ଜମ୍ମୁ-କଶ୍ମୀରର ବିକାଶ ଚିତ୍ର

ଡ. ସନ୍ତୋଷ କୁମାର ମହାପାତ୍ର
କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ନିଷ୍ପତ୍ତି ସପକ୍ଷରେ ଅନେକ ଯୁକ୍ତି ମଧ୍ୟରୁ ଏକ ପ୍ରମୁଖ ଯୁକ୍ତି ହେଉଛି ଧାରା ୩୭୦ ଓ ୩୫(ଏ) ଯୋଗୁ ଏହାର ବିକାଶ ହୋଇପାରିନି। ଏହାର ଅର୍ଥ ଜମ୍ମୁ-କଶ୍ମୀର ଅନ୍ୟ ସବୁ ରାଜ୍ୟ ତୁଳନାରେ ନିଶ୍ଚୟ ପଛୁଆ ଥିବ। କିନ୍ତୁ ବାସ୍ତବରେ ସ୍ଥିତି ଓଲଟା। ଜମ୍ମୁ-କଶ୍ମୀର ଅନେକ କ୍ଷେତ୍ରରେ ଦେଶରେ ଆଗୁଆ ଅଛି। ଏପରିକି ନରେନ୍ଦ୍ର ମୋଦିଙ୍କ ଗୁଜରାଟଠାରୁ ମଧ୍ୟ ଆଗରେ ଅଛି।
ଜମ୍ମୁ-କଶ୍ମୀରର ଆର୍ଥିକ ସ୍ଥିତି ଜାଣିବା ପାଇଁ ବିଭିନ୍ନ ସୂଚକାଙ୍କରେ ଏହାର ସ୍ଥିତିକୁ ଅନ୍ୟ ରାଜ୍ୟ ସହିତ ତୁଳନା କରି ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବାକୁ ଉଚିତ ମନେକଲୁ। ବିକାଶ ବା ଉନ୍ନତିର ଏକ ପ୍ରମୁଖ ସୂଚକାଙ୍କ ହେଉଛି ଦାରିଦ୍ର୍ୟ ହାର। ୨୦୧୧-୧୨ ପରେ ଆଉ ଦାରିଦ୍ର୍ୟ ହାର ଆକଳନ କରାଯାଇ ନାହିଁ। ସେହି ତଥ୍ୟ ଅନୁସାରେ ଜମ୍ମୁ-କଶ୍ମୀରରେ ଦାରିଦ୍ର୍ୟ ହାର ମାତ୍ର ୧୦.୩୫%। ଏହା ଜାତୀୟ ହାର (୨୧.୯୨%)ଠାରୁ ବହୁତ କମ୍‌। ଗୁଜରାଟ ୧୬.୬୩%, ଓଡ଼ିଶା (୩୨.୫୯%), ବିହାର (୩୩.୭୪%) ଉତ୍ତରପ୍ରଦେଶ (୨୯.୪୩%)ର ଦାରିଦ୍ର୍ୟ ହାର ଜମ୍ମୁ-କଶ୍ମୀରଠାରୁ ଅଧିକ। ଦାରିଦ୍ର୍ୟ ହାର ଦୃଷ୍ଟିରୁ କେରଳରେ ଏହା ମାତ୍ର (୭.୦୫%)। କେବଳ ୨୮ଟି ରାଜ୍ୟ ମଧ୍ୟରୁ ୨୧ଟି ରାଜ୍ୟର ଦାରିଦ୍ର୍ୟ ହାର ଜମ୍ମୁ-କଶ୍ମୀରଠାରୁ ଅଧିକ। ପୁନଶ୍ଚ ୨୦୧୩ ରଘୁରାମ ରାଜନଙ୍କ ଅଧ୍ୟକ୍ଷତାରେ ୧୦ଟି ସୂଚକାଙ୍କ ଯଥା ଶିକ୍ଷା, ସ୍ବାସ୍ଥ୍ୟ, ପାରିବାରିକ ସୁବିଧା, ଦାରିଦ୍ର୍ୟ, ମହିଳା ସାକ୍ଷରତା ହାର, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ମୁଣ୍ଡପିଛା ଆୟ ଆଦିକୁ ନେଇ ଗଠିତ କମିଟି ରାଜ୍ୟମାନଙ୍କୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରିଥିଲେ। ପ୍ରଥମଟି