ଧର୍ମର ଜୟ ହେଉ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ନ୍ୟାୟ, ନୀତି, ସତ୍ୟ, ସଦାଚାରକୁ ପ୍ରତିହତ କରି ଅନ୍ୟାୟ, ଅନୀତି ଓ ଅସତ୍ୟ ଅନାଚାର ଯେତେବେଳେ ବିଜୟ ଲାଭ କରେ, ସେତେବେଳେ ନିଷ୍ପେଷିତର ଅନ୍ତରରୁ ନିଃଶବ୍ଦରେ ଭାସି ଆସେ ଅସହାୟତାର କରୁଣ ସଂଳାପ- ‘ଧର୍ମ ସହିଲେ ହେଲା’! ନିର୍ଦ୍ଧନ ଯେତେବେଳେ ଧନବାନ୍‌ ଦ୍ୱାରା ଶୋଷଣର ଶିକାର ହୁଏ, ଅବା ନିଜର ବଳ ବା କ୍ଷମତା ପ୍ରୟୋଗ କରି ତଳଶ୍ରେଣୀର ନିର୍ବଳ ଲୋକଟିକୁ ନିର୍ଯାତନା ଦିଆଯାଏ, ସେତେବେଳେ ଧର୍ମ ବୋଲି ଯେଉଁ ଅଦୃଶ୍ୟ ଶକ୍ତି ତା’ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦିଏ ଅସହାୟ ମଣିଷ। ଆଉ ଯିଏ ସହୁ ପଛେ, ଧର୍ମ କେବେ ଅନ୍ୟାୟ ଅନାଚାର ସହିବ ନାହିଁ, ଏମିତି ଏକ ଅବବୋଧ ଅନ୍ୟାୟ କରୁଥିବା ଲୋକ ଭିତରେ ଭୟ ସଞ୍ଚାର କରୁ କି ନ କରୁ, ଅନ୍ୟାୟ ସହିବାକୁ ବିବଶ ହେଉଥିବା ଲୋକଙ୍କୁ ହିଁ ଧର୍ମ ପ୍ରତି ଅଧିକ ସମର୍ପିତ କରିଥାଏ। ଅଧର୍ମ ପ୍ରତି ଅନାସ୍ଥା ପ୍ରକଟିତ ହୋଇଥାଏ।
ଧର୍ମ ଏକ ନିର୍ମଳ ବିଶ୍ୱାସ, ବିଶ୍ୱାସୀଙ୍କ ଏକ ନିଃସର୍ତ୍ତ ସମର୍ପଣ। ଆମ ସମାଜରେ ଧର୍ମ ଶବ୍ଦର ପରିବ୍ୟାପ୍ତ ପ୍ରୟୋଗ ଏହାର ବିଶାଳତା ପ୍ରତିପାଦନ କରେ। ଧର୍ମପତ୍ନୀ, ଧର୍ମବନ୍ଧୁ ବା ଧର୍ମପିତା ଆଦି ଶବ୍ଦର ଉଚ୍ଚାରଣ ବିଭିନ୍ନ ସମ୍ପର୍କ ମଧ୍ୟରେ ପବିତ୍ରତାର ସ୍ଫୁରଣ ଘଟାଏ। ପୁଣି ଧର୍ମକଣ୍ଟା ବା ଧର୍ମଶାଳା ଆଦି ଶବ୍ଦର ବ୍ୟବହାର ଗୋଟିଏ ବସ୍ତୁ ବା ଗୋଟିଏ ସ୍ଥାନର ନିର୍ଭରଶୀଳତା ସମ୍ପର୍କରେ ସୂଚିତ କରେ। କେବଳ ଏତିକି ନୁହେଁ, ପତିଧର୍ମ, ଭ୍ରାତୃଧର୍ମ, ରାଜଧର୍ମ ବା ଜୀବନଧର୍ମ ଆଦି କଥା କହିଲାମାତ୍ରେ ସଂସାରର ବିଭିନ୍ନ ବିଧିବିଧାନ ସହ ମଣିଷର ସ୍ଥିତି ଯୋଡ଼ି ହୋଇଯାଏ। ଏମିତି ସମାଜର ପ୍ରତ୍ୟେକ ପ୍ରାନ୍ତରେ, ଜୀବନର ପ୍ରତିଟି ଅଧ୍ୟାୟରେ ଧର୍ମ ଯେଉଁଠି ସହଚର ହୋଇ ମଣିଷର ଅନୁଗମନ କରୁଥାଏ, ସେଠି ଗୋଟିଏ ଧର୍ମବିହୀନ ପୃଥିବୀର ପରିକଳ୍ପନା କରିହେବ ନାହିଁ।
ତେବେ ଧର୍ମ ଈଶ୍ୱରକୈନ୍ଦ୍ରକ ହେଉ କି ସମାଜକୈନ୍ଦ୍ରିକ, ଆଜିକାଲିର ବିଜ୍ଞାନଭିତ୍ତିକ ଆଧୁନିକ ଜୀବନଚର୍ଯ୍ୟା ଓ ମୋବାଇଲ ମନସ୍କତା ମଧ୍ୟରେ ଧର୍ମ ପ୍ରତି ମଣିଷର ଆକର୍ଷଣ ହ୍ରାସ ପାଉଥିବା ବେଳେ ଅଚାନକ ଏଇ ଧର୍ମ ପ୍ରସଙ୍ଗର ଅବତାରଣା କାହଁକି! କଥା ହେଉଛି ଏଇ ନିକଟରେ ନିଜ ରାଜ୍ୟରେ ମଦ୍ୟ ନୀତି ନିର୍ଦ୍ଧାରଣରେ ହୋଇଥିବା ଦୁର୍ନୀତି ଉପରେ ତଦନ୍ତ କରୁଥିବା କେନ୍ଦ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ କରିନେଲା ପରେ ତାଙ୍କର ଜଣେ ଅନୁଗାମୀଙ୍କ ପ୍ରତିକ୍ରିୟା ଥିଲା ଧର୍ମଭିତ୍ତିକ। ଏମିତି ତ ରାଜନୀତିରେ ରୁଚି ରଖୁଥିବା ଲୋକେ ଅଳ୍ପଦିନ ଅନ୍ତରରେ ଦେଶ ସାମ୍ନା କରିବାକୁ ଯାଉଥିବା ନିର୍ବାଚନକୁ ନେଇ ବହୁ ନେତାଙ୍କ ସପକ୍ଷ ବା ବିପକ୍ଷରେ ବହୁ ରୋଚକ ମନ୍ତବ୍ୟ ଦେଉଥିବା କିଛି ନୂଆ କଥା ନୁହେଁ। ତେବେ ଅରବିନ୍ଦପ୍ରେମୀ ସେଇ ଯୁବକଙ୍କ ପ୍ରତିକ୍ରିୟା ଥିଲା ଅଭିନବ। ତାଙ୍କ ଗିରଫଦାରିର ଖବର ପାଇବା କ୍ଷଣି କ୍ରୋଧରେ ସେ କହି ପକାଇଲେ- ”ଏ ମୋଦିକୁ ଧର୍ମ ସହିବ ନାହିଁ। ସେ ତାଙ୍କ ବିରୋଧୀମାନଙ୍କୁ କଳେବଳେ କୌଶଳେ ଯେମିତି ଦମନ କରି ଚାଲିଛନ୍ତି, ତାଙ୍କୁ ଧର୍ମ ସହିଲେ ହେଲା।“
