ଇଲେକ୍ଟୋରାଲ ବଣ୍ଡ୍‌ : ବେନାମୀ ପ୍ରହସନ

ନୀତୀନ ସେଠୀ
ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଇଲେକ୍ଟୋରାଲ ବଣ୍ଡ୍‌ କିଣୁଥିବା ଦାତା ତଥା ତା’ର ଗ୍ରହୀତା ରାଜନୈତିକ ଦଳଗୁଡ଼ିକର ଏକ ଗୁପ୍ତ ସଂଖ୍ୟାଭିତ୍ତିକ ରେକର୍ଡ ରଖିଥାଏ। କିନ୍ତୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଚାହିଁଲେ ଏହି ରେକର୍ଡକୁ ମାଗି ଦେଖିପାରିବେ। ସୁତରାଂ ଏହାକୁ ବେନାମୀ ବୋଲି ଯାହା କୁହାଯାଉଛି ତାହା ଏକ ପ୍ରହସନ ଛଡ଼ା ଆଉ କିଛି ନୁହେଁ।
୨୦୧୭ ଫେବୃୟାରୀରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ରାଜ୍ୟ ସଭାରେ ବେନାମୀ କର୍ପୋରେଟ୍‌ ଦାନକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଥିଲେ। ନିୟମ ଅନୁସାରେ ଦାତାମାନେ ନିଜ ନାମ ଗୋପନ ରଖି ଇଲେକ୍ଟୋରାଲ ବଣ୍ଡ୍‌ କିଣିପାରିବେ ଏବଂ ନିଜ ପସନ୍ଦର ରାଜନୈତିକ ଦଳକୁ ଦାନ କରିପାରିବେ। ଦାତା କୌଣସି ରାଜନୈତିକ ଦଳକୁ କେତେ ଦାନ କଲେ ତାହା କେବଳ ସେ ହିଁ ଜାଣିବେ ବୋଲି ଜେଟ୍‌ଲୀ ଏକ ବ୍ଲଗ୍‌ ପୋଷ୍ଟରେ ଦାବି କରିଥିଲେ। ଏପ୍ରିଲ ୨୦୧୮ରେ ଏପରି କୋଡ୍‌ ନମ୍ବର ବିଶିଷ୍ଟ ଜଣେ ଦାତା ଦୁଇଟି ୧୦୦୦ ଟଙ୍କିଆ ବଣ୍ଡ୍‌ କିଣିଥିଲେ। ସେ ଯେତେବେଳେ କହିଲେ ଯେ ତାଙ୍କ କୋଡ୍‌ ନମ୍ବରଟି ଅତିବାଇଗଣୀ ଆଲୋକରେ ଦେଖାଯାଉଥିଲା, ସେତେବେଳେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍‌ ରିଲିଜ ଜାରି କରାଗଲା। ଏଥିରେ କୁହାଗଲା ଯେ ଏସ୍‌ବିଆଇ ଏହି ନମ୍ବରକୁ ଦାତା ବା ଗ୍ରହୀତା ରାଜନୈତିକ ଦଳ ସହ ସମ୍ବନ୍ଧିତ କୌଣସି ଦଲିଲରେ ଉଲ୍ଲେଖ କରେ ନାହିଁ। ତେଣୁ ଦାତା ବା ଗ୍ରହୀତାଙ୍କୁ ଟ୍ରାକ୍‌ କରିବା ପାଇଁ ଏହି ନମ୍ବରକୁ ବ୍ୟବହାର କରାଯାଇପାରିବ ନାହିଁ। ଏସ୍‌ବିଆଇ ଛଡ଼ା ଅନ୍ୟ କୌଣସି ବ୍ୟାଙ୍କକୁ ଏହି ବଣ୍ଡ୍‌ ବିକ୍ରି ପାଇଁ କ୍ଷମତା ଦିଆଯାଇ ନାହିଁ।
