ପ୍ରଶଂସାର ଓଜନ

ଡ.ସତ୍ୟନାରାୟଣ ମିଶ୍ର

ପ୍ରଶଂସା ଓ ନିନ୍ଦା ପ୍ରତ୍ୟେକ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କର୍ମର ପ୍ରତିଫଳନ। ମଣିଷର କର୍ମକୁ ନେଇ ପ୍ରଶଂସା ଓ ନିନ୍ଦାର ସୃଷ୍ଟି। ମଣିଷ ମହତ୍‌ କର୍ମ କଲେ ପ୍ରଶଂସା ପାଇଥାଏ ଓ ଖରାପ କାର୍ଯ୍ୟ କଲେ ନିନ୍ଦିତ ହୋଇଥାଏ। ତେବେ ନିନ୍ଦାକୁ ସହ୍ୟ କରିବା ଯେତେବେଳେ କଷ୍ଟ ହୋଇଥାଏ, ପ୍ରଶଂସାକୁ ଗ୍ରହଣ କରିବା ଆନନ୍ଦଦାୟକ ହୋଇଥାଏ। ଅତଏବ ନିନ୍ଦାରେ ନିନ୍ଦିତ ହେଉଥିବା ବ୍ୟକ୍ତି ସହିତ ପ୍ରାୟ କେହି ଭାଗୀଦାରି ହେଉ ନ ଥିବା ବେଳେ ପ୍ରଶଂସାରେ ପ୍ରଶଂସିତ ବ୍ୟକ୍ତି ସହିତ ଅନେକ ସାମିଲ ହୋଇଥାନ୍ତି, ଯାହା ସୃଷ୍ଟି କରିଥାଏ ନିଜ ପ୍ରତି, ସମାଜ ପ୍ରତି ଏକ ଉତ୍ସାହ ଓ ପ୍ରେରଣା। ଏଇଠି ମଣିଷ ସୃଷ୍ଟି କରିଥାଏ ଜୀବଦ୍ଦଶା ମଧ୍ୟରେ କେଉଁ କାର୍ଯ୍ୟ କରଣୀୟ ଓ କେଉଁ କାର୍ଯ୍ୟ ନିନ୍ଦନୀୟ ଯାହା ସମାଜର ଅନ୍ୟମାନଙ୍କ ପ୍ରତି ସୃଷ୍ଟି କରିଥାଏ ଏକ ଦୃଷ୍ଟାନ୍ତ। ମାତ୍ର ପ୍ରଶଂସାର ବ୍ୟାପକତା ବା ପ୍ରଚାରର ଗତି ମନ୍ଥର ହେଉଥିବା ବେଳେ ନିନ୍ଦାର ଗତି ଅତି ତୀବ୍ର ବେଗରେ ଚତୁର୍ଦ୍ଦିଗ କମ୍ପନ ସୃଷ୍ଟି କରିଥାଏ, କାରଣ ପ୍ରକୃତ ପ୍ରଶଂସାର ଅଧିକାରୀକୁ ଏ ସମାଜ ସହଜରେ ଗ୍ରହଣ କରିବାରେ ଚିନ୍ତା କରିବା ପାଇଁ ସମୟ ନେଇଥାଏ।
ସାଂପ୍ରତିକ ସମାଜରେ ମଣିଷ କେତେବେଳେ ପ୍ରଶଂସା ପାଇଁ କାର୍ଯ୍ୟ କରିଥାଏ ତ ପୁଣି କେତେବେଳେ କାର୍ଯ୍ୟ ପାଇଁ ପ୍ରଶଂସା ପାଇଥାଏ। ଯେତେବେଳେ ବ୍ୟକ୍ତି ପ୍ରଶଂସା ପାଇଁ କାର୍ଯ୍ୟ କରିଥାଏ ସେତେବେଳେ ଉକ୍ତ ପ୍ରଶଂସାର ଓଜନ ଭାରି ହୋଇଥାଏ, ମାତ୍ର ଯେତେବେଳେ ବ୍ୟକ୍ତିର କାର୍ଯ୍ୟ ପାଇଁ ପ୍ରଶଂସା ହୋଇଥାଏ ସେତେବେଳେ ଆପଣା ଛାଏଁ ପ୍ରଶଂସିତ ବ୍ୟକ୍ତି ସମାଜର ସ୍ବୀକୃତି ପାଇଥାଏ ଓ ସେଥିରେ ପ୍ରଶଂସାର ଓଜନ ବହୁତ ସ୍ବଳ୍ପ ଥାଏ। ଅନେକ ସମୟରେ ବ୍ୟକ୍ତି ନିଜର କର୍ମକୁ ଅଧିକ ଲୋକାଭିମୁଖୀ ଓ ଅନ୍ୟର ଉପକାର କରିବା ଉଦ୍ଦେଶ୍ୟରେ ସାମର୍ଥ୍ୟ ଓ ଶକ୍ତିକୁ ଉପଯୋଗ କରିଥାଏ ଏବଂ ସମୟକ୍ରମେ ତାହା ସର୍ବଜନରେ ପ୍ରଶଂସାର ପାତ୍ର ହୋଇଥାଏ। ମାତ୍ର ସମାଜରେ ଅନେକ ବ୍ୟକ୍ତି କେବଳ କିଛି ପ୍ରଶଂସା ପାଇବା ପାଇଁ ବା ପ୍ରଶଂସାକୁ ଆଳ କରି କର୍ମ କରିଥାନ୍ତି ଓ ପ୍ରଶଂସାକୁ ଶ୍ରବଣ କରି ଆତ୍ମହରା ହୋଇଥାନ୍ତି। ଯିଏ ପ୍ରକୃତ କର୍ମଠ ବ୍ୟକ୍ତି ସେ ପ୍ରଶଂସାକୁ ଗୌଣ ମନେକରି କାର୍ଯ୍ୟକୁ ପ୍ରାଧାନ୍ୟ ଦେଇଥାଏ। ପ୍ରଶଂସାକୁ ଏକ ସକାରାତ୍ମକ ଦୃଢୀକରଣ ଭାବରେ ବିବେଚନା କରାଯାଏ କାରଣ ଏହା ଆଶା ଅନୁଯାୟୀ ଆଚରଣ କରିବା ପାଇଁ ଏକ ଉତ୍ସାହଜନକ ପ୍ରତିକ୍ରିୟା ସୃଷ୍ଟି କରିଥାଏ।
କୌଣସି ପ୍ରୟାସ ବିନା ପ୍ରଶଂସା କିପରି ଅଧିକ ଦିଆଯାଏ ସମାଜ ଆଜି ମର୍ମେ ମର୍ମେ ଅନୁଭବ କରୁଛି। ମାତ୍ର ତାହା ପ୍ରକାଶ କରିବାରେ ଅକ୍ଷମ, କାରଣ ଉକ୍ତ ପ୍ରଶଂସାର ଓଜନ ଅନେକ ଭାରି, ଯାହାକୁ ବହନ କରିବା ପାଇଁ ସ୍ବାଭିମାନୀ ମଣିଷର ସାମର୍ଥ୍ୟ ନ ଥାଏ। ଅନେକ ବ୍ୟକ୍ତି ଅନୁଭବ କରନ୍ତି ଯେ ସମାଜର ବହୁ ବ୍ୟକ୍ତି ପ୍ରଶଂସା ପାଇବା ପାଇଁ ଯୋଗ୍ୟ ନ ଥାନ୍ତି, ତଥାପି କିଛି ମୁଷ୍ଟିମେୟ ବ୍ୟକ୍ତି ବା ଗୋଷ୍ଠୀର ଚାପରେ ତାହାଙ୍କୁ ଏକ କାର୍ଯ୍ୟକ୍ରମର ଆଧାର ସ୍ବରୂପ ତୋଷାମଦିର ସୂକ୍ଷ୍ମ ପାଖୁଡାରେ ଆଚ୍ଛାଦିତ କରି ପ୍ରଶଂସା କରାଯାଏ, ଯାହା ଥାଏ ତୋଷାମଦି ଓ ସ୍ବାର୍ଥର ଏକ ବୃହତ୍‌ ସେତୁ।
ବର୍ତ୍ତମାନର ସମାଜର ଆଳଙ୍କାରିକ ବୃଦ୍ଧି ସହିତ ପ୍ରଶଂସା ସହଜରେ ଦିଆଯାଉଛି ଓ ପ୍ରକୃତ ପ୍ରଶଂସାର ଅର୍ଥ ହଜିଯାଇଛି। ବ୍ୟକ୍ତି ଆଶା କରିଥାଏ ଯେ ସେମାନେ ପୂର୍ବରୁ ଉଚିତ କାର୍ଯ୍ୟ କରିବା ପାଇଁ ପୁରସ୍କୃତ ହେବେ ଓ ପ୍ରଶଂସା ପାଇବେ। ଜୀବନ ଧାରଣର ପରିବର୍ତ୍ତିତ ମାନର ସୌଖୀନ ବ୍ୟବସ୍ଥାରେ ମଣିଷ ପ୍ରଯୁକ୍ତି ବିଦ୍ୟା ତଥା ସାମାଜିକ ବର୍ଗୀକରଣର ସାହଚର୍ଯ୍ୟରେ ପ୍ରଶଂସା ସାଉଁଟିବା ପାଇଁ ବ୍ୟସ୍ତ ରହି ନିଜର ସ୍ବତଃ ପରିଚୟକୁ ଭୁଲିଯାଉଛି । ଭୁଲ୍‌ ଜିନିଷ ପାଇଁ ଅନେକ ଲୋକଙ୍କୁ ପ୍ରଶଂସା କରିବା ଦ୍ୱାରା ଏହାର ପ୍ରଶଂସା କରିବାର ଅର୍ଥ ଏକ ଭିନ୍ନ ଦୃଷ୍ଟିକୋଣକୁ ଆଧାର କରି ସୃଷ୍ଟି କରୁଛି ଏକ ସନ୍ଦେହର ବଳୟ। ସମାଜରେ ଆଜି ଅଧିକାଂଶ ବ୍ୟକ୍ତି ପୁରସ୍କାର ପାଇବା ପାଇଁ କଠିନ ପରିଶ୍ରମ କରନ୍ତି ନାହିଁ, ସେମାନେ କେବଳ ଲୋକଦେଖାଣିଆ ଭାବେ ଏକ ପ୍ରତୀକାତ୍ମକ ଧ୍ୱନି ସୃଷ୍ଟି କରିଥାନ୍ତି ଓ ସମସ୍ତଙ୍କଠାରୁ କିଛି ଆଶା କରନ୍ତି। ସମସ୍ତେ ପ୍ରଶଂସା ପାଇବାକୁ ଯୋଗ୍ୟ ନୁହନ୍ତି, କାରଣ ଏହା କେବଳ ପ୍ରମୁଖ ସମସ୍ୟା ସୃଷ୍ଟି କରିଥାଏ। ପ୍ରତ୍ୟେକ ଖେଳରେ ପ୍ରତ୍ୟେକେ ଜିତିପାରିବେ ନାହିଁ, ତେଣୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରସ୍ତୁତ ହୋଇଥାଏ, ଯାହାଦ୍ୱାରା ବିଜେତାମାନଙ୍କୁ ଆଘାତ ନ ଦେଇ ହଜିଯାଉଥିବା ଉତ୍କର୍ଷଙ୍କୁ ଭଲ ଲାଗେ ଯାହା ସୃଷ୍ଟି କରେ ଭବିଷ୍ୟତର ଆଶା। ମାତ୍ର ଉକ୍ତ ଖେଳରେ ଥାଏ ଉପଯୁକ୍ତ ଶ୍ରମ ଓ ପ୍ରଶଂସା ପାଇଁ ଲଢ଼େଇ। କିନ୍ତୁ ଆଜିକାଲି ଅନେକେ ଇଚ୍ଛା ପ୍ରକଟ କରିସାରିଲେଣି ଯେ ସେମାନେ ନିଜ କାର୍ଯ୍ୟରେ କୌଣସି ପ୍ରୟାସ କରିପାରିବେ ନାହିଁ, ମାତ୍ର ସେମାନେ ସମାଜରେ ଯଥେଷ୍ଟ ପ୍ରଶଂସିତ ହେବେ ଓ ସମସ୍ତେ ତାଙ୍କୁ ଯେମିତି ଭଲ କହିବେ। ଏହା କରିବା ଦ୍ୱାରା ସମାଜର ନୈତିକ ଅଧଃପତନ ସୃଷ୍ଟି ହୋଇ ତାହା ବିଖଣ୍ଡିତ ହୋଇଯାଏ।
ଜୀବନର ସକାରାତ୍ମକ ଦିଗ ଦେଖିବାକୁ ଅନେକଙ୍କୁ ଉତ୍ସାହିତ କରିଥାଏ ପ୍ରଶଂସା। ପ୍ରଶଂସା ଅନ୍ୟମାନଙ୍କୁ ସେମାନଙ୍କର ପ୍ରତିଭାକୁ ଚିହ୍ନିବାରେ, ସେମାନଙ୍କର ଆତ୍ମସମ୍ମାନ ବୃଦ୍ଧି ତଥା ଆଶା ପୁନଃ ସ୍ଥାପିତ କରିବାରେ ସାହାଯ୍ୟ କରେ। ବର୍ତ୍ତମାନ ସମାଜରେ ପ୍ରଶଂସା ଲାଳାୟିତ ବ୍ୟକ୍ତିମାନଙ୍କ ସଂଖ୍ୟା ଅଧିକ ପରିଲକ୍ଷିତ ହେଉଥିବା ବେଳେ ସେମାନଙ୍କର ପ୍ରଶଂସାର ଓଜନ ଅଧିକ ଗୁରୁତ୍ୱ ଓ ଓଜନିଆ ହୋଇଥାଏ, ଯାହା ସୃଷ୍ଟି କରେ ଅନେକ ଲୁକ୍କାୟିତ ଦ୍ୱନ୍ଦ୍ୱ। ସମାଜରେ ବିଶେଷତଃ ତିନି ପ୍ରକାରର ପ୍ରଶଂସା ଦୃଶ୍ୟମାନ ହୋଇଥାଏ। ଗୋଟିଏ ଥାଏ ଆତ୍ମପ୍ରଶଂସା, ଦ୍ୱିତୀୟ ଥାଏ ପ୍ରଶଂସା ପାଇଁ ବିଭିନ୍ନ ଅନୈତିକ ଉପାୟର ବ୍ୟବସ୍ଥା ଓ ତୃତୀୟରେ ଥାଏ ମହତ୍‌ କାର୍ଯ୍ୟ ଦ୍ୱାରା ସ୍ବତଃ ସାମାଜିକ ପ୍ରଶଂସା। କିନ୍ତୁ ପ୍ରକୃତ ପ୍ରଶଂସାର ପାତ୍ର ଯେଉଁ ବ୍ୟକ୍ତି ହୋଇଥାଏ ତାହା ସମାଜର ପ୍ରତ୍ୟେକ ବ୍ୟକ୍ତିର ଅନ୍ତରରେ ଏକ ଆଲୋଡ଼ନ ସୃଷ୍ଟି କରି ଭାବ ଧାରାର ସ୍ରୋତ ସୃଷ୍ଟି କରେ; ଯାହାର ଓଜନ ମାପିବା ପାଇଁ କାହା ନିକଟରେ ନ ଥାଏ ଓଜନ ମାପିବାର ଯନ୍ତ୍ର ଓ ପ୍ରମାଣ କରିଥାଏ ପ୍ରକୃତ ପ୍ରଶଂସାର ଓଜନ କେତେ। ତେଣୁ ପ୍ରକୃତ ପ୍ରଶଂସାକୁ ଓଜନରେ ମାପିବାର ଆବଶ୍ୟକତା ନ ଥିବା ବେଳେ, କୃତ୍ରିମ ପ୍ରଶଂସାର ଓଜନକୁ ମାପିବାର ଆବଶ୍ୟକତା ଲୋଡ଼ା ଥାଏ।
ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର,
ଭାରତ ସରକାର
ମୋ:୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?