ରାଜନୀତିର ରଙ୍ଗ ବଡ଼ ବିଚିତ୍ର। ଏଠାକାର ପ୍ରେମ ବା ଘୃଣା ନେତାଙ୍କ ଅପେକ୍ଷା ସେମାନଙ୍କ ସମର୍ଥକ ଜନତାଙ୍କୁ ଅଧିକ ସଂକ୍ରମିତ କରେ। ସଂକ୍ରମଣ କେତେ ଉତ୍କଟ, ତାହାର ବହୁ ଦୃଷ୍ଟାନ୍ତ ଅତୀତରେ ଜନଚେତନାରେ ଶିହରଣ ସୃଷ୍ଟି କରିଛି। କେଉଁଠି ନିଜ ନେତା ବା ନେତ୍ରୀଙ୍କ ଗିରଫଦାରି ପରେ ଦେଶର ବହୁ ଜନସମ୍ପଦରେ ନିଅଁା ଲଗାଇ ଛାରଖାର କରିଦିଆଯାଇଛି ତ ଅନ୍ୟ କେଉଁଠି କିଛି ଅନୁଗାମୀ ଆତ୍ମାହୁତି ଦେଇଛନ୍ତି। ସେପରି ସ୍ଥଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରି ପରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଧର୍ମଛଡ଼ା କହି ଅଭିଶାପ ଦେବା ଏକ ଆବେଗ ବିଜଡ଼ିତ ଛୋଟକାଟର ଅହିଂସ ପ୍ରତିକ୍ରିୟା। ତେବେ ଘଟଣାଟିର ଉତ୍ପତ୍ତି, ଅଗ୍ରଗତି ଓ ପରିଣତି ସମ୍ପର୍କରେ ସମୁଚିତ ବିଶ୍ଳେଷଣ ନ କରି ଧର୍ମ ଭଳି ଏକ ଆଧିଭୌତିକ ଚେତନାକୁ ଏଭଳି ଏକ ଭୌତିକ ପର୍ଯ୍ୟାୟକୁ ଟାଣିଆଣିବା କେତେ ଯୁକ୍ତିଯୁକ୍ତ!
ଅବଶ୍ୟ ସଂସାରର ସବୁ କଥାରେ କେଉଁଠି ନା କେଉଁଠି ଧର୍ମ ସମ୍ପୃକ୍ତ ଥିଲା ଭଳି ଏକଥାରେ ମଧ୍ୟ ଧର୍ମର ସମ୍ପୃକ୍ତିକୁ ଅସ୍ବୀକାର କରାଯାଇପାରେନା। ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ, ଦୁହେଁ ରାଜଧର୍ମରେ ଅଭିଷିକ୍ତ ଦୁଇଜଣ ମହଙ୍ଗା ରାଜପୁରୁଷ। ଦୁର୍ନୀତି, ଦୁରାଚାର ଭଳି ବ୍ୟକ୍ତି ସ୍ବାର୍ଥ ସାଧନର ମିଠା ବିଷଠାରୁ ଦୂରେଇ ରହି ଏମାନେ ଯଦି ଲୋକକଲ୍ୟାଣର ଅମୃତ ରାଜ୍ୟରେ ବିଚରଣ କରୁଥାଆନ୍ତି, ତେବେ ସାମୟିକ ଭାବେ ଯେତେ ବିପଦ ଆସିଲେ ବି ସେମାନଙ୍କ ବିରୋଧରେ ଯେତେ ଅଭିଯୋଗ ବଢ଼ା ହେଲେ ମଧ୍ୟ ସେମାନଙ୍କ ପକ୍ଷ ସମର୍ଥନ କରିବାକୁ ସ୍ବୟଂ ଧର୍ମଦେବତା ଆଗେଇ ଆସିବେ। ବରଂ ଆଗେଇ ଆସିବାକୁ ବାଧ୍ୟ ହେବେ। ଏଇ ବିଶ୍ୱାସ ସପକ୍ଷରେ ଆମ ପ୍ରାଚୀନ ଲୋକକଥାରୁ ଛୋଟ କାହାଣୀଟିଏ।
ନିଜ ପ୍ରଜାମାନଙ୍କ କଲ୍ୟାଣ ପାଇଁ ଜଣେ ରାଜା ରାଜଧାନୀ ଉପକଣ୍ଠରେ ବଡ଼ ହାଟଟାଏ ବସାଇଲେ। ନିୟମ କଲେ ପ୍ରତିଦିନ ଜନଗଣଙ୍କ କିଣାବିକା ପରେ ଯେତେ ଯାହା ଅବିକ୍ରି ରହିବ, ସେ ସବୁ ସେ ନିଜେ କିଣିନେବେ। ଚାଷୀ ଓ ବେପାରୀମାନେ ରାଜାଙ୍କର ଜୟ ଜୟକାର କଲେ। ବିକ୍ରୟ ନ ହୋଇପାରିବା ପଣ୍ୟ ପାଇଁ କେହି କ୍ଷତି ସହିଲେ ନାହିଁ। ଏମିତି କିଛିଦିନ ପରେ କୁମ୍ଭାରୁଣୀ ବୁଢ଼ୀଟିଏ ଏକ ମାଟି କଣ୍ଢେଇ ଧରି ରାଜାଙ୍କ ପାଖରେ ପହଞ୍ଚିଲା ଓ କହିଲା, ମହାରାଜ! ପେଟ ପୋଷିବା ପାଇଁ ମାଟିରେ ପିତୁଳା ତିଆରି କରି ହାଟରେ ବିକୁଥିଲି। ଆଜି କିନ୍ତୁ ଏଇ ପିତୁଳାକୁ ଅଲକ୍ଷ୍ମୀ ମୂର୍ତ୍ତି କହି କେହି ଗରାଖ ନ ନେବାରୁ ଆପଣଙ୍କ ପାଖକୁ ନେଇ ଆସିଛି। ରାଜା ଦେଖିଲେ ବୁଢ଼ୀ ହାତରେ ଅଲକ୍ଷ୍ମୀ ମୂର୍ତ୍ତିଟିଏ। ଦାରିଦ୍ର୍ୟର ପ୍ରତୀକ ଏଭଳି ପିତୁଳାକୁ କିଏ ବା କାହିଁକି କିଣନ୍ତା! ଅତଏବ ହାଟର ବିଧାନ ଅନୁଯାୟୀ ରାଜା ସେଇ ମୂର୍ତ୍ତିଟି ରଖି ବୁଢ଼ୀକୁ ତା’ର ମୂଲ୍ୟ ଦେଇ ବିଦା କରିଦେଲେ।
ସେଇ ରାତିରେ ରାଜାଙ୍କ ଶୟନକକ୍ଷରେ ନାରୀ ପାଦର ରୁଣୁଝୁଣୁ ଶବ୍ଦରେ ରାଜାଙ୍କ ନିଦ ଭାଙ୍ଗିଗଲା। ସେ ଦେଖିଲେ ଦେବୀ ଭଳି ଦିଶୁଥିବା ନାରୀ ଜଣେ ତାଙ୍କ କକ୍ଷରୁ ନିଷ୍କ୍ରାନ୍ତ ହୋଇ ଚାଲି ଯାଉଛନ୍ତି। ରାଜା ତାଙ୍କୁ ପରିଚୟ ମାଗିଲାରୁ ସେ କହିଲେ, ମୁଁ ଲକ୍ଷ୍ମୀ। ତୁମ ଉପରେ ପ୍ରସନ୍ନ ହୋଇ ତୁମ ସହ ରହୁଥିଲି। ଏବେ ତୁମେ ଅଲକ୍ଷ୍ମୀକୁ ଘରେ ରଖିଲ ଯେ ଗୋଟିଏ ଘରେ ଲକ୍ଷ୍ମୀ ଅଲକ୍ଷ୍ମୀ ସାଙ୍ଗ ହୋଇ ରହିପାରିବେନି। ମୁଁ ଚାଲିଲି। ଲକ୍ଷ୍ମୀ ଚାଲିଗଲେ ରାଜଗୃହ ତ୍ୟାଗ କରି। ପରେ ପରେ ସେଇ ରାତି ମଧ୍ୟରେ ନାରାୟଣଙ୍କ ସମେତ ଭାଗ୍ୟଲକ୍ଷ୍ମୀ, ବିଜୟ ଲକ୍ଷ୍ମୀ ଆଦି ବହୁ ଦେବଦେବୀ ରାଜାଙ୍କୁ ଛାଡ଼ି ଚାଲିଗଲେ। ସମସ୍ତଙ୍କର ସେଇ ଏକା ଅଭିଯୋଗ- ଯେଉଁ ଘରେ ଅଲକ୍ଷ୍ମୀର ଅବସ୍ଥାନ, ସେ ଘରେ କେହି ରହିପାରିବେ ନାହିଁ। ରାଜା ଦୁଃଖିତ ହେଲେ ମଧ୍ୟ ବିଚଳିତ ହେଲେନାହିଁ।