ହେଉଛି ସର୍ବାଧିକ କମ୍‌ ବିକାଶ ବା ପଛୁଆ ରାଜ୍ୟ। ତାଙ୍କ ରିପୋର୍ଟ ଅନୁଯାୟୀ ୧୦ଟି ରାଜ୍ୟ ପଛୁଆ, ଯେଉଁଥିରେ ଜମ୍ମୁ-କଶ୍ମୀର ନାହିଁ। କିନ୍ତୁ ଓଡ଼ିଶା ୧ ନମ୍ବର ପଛୁଆ ରାଜ୍ୟ ହୋଇଥିଲା ବେଳେ ବିହାର ୨ ନମ୍ବରରେ ରହିଛି। କିନ୍ତୁ ସର୍ବାଧିକ ବିକାଶ ବା ତୁଳନାତ୍ମକ ଭାବେ ଅଧିକ ବିକାଶ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ଗୋଆ ୧ ନମ୍ବରରେ ଥିଲାବେଳେ କେରଳ ୨ ନମ୍ବର ସ୍ଥାନରେ ରହିଛି। ବିକାଶ ଦୃଷ୍ଟିରୁ ୧୪ଟି ରାଜ୍ୟ ଜମ୍ମୁ-କଶ୍ମୀର ପଛରେ ଅଛନ୍ତି।
ବିକାଶର ଏକ ମୁଖ୍ୟ ମାନଦଣ୍ଡ ହେଉଛି ମାନବିକ ଉନ୍ନୟନ ସୂଚକାଙ୍କ ଯାହା ହାରାହାରି ଆୟୁ, ଶିକ୍ଷା ଓ ମୁଣ୍ଡପିଛା ଆୟକୁ ଭିତ୍ତିକରି ପ୍ରସ୍ତୁତ ହୋଇଥାଏ। ୨୦୧୭ରେ ୩୬ଟି ଭାଷା ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଏହି ସୂଚକାଙ୍କରେ ଜମ୍ମୁ-କଶ୍ମୀର ୧୭ଶ ସ୍ଥାନରେ ଅଛି। ଏହାର ମାନବିକ ଉନ୍ନୟନ ସୂଚକାଙ୍କ ମୂଲ୍ୟ (୦.୬୮୪) ଜାତୀୟ ହାର (୦.୬୪୦)ଠାରୁ ଅଧିକ। ବିହାର ସବା ନିମ୍ନରେ (୩୬ତମ ସ୍ଥାନ) ରହିଲାବେଳେ ଉତ୍ତରପ୍ରଦେଶ ୩୫ତମ ଓ ଓଡିଶା ୩୨ତମ ସ୍ଥାନରେ ଅଛନ୍ତି। ଗୁଜରାଟ ୨୪ତମ ସ୍ଥାନରେ ରହିଛି। ଅର୍ଥାତ୍‌ ଜମ୍ମୁ-କଶ୍ମୀର ପଛରେ। କେରଳ ସର୍ବାଗ୍ରେ ୧ ନମ୍ବର ସ୍ଥାନରେ ରହିଛି। ସେହିପରି ମୁଣ୍ଡପିଛା ଡିଏସ୍‌ଡିପି ମଧ୍ୟ ଏକ ବିକାଶର ମାନଦଣ୍ଡ। ୨୦୧୮-୧୯ରେ ଭାରତର ହାରାହାରି ମୁଣ୍ଡପିଛା ଆୟ ୧,୨୬,୪୦୬ ଟଙ୍କା ହୋଇଥିଲା ବେଳେ ଜମ୍ମୁ-କଶ୍ମୀରରେ ଏହା ୯୪,୯୯୨ ଟଙ୍କା। ଅର୍ଥାତ୍‌ ଜାତୀୟ ହାରଠାରୁ କମ୍‌, କିନ୍ତୁ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୯ଟି ଜମ୍ମୁ-କଶ୍ମୀର ତଳେ ଅଛନ୍ତି। ଗୋଆ ସର୍ବାଗ୍ରେ ରହିଲା ବେଳେ କେରଳ ୧୨ଶ ସ୍ଥାନରେ। ଗୁଜରାଟ ୧୪ଶ ସ୍ଥାନରେ ରହିଛି। ସର୍ବନିମ୍ନରେ ବିହାର ଥିଲାବେଳେ ତା’ ତଳକୁ ଉତ୍ତରପ୍ରଦେଶ, ମଣିପୁର ଓ ଝାଡ଼ଖଣ୍ଡ ରହିଛି।
ବିକାଶ ମାପିବାର ଆଉ ଏକ ମାନଦଣ୍ଡ ହେଉଛି ନୀତି ଆୟୋଗର ସ୍ବାସ୍ଥ୍ୟ ସୂଚକାଙ୍କ। ଏହା ଭିତ୍ତି ବର୍ଷ ୨୦୧୫-୧୬ ଏବଂ ରେଫରେନ୍ସ ବର୍ଷ ୨୦୧୭-୧୮ ଉପରେ ପର୍ଯ୍ୟବସିତ। ଏହା ନବଜାତ ଶିଶୁ ମୃତ୍ୟୁହାର, ୫ ବର୍ଷ ବୟସରୁ କମ୍‌ ଶିଶୁ ମୃତ୍ୟୁହାର, କମ୍‌ ଓଜନର ଶିଶୁ ଜନ୍ମ, ଯକ୍ଷ୍ମା, ଏଚ୍‌ଆଇଭି, ସରକାରୀ ସ୍ବାସ୍ଥ୍ୟ ଭିତ୍ତିଭୂମି ଆଦି ୨୩ଟି ସ୍ବାସ୍ଥ୍ୟଭିତ୍ତିକ ସୂଚକାଙ୍କ ଉପରେ ପର୍ଯ୍ୟବସିତ। ୨୧ଟି ବଡ଼ ରାଜ୍ୟ ମଧ୍ୟରେ କେରଳ ସର୍ବାଗ୍ରେ ରହିଲା ବେଳେ ଜମ୍ମୁ-କଶ୍ମୀର ୭ମ ସ୍ଥାନରେ ଅର୍ଥାତ୍‌ ୧୪ଟି ବଡ଼ ରାଜ୍ୟ ଆଗରେ ଅଛି। ଗୁଜରାଟଠାରୁ ମାତ୍ର ୩ଟି ସ୍ଥାନ ପଛରେ। କିନ୍ତୁ ଉତ୍ତରପ୍ରଦେଶ ସବାତଳେ ବା ୨୧ତମ ସ୍ଥାନରେ ରହିଲା ବେଳେ ବିହାର ୨୦ତମ, ଓଡିଶା ୧୯ତମ ସ୍ଥାନରେ ରହିଛି। ଉତ୍ତରପ୍ରଦେଶ ସବୁଠାରୁ ସ୍ବାସ୍ଥ୍ୟସେବା ଦୃଷ୍ଟିରୁ ଖରାପ ସ୍ଥିତିରେ ରହିଛି। ସେହିପରି ୧ ବର୍ଷରୁ କମ୍‌ ଶିଶୁ ମୃତ୍ୟୁହାର ମଧ୍ୟ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କ। ୨୦୧୬ରେ ପ୍ରତି ୧୦୦୦ରେ ଏହି ମୃତ୍ୟୁହାର ଜମ୍ମୁ-କଶ୍ମୀରରେ ୨୪ ହୋଇଥିବା ବେଳେ ଗୁଜରାଟରେ ୩୦। ଜାତୀୟ ହାର (୩୪) ଆହୁରି ଅଧିକ। ସେହିପରି ମା’ ମୃତ୍ୟୁହାରରେ ଜମ୍ମୁ-କଶ୍ମୀରରେ ଜାତୀୟ ହାରଠାରୁ କମ୍‌। କେରଳରେ ଏହା ସର୍ବନିମ୍ନ। ଯଦି ଜଣେ ସରକାରୀ ଡାକ୍ତର କେତେଜଣ ଜନତାଙ୍କୁ ସେବା ପ୍ରଦାନ କରିବା ବିଚାରକୁ ନିଆଯାଏ ତେବେ ଜମ୍ମୁ-କଶ୍ମୀରରେ ଏହା ୩୦୬୦। କେବଳ ୬ଟି ରାଜ୍ୟ ଜମ୍ମୁ-କଶ୍ମୀରଠାରୁ ଉନ୍ନତ ସ୍ଥିତିରେ ଅଛନ୍ତି। ବିହାର ସବୁଠାରୁ ଖରାପ ସ୍ଥିତିରେ ରହିଛି।
