Posted inଖେଳ

ଦ୍ୱିତୀୟ ଟି୨୦: ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟରେ ବିଜୟୀ

ଥିରୁଭାନନ୍ତପୁରମ,୯।୧୨(ପି.ଟି.)- ବୋଲର ଓ ଓପନର ଲେଣ୍ଡେଲ ସିମନ୍ସଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଓ୍ବେଷ୍ଟଇଣ୍ଡିଜ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତକୁ ୯ ଟି ବଲ ବାକି ରଖି ୮ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଟସ୍‌ ଜିତି ଭ୍ରମଣକାରୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୭ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ୧୮.୩ ଓଭରରେ ୨ ଉଇକେଟ ହରାଇ ୧୭୩ ରନ କରି ବିଜୟୀ ହୋଇଛି। ଏଥିସହିତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ସମାନ ସ୍ତରକୁ ଆସିଛି। ସିମନ୍ସ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୭୧ ରନ ଟାର୍ଗେଟର ପିଛା କରି ଓ୍ବେଷ୍ଟଇଣ୍ଡିଜ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ସିମନ୍ସ ଓ ଇଭିନ ଲୁଇସ୍‌ ୫୯ ବଲରୁ ୭୩ ରନ ସଂଗ୍ରହ କରିଥିଲେ। ଓ୍ବାଶିଂଟନ ସୁନ୍ଦର ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ୩ଟି ଲେଖାଏ ଚୌକା ଓ ଛକା ସହ ୩୫ ବଲରୁ ୪୦ ରନ କରିଥିବା ବେଳେ ଲୁଇସ୍‌ ସୁନ୍ଦରଙ୍କ ବଲ୍‌ରେ ଉଇକେଟକିପର ରିଷଭ ପନ୍ତଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇଥିଲେ। ଏହାପରେ ୩ ଛକା ସହ ୧୪ ବଲରୁ ୨୩ ରନ କରି ସିମରନ ହେଟମେର ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଲଙ୍ଗ୍‌ ଅନ୍‌ରେ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇଥିଲେ। ସିମନ୍ସ ୪୫ ବଲରୁ ୪ ଚୌକା ଓ ୪ ଛକା ସହ ୬୭ ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ୧୮ ବଲରୁ ୪ ଚୌକା ଓ ୨ ଛକା ସହ ୩୮ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ତୃତୀୟ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୨୯ ବଲରୁ ଦ୍ରୁତ ଅପରାଜିତ ୬୧ ରନ କରିଥିଲେ। ବୋଲିଂରେ ଭାରତ ପାଇଁ ସୁନ୍ଦର ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଏକଦା ଭଲ ସ୍ଥିତିରେ ଥିଲା ଓ ୨୦୦ ପାଖାପାଖି ରନ ସଂଗ୍ରହ କରିବା ଆଶା କାରାଯାଉଥିଲା। ତେବେ ଡେଥ୍‌ ଓଭରରେ ମାପ୍‌ଚୁପ୍‌ ବୋଲିଂ କରି ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ଏହି ସୁଯୋଗ ଦେଇ ନ ଥିଲେ। ବ୍ୟାକ ଅଫ୍‌ ଲେନ୍ଥ ସ୍ଲୋ ଏବଂ ଶର୍ଟ ବୋଲିଂ କରି ବୋଲରମାନ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଅନ୍ତିମ ୫ ଓଭରରେ ଭାରତ ମାତ୍ର ୩୮ ରନ ସଂଗ୍ରହ କରିଥିଲା। ଓ୍ବେଷ୍ଟଇଣ୍ଡିଜ ବୋଲର ୧୩ ଓ୍ବାଇଡ ଓ ୨ଟି ନୋ ବଲ ପକାଇଥିଲେ।
ଦୁଇ ତାରକା ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ଭାରତର ଆରମ୍ଭ ଭଲ ହୋଇ ନ ଥିଲା। ପ୍ରଥମ ମ୍ୟାଚ୍‌ରେ ୬୨ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ରାହୁଲ ୧୧ ରନ କରି ଖରି ପିଏରଙ୍କ ବଲ୍‌ରେ ଡିପ୍‌ ସ୍କୋୟାର ଲେଗ୍‌ରେ ସିମରନ ହେଟମେରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ୧୫ ରନ କରି ଇନିଂସକୁ ଆଗେଇ ନେଉଥିବା ବେଳେ ରୋହିତ ଲାଇନ୍‌ ମିସ୍‌ କରି ଜାସନ ହୋଲ୍ଡରଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ୩ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେ ଏହାର ଭରପୂର ଉପଯୋଗ କରିଥିଲେ। ସେ ପଡିଆର ସବୁଆଡକୁ ଶଟ୍‌ମାନ ଖେଳି ୩୦ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୪ ଛକା ସହ ୫୪ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ଇନିଂସକୁ ଆଗେଇ ନେଉଥିବା ବେଳେ ହେଡେନ ଓ୍ବାଲ୍ସଙ୍କ ବଲ୍‌ରେ ଶଟ୍‌ ଖେଳିବାକୁ ଯାଇ କଭରରେ ହେଟମେରଙ୍କୁ କ୍ୟାଚ୍‌ ଦେଇଥିଲେ। ସେ ଏଥିସହ କ୍ୟାରିୟରର ପ୍ରଥମ ଟି୨୦ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ୯୪ରନର ଦ୍ରୁତ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ଅଧିନାୟକ କୋହଲି ଫେଲ୍‌ ମାରିଥିଲେ। ୨ ଚୌକା ସହ ୧୭ ବଲରୁ ୧୯ ରନ କରିଥିବା ବେଳେ ସେ କେସରିକ ଓ୍ବିଲିୟମ୍ସଙ୍କ ବଲ୍‌କୁ କଟ୍‌ କରିବାକୁ ଯାଇଥିଲେ। ତେବେ ତାଙ୍କ ଟାଇମିଂ ଠିକ୍‌ ନ ଥିଲା। ଫଳରେ ଶଟ୍‌ ଥାର୍ଡମ୍ୟାନରେ ଲେଣ୍ଡେଲ ସିମନ୍ସଙ୍କୁ କ୍ୟାଚ୍‌ ଦେଇ କୋହଲି ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟରେ କୋହଲି ଓ ଶିବମ୍‌ ୪୧ ରନ କରିଥିଲେ। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୨୨ ବଲରୁ ୩ ଚୌକା ଓ ଗୋଟିଏ ଛକା ସହ ୩୩ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତେବେ ଅନ୍ୟମାନେ ବିଫଳ ହୋଇଥିଲେ। ଏହି କ୍ରମରେ ଶ୍ରେୟାସ ଆୟାର ୧୦, ଜାଡେଜା ୯ ରନ କରି ଆଉଟ ହୋଇଥିବା ବେଳେ ଓ୍ବାଶିଂଟନ ସୁନ୍ଦର ଖାତା ଖୋଲିପାରି ନ ଥିଲେ। ଦୀପକ ଚହର ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଓ୍ବାଲ୍ସ ଓ ଓ୍ବିଲିୟମ୍ସ ୨ଟି ଲେଖାଏ, ଶେଲଡନ କଟ୍ରେଲ, ପିଏର ଓ ହୋଲ୍ଡର ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୭୦/୭
(ଶିବମ ଦୁବେ- ୫୪, ରିଷଭ ପନ୍ତ- ୩୩*, ବିରାଟ କୋହଲି- ୧୯, ରୋହିତ ଶର୍ମା- ୧୫, ହେଡନ ଓ୍ବାଲ୍ସ- ୨/୨୮, କେସରିକ ଓ୍ବିଲିୟମ୍ସ- ୨/୩୦)।
ଓ୍ବେଷ୍ଟଇଣ୍ଡିଜ ୧୮.୩ ଓଭରରେ ୧୭୩/୨
(ଲେଣ୍ଡେଲ ସିମନ୍ସ- ୬୭*, ଇଭିନ ଲୁଇସ୍‌- ୪୦, ନିକୋଲାସ ପୁରାନ- ୩୮*, ଓ୍ବାଶିଂଟନ ସୁନ୍ଦର- ୧/୨୬, ରବୀନ୍ଦ୍ର ଜାଡେଜା- ୧/୨୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri