ବିଦେଶିନୀ

ଡ. ବାସୁଦେବ ମିଶ୍ର
ଟ୍ରେନର କମ୍ପାର୍ଟମେଣ୍ଟ ଭିତରକୁ ପଶିଯାଇ ଦେଖିଲି ମୋ ପାଖ ସିଟ୍‌ରେ ଉପବିଷ୍ଟା ଗୌରାଙ୍ଗୀ ତନ୍ବୀ ସମ୍ବଲପୁରୀ ଶାଢ଼ି ପରିହିତା ତରୁଣୀଙ୍କୁ ଭାରତୀୟ ଗେଟ୍‌ ଅପ୍‌ରେ। କିଛି କଲେଜପଢୁଆ ପିଲା ତାଙ୍କ ସହିତ ଖଣ୍ଡି ଇଂଲିଶରେ ବାର୍ତ୍ତାଳାପ କରୁଥାନ୍ତି। କହିବାକୁ ଗଲେ ବାର୍ତ୍ତାଳାପ କମ୍‌, ମଜା କରୁଥାନ୍ତି ବେଶି। ମଝି ମଝିରେ ସେହି ଯୁବତୀଙ୍କ ସମ୍ପର୍କରେ କିଛି ମନ୍ତବ୍ୟ ଦେବା ମଧ୍ୟ ମୋ କାନରେ ବାଜିଲା। ମୋ ସିଟ୍‌ ସେମାନେ ମୋତେ ଛାଡ଼ିଦେଲେ। ସେମାନଙ୍କ ଚପଳତା ମଧ୍ୟ ଧିମେଇ ଯିବାପରି ମୋତେ ଲାଗିଲା ଏବଂ କ୍ରମେ ସଂପୂର୍ଣ୍ଣ ବନ୍ଦ ହୋଇଗଲା।
ସମୟକ୍ରମେ ମୋର ତାଙ୍କ ସହିତ ଆରମ୍ଭ ହେଲା ବାର୍ତ୍ତାଳାପ। ପଚାରି ବୁଝିଲି ସେ ଆସିଛନ୍ତି ସୁଦୂର ନେଦରଲାଣ୍ଡରୁ ଭାରତ ଭ୍ରମଣ ଉଦ୍ଦେଶ୍ୟରେ। ବାଲେଶ୍ୱରରୁ ଯାଉଛନ୍ତି ପୁରୀ। ଗତକାଲି ତାଙ୍କର ସାଥୀମାନେ ପୁରୀ ଚାଲିଯାଇଛନ୍ତି। କୌଣସି ବିଶେଷ କାରଣରୁ ସେ ଯାଇପାରି ନ ଥିଲେ। ତାଙ୍କର ସାଥୀମାନଙ୍କ ସହ ଭେଟ ହେବ ପୁରୀରେ। ଆଜି ସନ୍ଧ୍ୟାରେ ତାଙ୍କର କିଛି କାର୍ଯ୍ୟକ୍ରମ ଅଛି ସେଠାରେ। ତା’ ପରଦିନ ସେମାନେ ଯିବେ ଫୁଲବାଣୀ।
ପ୍ରସଙ୍ଗକ୍ରମେ ପଚାରିଦେଲି- କେମିତି ଲାଗୁଛି ତାଙ୍କୁ ଆମ ଦେଶ। କେମିତି ଲାଗନ୍ତି ତାଙ୍କୁ ଆମ ଦେଶର ଲୋକେ, ସେମାନଙ୍କର ବ୍ୟବହାର। ମୁଁ ତାଙ୍କୁ ଏତକ ପ୍ରଶ୍ନ କରିବା ଭିତରେ ସେ ପ୍ରାୟ ଇମୋଶନାଲ ହୋଇ ସାରିଥିଲେ। ସେ ଭାରତ ଭ୍ରମଣରେ ଆସି ଅତି ବୁଦ୍ଧିମାନର କାମ କରିଛନ୍ତି। ତାଙ୍କ ଦଳର ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ମତ ପ୍ରାୟ ଏଇଆ। ତେବେ ଏହି ଦେଶ ଜ୍ଞାନ ଓ ପୁଣ୍ୟର ଦେଶ ବୋଲି ତାଙ୍କର ମତ। ଏ ଭୂଇଁରେ ଭଗବାନ ସ୍ବଦେହରେ ଜନ୍ମ ନେଇ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। ତେଣୁ ସେ ଏ ଦେଶ ବୁଲିବାକୁ ଆସି ଅନେକ ଜ୍ଞାନ ଓ ପୁଣ୍ୟ ଅର୍ଜନ କରିଛନ୍ତି। ତାଙ୍କ କଥାରେ ମୁଁ ବିସ୍ମିତ ହେଲି। ଗୀତା ଉପଦେଶ କଥା ସେ କିପରି ଜାଣନ୍ତି? ପଚାରି ବୁଝିଲି ଅନେକ ଭାରତୀୟ ଶାସ୍ତ୍ରପୁରାଣ ସେ ଅଧ୍ୟୟନ କରିଛନ୍ତି। ଭାରତୀୟ ଦର୍ଶନ ତାଙ୍କ ପାଠ୍ୟର ଅନ୍ତର୍ଗତ ଥିଲା। ସେହି ହେତୁରୁ ଭଗବତ୍‌ ଗୀତା ସେ ପଢ଼ିଛନ୍ତି। ସେଥିତ୍ରୁ ଅନେକ ଶ୍ଳୋକ ତାଙ୍କର କଣ୍ଠସ୍ଥ ଅଛି। ତାଙ୍କ କଣ୍ଠରୁ ଗୀତାର ଶ୍ଳୋକ ‘ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାଃ ଯୁଜୁତ୍ସବଃ, ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ’ରୁ ଆରମ୍ଭକରି ଅନେକ ଶ୍ଳୋକ ଶୁଣି ମୋର ବିସ୍ମୟର ସୀମା ରହିଲା ନାହିଁ।
କେବଳ ସେତିକି ନୁହେଁ। ଭାରତବର୍ଷର ତୁଙ୍ଗ ରାଜନେତାଙ୍କଠାରୁ ଆରମ୍ଭ କରି ସ୍ବାଧୀନ ଭାରତର ଅନେକ ଶହୀଦଙ୍କ ସମ୍ପର୍କରେ ତାଙ୍କର ଜ୍ଞାନ ଗଭୀର। ଭାରତର ଅନେକ ଦର୍ଶନୀୟ ସ୍ଥାନ ସମ୍ପର୍କରେ ସେ ଅବଗତ। ସେଗୁଡ଼ିକ ସମ୍ବନ୍ଧରେ ସେ ପୁସ୍ତକରୁ ତଥା ଇଣ୍ଟରନେଟରୁ ବହୁ ତଥ୍ୟ ସଂଗ୍ରହ କରିଛନ୍ତି। ଜର୍ମାନୀର କୌଣସି ଏକ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ କେତେକ ଭାରତୀୟ ସହପାଠୀ ବନ୍ଧୁ ମଧ୍ୟ ତାଙ୍କର ଅଛନ୍ତି। ସେମାନଙ୍କ ସହିତ ତାଙ୍କର ପତ୍ରାଳାପ ସଂଯୋଗ ରହିଛି। ଭାରତ ଆସିବା ପରେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସହିତ ସାକ୍ଷାତ ମଧ୍ୟ ହୋଇ ସାରିଲାଣି।
ସେ ଯେଉଁ ଶାଢ଼ିଟି ପିନ୍ଧିଛନ୍ତି, ସେ ସମ୍ପର୍କରେ ତାଙ୍କର ବିଚାରଧାରା ଅନନ୍ୟ। ଶାଢ଼ିିଟିରେ ପ୍ରକୃତିର ବ୍ୟାଖ୍ୟା ତାଙ୍କ ମନକୁ ସତେଯେମିତି ମୋହାବିଷ୍ଟ କରିଛି। ମନୁଷ୍ୟର କାରିଗରି, ପୁରୀ ଜଗନ୍ନାଥଙ୍କ ରଥର ସୁନ୍ଦର କଳାକୃତି ତାଙ୍କୁ ଏହି ଶାଢ଼ିିଟି ପ୍ରତି ଆକୃଷ୍ଟ କରିଛି। ବାଲେଶ୍ୱରର ଏକ ଦୋକାନରୁ ସେ କିଣିଛନ୍ତି ଏଇ ଶାଢ଼ିି କିଛିଦିନ ତଳେ। ଆଜି ଦ୍ୱିତୀୟ ଥର ପାଇଁ ପିନ୍ଧିଛନ୍ତି। ଭାରି ଭଲ ଲାଗୁଛି। ପଚାରିଲି- ଶାଢ଼ିଟିକୁ ସୁନ୍ଦର ଭାବେ ପିନ୍ଧିଛନ୍ତି, ପିନ୍ଧିବା ଶିଖିଲେ କେଉଁଠୁ? ପ୍ରଶ୍ନଟିକୁ ଶୁଣି ପ୍ରଥମେ ଖୁବ୍‌ ହସିଲେ ସେ। ଉତ୍ତରରେ କହିଲେ- ଇଣ୍ଟରନେଟରୁ ସେ ଶାଢ଼ି ପିନ୍ଧିବା ଶିଖିଛନ୍ତି, ତେବେ ବାଲେଶ୍ୱରର ଜଣେ ଓଡ଼ିଆଣୀ ବୋହୂ ତାଙ୍କୁ ଏ ବାଟରେ ବହୁତ ସାହାଯ୍ୟ କରିଛନ୍ତି। ଟିକିଏ ହସି ସେ ପୁଣି କହିଲେ- ସି ଇଜ୍‌ ମାଇଁ ଟିଚର। ସି ଟଟ୍‌ ମି ହାଓ ଟୁ ୱିଅର ଇଟ୍‌।
ମୁଣ୍ଡରେ ଓଡ଼ିଆଣୀ ବେଣୀ, କାନରେ ଝୁମୁକା, ନାକରେ ନାକଫୁଲ ସାଙ୍ଗକୁ ପାଦରେ ଅଳତା ଏବଂ ପାଉଁଜି ଖୁବ୍‌ ମାନୁଥିଲା ତାଙ୍କୁ। କୌଣସି ମେକ୍‌ ଅପ୍‌ ବିନା ସେ କଣ୍ଢେଇଟିଏ ପରି ଝଲସି ଉଠୁଥିଲେ। ମୁହଁରେ ସରୁ ହସଟିଏ ଲାଗି ରହିଥିଲା ଯେମିତି।
କେମିତି ଲାଗୁଛି ଆମ ଦେଶ ଆପଣଙ୍କୁ? କେମିତି ଲାଗୁଛନ୍ତି ଏଠା ଲୋକମାନେ, ଚାଲିଚଳନ, ବ୍ୟବହାର? ବୃକ୍ଷଲତା, ରାସ୍ତାଘାଟ କେମିତି ଲାଗୁଛନ୍ତି ଆପଣଙ୍କୁ? ମନରେ ଉତ୍କଣ୍ଠା ରଖି ପଚାରିଦେଲି।
ଫିକ୍‌ କିନା ହସିଦେଇ କହି ପକେଇଲେ, ଏଭ୍ରିଥିଙ୍ଗ ଫାଇନ୍‌। ଆଇ ଲଭ୍‌ ଏଭ୍ରିଥିଙ୍ଗ। ବହୁତ ଭଲ ଲାଗୁଛି। ଏଇ ଯେମିତି ଆପଣ। କେତେ କମ୍‌ ସମୟରେ ଆମ ଦୁହିଁଙ୍କ ମଧ୍ୟରେ ଏତେ ନିବିଡ଼ତା। ମୁଁ ଭାବିଲି- ଏଇ କିଛି ସମୟ ତଳେ ତାଙ୍କ ସହିତ ଚଗଲାମି କରୁଥିବା ପିଲା କେତେଜଣଙ୍କ ବ୍ୟବହାରକୁ ସେ ହୁଏତ ମାଇଣ୍ଡ କରି ନାହାନ୍ତି। ପଜିଟିଭ୍‌ ଥିଙ୍କିଙ୍ଗ ରଖିଲେ ସବୁ ଭଲ ଲାଗିବ ସବୁଠି। ସେ କହୁଥିଲେ, ଭାରତବର୍ଷ ପ୍ରାଚୀନ ସଂସ୍କୃତିର ଦେଶ। ଏଠି ଏମିତି ଖରାପ ଲାଗିବା ପରି କିଛି ନାହିଁ। ହଁ, ଖରାପ ଲୋକ ସବୁଠି ଅଛନ୍ତି। ଆମେ ସେମାନଙ୍କ କଥା ମନକୁ ଆଣିବା ଆବଶ୍ୟକ ନାହିଁ। ଏଠା ପ୍ରକୃତି ଅତି ସୁନ୍ଦର। ତା’ଠାରୁ ଆହୁରି ସୁନ୍ଦର ଏଠାକାର ସାଂସ୍କୃତିକ ପରମ୍ପରା।
ଆମ ପାରିବାରିକ ସଂସ୍କୃତିରେ ପ୍ରତିପାଳିତ ଆଜିକାଲିର ଝିଅଟିଏ ଶାଢ଼ି ପିନ୍ଧି ବାହାବେଦିରେ ବସେ। ଶାଢ଼ି ପିନ୍ଧି ଶାଶୁଘରକୁ ଯାଏ। କିନ୍ତୁ ସେଇଟିକୁ ସେ ବାଧ୍ୟବାଧକତାରେ ପିନ୍ଧେ ବୋଲି ମନେହୁଏ। କାରଣ ସମୟ ସୁବିଧା ଖୋଜି ପୁଣି ଡ୍ରେସ୍‌ର ଖୋଳପାଟିଏ ଦେହରେ ଗଳାଇଦିଏ। ସ୍ବାମୀ ସହିତ ସହରାଞ୍ଚଳରେ ରହିବାର ସୁବିଧା ହୋଇଗଲା ତ କଥା ସଇଲା। ପୂରା ସ୍ବାଧୀନ। କେହି କହିବାର ନାହିଁ। ନାଇଟି ଗୋଟାଏ ପିନ୍ଧି ରହିଥିବ ଅନବରତ। ମୁଣ୍ଡରେ ବେଣୀ ଖୋସା ପାରିବା ସମୟ ତ କେବେଠୁ ଗଲାଣି। ବିୟୁଟି ପାର୍ଲରର ହେୟାର କଟ୍‌ ବିଚିତ୍ର ଧରଣର। କିଛି ଆଗକୁ ତ କିଛି ପଛକୁ। ରଙ୍ଗ କିଛି ନାଲି ତ କିଛି କହରା। ପିନ୍ଧିଥିବା ଡ୍ରେସ୍‌ କେତେବେଳେ କାନ୍ଧପାଖରେ ଚିରା ତ କେତେବେଳେ ଜଙ୍ଘ ପାଖରେ ଫଟା। ପିଠିପାଖ ମୁକୁଳା ତ ଛାତିର ଅଧାଅଂଶ ଫୁଙ୍ଗୁଳା। ଯେଉଁମାନଙ୍କୁ ଅନୁସରଣ କରି ଆମେ ଏତେବାଟ ଗଲୁଣି ସେମାନେ ଯେ ଆମ ପିଛା ଧରିଛନ୍ତି, ଏ କଥା ଆମେ କେବେ ବୁଝିବା?
ଦଶରଥପୁର, ଯାଜପୁର, ମୋ-୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri