁ କମ୍‌ ବୟସ୍କ ଶିଶୁ ଅକାଳ ମୃତ୍ୟୁବରଣ କରନ୍ତି। ସେମାନଙ୍କ ମଧ୍ୟରୁ ଦୁଇତୃତୀୟାଂଶଙ୍କର ଏହା ଘଟେ ଅପପୁଷ୍ଟି ଯୋଗୁ। ସମଗ୍ର ବିଶ୍ୱରେ ଏମାନଙ୍କ ସଂଖ୍ୟା ପ୍ରାୟ ୧୪୨ ନିୟୁତ। ଏହା ବ୍ୟତୀତ ଏହି କାରଣରୁ ଶରୀରର ଠିକ୍‌ ଅଭିବୃଦ୍ଧି ନ ହେବା ଏବଂ ସାରା ଜୀବନ ଅଳ୍ପ ବହୁତ ଶାରୀରିକ ଅକ୍ଷମତା ଲାଗିରହିବା ମଧ୍ୟ ଘଟିଥାଏ। ଗଣନାରୁ ଜଣାପଡ଼ିଛି ଯେ, ୫ ବର୍ଷରୁ କମ୍‌ ବୟସ୍କ ଭାରତୀୟ ଶିଶୁଙ୍କ ମଧ୍ୟରୁ ୪୫%ଙ୍କର ତାଙ୍କ ବୟସ ଅନୁସାରେ ଉଚ୍ଚତା କମ୍‌ ହେଲାବେଳେ ୪୮%ଙ୍କର ଶାରୀରିକ ଅଭିବୃଦ୍ଧି ଯଥେଷ୍ଟ ହୋଇ ନ ଥାଏ। ଅବଶ୍ୟ ନିକଟରେ ଦ ଲାନସେଟ ଚାଇଲ୍‌ଡ ଆଣ୍ଡ ଆଡୋଲୋସେଣ୍ଟ ହେଲ୍‌ଥ ଦ୍ୱାରା ପ୍ରଦତ୍ତ ସୂଚନା ଅନୁସାରେ ୧୯୯୦ ରୁ ୨୦୧୭ ମଧ୍ୟରେ ଆମ ଦେଶରେ ଅପପୁଷ୍ଟି ହ୍ରାସ ପାଇଛି, ତଥାପି ଏବେ ମଧ୍ୟ ତାହା ହିଁ ଏଠାରେ ସର୍ବାଧିକ ଶିଶୁ ମୃତ୍ୟୁର କାରଣ ହୋଇ ରହିଛି। ଏହାର ଅନ୍ୟ ମୁଖ୍ୟ କାରଣଗୁଡିକ ହେଉଛି ରକ୍ତ ସ୍ବଳ୍ପତା ଜନିତ ହୃଦ୍‌ରୋଗ (୧୫.୬%), ମସ୍ତିଷ୍କରୋଗ (୭.୮%), ଆମାଶୟ (୪.୭୫%), ମଧୁମେହ (୩.୩୭%) ଏବଂ ଜନ୍ମ ପୂର୍ବରୁ ଥିବା ଜଟିଳତା (୨.୯୯%)। ଅପପୁଷ୍ଟି ଏବଂ ଏ ପ୍ରକାର ବିବିଧ ୩୨ଟି ରୋଗ ବିଚାରକୁ ନେଇ ୧୮୮ଟି ଦେଶ ଉପରେ ସର୍ବେକ୍ଷଣ ଚଳାଇଥିଲେ ‘ଗ୍ଲୋବାଲ ବର୍ଡନ ଅଫ ଡିଜିଜ୍‌’(ବା ଜିବିଡି) ନାମକ ଏକ ଆନ୍ତର୍ଜାତିକ ପ୍ରଯୋଜନାରେ କାର୍ଯ୍ୟରତ ୨୩୦୦ ଗବେଷକ। ଏହି କାର୍ଯ୍ୟକ୍ରମକୁ କୁହାଯାଉଛି ହେଲଥ ଆକ୍‌ସେସ ଆଣ୍ଡ କ୍ୱାଲିଟି ଇଣ୍ଡେକ୍‌ସ। ଏଥିରେ ରଖାଯାଇଥିଲା ୧ରୁ ୧୦୦ ପର୍ଯ୍ୟନ୍ତ ପଏଣ୍ଟ। ତହିଁରେ ଭାରତକୁ ମିଳିଛି ମାତ୍ର ୧୪। ଶିଶୁମୃତ୍ୟୁ ଓ ଅପପୁଷ୍ଟି ରୋକିବା କ୍ଷେତ୍ରରେ ଆମେ ଯେ କେତେ ପଛୁଆ ତାହା ଏଥିରୁ ସୁସ୍ପଷ୍ଟ।
ସେଭ୍‌ ଦ ଚିଲ୍‌ଡ୍ରେନ ଇନ୍‌ ଇଣ୍ଡିଆର ମୁଖ୍ୟ ଟମାସ ଚାଣ୍ଡିଙ୍କ ମତରେ ଦେଶର ଅର୍ଥନୈତିକ ସ୍ଥିତି ସହିତ ଏହା ସର୍ବୋଚ୍ଚ ଭାବେ ସମାନୁପାତିକ ନୁହେଁ। ନଚେତ୍‌ ଏ ଦୃଷ୍ଟିରୁ ଆମଠାରୁ ବହୁ ପଛରେ ଥିବା ଉପସାହାରୀୟ ଦେଶ ତୁଳନାରେ ଆମ ଦେଶ ତଥା ସମଗ୍ର ଦକ୍ଷିଣ-ଏସିଆରେ ଏଭଳି ଅଧିକ ଶିଶୁମୃତ୍ୟୁ ହୁଅନ୍ତା କାହିଁକି। ଅବଶ୍ୟ ୧୯୯୦ରୁ ସମନ୍ବିତ ଶିଶୁ ବିକାଶ ଯୋଜନା, ଅଙ୍ଗନଓ୍ବାଡି, ବିଦ୍ୟାଳୟରେ ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ପୋଷଣ ଅଭିଯାନ ସହିତ ଗର୍ଭବତୀ ମା’ମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ ବିବିଧ କାର୍ଯ୍ୟକ୍ରମର ପ୍ରଚଳନ ଫଳରେ ଏ ସମସ୍ୟାର କିଛି ମାତ୍ରାରେ ସମାଧାନ ହୋଇପାରିଛି। ତେବେ ତାହା ଯଥେଷ୍ଟ ନୁହେଁ। ଏପରିସ୍ଥଳେ, ଏ କ୍ଷେତ୍ରରେ ପ୍ରଗତି ଦ୍ରୁତ ନ ହେଲେ ଆମ ସହସ୍ରାବ୍ଦୀ ଲକ୍ଷ୍ୟ ସାଧନ ସମ୍ଭବ ହେବ ନାହିଁ। ସେଥିପାଇଁ ପ୍ରଥମତଃ ଲୋଡ଼ା ଦୁଇଟି କଥା- ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଏବଂ ସୁଷମ ଅର୍ଥନୀତି। ତା’ ନ ହେଲେ ଆମ ଶିଶୁମାନେ ନା ଭାଗ୍ୟବାନ୍‌ ହୋଇପାରିବେ, ନା ଆୟୁଷ୍ମାନ୍‌। ପରିଣାମସ୍ବରୂପ ଦେଶର ଆଗାମୀକାଲିର ପୁଞ୍ଜି ରୂପେ ଉପସ୍ଥାପିତ ଯୁବ ସମ୍ପଦର ଆଶାନୁରୂପ ବିକାଶ ହୋଇପାରିବ ନାହିଁ।
ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?