ବେଲୁନ ଦ୍ୱାରା ପ୍ରଦୂଷଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ମୋର ପ୍ରକୃତି ସହ ସମ୍ବନ୍ଧ ଏପରି ନିବିଡ଼ ଯେ, କୌଣସି ଜିନିଷ ଦ୍ୱାରା ପୃଥିବୀର ବା ପ୍ରକୃତିର କ୍ଷତି ହେବାର ଥିଲେ ମୁଁ ତାହା ଯଥାର୍ଥରୂପେ ଅନୁଭବ କରିପାରେ। ଗୁଡ଼ି (କାଇଟ୍‌) ଓ ପ୍ଲାଷ୍ଟିକ୍‌ ଷ୍ଟ୍ର (ସରୁ ନଳୀ)କୁ ମୁଁ ସବୁବେଳେ ଘୃଣା କରିଆସିଛି, ଏପରି କି ଏହାଦ୍ୱାରା ଲକ୍ଷ ଲକ୍ଷ ପ୍ରାଣୀଙ୍କ ଜୀବନହାନି ଘଟୁଛି ବୋଲି ଜାଣିବା ପୂର୍ବରୁ। ବେଲୁନକୁ ମଧ୍ୟ ମୁଁ ଭଲ ପାଏ ନାହିଁ। ମୋ ପରିବାର ଲୋକେ ଜାଣିଛନ୍ତି ଯେ ମୁଁ ବେଲୁନକୁ ହାତରେ ଆଦୌ ଛୁଏଁ ନାହିଁ ଏବଂ ଯେଉଁ ସଭା ବା ଉତ୍ସବସ୍ଥଳ ବେଲୁନରେ ସଜା ହୋଇଥାଏ, ମୁଁ ସେଠାକୁ ଯାଏ ନାହିଁ। ଯେଉଁ ଲୋକମାନେ ର଼୍ୟାଲିମାନଙ୍କରେ ପାରା ଓ ବେଲୁନକୁ ଏକା ସାଙ୍ଗରେ ଉଡ଼ାନ୍ତି, ମୁଁ ସେମାନଙ୍କୁ ଘୃଣା କରେ କାରଣ ସେହି ବେଲୁନଗୁଡ଼ିକ ଦ୍ୱାରା ପାରାମାନେ ମରିଯିବେ। ତେବେ ସୌଭାଗ୍ୟର କଥା ଉତ୍ସବମାନଙ୍କରେ ପକ୍ଷୀମାନଙ୍କୁ ମୁକ୍ତ କରି ଆକାଶକୁ ଉଡ଼ାଇଦେବା ଲାଗି ଆଗରୁ ଯେପରି ପ୍ରବଳ ଆଗ୍ରହ ଦେଖାଯାଉଥିଲା, ଏବେ ତାହା ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ଏବେ ବେଲୁନ ଉଡ଼ାଇବା ବି ବନ୍ଦ କରିବା ଦରକାର।
ସାମୁଦ୍ରିକ ପକ୍ଷୀମାନଙ୍କ ପାଇଁ ସବୁଠାରୁ ମାରାତ୍ମକ ସାମୁଦ୍ରିକ ଆବର୍ଜନା ହେଉଛି ବେଲୁନ। ସମୁଦ୍ରକୂଳରେ କରାଯାଇଥିବା ଏକ ଛୋଟିଆ ସର୍ଭେରେ ୧୭୦୦ ମୃତ ସାମୁଦ୍ରିକ ପକ୍ଷୀଙ୍କୁ ଗୋଟାଯାଇଥିଲା। ସେଥିମଧ୍ୟରୁ ୫୦୦ରୁ ଅଧିକ ପ୍ଲାଷ୍ଟିକ୍‌ ଖାଇ ମରିଥିଲେ ଏବଂ ପ୍ରତି ୧୦ଟିରୁ ୪ଟି ପକ୍ଷୀର ମୃତ୍ୟୁ ବେଲୁନ ଯୋଗୁ ହୋଇଥିଲା। ସାମୁଦ୍ରିକ ପକ୍ଷୀମାନେ ବାରମ୍ବାର ଭାସମାନ ଆବର୍ଜନା ଖାଆନ୍ତି କାରଣ ଏହା ତାଙ୍କୁ ଖାଦ୍ୟ ପରି ଦେଖାଯାଏ। ଯେତେବେଳେ ସେମାନେ ଲାଟେକ୍ସ ବା ମିଲାରର କ୍ଷୁଦ୍ର ଅଂଶକୁ ଖାଦ୍ୟ ଭାବି ଖାଇ ଦିଅନ୍ତି, ତାହା ଖାଦ୍ୟନଳୀରେ ଅଟକିରହେ। ତା’ପରେ ସେମାନେ ଆଉ କିଛି ଖାଦ୍ୟ ଖାଇପାରନ୍ତି ନାହିଁ ଏବଂ ଭୋକ ଓ ଯନ୍ତ୍ରଣାରେ ମୃତ୍ୟୁବରଣ କରନ୍ତି। ପକ୍ଷୀ, କଇଁଛ ଓ ଅନ୍ୟ ସାମୁଦ୍ରିକ ପ୍ରାଣୀ ଭାସମାନ ବେଲୁନ ଟୁକୁଡ଼ାକୁ ଭୁଲ୍‌ରେ ଖାଦ୍ୟ ବୋଲି ଭାବନ୍ତି। ତା’ଛଡ଼ା ବେଲୁନ ଉଡ଼ାଇବା ବେଳେ ତା’ର ସୂତାରେ କୌଣସି ପ୍ରାଣୀର ବେକ ବା ଅନ୍ୟ ଅଙ୍ଗ ଘଷିହୋଇ ବା ଗୁଡ଼ାଇହୋଇ ମୃତ୍ୟୁର କାରଣ ହୁଏ। ବେଲୁନ ବହୁ ଉଚ୍ଚରେ ଉଡ଼େ ଓ ସେଠାରେ ତାହା ଫାଟିଯାଏ। ଫାଟିଗଲା ପରେ ତା’ର ଟିକି ଟିକି ଅଂଶ ଜେଲିଫିଶ୍‌ ପରି ଦେଖାଯାଏ ଏବଂ ନାନା ଭାବରେ ତାହା ଭାସିଯାଇ ସମୁଦ୍ରରେ ପଡ଼େ। ଡଲ୍‌ଫିନ୍‌, ତିମି ଓ ସାମୁଦ୍ରିକ କଇଁଛ ପ୍ରଭୃତି ତାକୁ ଜେଲିଫିଶ୍‌ ମନେକରି ଖାଇଦିଅନ୍ତି।
ଗୋଟିଏ ସାମୁଦ୍ରିକ ପକ୍ଷୀ କଠିନ ପ୍ଲାଷ୍ଟିକ୍‌ ଖଣ୍ଡଟିଏ ଖାଇଲେ ତା’ର ମୃତ୍ୟୁ ସମ୍ଭାବନା ଯେତିକି, ବେଲୁନ ଟୁକୁଡ଼ା ଖାଇଲେ ସେହି ସମ୍ଭାବନା ତା’ର ୩୨ଗୁଣ ଅଧିକ ବୋଲି ଗବେଷକମାନେ କହିଛନ୍ତି। ସାଇଣ୍ଟିଫିକ୍‌ ରିପୋର୍ଟ୍‌ସ ପତ୍ରିକାରେ ଏହି ରିପୋର୍ଟ ପ୍ରକାଶ ପାଇଛି। ସ୍କୁଇଡ୍‌ ପରି ଦେଖାଯାଉଥିବାରୁ ପକ୍ଷୀମାନେ ବେଲୁନ ଟୁକୁଡ଼ାଗୁଡ଼ିକୁ ଖାଆନ୍ତି, ଯାହା ତାଙ୍କ ଖାଦ୍ୟନଳୀକୁ ଜାମ୍‌ କରି ମୃତ୍ୟୁର କାରଣ ହୁଏ। ସାମୁଦ୍ରିକ କଇଁଛମାନେ ଉଭୟ ସ୍ଥଳଭାଗରେ ଓ ଜଳଭାଗରେ ଏହାକୁ ଜେଲିଫିଶ୍‌ ମନେକରି ଖାଆନ୍ତି। ସମୁଦ୍ରକୂଳରେ ମରିପଡ଼ିଥିବା କଇଁଛଙ୍କ ପେଟରୁ ବହୁ ଲାଟେକ୍ସ ବେଲୁନ୍‌ ଟୁକୁଡ଼ା ବାହାରିବାର ଦେଖାଯାଇଛି। ଏହାଦ୍ୱାରା