ଦୃଢ଼ ଇଚ୍ଛାଶକ୍ତି ଲୋଡ଼ା

ପ୍ରେମାନନ୍ଦ ନାୟକ
ଦେଶ ସ୍ବାଧୀନତା ପାଇବାର ୭୨ ବର୍ଷ ବିତିଗଲାଣି। ଏହି ସମୟ ଭିତରେ ରାଜ୍ୟରେ ଅନେକ ସରକାର ଗଲେଣି। କିନ୍ତୁ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଓଡ଼ିଆଙ୍କର ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ବଢ଼ି ବଢି ଚାଲିଛି। ସରକାର ଲୋକଙ୍କୁ ଏକ ଟଙ୍କା ମୂଲ୍ୟରେ ଚାଉଳ ଯୋଗାଇ ଦେଉଛନ୍ତି। କିନ୍ତୁ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ଯଥା- ଆଳୁ, ପିଆଜ, କଦଳୀ, ଅଣ୍ଡା, ମାଛ, ଡାଲି, ତେଲ ଇତ୍ୟାଦି ଆମକୁ ଅନ୍ୟ ରାଜ୍ୟରୁ ଆମଦାନି କରିବାକୁ ପଡୁଛି। ଓଡ଼ିଶାର ମାଟି, ପାଣି, ପବନ ଏବଂ ଲୋକଶକ୍ତି କୌଣସିଟି ସମ୍ପୃକ୍ତ ରାଜ୍ୟଗୁଡ଼ିକଠାରୁ ପୃଥକ୍‌ କି ନିକୃଷ୍ଟ ନୁହେଁ। ସେହିସବୁ ସାମଗ୍ରୀ ଓଡ଼ିଶାରେ ଉପତ୍ାଦନ କରି ଓ ଉପଯୁକ୍ତ ପ୍ରଣାଳୀରେ ଗଚ୍ଛିତ ରଖି ତିରୋଟ ସମୟରେ ବଜାରକୁ ଛାଡି ଲାଭବାନ ହେବା ପାଇଁ ଆମକୁ କେହି ବାରଣ କରିନାହିଁ। ୨୦୧୫ରେ ଆମ ସରକାର ଆଳୁ, ପିଆଜ ମିଶନ ସୃଷ୍ଟି କଲେ। ଅଧିକ ଜମିରେ ଆଳୁ, ପିଆଜ ଚାଷ ଓ ଅଧିକ ଶୀତଳଭଣ୍ଡାର ନିର୍ମାଣ ପାଇଁ ଯୋଜନା କଲେ। କିନ୍ତୁ ପାଞ୍ଚବର୍ଷ ବିତିଗଲେ ମଧ୍ୟ ତାହା କେବଳ କାଗଜପତ୍ରରେ ସୀମିତ ରହିଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଆଳୁର ବାର୍ଷିକ ଚାହିଦା ୧୦ରୁ ୧୨ଲକ୍ଷ ଟନ୍‌। ହେଲେ ଉପତ୍ାଦିତ ହେଉଛି ମାତ୍ର ୩.୫ ଲକ୍ଷ ଟନ୍‌। ଆଳୁ ମିଶନ ଗଠନ ପୂର୍ବରୁ ରାଜ୍ୟରେ ୧୫,୮୦୫ ହେକ୍ଟର ଜମିରେ ୨.୬୮ ଲକ୍ଷ ଟନ୍‌ ଆଳୁ ଉପତ୍ାଦନ ହେଉଥିଲା। ଆଳୁ ମିଶନ ଗଠନ ପରେ ଆଳୁ ଚାଷ ଜମିର ପରିମାଣ ୨୫,୧୮୩ ହେକ୍ଟରକୁ ବୃଦ୍ଧି କରାଗଲା। ବିଗତ ବର୍ଷରେ ୨୫ ହଜାର ହେକ୍ଟର ଜମିରେ ଆଳୁଚାଷ ହେବା ଫଳରେ ଉପତ୍ାଦନ ପ୍ରାୟ ୩.୫ଲକ୍ଷ ଟନ୍‌ରେ ପହଞ୍ଚିଛି। ମାତ୍ର ଏହା ଚାହିଦା ତୁଳନାରେ ଯଥେଷ୍ଟ ନୁହେଁ।
ସେହିପରି ରାଜ୍ୟରେ ୩.୫୩ ଲକ୍ଷ ଟନ୍‌ ପିଆଜର ଆବଶ୍ୟକତା ଥିବାବେଳେ ଉଦ୍ୟାନକୃଷି ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ୩୩,୧୫୪ ହେକ୍ଟର ଜମିରେ ପିଆଜ ଚାଷ ହୋଇ ଅମଳ ହୋଇଥିଲା ୩.୭୩ଲକ୍ଷ ଟନ୍‌। କିନ୍ତୁ ସଂରକ୍ଷଣ ସୁବିଧା ଅଭାବରୁ ଅମଳ ସମୟରେ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ସ୍ବଳ୍ପ ମୂଲ୍ୟରେ ପିଆଜକୁ ରାଜ୍ୟ ବାହାର ବେପାରୀଙ୍କୁ ବିକିଥାଏ ଏବଂ କିଛି ମାସ ପରେ ବହୁ ଅଧିକ ମୂଲ୍ୟରେ ସେମାନଙ୍କଠାରୁ ତାହା କିଣିବାକୁ ବାଧ୍ୟ ହୋଇଥାଏ। ଏପରି କି ଅମଳ ସମୟରେ ଚାଷୀଙ୍କୁ ଉପତ୍ାଦନ ଖର୍ଚ୍ଚ ମଧ୍ୟ ମିଳୁନାହିଁ। ଥରେ କ୍ଷତି ସହିବା ପରେ ଆଉ ଆଳୁ ବା ପିଆଜ ଚାଷ ପ୍ରତି ଚାଷୀଙ୍କର ଆଗ୍ରହ ରହୁନାହିଁ। ରାଜ୍ୟ ରାଜସ୍ବରୁ କୋଟି କୋଟି ଟଙ୍କା ଦାନଖଇରାତରେ ଯାଉଛି କେବଳ ଲୋକପ୍ରିୟତା ଓ ଭୋଟ ହାସଲ ଉଦ୍ଦେଶ୍ୟରେ। ସେଥିରୁ ବେଶିଭାଗ ଜାଲିଆତି ମାଧ୍ୟମରେ ଓ ଅଣହିତାଧିକାରୀଙ୍କ ଖାତାକୁ ଯାଉଛି ବୋଲି ଜଣାପଡ଼ିଲାଣି। କିନ୍ତୁ ସରକାର ପିଆଜ ଉପତ୍ାଦିତ ହେଉଥିବା ଅଞ୍ଚଳରେ ସଂରକ୍ଷଣ ପାଇଁ ଭଣ୍ଡାର ନିର୍ମାଣ କରିପାରୁ ନାହାନ୍ତି। ରାଜ୍ୟରେ ଉପତ୍ାଦିତ ପିଆଜର ଠିକ୍‌ ପରିଚାଳନା ହୋଇପାରିଲେ ତାହା ଚାହିଦା ମେଣ୍ଟାଇବାକୁ ସମର୍ଥ ହେବ। ତାହାଛଡା ଓଡ଼ିଶାରେ ଉପତ୍ାଦିତ ସମସ୍ତ ପିଆଜ ରବି ଋତୁରେ ଚାଷ ହୋଇଥାଏ। ଖରିଫ ପିଆଜ ଚାଷ ପ୍ରତି ଗୁରୁତ୍ୱ ଦେଲେ ତାହା ତିରୋଟ ସମୟରେ ରାଜ୍ୟରେ ପିଆଜ ଉପଲବ୍‌ଧତାକୁ ବଢ଼ାଇ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତାକୁ କମାଇପାରିବ।
ରାଜ୍ୟରେ ୨୦୦୦ ମସିହା ପୂର୍ବରୁ ୧୨୦ ଶୀତଳ ଭଣ୍ଡାର ଥିଲା, ସେଥିରୁ ମାତ୍ର ୧୦ରୁ ୧୨ଟି କାର୍ଯ୍ୟକ୍ଷମ ଅଛି। ୨୦୧୫ରେ ସରକାର ଆଳୁ ମିଶନ ଆରମ୍ଭକରି ଅଧିକ ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ। ଲକ୍ଷ୍ୟ ଥିଲା ରାଜ୍ୟରେ ଉପତ୍ାଦିତ ଆଳୁକୁ ଶୀତଳଭଣ୍ଡାରରେ ସଂରକ୍ଷିତ ରଖିବା। ସେଥିପାଇଁ ୨୦୧୫ ରୁ ୨୦୧୮ ମଧ୍ୟରେ ୧୧୨ଟି ଶୀତଳଭଣ୍ଡାର ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମାତ୍ର ୨୬ଟି କାର୍ଯ୍ୟକ୍ଷମ ହୋଇଛି, ଯାହାର ସଂରକ୍ଷଣ କ୍ଷମତା ୧.୫ ଲକ୍ଷ ମେଟ୍ରିକ୍‌ ଟନ୍‌। ଆଳୁ ମିଶନ ବିଫଳ ହେବା ପରେ ଏହି ଶୀତଳଭଣ୍ଡାରଗୁଡ଼ିକ ପ୍ରାୟ ଖାଲି ପଡିଛି। କୋଟି କୋଟି ଟଙ୍କା ଋଣ କରି ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିବା ଉଦ୍ୟୋଗୀମାନେ ଏକପ୍ରକାର ହତାଶ ହୋଇପଡ଼ିଛନ୍ତି। ଅନ୍ୟାନ୍ୟ ପରିବା ଯଥେଷ୍ଟ ପରିମାଣରେ ଉପତ୍ାଦିତ ହେଉ ନ ଥିବାରୁ ଶୀତଳ ଭଣ୍ଡାରର ଆବଶ୍ୟକତା ପଡୁନାହିଁ। ଏହି ସମସ୍ୟାର ସମାଧାନ ଲାଗି ସେମାନେ ଗତ ଦୁଇବର୍ଷ ଧରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଅବଶ୍ୟ ଶୀତଳ ଭଣ୍ଡାରଗୁଡିକର ବିଦ୍ୟୁତ୍‌ ଶୁଳ୍କରେ ରିହାତି ପାଇଁ ସରକାର ଏବେ ୧କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
ଅତୀତରେ ଆମର ଜଣେ କୃଷିମନ୍ତ୍ରୀ କହିଥିଲେ, ଆଳୁ, ପିଆଜ ନ ଖାଇଲେ କେହି ମରିଯିବେ ନାହିଁ। ଏହା ସତ ଯେ ଓଡ଼ିଶାର ନେତାମାନଙ୍କଠାରେ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି। ସରକାରୀ କର୍ମଚାରୀମାନେ ଗତାନୁଗତିକ ଭାବେ ଉଦାସୀନ ଏବଂ ସାଧାରଣ ଜନତା ଶ୍ରମବିମୁଖ। ଏହା ଏକ ଚିରନ୍ତନ ସତ୍ୟ ଯେ ଓଡ଼ିଶାରେ ସବୁ କିଛି ସମ୍ଭବ, କେବଳ ଅଭାବ ରହିଛି ଓଡ଼ିଆଙ୍କ ଉଦ୍ୟମର ଓ ଆମ ରାଜନେତାମାନଙ୍କ ମାନସିକତାର। ଓଡ଼ିଆରେ ଆପ୍ତବାକ୍ୟଟିଏ ଅଛି, ‘ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ।’ ଆହୁରି ମଧ୍ୟ କୁହାଯାଇଛି, ଦୃଢ଼ ଇଚ୍ଛାଶକ୍ତି ଆଗରେ ବିଫଳତା ବି ହାର୍‌ ମାନେ। ତେଣୁ ରାଜନେତା, କର୍ମଚାରୀ ଓ ଜନସାଧାରଣ ସମସ୍ତଙ୍କଠାରେ ସେହି ଦୃଢ଼ ଇଚ୍ଛାଶକ୍ତି ପ୍ରଥମେ ଜାଗ୍ରତ ହେବା ଉଚିତ। ଓଡ଼ିଶାର ରାଜନେତାମାନେ ଦିଗ୍‌ଦର୍ଶନ ଦିଅନ୍ତୁ। ସରକାର, ସ୍ବଚ୍ଛଳ ପରିବା ବ୍ୟବସାୟୀ ଓ ପୁଞ୍ଜିପତି ଆଗଭର ହୁଅନ୍ତୁ। ବ୍ୟାଙ୍କଗୁଡ଼ିକ ଋଣ ସହାୟତା ଦିଅନ୍ତୁ। ଓଡ଼ିଶାର ପିଆଜ ଉପତ୍ାଦିତ ହେଉଥିବା ଅଞ୍ଚଳରେ ଶୀତଳଭଣ୍ଡାର ନିର୍ମାଣ କରି ଅମଳ ସମୟରେ ପିଆଜକୁ ସେହି ଭଣ୍ଡାରଗୁଡ଼ିକରେ ମହଜୁଦ ରଖାଯାଇ ଅଣ-ଉପତ୍ାଦନ ଋତୁରେ ବିକ୍ରି କରାଯାଉ। ଏହି ପ୍ରଣାଳୀରେ ପିଆଜ ଚାଷରେ ନିଶ୍ଚୟ ଲାଭ ହେବ ଏବଂ ପିଆଜ ଚାଷୀ ଉପକୃତ ହେବେ। ପ୍ରତିବର୍ଷ କିଛିକିଛି ଅଧିକ ଜମି ଆଳୁ ଚାଷ ପାଇଁ ବ୍ୟବହୃତ ହେଲେ କ୍ରମେ ଅଧିକ ଆଳୁ ଉପତ୍ାଦନ ସମ୍ଭବ ହେବ। ଅମଳ ସମୟରେ ଆଳୁକୁ ଶୀତଳଭଣ୍ଡାରରେ ସାଇତି ରଖି ଅନ୍ୟ ସମୟରେ ବଜାରକୁ ଛଡ଼ାଯିବାର ବ୍ୟବସ୍ଥା କରାଯାଉ। ସେହି ଉପାୟରେ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟସାମଗ୍ରୀ ଆମ ରାଜ୍ୟର ସ୍ବର୍ଣ୍ଣଗର୍ଭା ମାଟିରେ ଉପତ୍ାଦିତ ହୋଇପାରିବ। ସେଥିପାଇଁ କୃଷିମନ୍ତ୍ରୀଙ୍କଠାରୁ ବ୍ଲକ୍‌ସ୍ତରୀୟ କୃଷି କର୍ମଚାରୀଙ୍କ ପର୍ଯ୍ୟନ୍ତ ସଭିଏଁ ଓଡ଼ିଶାରେ କୃଷିର ବିକାଶ ଲାଗି ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କଲେ ଅଚିରେ ଲକ୍ଷ୍ୟ ପୂରଣ ଦିଗରେ ତାହା ସହାୟକ ହେବ। ଓଡ଼ିଶାର ଚାଷୀ ତାହାର ଉଦ୍‌ବୃତ୍ତ ଫସଲକୁ ବାହାର ରାଜ୍ୟକୁ ରପ୍ତାନି କରି ଯଥେଷ୍ଟ ଲାଭବାନ୍‌ ମଧ୍ୟ ହୋଇପାରିବ।
ଶହୀଦ ନଗର, ଭୁବନେଶ୍ୱର, ମୋ- ୯୪୩୭୩୮୨୧୦୦


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?