ବର୍ତ୍ତମାନ ସ୍ବଚ୍ଛତା କର୍ମୀ କମୋଡୋର ଲୋକେଶ ବାତ୍ରା ଆର୍‌ଟିଆଇ ଆବେଦନ ମାଧ୍ୟମରେ ପାଇଥିବା ଏବଂ ହଫ୍‌ପୋଷ୍ଟ ସମୀକ୍ଷା କରିଥିବା ଅପ୍ରକାଶିତ ଦଲିଲ ଅନୁସାରେ ସରକାର ଯାହା କହିଛନ୍ତି ତାହା ଭୁଲ୍‌। କାରଣ ଏସ୍‌ବିଆଇ ଉକ୍ତ କୋଡ୍‌ ନମ୍ବରକୁ ବ୍ୟବହାର କରି କିଏ କେତେ ବଣ୍ଡ୍‌ କିଣିଲା ଓ କାହାକୁ ଦେଲା ତାକୁ ଟ୍ରାକ୍‌ କରୁଛି। ଅର୍ଥ ମନ୍ତ୍ରଣାଳୟ ଏଥିପାଇଁ ଅନୁମତି ଦେଇଥିବା ପ୍ରାପ୍ତ ଦଲିଲରୁ ଜଣାପଡ଼ିଛି। ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ନିୟମାବଳୀରେ ରହିଛି ଯେ ଯଦି ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଚାହିଁବେ ତେବେ ଏସ୍‌ବିଆଇ ଉକ୍ତ ତଥ୍ୟ ସେମାନଙ୍କୁ ପ୍ରଦାନ କରିବ। କେତେକ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଯଥା ସିବିଆଇ ଓ ଇଡି ତାଙ୍କ ରାଜନୈତିକ ମୁନିବମାନଙ୍କ ଇସାରାରେ କାମ କରୁଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଆସୁଛି। ତେଣୁ ଏହି ଇଲେକ୍ଟୋରାଲ ବଣ୍ଡ୍‌ ବର୍ତ୍ତମାନର ସରକାରଙ୍କ ପାଇଁ ବେନାମୀ ନୁହେଁ। କାରଣ ସରକାର ସିବିଆଇ ବା ଇଡିକୁ ଲଗାଇ ଏସ୍‌ବିଆଇଠାରୁ ସେହି ତଥ୍ୟ ହାସଲ କରିପାରିବେ। କେବଳ ବିରୋଧୀ ଦଳ ଏବଂ ସାଧାରଣ ଜନତା ଏ ବାବଦରେ ଅନ୍ଧାରରେ ରହିବେ। ତଥାପି ପାର୍ଲାମେଣ୍ଟରେ ବିତର୍କରେ ଜେଟ୍‌ଲୀ ଦାବି କରିଥିଲେ ଯେ ଦାତାମାନଙ୍କର ନାମ ପ୍ରକାଶ ନ କରିବାର ଉଦ୍ଦେଶ୍ୟ ହେଉଛି ତାହାଦ୍ୱାରା ବିରୋଧୀ ଦଳଗୁଡ଼ିକ ମଧ୍ୟ ରାଜନୈତିକ ଦାନ ଗ୍ରହଣ କରିବାରେ କୌଣସି ସମସ୍ୟା ରହିବ ନାହିଁ। ଯଦି ସରକାର ବିରୋଧୀ ଦଳଗୁଡ଼ିକୁ ମଧ୍ୟ ସାହାଯ୍ୟ କରିବା ପାଇଁ କୌଣସି ଆଇନ କରୁଛନ୍ତି, ତେବେ ଏହାଦ୍ୱାରା ସରକାରଙ୍କର ମହାନୁଭବତା ପ୍ରକାଶ ପାଉଛି ବୋଲି ଜେଟ୍‌ଲୀ କହିଥିଲେ। କିନ୍ତୁ ଜେଟ୍‌ଲୀଙ୍କର ଏହି ଦାବି ଯେ ନିରାଧାର ଓ ମିଥ୍ୟା ତାହା ହଫ୍‌ପୋଷ୍ଟ ସମୀକ୍ଷା କରିଥିବା ଦଲିଲରୁ ଜଣାପଡ଼ିଛି।