ହାରାହାରି ଆୟୁକୁ ମଧ୍ୟ ଏକ ବିକାଶ ସୂଚକାଙ୍କ ଭାବେ ବିଚାର କରାଯାଏ। ସାମ୍ପଲ୍‌ ରେଜିଷ୍ଟ୍ରେଶନ ସର୍ଭେ (୨୦୧୦-୨୦୧୪) ଏବଂ ୟୁଏନ୍‌ଡିପି ରିପୋର୍ଟ ୨୦୧୧ ଅନୁସାରେ ଜମ୍ମୁ-କଶ୍ମୀରରେ ହାରାହାରି ଆୟୁ ୭୨.୬ ବର୍ଷ ଯାହା ଜାତୀୟସ୍ତର (୬୭.୯ ବର୍ଷ)ଠାରୁ ଅଧିକ। ଓଡ଼ିଶାରେ ହାରାହାରି ଆୟୁ ୬୫.୮ ବର୍ଷ, ଉତ୍ତରପ୍ରଦେଶରେ ୬୪.୧ ବର୍ଷ ଏବଂ କେରଳରେ ସର୍ବାଧିକ ୭୪.୯ ବର୍ଷ। ଆସାମ (୬୩ .୯ ବର୍ଷ) ସର୍ବନିମ୍ନରେ ରହିଛି। ସେହିପରି ସାକ୍ଷରତା ହାର କଥା ବିଚାର କଲେ ପିନ୍‌କୋଡ ଇଣ୍ଡିଆ ନେଟ୍‌ ଅନୁସାରେ ୨୦୧୭-୧୮ରେ କେରଳରେ ଏହା ସର୍ବାଧିକ (୯୩.୯୧%) ହୋଇଥିଲା ବେଳେ ବିହାର (୬୩.୮୨%) ସର୍ବନିମ୍ନ ସ୍ତରରେ ରହିଛି। ଜମ୍ମୁ-କଶ୍ମୀରର ସାକ୍ଷରତା ହାର ୬୮.୭୪%। ଗୁଜରାଟ (୭୯.୩୧), ଓଡିଶା (୭୩.୪୫) ଓ ଉତ୍ତରପ୍ରଦେଶ (୬୯.୭୨) ଜମ୍ମୁ-କଶ୍ମୀରଠାରୁ ଆଗରେ ଅଛନ୍ତି। କିନ୍ତୁ ବିହାର, ଝାଡଖଣ୍ଡ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ତେଲେଙ୍ଗାନା ଆଦି ଜମ୍ମୁ-କଶ୍ମୀରଠାରୁ ପଛରେ ଅଛନ୍ତି। ଯେଉଁ ରାଜ୍ୟରେ ବେକାରି ହାର କମ୍‌, ସେହି ରାଜ୍ୟ ସେତେ ଉନ୍ନତ ବୋଲି ବିଚାର କରାଯାଏ। ବେକାରି ହାର ପରିସଂଖ୍ୟାନ ମନ୍ତ୍ରଣାଳୟ ତରଫରୁ ପ୍ରକାଶ ପାଉଥିବା ରିପୋର୍ଟ ଅନ ପିରିୟଡିକ୍‌ ଲେବର ଫୋର୍ସ ସର୍ଭେରୁ ଜଣାପଡ଼ିଥାଏ। ୨୦୧୭-୧୮ରେ ବେକାରି ହାର ଜାତୀୟ ସ୍ତରରେ ୬.୧% ହୋଇଥିଲା ବେଳେ ଜମ୍ମୁ-କଶ୍ମୀରରେ ଏହି ହାର ମାତ୍ର ୫.୩%। ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବେକାରି ହାର ଜମ୍ମୁ-କଶ୍ମୀରଠାରୁ ଅଧିକ। ଗୁଜରାଟରେ ଏହା ୪.୮% ହୋଇଥିଲା ବେଳେ ଓଡ଼ିଶାରେ ୭.୧%, ଉତ୍ତରପ୍ରଦେଶରେ ୬.୪%, ବିହାରରେ ୭.୨%, କେରଳରେ ୧୧.୨%। ଉପରୋକ୍ତ ତଥ୍ୟରୁ ସହଜରେ ପ୍ରତିପାଦିତ ହେଉଛି ଯେ, ଜମ୍ମୁ-କଶ୍ମୀର ବିଭିନ୍ନ ସୂଚକାଙ୍କରେ କିଛି ରାଜ୍ୟଠାରୁ ଆଗୁଆ ଥିଲାବେଳେ କିଛି ରାଜ୍ୟଠାରୁ ପଛୁଆ ଅଛି। ଏଠାରେ ବିକାଶ ହୋଇନି ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ।
ଡିଭାଇନ ନଗର, ଚାଉଳିଆଗଞ୍ଜ, କଟକ, ମୋ-୯୪୩୭୨୦୮୭୬୨, skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri