ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ ଶକ୍ତି ଯୁଦ୍ଧବିରତି (energy ceasefire) ହୋଇଥିବା ନେଇ ସେ କହିଛନ୍ତି । ୟୁକ୍ରେନର ବର୍ତ୍ତମାନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷିଆ ସହ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ପାଇଁ ଯଥେଷ୍ଟ ପ୍ରୟାସ କରିନାହାନ୍ତି । ଏଭଳି ଅଭିଯୋଗ କରି ଟ୍ରମ୍ପ କହିଥିଲେ ଯେ ବର୍ତ୍ତମାନ ୟୁକ୍ରେନ୍ ପାଇଁ ଜଣେ ନୂତନ ରାଷ୍ଟ୍ରପତି ବାଛିବାର ସମୟ ଆସିଯାଇଛି । ଏହାର ଗୋଟିଏ ଦିନ ପରେ ସେ ଏହି ଘୋଷଣା କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ (Truth) ରେ ଏକ ପୋଷ୍ଟ ମାଧ୍ୟମରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, “ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏକ ‘ଶକ୍ତି ଯୁଦ୍ଧବିରତି’ ତୁରନ୍ତ ଲାଗୁ ହୋଇଛି। ଉଭୟ ପକ୍ଷ ଏହି ଯୁଦ୍ଧବିରତି ପାଇଁ ସହମତ ହୋଇଛନ୍ତି। ଏହାକୁ ବର୍ତ୍ତମାନ ଭଙ୍ଗ କରାଯିବା ଉଚିତ୍ ନୁହେଁ! ଏହି ବିଷୟ ପ୍ରତି ଧ୍ୟାନ ଦେଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ।” ଏହା ପୂର୍ବରୁ ରବିବାର ଦିନ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କୁ ବଦଳାଇବା ପାଇଁ ଟ୍ରମ୍ପଙ୍କ ଆହ୍ୱାନକୁ ଖାରଜ କରିଦେଇଥିଲେ । ତଥାପି ସେ କହିଥିଲେ ଯେ ଯଦି ରୁଷିଆ ୬୦ ଦିନିଆ ଯୁଦ୍ଧବିରତି ପାଇଁ ରାଜି ହୁଏ ତେବେ ତାଙ୍କ ଦେଶ ନିର୍ବାଚନ କରାଇପାରିବ।
ଶନିବାର ଦିନ, ରୁଷିଆର ତେଲ ବିଶୋଧନାଗାର ଉପରେ ୟୁକ୍ରେନର ଆକ୍ରମଣକୁ ନେଇ ଟ୍ରମ୍ପ ଜେଲେନସ୍କିଙ୍କୁ ସମାଲୋଚନା କରିଥିଲେ।
ଏହା ବ୍ୟତୀତ, ଜେଲେନସ୍କି ଆଜି X ରେ କହିଛନ୍ତି, “ଯଦି ରୁଷିଆର ଆମର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରେ, ତେବେ ୟୁକ୍ରେନ ମଧ୍ୟ ରୁଷିଆ ତୈଳ ବିଶୋଧନାଗାର ଉପରେ ଆକ୍ରମଣ ବନ୍ଦ କରିବାକୁ ଇଚ୍ଛୁକ ହେବ। ଉତ୍ତେଜନା ହ୍ରାସ ପାଇଁ ଯେକୌଣସି ପଦକ୍ଷେପ ପାଇଁ ଉଭୟ ପକ୍ଷର ପଦକ୍ଷେପ ଆବଶ୍ୟକ ଏବଂ ଏହାକୁଠକ ଗ୍ୟାରେଣ୍ଟି ଦ୍ୱାରା ସମର୍ଥିତ ହେବା ଆବଶ୍ୟକ।”