ସେମାନଙ୍କ କ୍ଷୁଦ୍ରାନ୍ତ୍ର ଓ ପାକସ୍ଥଳୀ ଜାମ୍‌ ହୋଇ ମୃତ୍ୟୁର କାରଣ ହୁଏ। ୨୦୧୮ ଜୁଲାଇ ମାସରେ ଅଳ୍ପ କେତୋଟି ବୋଟ୍‌ ସମୁଦ୍ରରୁ ବେଲୁନ ସଂଗ୍ରହ କରିବାରେ ଲାଗିଥିଲେ ଏବଂ ଗୋଟିଏ ଦିନରେ ସେମାନେ ୬୦୦ରୁ ଅଧିକ ବେଲୁନ ସଂଗ୍ରହ କରିଥିଲେ। ସି ଟର୍ଟଲ ଫାଉଣ୍ଡେଶନର ଆକଳନ ଅନୁସାରେ ପ୍ଲାଷ୍ଟିକ୍‌ ଓ ବେଲୁନ ଯୋଗୁ ବର୍ଷକୁ ୧ ଲକ୍ଷ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ଓ କଇଁଛ ଏବଂ ୨ ନିୟୁତ ସାମୁଦ୍ରିକ ପକ୍ଷୀ ମୃତ୍ୟୁବରଣ କରନ୍ତି। ସାମୁଦ୍ରିକ ପ୍ରାଣୀଙ୍କ ପାଇଁ ବେଲୁନ ଟୁକୁଡ଼ା ତୃତୀୟ ବୃହତ୍ତମ କ୍ଷତିକାରକ ପଦାର୍ଥ ବୋଲି ୨୦୧୬ରେ କମନଓ୍ବେଲ୍‌ଥ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେଶନ ପ୍ରକାଶ କରିଛି।
ବେଲୁନରେ ହିଲିୟମ୍‌ ଗ୍ୟାସ୍‌ ଭର୍ତ୍ତିକରି ଉଡ଼ାଇଲେ ତାହା ମହୁତ ଉଚ୍ଚରେ ଉଡ଼େ। ହିଲିୟମ୍‌ ଏକ ଦୁର୍ଲଭ ଗ୍ୟାସ୍‌ ଓ ଏହାକୁ ବେଲୁନରେ ଭର୍ତ୍ତିକରି ଉଡ଼ାଇବା ମାଧ୍ୟମରେ ନଷ୍ଟ କରିବାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରିବା ଉଚିତ ଏବଂ ଏହା କରୁଥିବା ଲୋକମାନଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରାଯିବା ଆବଶ୍ୟକ। ଶିଳ୍ପକ୍ଷେତ୍ରରେ ହିଲିୟମ୍‌ ଗ୍ୟାସ୍‌ର ଅନେକ ଉପଯୋଗିତା ରହିଛି ଏବଂ ଏହାର କୌଣସି ବିକଳ୍ପ ନାହିଁ। ତେଣୁ ଏହାକୁ ନଷ୍ଟ କରିବା ଆଦୌ ଉଚିତ ନୁହେଁ। ବେଲୁନ ଏକ ମାରାତ୍ମକ ପ୍ରଦୂଷକ କାରଣ ଏହା ଜୈବବିଘଟନଶୀଳ ନୁହେଁ। ପରିବେଶବିତ୍‌ ଓ ପ୍ରକୃତି ସଂରକ୍ଷଣବାଦୀମାନେ ବେଲୁନର ବ୍ୟବହାରକୁ ସାରା ପୃଥିବୀରେ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଦାବି କରିଆସୁଛନ୍ତି। ଯେଉଁମାନେ କହୁଛନ୍ତି ଯେ ଲାଟେକ୍ସ ଜୈବବିଘଟନଶୀଳ, ସେମାନେ ଠିକ୍‌ କହୁନାହାନ୍ତି, କାରଣ ଏଥିରେ ଅଛି ରାସାୟନିକ, ପ୍ଲାଷ୍ଟିସାଇଜର ଓ କୃତ୍ରିମ ରଙ୍ଗ। ହୁଏତ ପରିଶେଷରେ ଏହା ବିଘଟିତ ହୋଇପାରେ, ଯେମିତି ପଥର କିନ୍ତୁ ତଥାପି ଏହାକୁ ଜୈବବିଘଟନଶୀଳ କୁହାଯାଇପାରିବ ନାହିଁ। ମରୁଭୂମିରେ ରହୁଥିବା ଲୋକମାନେ ଏପରି ହଜାର ହଜାର ଜିନିଷ ପାଇଛନ୍ତି, ଯାହା ୨୦ ବର୍ଷରୁ ଅଧିକ ପୁରୁଣା।
ବେଲୁନରେ ବନ୍ଧାଯାଉଥିବା ରିବନ ବା ଅନ୍ୟ ରଜ୍ଜୁ ଜୈବବିଘଟନଶୀଳ ହେଉ ବା ନ ହେଉ ତାହା ବର୍ଷ ବର୍ଷ ଧରି ମୃତ୍ତିକାରେ କ୍ଷୟ ନ ହୋଇ ପଡ଼ିରହେ। ଆଜିକାଲି ଜନ୍ମଦିନ ଉତ୍ସବ, ବାହାଘର, ଖେଳ ଉତ୍ସବ, ରାଜନୈତିକ ଦଳର ଉତ୍ସବ ଇତ୍ୟାଦିରେ ବହୁ ସଂଖ୍ୟାରେ ବେଲୁନ ବ୍ୟବହାର କରାଯାଉଛି, ଯାହା ପରିବେଶ ପ୍ରଦୂଷଣର କାରଣ ହେଉଛି। ତେଣୁ ଏହାକୁ ବେଆଇନ ଘୋଷଣା କରାଯିବାର ଆବଶ୍ୟକତା ରହିଛି। ଆମ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ। ଆପଣ ଯଦି ସଚେତନ ମାତାପିତା ହୋଇଥାନ୍ତି, ତେବେ ନିଜ ପିଲାଙ୍କ ଜନ୍ମଦିନ ଉତ୍ସବରେ ବେଲୁନର ବ୍ୟବହାର ବନ୍ଦ କରି ପ୍ରଦୂଷଣକୁ ରୋକିବାରେ ସାହାଯ୍ୟ କରନ୍ତୁ। ବେଲୁନ ଛଡ଼ା ଅନ୍ୟ ପରିବେଶ-ଅନୁକୂଳ ପଦାର୍ଥରେ ଜନ୍ମଦିନ ପାଳନ କରନ୍ତୁ। ଫୁଲ ହେଉଛି ଏହାର ସବୁଠାରୁ ଭଲ ବିକଳ୍ପ। ରଙ୍ଗିନ ଆଲୋକ, ରଙ୍ଗିନ ଷ୍ଟ୍ରିମର, ପତାକା ଓ ବ୍ୟାନର ଦ୍ୱାରା ଉତ୍ସବ ଆକର୍ଷଣୀୟ ହେବା ସହ ଟଙ୍କା ଓ ସମୟ ବଞ୍ଚିପାରିବ। ବିଭିନ୍ନ ରଙ୍ଗର ଟିସୁ ପେପର ପମ୍‌ପମ୍‌ ମଧ୍ୟ ଏକ ସୁନ୍ଦର ବିକଳ୍ପ। ଚାଇନିଜ୍‌ ପେପର ଲଣ୍ଠନ ଏକ ପରିବେଶ-ଅନୁକୂଳ ବିକଳ୍ପ ନୁହେଁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?