ସବା ଶେଷରେ, ରାତିର ଶେଷ ପ୍ରହରକୁ ଅନ୍ୟ ଜଣେ ଦିବ୍ୟ ପୁରୁଷ ତାଙ୍କୁ ତ୍ୟାଗ କରି ଚାଲିଯାଉଥିବା ଦେଖି ରାଜା ତାଙ୍କୁ ପରିଚୟ ମାଗି ଜାଣିଲେ ଯେ, ସେ ହେଉଛନ୍ତି ଧର୍ମ। ଏଥର ରାଜା ନୀରବ ରହିପାରିଲେ ନାହିଁ। ସେ ଏହାର ପ୍ରତିବାଦ କଲେ। କହିଲେ, ମୋତେ ତ୍ୟାଗ କରି ସମସ୍ତେ ଚାଲିଗଲେ ମଧ୍ୟ ଆପଣ ଯାଇପାରିବେ ନାହିଁ। ଆପଣ ପରା ଧର୍ମ। କେବଳ ଆପଣଙ୍କୁ ରକ୍ଷା କରିବା ପାଇଁ ଗରିବ ବୁଢ଼ୀଟିଠାରୁ ଅଲକ୍ଷ୍ମୀ ମୂର୍ତ୍ତି କିଣି ମୁଁ ମୋର ରାଜଧର୍ମ ପାଳନ କରିଛି। ଯେଉଁ ଧର୍ମର ରକ୍ଷା ପାଇଁ ସମସ୍ତେ ମୋତେ ତ୍ୟାଗ କରି ଚାଲିଗଲେ, ସେଇ ଧର୍ମ ମୋତେ ତ୍ୟାଗ କରିବେ କେମିତି?
ରାଜାଙ୍କ ଯୁକ୍ତିର ମର୍ମ ବୁଝିଲେ ଧର୍ମ ଓ ତାଙ୍କୁ ଛାଡ଼ି ଯାଇପାରିଲେ ନାହିଁ। ପରେ ପରେ ରାତି ପାହିବା ପୂର୍ବରୁ ଫେରି ଆସିଲେ ଲକ୍ଷ୍ମୀ, ନାରାୟଣ ଆଦି ଯେତେ ସବୁ ଦେବଦେବୀ। କହିଲେ- ଧର୍ମ ଯେଉଁଠି ଆମେ ସମସ୍ତେ ବି ସେଇଠି। ଧର୍ମର ଜୟ ହେଲା। ଜୟ ହେଲା ରାଜଧର୍ମ ପାଳନ କରିଥିବା ରାଜାଙ୍କର। ସୁତରାଂ ଏଇ ଉପାଖ୍ୟାନର ଉପସଂହାରରେ ଏତିକି ଶିକ୍ଷା ମିଳିଲା ଯେ, ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ; ଉଭୟ ରାଜନେତାଙ୍କ ମଧ୍ୟରୁ ଯିଏ ଠିକ ଭାବେ ନିଜ ରାଜଧର୍ମ ପାଳନ କରିଥିବେ, ଅବଶେଷରେ ଜୟ ତାଙ୍କର ହିଁ ହେବ। ବାସ୍‌, ଅପେକ୍ଷା କେବଳ ରାତିର ଶେଷ ପ୍ରହରକୁ!
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri