ପାଇପ୍‌ ପାଣିର ସ୍ବପ୍ନ ଓ ବଜେଟ ବ୍ୟବସ୍ଥା

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ
ସରକାରଙ୍କ ବଜେଟ କେବଳ ଆୟବ୍ୟୟର ଚିଠା ମାତ୍ର ହୋଇଥିଲେ ଅର୍ଥମନ୍ତ୍ରୀମାନେ ଥକିପଡୁଥିଲେ ମଧ୍ୟ ଘଣ୍ଟାଘଣ୍ଟା ଧରି ବଜେଟ ଅଭିଭାଷଣ ଦେଉ ନ ଥାନ୍ତେ କି ଲୋକେ ତାହାକୁ ଶୁଣିବା ପାଇଁ କାନଡେରି ରହୁ ନ ଥାନ୍ତେ। ଘରଟେ ଚଳେଇବା ବେଳକୁ ଯେମିତି ମାସ ବା ବର୍ଷ ଆରମ୍ଭରୁ ଯୋଜନା କରିବାକୁ ପଡ଼ିଥାଏ ସେମିତି ରାଜ୍ୟ କିମ୍ବା ଦେଶ ଚଳାଇବା ପାଇଁ ଆମ ସରକାର ବଜେଟ ପ୍ରସ୍ତୁତ କରିଥାନ୍ତି। ନିଜ ବଜେଟରୁ ଯେମିତି ପରିବାରର ସ୍ଥିତି ଓ ଭବିଷ୍ୟତ ଚିନ୍ତା ଜଣାପଡ଼ିଯାଏ, ସେମିତି ସରକାରଙ୍କ ବଜେଟରୁ ଦେଶ ବା ରାଜ୍ୟର ବର୍ତ୍ତମାନର ଆର୍ଥିକ ସ୍ଥିତି ତଥା ଉପଲବ୍ଧ ସମ୍ବଳର ବିନିଯୋଗ କରି ସରକାର କେମିତି ଦେଶ ବା ରାଜ୍ୟକୁ ଆଗକୁ ନେବାକୁ ଚାହୁଁଛନ୍ତି ତାହାର ସୂଚନା ମିଳିଥାଏ। ବଜେଟ ଅଭିଭାଷଣରେ ସରକାର କ’ଣ କହୁଛନ୍ତି ଓ ବଜେଟରେ ଥିବା ବ୍ୟୟବରାଦରୁ ଭବିଷ୍ୟତ ପାଇଁ ସରକାର ଯେଉଁ ମାର୍ଗ ଆପଣାଇଛନ୍ତି ତା’ର ଏକ ରୂପରେଖ ମିଳିଥାଏ। ସରକାରଙ୍କ ବଜେଟର ସିଧା ପ୍ରଭାବ ଲୋକଙ୍କ ଉପରେ ଅନେକ ଭାବରେ ପଡ଼ିଥାଏ। ଆଜିର ଆଲେଖ୍ୟରେ ଆମେ କେବଳ ଗ୍ରାମ୍ୟ ପାନୀୟ ଜଳ ବିଷୟରେ ବଜେଟ ଅନୁଚିନ୍ତା ଓ ବ୍ୟୟବରାଦ କ’ଣ କହୁଛି ତାହା ଦେଖିବା। ବଞ୍ଚି ରହିବା ପାଇଁ ପାନୀୟ ଜଳ ନିହାତି ଆବଶ୍ୟକ ହୋଇଥିବା ବେଳେ ଏହାର ମାତ୍ରା ଓ ମାନ କେମିତି ରହିଛି ଏବଂ ଏହାକୁ ଲୋକେ କେମିତି ପାଇପାରୁଛନ୍ତି, ତହିଁରୁ ଆର୍ଥିକ ଓ ସାମାଜିକ ସ୍ଥିତି ଏବଂ ଗତି ଠଉରାଯାଇପାରେ।
ସମ୍ବିଧାନର ଧାରା ୨୧ ଅନୁସାରେ ଲୋକଙ୍କୁ ସ୍ବଚ୍ଛ ଓ ସୁରକ୍ଷିତ ପାଣି ଯୋଗାଇବା ହେଉଛି ସରକାରଙ୍କ ମୌଳିକ ଦାୟିତ୍ୱ। ସେହିଭଳି ସମ୍ବିଧାନର ଧାରା ୪୭ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ନାଗରିକର ଜୀବନଧାରଣର ମାନକୁ ଉନ୍ନତ କରିଚାଲିବା ହେଉଛି ସରକାରଙ୍କ କର୍ତ୍ତବ୍ୟ। ସୁଖର କଥା ଯେ ଉଭୟ ଦେଶ ଓ ରାଜ୍ୟ ବଜେଟରେ ନାଗରିକଙ୍କୁ ଉନ୍ନତ ମାନର ସେବା ମାଧ୍ୟମରେ ସ୍ବଚ୍ଛ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଜାହିର ହୋଇଛି। ୨୦୧୯ର ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ‘ଜଳ ଜୀବନ ମିଶନ’ର ଘୋଷଣା କରି କହିଥିଲେ, ୨୦୨୪ ମସିହା ସୁଦ୍ଧା ଦେଶର ଗ୍ରାମାଞ୍ଚଳର ସମସ୍ତ ଘରକୁ କାର୍ଯ୍ୟକ୍ଷମ ପାଇପ୍‌ ଯୋଗେ ଜଣପ୍ରତି ଦୈନିକ ଅନୂ୍ୟନ ୫୫ ଲିଟର ଲେଖାଏ ସ୍ବଚ୍ଛ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଇ ଦିଆଯିବ। ଏହା ଏକ ସାମାନ୍ୟ ଲକ୍ଷ୍ୟ ନୁହେଁ। ସରକାରଙ୍କ ଆକଳନ ଅନୁସାରେ ଦେଶର ୧୭ କୋଟି ୮୭ ଲକ୍ଷ ଗ୍ରାମ୍ୟ ପରିବାର ମଧ୍ୟରୁ ମାତ୍ର ୧୮% ଘରେ ହିଁ ଟ୍ୟାପ୍‌ ମାଧ୍ୟମରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା ହୋଇପାରିଛି। ମିଶନର ଲକ୍ଷ୍ୟ ହାସଲ କରିବାକୁ ହେଲେ ମାତ୍ର ପାଞ୍ଚ ବର୍ଷରେ ଭାରତର ଗ୍ରାମାଞ୍ଚଳରେ ରହୁଥିବା ୧୪ କୋଟି ୬୦ଲକ୍ଷ ପରିବାର ପାଖରେ ପାଇପ୍‌ ଯୋଗେ ପାଣି ପହଞ୍ଚାଇବାକୁ ହେବ।
ଭାରତ ସରକାର ଆକଳନ କରିଛନ୍ତି ଯେ, ଏଥିପାଇଁ ୩ ଲକ୍ଷ ୬୦ ହଜାର କୋଟି ଟଙ୍କା ଆବଶ୍ୟକ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ବ୍ୟୟଭାର ସମାନ ଭାବରେ ବହନ କରିବେ। ହିମାଳୟ ପାର୍ବତ୍ୟ ରାଜ୍ୟଗୁଡ଼ିକରେ ବ୍ୟୟର ସିଂହଭାଗ କେନ୍ଦ୍ର ସରକାର ବହନ କରିବେ। ଭାରତ ସରକାରଙ୍କ ପ୍ରାଥମିକ ଆକଳନ ଅନୁସାରେ ଏହି ମିଶନ ପାଇଁ କେନ୍ଦ୍ର ସରକାରଙ୍କ ବ୍ୟୟଭାର ହେବ ୨.୦୮ ଲକ୍ଷ କୋଟି ଟଙ୍କା। ଅନ୍ୟଭାବରେ କହିଲେ, କେନ୍ଦ୍ର ସରକାରଙ୍କୁ ଆସନ୍ତା ପାଞ୍ଚବର୍ଷ ପାଇଁ ପ୍ରତିବର୍ଷ ହାରାହାରି ପ୍ରାୟ ୪୨,୦୦୦ କୋଟି ଟଙ୍କା ଲେଖାଏଁ ବ୍ୟୟ କରିବାକୁ ହେବ। ଚଳିତବର୍ଷର ବଜେଟ ଉପସ୍ଥାପନ କଲାବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ମିଶନକୁ ଖୁବ୍‌ ଗୁରୁତ୍ୱ ଦେଇ କହିଥିଲେ ଯେ, ଏହା ହେଉଛି ସରକାରଙ୍କ ନୂତନ ପ୍ରମୁଖ ଲକ୍ଷ୍ୟ। ତେବେ ସରକାରଙ୍କ ଘୋଷିତ ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକ ଥିବା ଅର୍ଥ ସହ ଚଳିତ ବଜେଟରେ ହୋଇଥିବା ଅର୍ଥବ୍ୟବସ୍ଥାକୁ ଯୋଡ଼ି ଦେଖିଲେ ଚିତ୍ରଟି ଭିନ୍ନ ପ୍ରକାର ମନେହୁଏ। ସମସ୍ତ ଘରେ କାର୍ଯ୍ୟକ୍ଷମ ପାଇପ୍‌ ଯୋଗେ ସ୍ବଚ୍ଛ ପାଣି ଯୋଗାଇବା ପାଇଁ ବାର୍ଷିକ ହାରାହାରି ୪୨,୦୦୦ କୋଟି ଟଙ୍କା ଆବଶ୍ୟକ ଥିବାବେଳେ ୨୦୨୦-୨୧ ବର୍ଷ ପାଇଁ ବଜେଟରେ କେନ୍ଦ୍ର ସରକାର ମାତ୍ର ୧୧,୫୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ଏହା ଆବଶ୍ୟକତାର ଚାରି ଭାଗରୁ ଭାଗେ କହିଲେ ଅତ୍ୟୁକ୍ତି ହେବନାହିଁ। ସ୍ବପ୍ନ ଦେଖିଛେ, କିନ୍ତୁ ସ୍ବପ୍ନକୁ ଫଳବତୀ କରିବା ପାଇଁ ଯେଉଁ ପ୍ରଯତ୍ନ ଲୋଡ଼ା, ତା’ର ପ୍ରଥମ ପାହାଚରେ ହିଁ ଆମେ ଝୁଣ୍ଟିଛୁ।
ଦେଖିଥିବା ସ୍ବପ୍ନ ସହ କେନ୍ଦ୍ର ସରକାରଙ୍କ ବଜେଟରେ ବ୍ୟୟବରାଦ ମେଳ ଖାଉ ନ ଥିବା ବେଳେ ଓଡ଼ିଶା ସରକାରଙ୍କ ବଜେଟ କିନ୍ତୁ ସ୍ବପ୍ନକୁ ହାସଲ କରିବା ଦିଗରେ ଅଧିକ ଦାୟିତ୍ୱବାନ୍‌ ପ୍ରତୀତ ହୁଏ। ଜଳ ଜୀବନ ମିଶନ ଯେହେତୁ ସାରା ଦେଶ ପାଇଁ, ଓଡ଼ିଶାକୁ ମଧ୍ୟ ସେହି ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ। ରାଜ୍ୟ ସରକାର ଆଉ ପାଦେ ଆଗେଇଯାଇ ବଜେଟ ଅଭିଭାଷଣରେ କହିଛନ୍ତି ଯେ, ୨୦୨୦-୨୧ ଆର୍ଥିକ ବର୍ଷରେ ହିଁ ଗ୍ରାମାଞ୍ଚଳର ୬୦% ଅଧିବାସୀଙ୍କୁ ପାଇପ ପାଣି ଯୋଗାଇଦେବାର ଲକ୍ଷ୍ୟ ରହିଛି। ଘରେ ଟ୍ୟାପ୍‌ ମାଧ୍ୟମରେ ପାନୀୟ ଜଳଯୋଗାଣ ମାମଲାରେ ଓଡ଼ିଶା ସବୁଠାରୁ ଦୟନୀୟ ସ୍ଥିତିରେ ଥିବା ରାଜ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ। ରାଜ୍ୟର ଗ୍ରାମାଞ୍ଚଳରେ ରହୁଥିବା ପ୍ରତି ୧୦୦ ପରିବାର ମଧ୍ୟରୁ ମାତ୍ର ଚାରିଟି ପରିବାର ପାଖରେ ହିଁ ଘରୋଇ ପାନୀୟ ଜଳ ଯୋଗାଣର ସଂଯୋଗ ଅଛି। ଓଡ଼ିଶାର ୭୮ ଲକ୍ଷରୁ ଅଧିକ ଗ୍ରାମ୍ୟ ପରିବାର ପାଖରେ ଟ୍ୟାପ୍‌ ସଂଯୋଗ ନାହିଁ। ସାରା ଦେଶ ପାଇଁ ହୋଇଥିବା ୩.୬ ଲକ୍ଷ କୋଟି ଟଙ୍କା ଆବଶ୍ୟକତାର ଅଟକଳକୁ ମାନକ ଭାବରେ ନେଇ ଏକ ସାଧାରଣ ହିସାବ କଲେ ଓଡ଼ିଶାର ପ୍ରତି ଗ୍ରାମ୍ୟ ଘରେ ଟ୍ୟାପ୍‌ ମାଧ୍ୟମରେ ପାନୀୟ ଜଳ ପହଞ୍ଚାଇବା ପାଇଁ ପ୍ରାୟ ୨୦,୦୦୦ କୋଟି ଟଙ୍କା ଆବଶ୍ୟକ ହେବ। ପାଞ୍ଚ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ବାର୍ଷିକ ହାରାହାରି ୪,୦୦୦ କୋଟି ଟଙ୍କା ଦରକାର ହେବ। ଏହି ହିସାବରେ ଦେଖିଲେ ଓଡ଼ିଶା ସରକାର ଆବଶ୍ୟକତା ଅନୁସାରେ ବଜେଟରେ ଅର୍ଥ ବ୍ୟବସ୍ଥା କରିବାରେ କାର୍ପଣ୍ୟ କରିନାହାନ୍ତି। ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳଯୋଗାଣ ଯୋଜନା ବା ବସୁଧା ଯୋଜନାରେ ଗ୍ରାମାଞ୍ଚଳ ଜଳଯୋଗାଣ ପାଇଁ ୩,୨୫୦ କୋଟି ଟଙ୍କା ବରାଦ କରିଛନ୍ତି। ତା’ସହିତ ଜଳ ଜୀବନ ମିଶନ ପାଇଁ ୨,୦୦୦ କୋଟି ଟଙ୍କା, ଓଡ଼ିଶା ଖଣିଜ ସମ୍ପଦପୂର୍ଣ୍ଣ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରୁ ଆଠଟି ଖଣିଜ ପରିପୂର୍ଣ୍ଣ ଜିଲାରେ ପାଇପ୍‌ ଯୋଗେ ଜଳଯୋଗାଣ ବ୍ୟବସ୍ଥା ପାଇଁ ୯୯୧ କୋଟି ଟଙ୍କା ଏବଂ ଜିଲା ଖଣିଜ ପାଣ୍ଠିରୁ ୧,୫୩୮ କୋଟି ଟଙ୍କା ଖର୍ଚ୍ଚ କରିବାର ବରାଦ ରଖିଛନ୍ତି। ଏହା ଅତି ଉତ୍ସାହଜନକ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାନୀୟ ଜଳ ଯୋଗାଣର ମାନକୁ ଉନ୍ନତ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି ଓ ବଜେଟ ଅଭିଭାଷଣରେ ତାହାକୁ ନେଇ ଖୁବ୍‌ ଦମ୍ଭ ଦେଖାଇଛନ୍ତି। କିନ୍ତୁ ବଜେଟରେ କରିଥିବା ଅର୍ଥ ବ୍ୟବସ୍ଥାକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ ଯେ ସମସ୍ତଙ୍କୁ ପାଇପ୍‌ ମାଧ୍ୟମରେ ଉନ୍ନତ ପାନୀୟ ଜଳ ଯୋଗାଇବା ପାଇଁ ସରକାର କରିଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାରଙ୍କ ବଜେଟ ଅଧିକ ବାସ୍ତବମୁଖୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri