ଭୁଲ୍‌ ସମୟ, ଭୁଲ୍‌ କଥା

ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ତଥା ମାନବ ଅଧିକାର କର୍ମୀ ଇନ୍ଦିରା ଜୟସିଂ ଏକ ଟୁଇଟ୍‌ ମାଧ୍ୟମରେ ନିର୍ଭୟାର ମା’ ଆଶା ଦେବୀଙ୍କୁ ବଳାତ୍କାରୀ ହତ୍ୟାକାରୀଙ୍କୁ କ୍ଷମା ଦେବା ପାଇଁ ନିବେଦନ କରିଛନ୍ତି। ଉଦାହରଣ ଭାବେ ଦର୍ଶାଇବାକୁ ଯାଇ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ସୋନିଆ ଗାନ୍ଧୀ ଯେଭଳି ଭାବେ କ୍ଷମା କରିଛନ୍ତି, ସେହିଭଳି ଢଙ୍ଗରେ ନିର୍ଭୟା ହତ୍ୟାକାରୀଙ୍କୁ କ୍ଷମା କରିଦିଆଯିବା ଉଚିତ। ଉଲ୍ଲେଖଯୋଗ୍ୟ, ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ନଳିନୀ ଶ୍ରୀହରନ୍‌ଙ୍କୁ ସୋନିଆ କ୍ଷମା ଦେଇଥିଲେ। ଫଳରେ ନଳିନୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା। ଅନ୍ୟପକ୍ଷରେ ନିର୍ଭୟାର ମା’ ଦୃଢ଼ ଭାବେ କହିଛନ୍ତି ଯେ, ଭଗବାନ୍‌ କହିଲେ ବି ସେ କ୍ଷମା ଦେବେ ନାହିଁ। ଏଥିରୁ ତାଙ୍କ ଯନ୍ତ୍ରଣା ବୁଝି ହୋଇଯାଉଛି।
ଏହା ସମସ୍ତଙ୍କୁ ଜଣା ଯେ, ଇନ୍ଦିରା ଜୟସିଂ ମୃତ୍ୟୁଦଣ୍ଡକୁ ବହୁଦିନରୁ ବିରୋଧ କରିଆସୁଛନ୍ତି। ତାଙ୍କ କହିବା ଅନୁଯାୟୀ, ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲେ ସମାଜରେ ପରିବର୍ତ୍ତନ ଆସିପାରିବ ନାହିଁ। ଅନେକ ସମୟରେ ଏହି ଚିନ୍ତାଧାରା ଯଥାର୍ଥ ବୋଲି ମନେ ହୋଇଥାଏ। କିନ୍ତୁ ଆଜିର ଭାରତକୁ ଦେଖିଲେ ନିର୍ଭୟା ଘଟଣାର ଦୋଷୀମାନଙ୍କୁ ଏତେ ଦୀର୍ଘ ସମୟ ବଞ୍ଚିବାକୁ ଦେବା ଆଇନ ବ୍ୟବସ୍ଥାର ଏକ ଜଘନ୍ୟ ପରିଚୟ। ଯେପରି ଭାବେ ବଳାତ୍କାରୀମାନେ ନିର୍ଭୟାଙ୍କୁ ଅତ୍ୟାଚାର କରିଥିଲେ, ତାହା ସଭ୍ୟ ସମାଜ ଆଗରେ ବର୍ଣ୍ଣନା କରାଯାଇପାରିବ ନାହିଁ। ୧୬ ଡିସେମ୍ବର ୨୦୧୨ରେ ନିର୍ଭୟାଙ୍କୁ ଚଳନ୍ତା ବସ୍‌ରେ ଗଣବଳାତ୍କାର କରାଯିବା ପରେ ଫିଙ୍ଗି ଦିଆଯାଇଥିଲା। ୧୪ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସିଙ୍ଗାପୁରର ଏକ ହସ୍ପିଟାଲରେ ସେ ଆଖି ବୁଜିଥିଲେ। ଗଣବଳାତ୍କାର ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଯେଉଁ ଯନ୍ତ୍ରଣା ପାଇଥିଲେ ଓ ତାହା ଗଣମାଧ୍ୟମରୁ ଜାଣି ଦେଶବାସୀ ଯେଭଳି ସ୍ତବ୍ଧ ହୋଇଥିଲେ, ସେତେବେଳେ ଅଭିଯୁକ୍ତଙ୍କୁ ନରପିଶାଚ ବୋଲି ଆଖ୍ୟା ଦିଆଯାଇଥିଲା। ଇତିମଧ୍ୟରେ ୭ ବର୍ଷ ବିତିଯାଇଥିତ୍ଲେ ମଧ୍ୟ ସେହି ଦିନଗୁଡ଼ିକୁ ଦେଶବାସୀ ଭୁଲି ନାହାନ୍ତି। ଫାଶୀ ଦିଆଯିବା ସମୟ ୨୨ ଜାନୁୟାରୀ ୨୦୨୦ରୁ ୧ ଫେବୃୟାରୀକୁ ଘୁଞ୍ଚିଯିବା ପରେ ଏବେ ଦେଶରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ସ୍ଥଳେ ଇନ୍ଦିରା ଜୟସିଂଙ୍କ ନିବେଦନ ଦୋଷୀଙ୍କୁ ଦୟା ଦେଖାଇବାର ଅବକାଶ ସୃଷ୍ଟି କରୁନାହିଁ। ଏଥିସହିତ ସୋନିଆ ଗାନ୍ଧୀଙ୍କ ସହ ନିର୍ଭୟା ମା’ଙ୍କୁ ତୁଳନା କରାଯାଇପାରିବ ନାହିଁ। କାରଣ ରାଜୀବ କେବଳ ସୋନିଆଙ୍କ ସ୍ବାମୀ ଭାବେ ସୀମିତ ନ ଥିଲେ। ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାବେ ସେ ଯେଉଁସବୁ ନିଷ୍ପତ୍ତି ନେଇଥିଲେ, ତାହା ଦ୍ୱାରା ଅନେକ ଲୋକ ନକାରାତ୍ମକ ପ୍ରଭାବର ଶିକାର ହୋଇଥିଲେ। ବିଶେଷକରି ତାଙ୍କୁ ହତ୍ୟା କରିଥିବା ଶ୍ରୀଲଙ୍କା ତାମିଲ ଭାରତୀୟ ସେନା ଦ୍ୱାରା ନିର୍ଯାତିତ ହୋଇଥିଲେ। ରାଜନୈତିକ ନିଷ୍ପତ୍ତିର ପରିଣାମ ଯୋଗୁ ରାଜୀବଙ୍କ ହତ୍ୟା ଘଟିଥିଲା। ଅପରପକ୍ଷରେ ଆଶା ଦେବୀଙ୍କ କନ୍ୟା ନିର୍ଭୟା ଜଣେ ନିର୍ଦ୍ଦୋଷ ଯୁବତୀ ଥିଲେ। ତାଙ୍କ ବିରୋଧରେ କାହାରି କୌଣସି ଆକ୍ରୋଶ ରହିବାର ସୁଯୋଗ ସୃଷ୍ଟି ହୋଇ ନ ଥିଲା। ସେଭଳି ସ୍ଥିତିରେ ତାଙ୍କୁ ଯେଉଁ କଷ୍ଟ ଦିଆଯାଇଥିଲା, ତାହାର କୌଣସି ତୁଳନା ନାହିଁ। ସେଥିପାଇଁ କୁହାଯାଇପାରିବ ଯେ, ଉଚ୍ଚପଦବୀ ପାଇଥିବା ବ୍ୟକ୍ତି ବିଶେଷଙ୍କ ଜୀବନ ସୁରକ୍ଷିତ ନ ଥିବା ହେତୁ ସେମାନଙ୍କୁ ସୁରକ୍ଷା ବଳୟରେ ରଖାଯାଏ। ଯେତେବେଳେ ଗୋଟେ ସାଧାରଣ ଯୁବତୀର ଜୀବନ ବିପଦରେ ପଡ଼ୁଛି, ସେତେବେଳେ ବୁଝିବାକୁ ହେବ ଯେ, ଦେଶରେ ସାଧାରଣ ନାଗରିକର ଜୀବନ ସୁରକ୍ଷିତ ନାହିଁ। ଭାରତବର୍ଷରେ ଅନେକ ବଳାତ୍କାର ଘଟଣା ପୋଲିସ ଦୃଷ୍ଟିକୁ ଅଣାଯାଏ ନାହିଁ। ଯେଉଁ କେତୋଟି ଘଟଣା ଆସେ, ସେଗୁଡ଼ିକ ମଧ୍ୟରୁ ଅଧିକାଂଶରେ ମୃତ୍ୟୁଦଣ୍ଡ ଦିଆଯାଏ ନାହିଁ। କିନ୍ତୁ ନିର୍ଭୟା ଘଟଣାର ଦୋଷୀଙ୍କୁ ଦୟା ଦେଖାଇବାର ଅର୍ଥ ହେଉଛି ଭାରତୀୟ ସମାଜରେ ସମସ୍ତଙ୍କୁ ଅସୁରକ୍ଷିତ କରିଦେବା। କାରଣ ଏହି ୪ ଦୋଷୀ ମୁକ୍ତି ପାଇଲେ ଆହୁରି ଅନେକଙ୍କ ମନରେ ଅନୁରୂପ ଜଘନ୍ୟ ଅପରାଧ କରିବାକୁ ମନୋବଳ ସୃଷ୍ଟି ହୋଇପାରେ। ସେଥିପାଇଁ ନିର୍ଭୟା ହତ୍ୟାକାରୀଙ୍କୁ ଅତିଶୀଘ୍ର ଫାଶୀ ଦିଆଯିବା ଉଚିତ। ତେବେ ଏଭଳି ଏକ ସମୟରେ ଏପରି ମନ୍ତବ୍ୟ ଦେବା ହେତୁ ଇନ୍ଦିରା ଜୟସିଂଙ୍କ ଟୁଇଟ୍‌ ଭୁଲ୍‌ ସମୟରେ ଭୁଲ୍‌ କଥା ବୋଲି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?