ଫେବୃୟାରୀ ୧, ୨୦୧୭ରେ ଜେଟ୍‌ଲୀ ଯେତେବେଳେ ତାଙ୍କ ବଜେଟ ଭାଷଣରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ବିଷୟରେ ଘୋଷଣା କଲେ, ସେତେବେଳେ ପ୍ରକୃତରେ ଏ ବଣ୍ଡ୍‌ କେମିତି କାମ କରିବ ସେ ବିଷୟରେ ସରକାରଙ୍କର କିଛି ଧାରଣା ନ ଥିଲା। ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ନିର୍ବାଚନ କମିଶନ (ଇସି) ଏବଂ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା କରିଥିଲେ ମଧ୍ୟ ସେମାନଙ୍କ ପରାମର୍ଶକୁ ଗ୍ରହଣ କରି ନ ଥିଲେ। ବର୍ଷକ ପରେ ଜାନୁୟାରୀ ୨୦୧୮ରେ ଅର୍ଥ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ଫାଇଲ ଲିଖନରୁ ଜଣାପଡ଼ିଛି ଯେ, ଏହା ପ୍ରଥମେ ଏକ ମୌଳିକ ଧାରଣାଗତ ଫ୍ରେମ୍‌ଓ୍ବାର୍କ ପ୍ରସ୍ତୁତ କଲା ଏବଂ ତା’ପରେ ଯୋଜନା କେମିତି ଚାଲିବ ସେ ନେଇ ଏସ୍‌ବିଆଇ ଅଧିକାରୀମାନଙ୍କ ସହ ଆଲୋଚନା କଲା। ଜାନୁୟାରୀ ୧୬, ୨୦୧୮ରେ ଏକ ବୈଠକରେ ଏସ୍‌ବିଆଇ ବୁଝାଇଦେଲା ଯେ କ୍ରେତା ଓ ଗ୍ରହୀତାମାନଙ୍କୁ ଚିହ୍ନଟ କରିବା ପାଇଁ ଏକ କ୍ରମିକ ସଂଖ୍ୟା (ସିରିୟଲ ନମ୍ବର) ରଖାଯିବା ଦରକାର। ଇଲେକ୍ଟୋରାଲ ବଣ୍ଡ୍‌ରେ କ୍ରେତା ବା ଦାତାଙ୍କ ନାମ ଉଲ୍ଲେଖ ରହିବ ନାହିଁ, କିନ୍ତୁ ସେଥିରେ ଗୋଟିଏ କ୍ରମିକ ସଂଖ୍ୟା ରହିବ। କ୍ରମିକ ସଂଖ୍ୟା ନ ରହିଲେ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଓ ମିଳାମିଳି ବା ଅଡିଟ୍‌ କରିବା ସମ୍ଭବ ହେବ ନାହିଁ। ଯଦି କୋର୍ଟ ବା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ବଣ୍ଡ୍‌ର କ୍ରେତାମାନଙ୍କ ବିଷୟରେ କିଛି ପଚାରିବେ, ତାଙ୍କୁ କିଛି ଉତ୍ତର ଦିଆଯାଇପାରିବ ନାହିଁ। ଏକକ ଚିହ୍ନଟକାରୀ ବ୍ୟବସ୍ଥା ବ୍ୟତିରେକେ ବଣ୍ଡ୍‌ଗୁଡ଼ିକ ନକଲି କରାଯାଇପାରେ ଏବଂ ତା’ର ହିସାବକିତାବ ରଖିବା ଅସମ୍ଭବ ହୋଇପଡ଼ିବ। ତେବେ ଉକ୍ତ କ୍ରମିକ ସଂଖ୍ୟାର ଉଦ୍ଦେଶ୍ୟ ହେଉଛି ଇଲେକ୍ଟୋରାଲ ବଣ୍ଡ୍‌ଗୁଡ଼ିକର ସତତା ଓ ପ୍ରମାଣିକତାକୁ ସୁନିଶ୍ଚିତ କରିବା। ସର୍ବସାଧାରଣଙ୍କ ପାଇଁ ଦାତାମାନଙ୍କ ନାମ ଗୋପନ ରହିବ କିନ୍ତୁ ଏସ୍‌ବିଆଇ ପାଖରେ ତାହା ଗୋପନ ରହିବ ନାହିଁ। ଅର୍ଥ ମନ୍ତ୍ରଣାଳୟ ଏସ୍‌ବିଆଇର ଏହି ପ୍ରସ୍ତାବରେ ରାଜି ହୋଇଥିବା ପ୍ରାପ୍ତ ଦଲିଲରୁ ଜଣାପଡ଼ିଛି।
ତେବେ ବ୍ୟାଙ୍କକୁ ଏହି ତଥ୍ୟ ଗୋପନ ରଖିବା ଓ କୌଣସି ପରିସ୍ଥିତିରେ ବି ଲିକ୍‌ ନ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା କୌଣସି ଆପରାଧିକ ମାମଲା ତଦନ୍ତ ପରିପ୍ରେକ୍ଷୀରେ ତଥ୍ୟ ମାଗିଲେ ଏସ୍‌ବିଆଇ ତାଙ୍କୁ ତାହା ପ୍ରଦାନ କରିବା ପାଇଁ ଇଲେକ୍ଟୋରାଲ ବଣ୍ଡ୍‌ ନିୟମରେ ରହିଛି। କିଭଳି ଆପରାଧିକ ମାମଲା ବିଷୟରେ ଏଠାରେ କୁହାଯାଇଛି, ସେ ବିଷୟରେ ନିୟମରେ ପୂର୍ଣ୍ଣାଙ୍ଗ ବିବରଣୀ ନାହିଁ। କେଉଁ ପରିସ୍ଥିତିରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ତଥ୍ୟ ମାଗିପାରିବେ, ସେ ବିଷୟରେ କିଛି ଉଲ୍ଲେଖ ନାହିଁ।
ସିବିଆଇକୁ ସରକାରଙ୍କ ପୋଷା ଶୁଆ ବୋଲି ସୁପ୍ରିମ୍‌କୋର୍ଟ ଏକଦା ଅଭିହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ସିବିଆଇ ମାଧ୍ୟମରେ ସରକାର ଇଲେକ୍ଟୋରାଲ ବଣ୍ଡ୍‌ଗୁଡ଼ିକର କ୍ରେତା ଓ ଗ୍ରହୀତାମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ହାତେଇବା କିଛି ଅସମ୍ଭବ ନୁହେଁ। ପୁନଶ୍ଚ ଏସ୍‌ବିଆଇ ମଧ୍ୟ ସରକାରଙ୍କ ଆଦେଶ ଓ ନିର୍ଦ୍ଦେଶକୁ ଅନେକ ସମୟରେ ଅବମାନନା କରିଥିବାର ନଜୀର ରହିଛି। ତେଣୁ ସ୍ବୟଂ ଏସ୍‌ବିଆଇ ତଥ୍ୟ ଲିକ୍‌ କରିବା ବି ଅସମ୍ଭବ ନୁହେଁ। ତେଣୁ ଇଲେକ୍ଟୋରାଲ ବଣ୍ଡ୍‌କୁ ବେନାମୀ ବୋଲି ଯାହା କୁହାଯାଉଛି ତାହା ଏକ ପ୍ରହସନ କହିଲେ ଭୁଲ୍‌ ହେବ ନାହିଁ। (ସୌଜନ୍ୟ: ହଫିଙ୍ଗ୍‌ଟନ୍‌ପୋଷ୍ଟ)
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?